News18 Odia Digital
ବାଲେଶ୍ଵର: କାର୍ତ୍ତିକ ମାସରେ ନିରାମିଷର ଚାହିଦା ଅଧିକ । ହେଲେ ପରିବାର ଚଢ଼ା ଦର ଏବେ ଖାଉଟିଙ୍କ ମନକୁ ଖଟା କରି ଦେଇଛି। ସବୁ ପରିବା ଘରକୁ କିଣିବା ସମ୍ଭବ ନୁହେଁ ତଥାପି ୫୦୦ ଟଙ୍କାରେ ପରିବା ବ୍ୟାଗ ପୁରା ହେଉନାହିଁ।
ପରିବା ଦର ଦିନକୁ ଦିନ ବଢି ବଢି ଚାଲିଛି। ବିଲାତି ୭୦କୁ କଲରା ୬୦ରୁ ୭୦,ବାଇଗଣ ୭୦ , ଭେଣ୍ଡି ୬୦ , ଗାଜର ୫୦ଟଙ୍କାରେ ବିକ୍ରି ହେଉଛି। ବଜାରରେ ହାତ ଗଣତି କିଛି ପରିବାକୁ ଛାଡ଼ିଲେ ସବୁ ପରିବା ଦାମ କେଜି ପ୍ରତି ୫୦ ଟଙ୍କା ଉପରେ ରହିଛି। ଏବେ କାର୍ତ୍ତିକ ମାସ ହୋଇଥିବା ବେଳେ ପନିପରିବାର ଦାମ ବୃଦ୍ଧି ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଛି। ମୁଖ୍ୟତଃ କାର୍ତ୍ତିକ ମାସରେ ଲୋକେ ନିରାମିଷ ଖାଇବା ସହିତ ହବିଷ ପାଳିବା ପାଇଁ ପନିପରିବା ଉପରେ ନିର୍ଭର କରୁଥିବା ବେଳେ ଘରେ ଘରେ ମାଛ , ମାଂସ ପରିବର୍ତ୍ତେ ପରିବା ଚାହିଦା ଅଧିକ ରହିଥାଏ । ଏବେ ଚଢ଼ା ଦର ନେଇ ହାଣ୍ଡି ଶାଳରେ ନିଆଁ ଲାଗିଛି।
"ଏବେ କାର୍ତ୍ତିକ ମାସ ହୋଇଥିବାରୁ ଆମେ ବ୍ରତ ପାଳୁଛୁ । ଏଇମାସ ଶେଷ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଏହା ଶେଷ ହେବ , ଏଣୁ ଏଇମାସ ଆମିଷ ନିଷେଧ । ତେବେ ଆମିଷ ପରିବର୍ତ୍ତେ ନିରାମିଷ ଖାଉଥିବାରୁ ପନିପରିବା ଅଧିକ ଆବଶ୍ୟକ । ହେଲେ ଏବେ ଯେଉଁ ଦାମ ବୃଦ୍ଧି ପାଉଛି ସେଥିରେ କାର୍ତ୍ତିକ ବ୍ରତ କିପରି କରି ନିରାମିଷ ଖାଇବୁ ସବୁଠୁ ବେଶି ଚିନ୍ତାର ବିଷୟ, " କହିଛନ୍ତି ସହରର ଜଣେ ଗୃହିଣୀ ମାଳିନୀ ନାୟକ।

ପରିବା ଦରକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଖାଉଟି (ପ୍ରତୀକାତ୍ମକ ଛବି)
"୫୦୦ଟଙ୍କାରେ ବ୍ୟାଗଟିଏ ଫୁଲ ହେଉନାହିଁ । ପୂର୍ବରୁ ୧୦୦ରେ ଯେତିକି ହେଉଥିଲା ଏବେ ସେତିକି ପାଇଁ ୫୦୦ଟଙ୍କା ନିଅଣ୍ଟ । ପ୍ରତ୍ୟକ ଦିନ ପନିପରିବା ଦର ବୃଦ୍ଧି ହେଉଛି," କହିଛନ୍ତି ସହରର ଜଣେ ଖାଉଟି ରମେଶ ନାୟକ।
ଗତ କିଛିଦିନ ହେବ ପନି ପରିବା ଦର ବଢ଼ିବାରେ ଲାଗିଛି । ପୂର୍ବରୁ ବାଲେଶ୍ୱର ଜିଲ୍ଲାକୁ ସ୍ଥାନୀୟ ପରିବା ଆସୁଥିବା ରେମୁଣା , ବସ୍ତା , ଜଳେଶ୍ବର , ବାଲିଆପାଳ ଆଦି ଅଞ୍ଚଳରେ ସୁବର୍ଣ୍ଣରେଖା , ଜଳକା ଓ ସ୍ଵର୍ଣ୍ଣ ନଦୀରେ ବନ୍ୟା ଫଳରେ ନଷ୍ଟ ହୋଇଯାଇଥିଲା। ଏଣୁ ଚାହିଦା ମୁତାବକ ସ୍ଥାନୀୟ ପନି ପରିବା ଅସୁନଥିନରୁ ଦର ବଢ଼ି ଚାଲୁଥିଲା । ସେହିପରି ବାହାର ରାଜ୍ୟରୁ ଆସୁଥିବା ପନି ପରିବା ଉପରେ ତୈଳ ଦର ବୃଦ୍ଧି ପ୍ରଭାବ ପକାଇଥିବାରୁ ଦର ବଢ଼ି ଚାଲୁଥିବା ବ୍ୟବସାୟୀ କହିଛନ୍ତି । ମୁଖ୍ୟତଃ ଡିଜେଲ ଦର ଦିନକୁ ଦିନ ବଢ଼ୁଥିବାରୁ ଟ୍ରାନ୍ସପୋର୍ଟ ଖର୍ଚ୍ଚ ଦୁଇ ଗୁଣିତ ହୋଇଯାଇଛି ଏଣୁ ଦର ବଢୁଥିବା କୁହାଯାଉଛି।
"ସାଧାରଣତଃ ଶୀତ ଆରମ୍ଭ ପୂର୍ବରୁ ଟିକିଏ ପନିପରିବା ଦର ବଢ଼େ ଏହାପରେ ଢେର ହ୍ରାସପାଇଥାଏ। ତେବେ ଚଳିତ ବର୍ଷ ଟିକିଏ ଅଧିକ ଦାମ ରହୁଛି ଏହାର ଦୁଇଟି କାରଣ ଡିଜେଲ ୧୦୦ ଉପରେ ଥିବା ବେଳେ ଏହାର ଟ୍ରାନ୍ସପୋର୍ଟ ଉପରେ ପ୍ରଭାବ ପକାଉଛି ସେହିପରି ସ୍ଥାନୀୟ ଅଞ୍ଚଳରେ ଚଳିତ ବର୍ଷ ବନ୍ୟା ଯୋଗୁଁ ମଧ୍ୟ ଦର ଦାମ ବଢୁଛି," କହିଛନ୍ତି ପରିବା ବ୍ୟବସାୟୀ ଗଙ୍ଗାଧର ନାୟକ।
ବନ୍ୟା ପରେ ପରେ ତେଲ ଦର ସାଙ୍ଗକୁ ପରିବା ଦର ବୃଦ୍ଧି ଖାଉଟିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପନିପରିବା ଏକ ଅତ୍ୟାଆବଶ୍ୟକ ଖାଦ୍ୟ ହୋଇଥିବାରୁ ଏହାର ଦର ନିୟନ୍ତ୍ରଣ ନେଇ ଦାବି ତେଜୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।