ପୁରୀରେ ଅବସରପ୍ରାପ୍ତ ଯବାନଙ୍କ ୧୫ ବର୍ଷରେ ତିଆରି ଜଙ୍ଗଲ ପାଲଟିଛି ବେଳାଭୂମିର ରକ୍ଷା କବଚ

ଯୁବାବସ୍ଥାରେ ଭାରତୀୟ ସେନାରେ ରହି ଦେଶ ସେବାରେ ଜୀବନକୁ ବାଜି ଲଗାଇଥିବା କୃଷ୍ଣ ରଞ୍ଜନ ବିଶ୍ୱାଳ ଅବସର ପରେ ୫୦,୦୦୦ ଗଛ ଲଗେଇ ବେଳାଭୂମି ଓ ଉପକୁଳ ଗ୍ରାମର ସୁରକ୍ଷା ସୁନିଶ୍ଚିତ କରିଛନ୍ତି । ସମସ୍ତଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ପୁରୀରେ ଅବସରପ୍ରାପ୍ତ ଯବାନଙ୍କ ୧୫ ବର୍ଷରେ ତିଆରି ଜଙ୍ଗଲ ପାଲଟିଛି ବେଳାଭୂମିର ରକ୍ଷା କବଚ
୧୫ ବର୍ଷର ଶ୍ରମ ଦ୍ୱାରା ନିଜ ହାତରେ ଗଢ଼ିଥିବା ଜଙ୍ଗଲରେ କୃଷ୍ଣ ରଞ୍ଜନ ବିଶ୍ୱାଳ
  • News18 Odia
  • Last Updated: August 7, 2020, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଗତ ବର୍ଷ ମେ ୩ ତାରିଖରେ ଆସିଥିବା ଫନୀ ବାତ୍ୟା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବହୁତ କ୍ଷୟକ୍ଷତି କରିଥିଲା । ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗର ଗୁଣ୍ଡଳବା ଗାଁ ଠାରୁ ଆରମ୍ଭ କରି ଡାଳୁଆକାଣୀ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ପରିମିତ ବେଳାଭୂମିରେ ବୃକ୍ଷଲତା ଲଗାଯାଇଥିବାରୁ ଗାଁଗୁଡ଼ିକ ସୁରକ୍ଷିତ ରହିବା ସହ ବାଲିବନ୍ତ ବି କ୍ଷୟ ହୋଇ ନ ଥିଲା । ଏହି ବୃକ୍ଷଲତା ଜଣେ ଅବସରପ୍ରାପ୍ତ ଯବାନଙ୍କ ୧୫ ବର୍ଷର ଯତ୍ନ ଓ ପରିଶ୍ରମର ଫଳ ।

ଗୁଣ୍ଡଳବା ଗ୍ରାମର ୫୦-ବର୍ଷୀୟ କୃଷ୍ଣ ରଞ୍ଜନ ବିଶ୍ୱାଳ ଭାରତୀୟ ସେନାରୁ ଅବସର ନେବା ପରେ ଗାଁକୁ ଫେରିଆସିଥିଲେ । ଗାଁଟି ସମୁଦ୍ର କୂଳରେ ଥିବାରୁ କେତେବେଳେ ସମୁଦ୍ରର ଉଚ୍ଚ ଲହଡି ଗାଁକୁ ପଶିଯାଉଥିଲା ତ କେତେବେଳେ ଗାଁକୁ ରକ୍ଷା ପାଇଁ ଥିବା ବାଲିବନ୍ତ ମଧ୍ୟ କ୍ଷୟ ହେଇଯାଉଥିଲା  । କିଭଳି ଗାଁର ସୁରକ୍ଷା ସହ ବାଲିବନ୍ତର ରକ୍ଷା ହେବ ସେ ନେଇ ଚିନ୍ତା କରି ସେ ଆରମ୍ଭ କରିଥିଲେ ବୃକ୍ଷରୋପଣ । ତାଙ୍କର ଏହି ବୃକ୍ଷରୋପଣ ଫନି ବାତ୍ୟାରେ ଗାଁକୁ ରକ୍ଷାକରିଥିଲା ଓ ବାଲୁକା କ୍ଷୟକୁ ବି ରୋକିଥିଲା ।

‘‘୧୯୯୯ ମହାବାତ୍ୟା ପରେ ମୁଁ ଛୁଟିରେ ଗାଁକୁ ଆସିଥିଲି । ମହାବାତ୍ୟାର ତାଣ୍ଡବରେ କ୍ଷୟକ୍ଷତି ଦେଖି ମୋ’ ଆଖିରେ ଲୁହ ଆସିଯାଇଥିଲା । ପୁରୀ ଜିଲ୍ଲାର ଉପକୁଳ ଅଞ୍ଚଳରେ ବ୍ୟାପକ ଧନଜୀବନ, ସମ୍ପତି, ପଶୁପକ୍ଷୀ ଓ ପରିବେଶ ନଷ୍ଟ ହୋଇଯାଇଥିଲା । ଅସ୍ତରଙ୍ଗ ବେଳାଭୂମିରୁ ଟନ ଟନ ବାଲି ଉଡ଼ିଆସି ଆମ ଗାଁକୁ ଚରିଯାଇଥିଲା । ତାହା ଦେଖି ମୁଁ ନିଷ୍ପତ୍ତି ନେଇଥିଲି କେଉଁ ଗଛ ଲଗାଇଲେ ଆମ ଗାଁ ସୁରକ୍ଷିତ ରହିବା ସହ ବାଲିବନ୍ତ କ୍ଷୟକୁ ବି ରୋକାଯାଇପାରିବ । ବନ ବିଭାଗର ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବୃକ୍ଷରୋପଣ କରିବା ଆରମ୍ଭ କରିଥିଲି,’’ କହିଛନ୍ତି ବିଶ୍ୱାଳ ।

୧୯୯୯ ମହାବାତ୍ୟାରେ ହୋଇଥିବା ଭୟଙ୍କର କ୍ଷୟକ୍ଷତି ଦେଖିବା ପରେ କୃଷ୍ଣ ରଞ୍ଜନ ଜଙ୍ଗଲ ତିଆରିକରିବାକୁ ମନ କରିଥିଲେ ।


ନିଜ ପେନସନ ଟଙ୍କାରେ ସେ କିଣିଥିଲେ ୫୦,୦୦୦ ଚାରା । ସେଥିରେ  ତାଳ, ଜାମୁକୋଳି, ଆମ୍ବ ଓ ବିଭିନ୍ନ କୋଳି ଓ ଫଳ ଚାରା ସହ ଝାଉଁ ଗଛର ଚାରା ଥିଲା । ଅସ୍ତରଙ୍ଗର ଗୁଣ୍ଡଳବା ଗାଁ ଠାରୁ ଆରମ୍ଭ କରି ଡାଳୁଆକାଣୀର ଗୁମୁତି କେଶବ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ଲମ୍ବା ବେଳାଭୂମିରେ ଚାରା ରୋପଣ କରିଥିଲେ । ନିଜେ ଗାତଖୋଳି ଚାରା ପୋତିବା ସହ ଗାଁମାନଙ୍କରୁ ଆଣିଥିବା ତାଳ ମଞ୍ଜିକୁ ମଧ୍ୟ ଗାତ ଖୋଳି ପୋତିଥିଲେ । ଦୁଇଟି ଟିଣକୁ ବାହାଙ୍ଗା କରି ସେଥିରେ ପାଣି ନେଇ ଗଛମୁଳରେ ଦେଉଥିଥିଲେ । କିଛି ଦିନ ପରେ ଗାଁର ଛୋଟ ପିଲାମାନେ ତାଙ୍କୁ ସହଯୋଗ କରିବା ଆରମ୍ଭ କରିଥିଲେ । ମୌସୁମୀ ବର୍ଷା ସମୟର ତିନି ମାସରେ ସେହି ୫୦,୦୦୦ ଚାରା ରୋପଣ କରିଥିଲେ ସେ ।

‘‘୧୯୯୯ ମହାବାତ୍ୟାର ଭୟଙ୍କର ଦୃଶ୍ୟ ଓ କ୍ଷୟକ୍ଷତି ଦେଖିଥିବା ଆମ ଆଖପାଖର ଗ୍ରାମବାସୀଙ୍କ ପାଇଁ ୨୦୧୯ ମେ’ରେ ଆସିଥିବା ବାତ୍ୟା ଫନି ଥିଲା ନିଆରା ଦୃଶ୍ୟ । ପ୍ରକୃତିର ତାଣ୍ଡବ ଲୀଳାକୁ ଏଠାରେ ସୃଷ୍ଟି ହୋଇଥିବା ଜଙ୍ଗଲ ବେଳାଭୂମିରେ ଓ ଗାଁଗୁଡ଼ିକରେ କ୍ଷୟକ୍ଷତି କରିବାକୁ ଦେଇ ନ ଥିଲା । ପବନରେ ସମୁଦ୍ରରୁ ଗାଁ ଆଡ଼କୁ ଉଡ଼ିଆସୁଥିବା ବାଲିକୁ ରୋକିଥିଲା ଏହି ନବନିର୍ମିତ ଜଙ୍ଗଲ,’’ ଖୁସିରେ କହିଛନ୍ତି ବିଶ୍ୱାଳ ।

ତେବେ ସବୁ ଠୁ ଦୁଃଖର କଥା ଯେ ବନ ବିଭାଗ ତାଙ୍କର ପଦକ୍ଷେପକୁ ନ ବୁଝିପାରି ଏଭଳି ବେଳାଭୂମିରେ ଗଛ ଲଗାଇବା ଦ୍ୱାରା କାଳେ ସେ ସରକାରୀ ଜମିକୁ ମାଡ଼ି ବସିବେ ବୋଲି ସନ୍ଦେହ କରିଥିଲା । ସେ ନେଇ କିଛି ଗଛ ମଧ୍ୟ କାଟିଦେଇଥିଲେ ବନ ବିଭାଗର କର୍ମଚାରୀମାନେ । ‘‘ତାହା ମୋତେ ଖୁବ୍‌ ଦୁଃଖ ଦେଇଥିଲା । ମୁଁ ଜଣେ ସଚେତନ ନାଗରିକ ଭାବେ ବୃକ୍ଷରୋପଣ ମୋ’ର କାର୍ଯ୍ୟ ବୋଲି କହିଥିଲି । ମୋର କୌଣସି ଅଧିକାର ସାବ୍ୟସ୍ତ କରିବା ଉଦ୍ଦେଶ୍ୟ ନ ଥିଲା । ମୁଁ ଲଗାଇଥିବା ଚାରା କେବଳ ମୋ’ର ନୁହେଁ । ପ୍ରକୃତିର ସୁରକ୍ଷା ହେଉଛି ଆଉ ଜାମୁ, ନିମ ଓ ଦେବଦାରୁ ଗଛର ଫଳ ଖାଇ ପକ୍ଷୀମାନେ ବି ଆନନ୍ଦିତ ହେଉଛନ୍ତି । ବନ ବିଭାଗ ଏକ ଭୁଲ ବୁଝାମଣାରୁ ଏଭଳି କରୁଥିବାରୁ ମୁଁ ତାଙ୍କୁ ବୁଝାଇବା ପରେ ସେମାନେ ବୁଝିଥିଲେ ଓ ଖୁସି ହୋଇଥିଲେ । ବଞ୍ଚିଯାଇଥିଲା ଆମର ଜଙ୍ଗଲ,’’ କହିଛନ୍ତି ବିଶ୍ୱାଳ ।

୨୦୦୫ ମସିହାରେ ନିଜ ପେନସନ ଟଙ୍କାରେ କୃଷ୍ଣ ରଞ୍ଜନ ବିଶ୍ୱାଳ କିଣିଥିଲେ ୫୦,୦୦୦ ଚାରା ।


ଅସ୍ତରଙ୍ଗ ଅଂଚଳର ଜଣେ ସ୍ଥାନୀୟ ପରିବେଶବିତ୍ ୬୦-ବର୍ଷୀୟ ସୌମ୍ୟରଞ୍ଜନ ବିଶ୍ୱାଳଙ୍କ କହିବା ଅନୁସାରେ ବିଶ୍ୱାଳ ନିଜ ରାଟାୟରମେଣ୍ଟ ପରେ ୨୦୦୫ରେ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ ଆରମ୍ଭ କଲେ । ‘‘ଆଜିକୁ ୧୫ ବର୍ଷ ତଳେ କୃଷ୍ଣ ଭାଇ ଗାଁରୁ ଗାଁ ବୁଲି ତାଳ ଚାରା ଓ ଅନ୍ୟ ଚାରା ସଂଗ୍ରହ କରିଥିଲେ । ସେ ଲୋକଙ୍କୁ ଟଙ୍କା ଦେଇ ମଞ୍ଜି ବି କିଣିଥିଲେ । ନିଜର ପେନସନ ଟଙ୍କାକୁ ବ୍ୟୟ କରି ସାଇକେଲରେ ବୁଲି ମଞ୍ଜି ସଂଗ୍ରହ କରି ଚାରା କରିଥିଲେ । ସବୁ ଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଗଛକୁ ବଞ୍ଚାଇ ରଖିବା ପାଇଁ ସେ ଅନେକ ଯୁବକଙ୍କୁ ପରିବେଶ ଯୋଦ୍ଧା ଭାବେ ନିୟୋଜିତ କରି କାମରେ ଲଗାଇଲେ । ଡଜନ ଡଜନ ଆମ୍ବ ଗଛ ଲଗାଇଥିଲେ, ହେଲେ ସେଥିରୁ ଫନି ବାତ୍ୟା ପରେ ଦୁଇ ଡଜନ ଆଉ ବଞ୍ଚି ରହିଛି ।  କୃଷ୍ଣ ଭାଇଙ୍କ ପରିବେଶ ପାଇଁ କାର୍ଯ୍ୟ ବେଶ ପ୍ରଶଂସନୀୟ ।  ପରେ ସେ ସମୁଦ୍ର କୂଳର ୧୦୦ ମିଟର ଦୂରରେ ଚାରା ରୋପଣ କରି  ନିର୍ମାଣ କରିଛନ୍ତି ଏକ ଗ୍ରୀନ ଡ୍ୟାମ,’’ କହିଛନ୍ତି ସୌମ୍ୟ ରଞ୍ଜନ ବିଶ୍ୱାଳ ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ମୃତ୍ୟୁ: ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ୮ ଘଣ୍ଟା ଜେରା କଲା ED

ଏହା ବି ପଢ଼ନ୍ତୁ | ଅଯୋଧ୍ୟା ରାମ ମନ୍ଦିରରେ ରାମଙ୍କ ମୂର୍ତ୍ତିରେ ନିଶ ରହିବ? ଏକ ନୂଆ ବିବାଦ ଆରମ୍ଭ ହେଲା

‘‘ଯିଏ ପ୍ରକୃତି ପ୍ରେମୀ ସେ ସବୁ ବେଳେ ପରିବେଶ ରକ୍ଷା ଓ ସୁରକ୍ଷା ପଛରେ ପଡ଼ିଥାଏ  । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅସ୍ତରଙ୍ଗର ଟ୍ରି ମ୍ୟାନ କୃଷ୍ଣ ରଞ୍ଜନ ବିଶ୍ୱାଳ । ବୃକ୍ଷରୋପଣ ପାଇଁ ତାଙ୍କର ଅଦମ୍ୟ ପ୍ରୟାସ ଅନ୍ୟ ପରିବେଶପ୍ରେମୀଙ୍କ ପାଇଁ ଆଦର୍ଶ ହୋଇପାରିଛି । ବାତ୍ୟାର ତାଣ୍ଡବରୁ ସୁରକ୍ଷା, ବେଳାଭୂମି ଅବକ୍ଷୟ ରୋକିବା, ଜଙ୍ଗଲରୁ ବାହାରୁ ଥିବା ଜାଳେଣୀ କାଠକୁ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଉପଲବ୍ଧ କରେଇବା ଓ ଶେଷରେ ପଶୁପକ୍ଷୀ ଓ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ ପାଲଟିବା, ତାଙ୍କ ତିଆରି ଜଙ୍ଗଲ ଅନେକ ପ୍ରକାରରେ ପ୍ରକୃତିର ସୁରକ୍ଷା କରୁଛି । ତାଳଗଛଗୁଡ଼ିକ ବିଜୁଳି ବା ବଜ୍ରପାତ ନିରୋଧକ କାର୍ଯ୍ୟ ବି କରିଥାଆନ୍ତି ।  କୃଷ୍ଣବାବୁଙ୍କ ପ୍ରକୃତିକୁ ଭଲପାଇବା ସମସ୍ତଙ୍କ ପାଇଁ ନିରବିଚ୍ଛିନ୍ନ ପ୍ରୟାସର ଏକ ସଫଳ କାହାଣୀ,’’ କହିଛନ୍ତି ପରିବେଶ ବିଜ୍ଞାନୀ ଜୟକୃଷ୍ଣ ପାଣିଗ୍ରାହୀ ।



ଯୁବାବସ୍ଥାରେ ଭାରତୀୟ ସେନାରେ ରହି ଦେଶ ସେବାରେ ନିଜ ଜୀବନକୁ ବାଜି ଲଗାଇ ଲଢ଼ିଥିଲେ କୃଷ୍ଣ ରଞ୍ଜନ ବିଶ୍ୱାଳ । ଅବସର ପରେ ବି ଦେଶ ଓ ଜାତି ତଥା ନିଜ ଜନ୍ମମାଟି ପାଇଁ କିଛି କରିବାର ସଫଳ ପ୍ରୟାସ ତାଙ୍କୁ ଏକ ନିଆରା ମଣିଷର ଆଖ୍ୟା ଦେଇଛି ।
Published by: Anand Shankar Thankur Das
First published: August 7, 2020, 11:57 PM IST
corona virus btn
corona virus btn
Loading