ଏ ବର୍ଷରୁ ରାଜ୍ୟରେ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ସାମିଲ ହେବ

ଗତ ଚ଼ାରି ମାସରେ ରାଜ୍ୟରେ ପାଖାପାଖି ୧୧,୦୦୦ ମଦୁଆ ଡ଼୍ରାଇଭର ଧରାପଡ଼ିଛନ୍ତି – ପୋଲିସ ଧରିଛି ୧୦,୦୦୦ ଓ ଆରଟିଓ ଧରିଛି ୧,୦୦୦ । ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା ହ୍ରାସ ପାଇଛି ।

ଏ ବର୍ଷରୁ ରାଜ୍ୟରେ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ସାମିଲ ହେବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 30, 2020, 1:53 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନାଇ ସରକାର ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ବସ୍ତୁ ସାମିଲ କରିବାକୁ ନିଷ୍ପତ୍ତି କରିଛନ୍ତି । ୨୦୨୦-୨୧ ବର୍ଷର ପାଠ୍ୟକ୍ରମରେ ଏହି ବିଷୟ ସାମିଲ କରାଯିବ ।

ସଡ଼କ ସୁରକ୍ଷାକୁ ନେଇ ରାଜଧାନୀରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବିଷୟର ରୂପରେଖ କ’ଣ ରହିବ ତାହା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସ୍ଥିର କରିବ ବୋଲି କହିଛନ୍ତି ପରିବହନ କିମିଶନର ସଞ୍ଜୀବ ପଣ୍ଡା । ପୂର୍ବରୁ ନବମ ଶ୍ରେଣୀ ଯାଏ  ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ରହିଥିବା ବେଳେ ଆଗାମୀ ଶିକ୍ଷା ବର୍ଷରୁ ଦଶମ ଶ୍ରେଣୀରେ ଏହି ଲାଗୁ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ରାଜ୍ୟରେ ସଡ଼କ ଦୁର୍ଘଟଣା କମାଇବା ଉପରେ ମଧ୍ୟ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଗତ ଚ଼ାରି ମାସରେ ପ୍ରାୟ ୧୧,୦୦୦ ମଦୁଆ ଡ଼୍ରାଇଭର ଧରାପଡ଼ିଥିବା ବେଳେ ପୋଲିସ ହାତରେ ୧୦,୦୦୦ ଓ ଆରଟିଓ ହାତରେ ୧,୦୦୦ ମଦୁଆ ଡ଼୍ରାଇଭର ଧରାପଡ଼ିଛନ୍ତି । ସେହିପରି ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା କ୍ରମଶଃ ହ୍ରାସ ପାଇଥିବା ବୈଠକରେ କୁହାଯାଇଛି ।

‘‘ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ସାମିଲ ହେବ । ତେବେ ତା’ର ରୂପରେଖ କଣ ରହିବ ଓ କେଉଁ ବିଷୟରେ ତାହା ସାମିଲ କରାଯିବ ସେ ବାବଦରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ୍ସପର୍ଟମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବ,’’ କହିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା ।

ପରିବହନ କିମିଶନର ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷାକୁ ନେଇ ବସିଥିବା ବୈଠକ


ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ଯେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ସେ ପାଇଛନ୍ତି । ‘‘ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ପ୍ରସ୍ତାବ ଆସିବା ପରେ କେମିତି ବିଷୟ ବସ୍ତୁ ପ୍ରସ୍ତୁତ କରାଯିବ ସେ ନେଇ ସ୍ଥିର ହେବ,’’ କହିଛନ୍ତି ମନ୍ତ୍ରୀ ।

‘‘ଟ୍ରାଫିକ୍ ନିୟମକୁ ନେଇ ଜନ ସଚ଼େତନତା ସୃଷ୍ଟି କରିବା ପାଇଁ ଏହା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି । ବିଳମ୍ବରେ ହେଲେ ବି ସରକାରଙ୍କ ଏପରି ନିଷ୍ପତ୍ତି ଦ୍ୱାରା ଛାତ୍ରଛାତ୍ରୀ ବହୁତ ସଚ଼େତନ ହୋଇପାରିବେ । କିନ୍ତୁ ଛାତ୍ରଛାତ୍ରୀମାନେ ସାମାଜିକ ନିୟମକୁ ନେଇ ସଚେତନ ହେବାର ଆବଶ୍ୟକତା ରହିଛି,’’ କହିଛନ୍ତି ଶିକ୍ଷାବିତ ନିରଞ୍ଜନ ପଣ୍ଡା ।

ବିଷୟ ବସ୍ତୁ ନେଇ  ରୂପରେଖ ପ୍ରସ୍ତୁତ ହୋଇ ନ ଥିଲେ ବି ଟ୍ରାଫିକ୍ ନିୟମ କଣ, ଟ୍ରାଫିକ୍‌ ନିୟମ ଉଲଙ୍ଘନ କଲେ କେତେ ଜରିମାନା ପଡ଼ିବ, ଟ୍ରାଫିକ୍ ସିଗନାଲ୍ କ’ଣ, ନୂଆ ମୋଟରଯାନ ଆଇନରେ କ’ଣ ନିୟମ ରହିଛି ଆଦି ବିଷୟକୁ ଫୋକସ କରାଯିବ ।

ପୂର୍ବରୁ ନବମ ଶ୍ରେଣୀ ଇଂରାଜୀ ବହିରେ ରୋଡ୍ ସେଫ୍ଟି ନାମରେ ବିଷୟ ରହିଛି, ଯେଉଁଥିରେ  ଗାଡ଼ି କେଉଁମାନେ ଚଳେଇବା ପାଇଁ ଯୋଗ୍ୟ, କେଉଁ ବୟସରେ ଗାଡ଼ି ଲାଇସେନ୍ସ ମିଳେ, ଟ୍ରାଫିକର କେଉଁ ସବୁ ନିୟମ ମାନି ଗାଡ଼ି ଚ଼ଳେଇବାକୁ ପଡ଼େ ଆଦି କିଛି ତଥ୍ୟକୁ ନେଇ ବିଷୟର ଉପସ୍ଥାପନ କରାଯାଇଛି । ତେବେ ଦଶମ ଶ୍ରେଣୀରେ ଏହି ବିଷୟଟି ଯୋଡ଼ା ହେଲେ ଏହାର କଣ ରୂପ ରେଖ ରହିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ ।

ଏହା ସହ ରାମେଶ୍ୱରରୁ ଚ଼ଣ୍ଡିଖୋଲ ଯାଏ ଜାତୀୟ ରାଜପଥରେ ଇଣ୍ଟିଗ୍ରେଟେଡ଼  ହାଇୱେ ମ୍ୟାନେଜମେଣ୍ଟ ସିଷ୍ଟମକୁ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି । ଏହି ବ୍ୟବସ୍ଥା ମଧ୍ୟରେ ସଂଯୁକ୍ତ ରାସ୍ତାରେ ଅଧିକ ସିସିଟିଭି ଲାଗିବା ସହିତ ଇଣ୍ଟରସେପ୍ଟର ରହିବ । ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ବା ଅଧିକ ବେଗରେ ଗାଡ଼ି ଚଳାଇଲେ କିମ୍ବା ଟ୍ରାଫିକ ନିୟମ ଉଲଙ୍ଘନ କଲେ  କମ୍ପ୍ୟୁଟର ମାଧ୍ୟମରେ ଚ଼ାଲାଣ କଟାଯିବ । ପାଇଲଟ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ରାମେଶ୍ୱରରୁ ଚଣ୍ଡିଖୋଲ ଯାଏ ଆରମ୍ଭ କରାଯାଉଥିବା ବେଳେ ପରବତ୍ତୀ ସମୟରେ ଏହା ଅନ୍ୟ ସ୍ଥାନରେ ଲାଗୁ କରାଯିବ ବୋଲି ଖାରବେଳ ଭବନରେ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ସଡ଼କ ସୁରକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ବୈଠକରେ ପରିବହନ ବିଭାଗ ସଚ଼ିବଙ୍କ ସହ ପରିବହନ କମିଶନର, ଗୃହ ବିଭାଗର ଓ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
First published: January 30, 2020, 1:53 AM IST
corona virus btn
corona virus btn
Loading