BJDରେ ଜଳିଲା ଅସନ୍ତୋଷର ନିଆଁ; ଯୁବ ଓ ଛାତ୍ର ସଙ୍ଗଠନର କାର୍ଯ୍ୟକର୍ତ୍ତା ଚୟନ ବିବାଦରେ

ବିଧାୟକ ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ମାଳମାଳ ଅଭିଯୋଗ ଆଣିଛନ୍ତି BJDର ଯୁବ ଓ ଛାତ୍ର ନେତାମାନେ । ପ୍ରତିବାଦର ସ୍ୱର ରାଜ୍ୟ ସାରା ପ୍ରକମ୍ପିତ ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି ।

BJDରେ ଜଳିଲା ଅସନ୍ତୋଷର ନିଆଁ; ଯୁବ ଓ ଛାତ୍ର ସଙ୍ଗଠନର କାର୍ଯ୍ୟକର୍ତ୍ତା ଚୟନ ବିବାଦରେ
‘‘ବିବାଦୀୟ ନେତାଙ୍କୁ’’ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବା ଅଭିଯୋଗ ଆସିଛି ।
  • News18 Odia
  • Last Updated: September 29, 2020, 9:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁବ ଓ ଛାତ୍ର ସଙ୍ଗଠନର କାର୍ଯ୍ୟକର୍ତ୍ତା ଚୟନକୁ ନେଇ ବିଜେଡିରେ ଜଳି ଉଠିଛି ଅସନ୍ତୋଷର ନିଆଁ । ଚୟନ ପ୍ରକ୍ରିୟାକୁ ବିରୋଧ କରି ଦଳ ଛାଡ଼ିଛନ୍ତି ଶତାଧିକ କାର୍ଯ୍ୟକର୍ତ୍ତା । ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ବିଶୋଦ୍ଗାର କରିଛନ୍ତି । ଦୁଇ ଜଣ ବିଧାୟକ ଏପରି ଷଡ଼ଯନ୍ତ୍ର କରି ନିଜ ଅନୁଗତମାନଙ୍କୁ ଥଇଥାନ କରିଥିବା ଅଭିଯୋଗ ଆଣିଛନ୍ତି କଳ୍ପତରୁ । ଏହାର ଦଶ ମିନିଟ୍‌ ପରେ ‘‘ଦଳ-ବିରୋଧୀ କାର୍ଯ୍ୟ’’ ପାଇଁ କଳ୍ପତରୁଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ।

ବିଜେଡିର ଯୁବ ଓ ଛାତ୍ର ସଙ୍ଗଠନର କାର୍ଯ୍ୟକର୍ତ୍ତା ଚୟନକୁ ଚାରି ଦିନ ନ ପୂରୁଣୁ ବିଜେଡି ଭିତରେ ତେଜିଛି ଅସନ୍ତୋଷର ନିଆଁ । ଚୟନ ପ୍ରକ୍ରିୟାରେ ଦକ୍ଷତା ଓ ଅଭିଜ୍ଞତାକୁ ଆଧାର ନ କରାଯାଇ ଆନୁଗତ୍ୟ ଓ ପତିଆରା ପାଇଁ ଅନେକ ଅନଭିଜ୍ଞ ନେତାଙ୍କୁ ପଦବୀ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଦଳର ଶତାଧିକ କାର୍ଯ୍ୟକର୍ତ୍ତା । ସୋସିଆଲ ମିଡ଼ିଆରେ ନିଜ କ୍ଷୋଭ ପ୍ରକାଶ କରିବା ସହ ତିନି ଦିନ ହେବ ବିଭିନ୍ନ ନେତାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାଙ୍କୁ କୌଣସି ବି ନେତା ଦେଖା ଦେଇ ନ ଥିବା ଅଭିଯୋଗ ଆଣିଥିଲେ ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝା । ସେଇଥି ପାଇଁ ସେ ବାଧ୍ୟ ହୋଇ ଦଳ ସହ ୧୬ ବର୍ଷର ସମ୍ପର୍କ ତୁଟାଇ ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । କିନ୍ତୁ ଦଳ ତାଙ୍କୁ ବହିଷ୍କାର କରିଛି ବୋଲି କହିଛି ।

‘‘ଚୟନ ଦାୟିତ୍ୱରେ ଥିବା ଅନଭିଜ୍ଞ ନେତା ଅନୁଭବୀ ନେତାଙ୍କ ପରାମର୍ଶ ନେବା ବଦଳରେ ନିଜ ଅନୁଗତଙ୍କୁ ମନଇଚ୍ଛା ପଦ ପ୍ରଦାନ କରିଛନ୍ତି । ଛାତ୍ର ରାଜନୀତିରେ ଜଡ଼ିତ ରହି ବିଜେଡ଼ି ପାଇଁ ନିଜର ମୂଲ୍ୟବାନ ସମୟ ପ୍ରଦାନ କରିଥିବା ନେତାଙ୍କୁ ଚୟନରେ ସ୍ପଷ୍ଟ ଭାବେ ଅଣଦେଖା କରାଯାଇଛି । କିଛି ବରିଷ୍ଠ ପଦରେ ଥିବା ଛାତ୍ର ନେତାଙ୍କୁ କନିଷ୍ଠ ପଦ ପ୍ରଦାନ କରାଯାଇଛି । ଯୋଗ୍ୟ ଛାତ୍ର ନେତାଙ୍କୁ କୌଣସି ପଦ ମିଳି ନ ଥିବା ବେଳେ ଜଣଙ୍କୁ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦର ଅଧିକାରୀ କରାଯାଇଛି କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର ପିଲାଙ୍କୁ ଥଇଥାନ କରିବାକୁ ମନ୍ତ୍ରୀ ଓ ବିଧାୟକ ଲବି କରିଛନ୍ତି । ଏ ସବୁ ପଛରେ ଅଛି ବିଧାୟକ ପ୍ରଣବ ବଳବନ୍ତରାୟ ଓ ବେମୋକେଶ ରାୟଙ୍କ ଷଡ଼ଯନ୍ତ୍ର,’’ କହିଛନ୍ତି କଳ୍ପତରୁ । ଅନ୍ୟତମ ଛାତ୍ରନେତା ମହେଶ କହିଛନ୍ତି ଯେ ତାଙ୍କୁ ବି ଦୀର୍ଘ ଦିନ ଧରିୁ ଦଳ ଅଣଦେଖା କରିଆସିଛି ।

ବିଜେଡି କର୍ମୀ ରାକେଶ ମହାନ୍ତିଙ୍କ ଫେସବୁକ ପୋଷ୍ଟ


କଳ୍ପତରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଚିଠି ବି ବେଶ୍‌ ଭାଇରାଲ ହେଉଛି । ଏହି ଚିଠିରେ ସେ ଆରମ୍ଭ କରିଛନ୍ତି ଏମିତି, ‘‘ଜୟ ଜଗନ୍ନାଥ! ହେ ନବୀନ ବାବୁ, ମୁଁ ତୁମ ଫ୍ୟାନ । ୨୦୦୪ ରୁ ୨୦୨୦ ଆଜି ପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କର୍ମୀ । ବିଜେବି କଲେଜରୁ ବାଣୀ ବିହାର ପର୍ଯ୍ୟନ୍ତ… ।’’

‘‘ମୁଁ ଓ ଅନ୍ୟ କିଛି ଛାତ୍ର ନେତା ଏବେ ଦଳରେ ଅଲୋଡା କାହିଁକି? ଦଳ ପାଇଁ କେସ ଖାଇଛୁ, ଦୁଇ ଦୁଇ ଥର ଜେଲ ମଧ୍ୟ ଯିବାକୁ ପଡ଼ିଛି। ଦଳ ଦେଉଛି କଣ? ମୁଁ ବିଜେବି କଲେଜର ସାଧାରଣ ସମ୍ପାଦକ ହେବା ଠାରୁ ଆରମ୍ଭ କରି ଭୁବନେଶ୍ୱରର ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ନେଇ ସୁଚାର ରୁପେ ତୁଲାଇବା ପରେ ମଧ୍ୟ ଯଦି ଆମର ଏ ଅବସ୍ଥା ତେବେ ଅନ୍ୟ ଜିଲ୍ଲା ଯୁବ ଛାତ୍ର ନେତାମାନଙ୍କ ଅବସ୍ଥା କ’ଣ ହେଉଥିବ ତାହା ଏଥିରୁ ଅନୁମେୟ । ଆମ ଦଳର ଇଜ୍ଜତ ପାଇଁ ଯେଉଁମାନଙ୍କ ସହ ଲଢେଇ କରିବାକୁ ପଡୁଥିଲା ସେମାନେ ଆମ ଦଳରେ ବର୍ତ୍ତମାନର ହିରୋ । ଆମଦାନି ଛାତ୍ର ନେତାମାନେ ଦଳର ଏବେ କାର ଗେହ୍ଲା ପୁଅ,’’ ଲେଖିଛନ୍ତି କଳ୍ପତରୁ ।

‘‘ଦଳ ପାଇଁ ବହୁ ମୂଲ୍ୟ ସମୟ ସହ ଯୌବନ ବି ନଷ୍ଟ କରିଛୁ । ଯେଉଁ କଲେଜରୁ ପାସ କରିଛୁ ଯଦି ଆମେ ଚାହିଁଥାନ୍ତୁ ପିଅନ ଚାକିରି କରିପାରିଥାନ୍ତୁ । ଦୀର୍ଘ ସମୟ ପାର୍ଟିରେ କାମ କରି କ’ଣ ମିଳିଲା ଏଠି? ଦଳରେ ଅଭିଞତା, ସିନିୟର, ଜୁନିୟର ଓ କଠିନ ପରିଶ୍ରମର କିଛି ମୂଲ୍ୟ ନାହିଁ । ଚାଟୁକାରିତା କେତେ ଦିନ ଚାଲିବ । ଯୁବ ବ୍ୟାପାର ଦାୟିତ୍ୱରେ ଥିବା ମାନ୍ୟବର ବିଧାୟକ ମୋ’ ଠାରୁ ବିଜୁ ଜନତା ଦଳରେ କମ୍‌ ଦିନର ସଦସ୍ୟ । ଭୁବନେଶ୍ୱରରେ ତାଙ୍କର କେତେ ଜଣ ଛାତ୍ର ନେତାଙ୍କ ସହ ସମ୍ପର୍କ ଅଛି?’’ ପଚାରିଛନ୍ତି କଳ୍ପତରୁ ।

ଅତୀତର ଆଇନା: କିଛି ଛାତ୍ର ନେତାଙ୍କ ସହ ନବୀନ ପଟ୍ଟନାୟକ


ଏ ସବୁ କଥା କହି ସେ ଚେତାଇ ଦେଇଛନ୍ତି ଯେ ଆଗାମୀ ଦିନରେ ଓଡ଼ିଶାର କୋଣ ଅନୁକୋଣରେ ବିଜେଡିର ଯୁବ-ଛାତ୍ର ନେତାଙ୍କ ପ୍ରତିବାଦର ସ୍ୱର ଉଠିବ । ଆଉ ଜଣେ ବିଜେଡି କର୍ମୀ ରାକେଶ ମହାନ୍ତି ନିଜ ଫେସବୁକ ପେଜରେ ଲେଖିଛନ୍ତି, ‘‘ବ୍ୟୋମକେଶ ରାୟଙ୍କ ଭଳି ବିବାଦୀୟ ନେତାଙ୍କ ଠୁ କ’ଣ ଶିଖିବେ ଯୁବ ଓ ଛାତ୍ର ସମାଜ? ଅତୀତରେ ଜାତୀୟ ସଙ୍ଗୀତକୁ ଅବମାନନା କରିଥିଲେ ଓ ପରବର୍ତ୍ତୀ ସମୟରେ ଭୁଲ ମାଗିଥିଲେ । ମୋତିଲାଲ ଗଉଡ଼ଙ୍କ ସହ ସମ୍ପର୍କରେ ରହିଛନ୍ତି  । ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ନେତାଙ୍କ ଠୁ ନେତୃତ୍ୱ ଆଶା କରିବା ମୁର୍ଖାମି ।’’

‘‘ପ୍ରଣବ ବଳବନ୍ତରାୟଙ୍କ ଘଙ୍ଗାପାଟଣା ଜମି ଦୁର୍ନତି ଓ ଧଳ ସାମନ୍ତ ବ୍ରଦର୍ସଙ୍କ ସହ ସମ୍ପର୍କ ସହ ଏକାଧିକ ସରକାରୀ ଘର ନେଇ ଫେରାଇବା ଭଳି ଦୁର୍ନୀତିରେ ସେ ସଂପୃକ୍ତ,’’ ଲେଖିଛନ୍ତି ରାକେଶ ମହାନ୍ତି ।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

କଳ୍ପତରୁଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ‘‘ଦଳ-ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରିବାକୁ ସୁପାରିଶ କରାଯାଇଥିଲା । ଏ ବାବଦରେ ସେ ପୁର୍ବରୁ ସୂଚନା ପାଇ ଇସ୍ତଫା ଦେଇଛନ୍ତି । ଦଳ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ । ଦଳ ବିରୋଧୀ କାର୍ଯ୍ୟ ଓ ବିଶୄଙ୍ଖଳିତ ଆଚରଣକୁ ଦଳ କେବେ ବରଦାସ୍ତ କରିବ ନାହିଁ।’’



ରାଜ୍ୟର ସବୁ ଜିଲ୍ଲା ପାଇଁ ଯୁବ ଓ ଛାତ୍ର ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯାଇଥିବା ବେଳେ ଜଗତସିଂହପୁର ଓ ବାଲେଶ୍ଵର ପାଇଁ ଏବେ ବି ଅଙ୍କ ଛିଣ୍ଡିନି । ଚର୍ଚ୍ଚା ହେଉଛି ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ଯୁବ ଛାତ୍ର ନେତାଙ୍କୁ ପଦବୀ ଦେବାକୁ ଏହି ଦୁଇ ଜିଲ୍ଲାର ଚୟନ ପ୍ରକ୍ରିୟାକୁ ସ୍ଥଗିତ କରଯାଇଛି । ତେବେ ଦଳ ଭିତରେ ବର୍ତ୍ତମାନ ଠୁ ଜଳିବାକୁ ଆରମ୍ଭ କରିଥିବା ଅସନ୍ତୋଷର ନିଆଁକୁ ସୁପ୍ରିମୋ ନବୀନ ପଟ୍ଟନାୟକ କିପରି ପ୍ରଶମିତ କରୁଛନ୍ତି ତାହା ଆଗାମୀ ଦିନ ହିଁ କହିବ ।
Published by: Anand Shankar Thankur Das
First published: September 29, 2020, 9:29 PM IST
corona virus btn
corona virus btn
Loading