ଜୋରସୋରରେ ଚାଲିଛି ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ; ଓ ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ଜଳସମ୍ପଦ ସଚିବ ଅନୁ ଗର୍ଗ ଆଜି ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହ ଟନେଲ କାମ ଅନୁଧ୍ୟାନ କହିଛନ୍ତି l

ଜୋରସୋରରେ ଚାଲିଛି ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ

ଜୋରସୋରରେ ଚାଲିଛି ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ

  • Share this:
News18 Odia Digital

ପାରଳାଖେମୁଣ୍ଡି: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ଜଳସମ୍ପଦ ସଚିବ ଅନୁ ଗର୍ଗ ଆଜି ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହ ଟନେଲ କାମ ଅନୁଧ୍ୟାନ କହିଛନ୍ତି l

ସକାଳ ୭.୪୦ରେ କୁଆଁପଡ଼l ଗାଁ ନିକଟରେ ଅସ୍ଥାୟୀ ହେଲିକାପ୍ଟରରେ ଅବତରଣ ପରେ ନିକଟରେ ନିର୍ମାଣାଧୀନ ଟନେଲକୁ ଯାଇଥିଲେl ଆସନ୍ତା ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ନିର୍ମାଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬୨୬୦ ହେକ୍ଟର ଜମିକୁ ଜଳସେଚନ ହୋଇପାରିବl

ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ ଜଳ ସେଚନ ପ୍ରକଳ୍ପ କାମl ଗତ ୨୦୦୫-୦୬ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧର୍ଯ୍ୟ ହୋଇଛିl ସେଥିପାଇଁ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛିl ମୋଟ ୬୨୬୦ ହେକ୍ଟର ଜମିରେ ଜଳ ସେଚନ ପାଇଁ ଧାର୍ଯ୍ୟ ହୋଇଥିବା ଏହି ପ୍ରକଳ୍ପ ଆରମ୍ଭ ହେବା ବେଳେ ଏହା ପାଇଁ ୫୨.୯୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲାl

ତେବେ ବର୍ତ୍ତମାନ ଏହାର ବୃଦ୍ଧି କରାଯାଇ ୯୯୬.୦୪ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛିl ଏହି ପ୍ରକଳ୍ପ ହେଲେ ଗଜପତି ଜିଲ୍ଲାର ୫୦୦ ହେକ୍ଟର ଜମିରେ ଜଳ ସେଚନ ହୋଇପାରିବl ସେଥି ମଧ୍ୟରୁ ଆର. ଉଦୟଗିରି ବ୍ଲକର ୨୬୨ ଓ ମୋହନା ବ୍ଲକର ୨୩୮ ହେକ୍ଟର ଜଳ ସେଚନ ହେବ l

ସେହିପରି ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଜମିକୁ ଜଳ ସେଚନ ହୋଇପାରିବl ସେଥିମଧ୍ୟରୁ ସାନଖେମୁଣ୍ଡି ବ୍ଲକର ୨୦୦୦ ଓ ଦିଗପହଣ୍ଡି ବ୍ଲକର ୩୭୬୦ ହେକ୍ଟର ଜମିକୁ ଜଳ ସେଚନ ଲକ୍ଷ୍ୟ ରଖା ଯାଇଛିl

ଏଥି ସହ ବ୍ରହ୍ମପୁର ସହରକୁ ୧ କ୍ୟୁସେକ ପାଣି ଯୋଗାଣ ହେଵା ସହ ୩୬ ମେଗା ୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବl ଏହି ପ୍ରକଳ୍ପର ଜଳ ନିଷ୍କାସନ ପାଇଁ ଏକ ସୁଡ଼ଙ୍ଗ ନିର୍ମାଣ କାମ ମଧ୍ୟ ଚାଲିଛି l ଏହି ସୁଡ଼ଙ୍ଗ ଏକ ପାହାଡ଼ ଭିତର ଦେଇ ଯାଉଥିବା ବେଳେ ଏହା ୧୨୮୦ ମିଟର ଲମ୍ବା ହେବl ଏଥି ପାଇଁ ୯୦.୭୮ କୋଟି ଟଙ୍କlର ବ୍ୟୟ ଅଟକଳ କରାଯାଇଛିl ବର୍ତ୍ତମାନ ଏହା ୧୭୦ ମିଟର କାମ ସରିଥିବା ବେଳେ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଛିl

“୧୨୦୦ ମିଟର ଟନେଲ କାମ ହେବାକୁ ଥିବା ବେଳେ ବର୍ତ୍ତମାନ ପ୍ରାୟ ୨୦୦ ମିଟର କାମ ସରିଛିl ଆସନ୍ତା ଅକ୍ଟୋବର ସୁଦ୍ଧା ଟନେଲ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛିl ଡ୍ୟାମ କାମ ମଧ୍ୟ ଚାଲିଛିl ଡ୍ୟାମ କାମ ନସରିଥିଲେ ମଧ୍ୟ ଟନେଲ କାମ ସରିଲେ ଖୁବ୍ ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ,” କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତିl

ଏହି ପ୍ରକଳ୍ପ ନିର୍ମାଣ ହେଲେ ୫ଟି ଗାଁ ସମ୍ପୂର୍ଣ ବୁଡି ଯାଉଥିବା ବେଳେ ୧୦ଟି ଗାଁ ଆଂଶିକ ପ୍ରଭାବିତ ହେବl ଏଥି ପାଇଁ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ନିୟମ ଅନୁଯାୟ ଆର୍ଥିକ ସହାୟତା ପ୍ରଦାନ ସହ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଛିl ଏଥି ପାଇଁ ଗଞ୍ଜାମ ଜିଲ୍ଲାର ଶାନ୍ତରାପୁର, ବାବୁଲି ବନ୍ଧ, ବାଲି ପଟା, ଚକା ତେନ୍ତୁଳି ଓ ଗଜପତି ଜିଲ୍ଲାର ସଇଲଙ୍ଗ ଓ ରତଙ୍ଗ ଗାଁରେ ଜମି ଚିହ୍ନଟ ସହ ବାସ ଗୃହ ନିର୍ମାଣ ସରିଛିl

କିଛି ପରିବାରଙ୍କ ମଧ୍ୟ ଥଇଥାନ ପ୍ରକ୍ରିୟା ସରିଛି l ଏଥି ପାଇଁ ଖୁବ୍ ଦ୍ରୁତ ଗତିରେ ଚାଲିଛି ପ୍ରକଳ୍ପ କାମl ପ୍ରକଳ୍ପ ସମୀକ୍ଷା ବେଳେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଏସ ପି ଜୟରାମ ଶତପଥୀ, ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ନଗେନ୍ଦ୍ର ମହାରଣାଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେl
Published by:Lipina Das
First published: