ଘର ପାଲଟିଛି ଲାଇବ୍ରେରୀ; ମାଗଣାରେ ବି ଶିକ୍ଷା ଦାନ କରୁଛନ୍ତି ଅବସର ପ୍ରାପ୍ତ ଯନ୍ତ୍ରୀ

ଶିକ୍ଷା ପାଇଁ ସମର୍ପିତ ଅବସରପ୍ରାପ୍ତ ଯନ୍ତ୍ରୀ ଚନ୍ଦ୍ର କୁମାର ଦାଶ। ଘରକୁ କରିଛନ୍ତି ପାଠାଗାର। ଆଉ ମନରେ ଲୁଚି ରହିଥିବା ଶିକ୍ଷକ ମାଗଣାରେ ପିଲାଙ୍କୁ ଦେଉଛନ୍ତି ଶିକ୍ଷାଦାନ।

ଅବସର ପ୍ରାପ୍ତ ଯନ୍ତ୍ରୀ ଚନ୍ଦ୍ର କୁମାର ଦାସ (ପ୍ରତୀକାତ୍ମକ ଛବି)

ଅବସର ପ୍ରାପ୍ତ ଯନ୍ତ୍ରୀ ଚନ୍ଦ୍ର କୁମାର ଦାସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଶିକ୍ଷା ପାଇଁ ସମର୍ପିତ ଅବସରପ୍ରାପ୍ତ ଯନ୍ତ୍ରୀ। ଘରକୁ କରିଛନ୍ତି ପାଠାଗାର। ବୟସ ଶରୀରକୁ ଅବଶ କରିପାରିନି । ବହି ନିଶାରେ ଘର ପାଲଟିଛି ଲାଇବ୍ରେରୀ। ଆଉ ମନରେ ଲୁଚି ରହିଥିବା ଶିକ୍ଷକ ମାଗଣାରେ ପିଲାଙ୍କୁ ଦେଉଛନ୍ତି ଶିକ୍ଷାଦାନ।

ଘର ସାରା ବହି ଆଉ ବହି । ଚଟାଣ ଠାରୁ ଟେବୁଲ ଆଉ ଆଲମିରା ଗୁଡିକରେ ଭର୍ତ୍ତି ହୋଇ ରହିଛି ବହି । ପୁସ୍ତକମୟ ପରିବେଶ ପ୍ରଦାନ କରୁଛି ଭିନ୍ନ ଏକ ଅନୁଭବ । ହିନ୍ଦୀ , ଇଂରାଜୀ ,ସଂସ୍କୃତ ଓ ଓଡ଼ିଆ ଭାଷାର ବହୁ ବିରଳ ତଥା ମୂଲ୍ୟବାନ ପୁସ୍ତକକୁ ବିଗତ ୬୦ ବର୍ଷରୁ ଅଧିକ ସମୟ ଧରି ସଂଗ୍ରହ ଓ ସଜ୍ଜିତ କରି ରଖିଛନ୍ତି ପୁରୁଣା ଭୁବନେଶ୍ୱର ଶ୍ରୀରାମ ନଗର ଅଞ୍ଚଳର ବାସିନ୍ଦା ଚନ୍ଦ୍ର କୁମାର ଦାଶ । ଦଶମ ଶ୍ରେଣୀରୁ ବହି ସଂଗ୍ରହ କରିବାର ନିଶାରେ ମତୁଆଲା ଚନ୍ଦ୍ର କୁମାର ଅଦ୍ୟାବଧି ବିଭିନ୍ନ ବିଷୟର ୨୫ ହଜାର ପୁସ୍ତକକୁ  ନିଜ ଘରେ ସ୍ଥାନ ଦେଇଛନ୍ତି । ଏଥିରେ ସ୍ଥାନ ପାଇଛି ବହୁ ଗୁରୁତ୍ୱପୂର୍ଣ୍ଣ ଲେଖକଙ୍କ ବହୁ ମୂଳ୍ୟବାନ ସଂଗ୍ରହ ।

ତାଙ୍କ ନିକଟରେ ଏବେ ୪ ଟି ଆଲମାରୀରେ ପଦାର୍ଥ ବିଜ୍ଞାନ,୩ଟି ଆଲମାରୀରେ ରସାୟନ ବିଜ୍ଞାନ ଓ ୨ଟି ଆଲମାରୀରେ ରହିଛି ଜୀବ ବିଜ୍ଞାନ ପୁସ୍ତକ । ଡାକ୍ତରୀ ପୁସ୍ତକର ବଡ଼ ସଂଗ୍ରହ କରିଛନ୍ତି ସେ। ଏହା ସହ ବେଦବେଦାନ୍ତ, କାବ୍ୟକବିତା ,ଦର୍ଶନ ଶାସ୍ତ୍ର ,ସମାଜ ବିଜ୍ଞାନ , ଇତିହାସ ଓ ଭୁଗୋଳର ଅନେକ ବହି ସଂଗ୍ରହ କରିଛନ୍ତି ସେ । ପୁସ୍ତକ ଗୁଡିକୁ ସୁନ୍ଦର ଭାବେ ସଜ୍ଜିତ କରି ରଖିବା ଓ ବ୍ୟବହାର କରିବାରେ ତାଙ୍କର ଅବଦାନ ଅତୁଳନୀୟ ।

"ବହି ମୋର ଅତି ପ୍ରିୟ। ପଢେ କମ, ସ୍ନେହ କରେ ବେଶୀ। ନିଜ ଜୀବନଠୁ ଅଧିକ ଯତ୍ନ କରେ ବହି ଖଣ୍ଡେକୁ। ଦଶମ ପାସ କରିବା ପରଠୁ ବହି ସଂଗ୍ରହ କରିବା ଆରମ୍ଭ କଲି। ଚାକିରୀ କାଳରେ ଯେଉଁଆଡ଼େ ବୁଲିଲି ଓ କାମରେ ଗଲି ଖାଲି ବହି ଆଣିଲି। କିଣିବାକୁ ଯଦିଓ ପଇସା ନଥାଏ ଯେଉଁଠୁ ଯାହା ପାଏ ତାକୁ ସାଇତି ରଖେ। ଆଜି ମୋ ପାଖେ ୨୫ ହଜାର ବହି ଅଛି। ଆଉ ତାକୁ ନେଇ ତିଆରି ହୋଇଛି ଛୋଟିଆ ଲାଇବ୍ରେରୀ। ପିଲାଙ୍କୁ ସ୍କୁଲ ବହି ଠାରୁ ମେଡ଼ିକାଲ, ଇଂଜିନିୟରିଂ ଓ ସ୍ପେସ ଟେକ୍ନୋଲୋଜି ସବୁ ରଖିଛି। ପିଲାବି ଖୁସି ହେଉଛନ୍ତି, ତାହା ହିଁ ମୋ ଖୁସି, "ଅବସର ପ୍ରାପ୍ତ ଯନ୍ତ୍ରୀ ଚନ୍ଦ୍ର କୁମାର ଦାଶ।

ଅବସର ପ୍ରାପ୍ତ ଯନ୍ତ୍ରୀ ଚନ୍ଦ୍ର କୁମାର ଦାସ (ପ୍ରତୀକାତ୍ମକ ଛବି)


ଦୂରଦର୍ଶନରେ ଇଞ୍ଜିନିୟର ଥିବା ଚନ୍ଦ୍ରକୁମାର ପରିଣତ ବୟସରେ ଏତେ ବହିର ଯତ୍ନ ନେଉଛନ୍ତି ତା ନୁହେଁ ଜ୍ଞାନ ବିତରଣ ମଧ୍ୟ କରୁଛନ୍ତି। ନିଜ ପାଖରେ ରଖିଥିବା ପ୍ରତ୍ୟେକଟି ବହି ବାବଦରେ ଜାଣିବା ସହିତ ତାଙ୍କ ନିକଟକୁ ଆସୁଥିବା ବିଦ୍ୟାର୍ଥୀଙ୍କୁ ପ୍ରଭାବୀ ଢଙ୍ଗରେ ବୁଝେଇଦେଉଛନ୍ତି।

ବିଗତ ୬୦ ବର୍ଷ ଧରି ହଜାର ହଜାର ବିରଳ ଓ ମୂଲ୍ୟବାନ ବହି ସଂଗ୍ରହ କରି ନିଜ ଘରକୁ ପାଠାଗାରର ରୂପ ଦେଇଥିବା ଚନ୍ଦ୍ର ଜେଜେ ଉଭୟ ଅନଲାଇନ ଓ ଅଫ ଲାଇନରେ ପିଲାଙ୍କୁ ମାଗଣାରେ ପାଠ ବୁଝାଇଥାନ୍ତି ।
Published by:Soumya Das
First published: