ଜାଗର ଦର୍ଶନ ସମୟରେ ଲୁଟ ଘଟଣା; ପଶ୍ଚିମ ବଙ୍ଗ ମହିଳା ଲୁଟେରାକୁ ମାଡ଼ି ବସିଲେ ଜଣେ ବୃଦ୍ଧା

ଜାଗର ଦର୍ଶନ ପାଇଁ ଯାଇଥିବା ଶ୍ରୀଲୋକନାଥ ମନ୍ଦିର ସମ୍ମୁଖରେ ଲୁଟ କରୁଥିବା ବେଳେ ଲୁଟେରା ମହିଳାଙ୍କୁ ମାଡ଼ି ବସିଲେ ଜଣେ ୭୫ ବର୍ଷୀୟା ବୃଦ୍ଧା। ତା' ଠାରୁ ସୁନା ଚେନ ଜବତ କଲା ପୋଲିସ।

ଜାଗର ଦର୍ଶନ ସମୟରେ ଲୁଟ ଘଟଣା

ଜାଗର ଦର୍ଶନ ସମୟରେ ଲୁଟ ଘଟଣା

  • Share this:
News18 Odia Digital

ପୁରୀ: ଶ୍ରୀମନ୍ଦିର ହେଉ ଅବା ସହରର ଭିଡ ଅଞ୍ଚଳ। ସବୁଠି ଏବେ ପଶ୍ଚିମ ବଙ୍ଗ ମହିଳା ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳୁଛି। ଆଉ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିତରେ ପଶି ଅନେକ ଲୁଟ ଘଟଣା ଘଟାଇଥିବା ବେଳେ ଜାଗରରେ ଶ୍ରୀଲୋକନାଥ ମନ୍ଦିରରେ ଭକ୍ତଙ୍କୁ ଲୁଟ କରୁଥିବା ଅନେକ ଲୁଟେରାଙ୍କ ଭିତରେ ରହିଛନ୍ତି ପଶ୍ଚିମ ବଙ୍ଗ ମହିଳା ଲୁଟେରା। ଗତକାଲି ଲୋକନାଥ ମନ୍ଦିର ନିକଟରେ ଜଣେ ବୃଦ୍ଧାଙ୍କ ସୁନା ଚେନ ଲୁଟ କରୁଥିବା ବେଳେ ଧରିପକାଇଲେ ମହିଳା ଲୁଟେରାକୁ।

ଲୋକନାଥ ରୋଡ ହାତୀଶାଳର ୭୫ ବର୍ଷୀୟା ବୃଦ୍ଧା ନଳିନୀ ପଲେଇଙ୍କ କହିବା ଅନୁସାରେ, "ଜାଗର ଉପଲକ୍ଷେ ମହାଦେବ ଲୋକନାଥଙ୍କ ପୀଠକୁ ଆସିଥିଲୁ ଦର୍ଶନ କରିବୁ ଓ ଦୀପ ଜାଳିବାକୁ। ମୁଁ ଓ ମୋ ଭଉଣୀ ଜଗତସିଂହପୁର ଜିଲ୍ଲାର ଅଞ୍ଜନା ପଲେଇ ଦୁହେଁ ଲୋକନାଥ ମନ୍ଦିର ସମ୍ମୁଖରୁ ଦୀପ ଓ ବେଲପତ୍ର, ଭୋଗ ଆଦି କିଣୁଥିଲୁ। ସେହି ସମୟରେ ଜଣେ ମହିଳା ଆମ ଭିତରେ ପଶି ଭୋଗ କିଣିବା ବାହାନାରେ ଠେଲା ପେଲା କଲା। ଆଉ ସେହି ଭିତରେ ମୋ ଭଉଣୀର ସୁନା ଚେନଟିକୁ ବେକରୁ କାଟି ଦେଇ ଟାଣିନେବ ପାଇଁ ଉଦ୍ୟମ କଲାବେଳେ ସେ ପାଟିକଲା। ଆଉ ମୁଁ ତା ପାଖରେ ଠିଆ ହୋଇଥିବା ବେଳେ ସେହି ମହିଳା ଲୁଟେରାକୁ ମାଡ଼ି ବସିଲି। ସେ ମୋ ଛାତିକି ଧକ୍କା ମାରିବା ସହ ମୋତେ ପେଲି ଦେଲା। ମୋ ମୁଣ୍ଡ ରାସ୍ତାରେ ମାଡ଼ ହେଲେ ସୁଦ୍ଧା ମୁଁ ତା ହାତକୁ ମାଡି ବସିଲି। ସେ ପଳାଇଯିବା ପାଇଁ ଉଦ୍ୟମ କରି ମୋତେ ଓ ମୋ ଭଉଣୀକୁ ମାରଧର କଲା। ତେବେ ତତକ୍ଷଣାତ ଲୋକେ ଜମା ହୋଇ ଯିବା ପରେ ପୋଲିସ ପହଞ୍ଚିଗଲା। ଆଉ ତାକୁ ଆମେ ପୋଲିସକୁ ଦେବା ସହ ତା ନାଁରେ ଏତଲା ଦେଲୁ। ଆଉ ଆମ ଚେନଟି ସୁରକ୍ଷିତ ଫେରି ପାଇଲୁ। ତେବେ ମୋତେ ଢେର ବୟସ ହେଲେ ମଧ୍ୟ ହାତରେ ଅନେକ ବଳ ଅଛି। ତେଣୁ ବୁଢ଼ୀ ହେଲି ବୋଲି କଣ ମୁଁ ଲଢ଼ି ପାରିବିନି।’’

ସେହିପରି ଲୁଟେରାଙ୍କ ଶିକାର ହୋଇଛନ୍ତି ବ୍ରହ୍ମଗିରିର ୪୬ ବର୍ଷୀୟା ସରସ୍ୱତୀ ପଲେଇ।
ଜାଗର ଯାତ୍ରା ଅବସରରେ ସରସ୍ଵତୀ ପରିବାର ଲୋକଙ୍କ ସହ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିର ଗମ୍ଭୀରା ଭିତରେ ତାଙ୍କ ବେକରୁ ୧୪ ଭରିର ସୁନା ଚେନ ଦୁର୍ବୁତ୍ତ ଲୁଟି ନେଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିବା ସହ ବାସେଳୀ ସାହି ଥାନାରେ ଦେଇଛନ୍ତି ଏତଲା। ତେବେ ଲୋକନାଥ ମନ୍ଦିର ନିକଟରେ ସେହିପରି ବୃଦ୍ଧାଙ୍କ ବେକରୁ ଜଣେ ମହିଳା ଲୁଟେରା ଚେନ ଲୁଟ କରୁଥିବା ବେଳେ ବୃଦ୍ଧା ଜଣକ ଲୁଟେରା ମହିଳାକୁ ଧରିବାରେ ସକ୍ଷମ ହୋଇଛନ୍ତି। ତେଣୁ ସେହି ଲୁଟେରା ମହିଳାକୁ ପଚରାଉଚୁରା କଲେ ସବୁ ଲୁଟେରା ଗ୍ୟାଙ୍ଗର ପର୍ଦ୍ଧା ଫାସ ହେବ ବୋଲି କହିଛନ୍ତି ଲୁଟର ଶିକାର ହୋଇଥିବା ବ୍ରହ୍ମଗିରିର ସରସ୍ୱତୀ ପଲେଇ।

ଏହି ମାମଲାରେ ଅତିରିକ୍ତ ଏସପି ମହିର ପଣ୍ଡା କହିଛନ୍ତି, "ଲୋକନାଥ ମନ୍ଦିରରେ ଜାଗର ଦିନ ତିନୋଟି ଚୋରି ଘଟଣା ହୋଇଛି। ଗୋଟିଏରେ ଗିରଫ ମହିଳା ଲୁଟେରା ହେଲେ ପଶ୍ଚିମ ବଙ୍ଗର ୫୮ ବର୍ଷୀୟା ଲଳିତା ମୁଦଲିଆର୍। ଆଉ ତାଙ୍କୁ ସ୍ପଷ୍ଟରୁ ହିଁ ଧରିପକାଇଥିଲେ ଲୁଟର ଶିକାର ହୋଇଥିବା ୭୫ ବର୍ଷୀୟା ବୃଦ୍ଧା ନଳିନୀ ପଲେଇ। ତେବେ ଅନ୍ୟ ଦୁଇଟି ଘଟଣାରେ ଆଉ ଏକ ଚୋର ଧରା ହୋଇଥିବା ବେଳେ ପଚରାଉଚୁରା ଚାଲିଛି। ଆଉ ଏହି ଲୁଟ ନେଇ ବାସେଳିସାହି ଥାନାରେ ୪୬ ନମ୍ବର କେସ କରାଯାଇ ୩୯୪ ଆଇପିସି ଧାରା ଲଗାଯାଇ ସମ୍ପୃକ୍ତ ଲୁଟେରା ମହିଳାକୁ କୋର୍ଟ ଚାଲାଣ କରାଯାଇଛି। ଆଉ ତା' ଠାରୁ ଜବତ ହୋଇଥିବା ସୁନା ଚେନଟିକୁ ନଳିନୀ ପଲେଇଙ୍କୁ ହସ୍ତାନ୍ତର କରାଯାଇଛି। ସେପଟେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇ ଏହି ଲୁଟେରା ଗ୍ୟାଙ୍ଗକୁ ଠାବ କରାଯିବା ପାଇଁ।’’

ଲୁଟରୋ ମହିଳାକୁ ଧରି ୭୫ ବର୍ଷୀୟା ବୃଦ୍ଧାଙ୍କ ସାହସିକତାକୁ ନେଇ ଏବେ ଚାରିଆଡୁ ମିଳିଛି ପ୍ରଶଂସା। ତେବେ ଶ୍ରୀମନ୍ଦିର ହେଉ ଅବା ଲୋକନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ଠାରୁ ସୁନା ଚେନ ଓ ଟଙ୍କା ଲୁଟ ହେବା କୌଣସି ନୂଆ କଥା ନୁହେଁ। ତେଣୁ ଗହଳିକୁ ସୁନା ଗହଣା ଓ ଅଳଙ୍କାର ପିନ୍ଧି ଆସିବା ନେଇ ସତର୍କ ରୁହନ୍ତୁ ବୋଲି ସବୁବେଳେ କହିଆସୁଛନ୍ତି ସମସ୍ତେ।
Published by:Lipina Das
First published: