ହତ୍ୟା ପରେ ୨୧ଟି ଷ୍ଟିଲ୍‌ ଡବା ଓ ୨ଟି ବାକ୍ସରେ ରଖିଥିଲେ ମୃତ ସ୍ତ୍ରୀଙ୍କ ୩୦୦ ଟୁକୁଡ଼ା, ତଥାପି ଧରାପଡ଼ିଥିଲେ

ନିଜ ପତ୍ନୀଙ୍କ ଜଘନ୍ୟ ହତ୍ୟା ପାଇଁ ଆଜୀବନ କାରାଦଣ୍ଡର ସଜା ପାଇବା ସତ୍ୱେ ତିଳେ ବି ଅନୁତପ୍ତ ନୁହଁନ୍ତି ୭୨ ବର୍ଷୀୟ ସେବାନିବୃତ ଆର୍ମି ଡାକ୍ତର ସୋମନାଥ ପରିଡ଼ା । ସାଉଦି ଆରବରୁ ଆସି ତାଙ୍କ ଡାକ୍ତର ପୁଅଝିଅ ଦୁହେଁ ସାକ୍ଷ ଦେଇ ନ ଥିଲେ ସେ ହୁଏତ ଏ ମାମଲାରେ ମୁକ୍ତ ହୋଇଯାଇଥାନ୍ତେ ।

ହତ୍ୟା ପରେ ୨୧ଟି ଷ୍ଟିଲ୍‌ ଡବା ଓ ୨ଟି ବାକ୍ସରେ ରଖିଥିଲେ ମୃତ ସ୍ତ୍ରୀଙ୍କ ୩୦୦ ଟୁକୁଡ଼ା, ତଥାପି ଧରାପଡ଼ିଥିଲେ
ସୋମନାଥ ପରିଡ଼ା ଓ ପତ୍ନୀ ଉଷଶ୍ରୀ ପରିଡ଼ାଙ୍କ ଆଲ୍‌ବମ୍‌ରୁ ତାଙ୍କ ସୁଖୀ ସମୟର ଏକ ଫଟୋ
  • News18 Odia
  • Last Updated: February 26, 2020, 10:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟୋପି, ବୁଟ୍ ଓ ସୁଟ ପିନ୍ଧି ଖୁବ୍‌ ଶିକ୍ଷିତ ଓ ଭଦ୍ର ଦିଶୁଥିବା ବ୍ୟକ୍ତି ଜଣଙ୍କୁ ଟିକିଏ ଆଗରୁ କୋର୍ଟ୍‌ ଶୁଣାଇଥିଲା ଆଜୀବନ କାରାଦଣ୍ଡର ସଜା । ହେଲେ ସେ ତିଳେ ବି ଅନୁତପ୍ତ ଲାଗୁ ନ ଥିଲେ । ଗଣମାଧ୍ୟମକୁ ଆରାମରେ ପ୍ରତିକ୍ରିୟା ଦେଇ କହିଥିଲେ ସେ ହାଇ କୋର୍ଟରେ ଏ ସଜାକୁ ଚ଼୍ୟାଲେଞ୍ଜ୍‌ କରିବେ । ସେ ସାଧାରଣ ମଣିଷ ନିଶ୍ଚୟ ନ ଥିଲେ । ସେ ଥିଲେ ସେନାବାହିନୀରୁ ସେବାନିବୃତ କର୍ଣ୍ଣେଲ୍‌ ଡାକ୍ତର ସୋମନାଥ ପରିଡ଼ା, ଯିଏ ୨୦୧୩ରେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ମୃତ ଦେହକୁ କାଟି କାଟି ନିଜ ଘରେ ଥିବା ୨୧ଟି ଷ୍ଟିଲ୍‌ ଡବା ଓ ଦୁଇଟି ବାକ୍ସରେ ରଖିଥିଲେ ୩୦୦ଟି ଟୁକୁଡ଼ା ।

ଏହି ୭୨ ବର୍ଷୀୟ ସେବାନିବୃତ ଆର୍ମି ଡାକ୍ତର ପୂର୍ବରୁ କୋର୍ଟକୁ ଆସିବା ବେଳେ ଯେଉଁ ବେଶ ପୋଷାକ ପିନ୍ଧୁଥିଲେ, ମଙ୍ଗଳବାର ଦିନ ସଜା ମିଳିବା ବେଳେ ବି ସେହି ପୋଷାକରେ ଥିଲେ । ସାଉଦି ଆରବରୁ ଆସି ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ତାଙ୍କ ଡାକ୍ତର ପୁଅ ଲଳିତ ପରିଡା ଓ ଡାକ୍ତର ଝିଅ ଲେଖା ପରିଡ଼ା ସାକ୍ଷ ଦେଇ ନ ଥିଲେ ସେ ହୁଏତ ଏ ଜଘନ୍ୟ ହତ୍ୟା ମାମଲାରେ ମୁକ୍ତ ହୋଇଯାଇଥାନ୍ତେ । ତାଙ୍କ ପୁଅ ଓ ଝିଅ ନିଜ ବୟାନରେ କହିଥିଲେ ଯେ ସେମାନଙ୍କ ମାଆ ଉଷଶ୍ରୀ ପରିଡ଼ାଙ୍କ ମୃତ୍ୟୁ ପାଇଁ କେବଳ ତାଙ୍କ ବାପା ସୋମନାଥ ପରିଡ଼ା ହିଁ ଦାୟୀ ।

୨୦୧୩ ମସିହା ଜୁନ ୨୧ ତାରିଖ ସନ୍ଧ୍ୟାରେ ସାମନାକୁ ଆସିଥିଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଉଷଶ୍ରୀଙ୍କ ଭାଇ ରଞ୍ଜନ କୁମାର ସାମଲ ସୋମନାଥଙ୍କ ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା 1A/11 ନମ୍ବର ଘରେ ପହଞ୍ଚି ସେଠି କେବଳ ସୋମନାଥଙ୍କୁ ପାଇଥିଲେ । କବାଟ ଖୋଲିବାକୁ ରଞ୍ଜନ ବାରମ୍ବାର କହିଥିଲେ, ହେଲେ କବାଟ ଖୋଲି ନ ଥିଲେ ସୋମନାଥ । ଘର ଭିତରୁ ବାହାରୁଥିଲା ଦୁର୍ଗନ୍ଧ । ସନ୍ଦେହ ବଢିବାରୁ ରଞ୍ଜନ ନୟାପଲ୍ଲୀ ଥାନା ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚିବା ବେଳକୁ ରାତି ୮ଟା ।  କବାଟ ଖୋଲିଲା ବେଳେ ପୋଲିସ ଯାହା ଦେଖିଥିଲା ତାହା ଥିଲା ଅତି ବିଭତ୍ସ ।

ସୋମନଥ ପରିଡ଼ା (ବାମ) (ଫାଇଲ୍‌ ଫଟୋ)


ନିଜ ସ୍ତ୍ରୀ ଉଷଶ୍ରୀଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଦେହର ବିଭିନ୍ନ ଅଂଶକୁ ୩୦୦ ଖଣ୍ଡରେ କାଟିଥିଲେ ସୋମନାଥ । ୩୦୦ ଖଣ୍ଡ କରିବାକୁ ଆବଶ୍ୟକ ଥିବା ସର୍ଜିକାଲ ଛୁରୀ, ସ୍କ୍ରୁ ଡ୍ରାଇଭର, କରତ ଓ ଚ଼ାପଡ଼ କିଣିଥିଲେ ବଜାରରୁ । ଏହା ପରେ ବଜାରରୁ କିଣିଥିଲେ ୨୨ଟି ଟିଫିନ ବାକ୍ସ । ସେଥିରେ ଶରୀରର ୩୦୦ ଖଣ୍ଡ ପ୍ୟାକିଂ କରିବା ପରେ ସେଥିରେ ଢାଳିଥିଲେ ଫିନାଇଲ୍‌ । ଆଉ ଦିନେ କିମ୍ବା ଦୁଇ ଦିନ ପରେ ସେହି ମାଂସ ଖଣ୍ଡଗୁଡ଼ିକୁ ସହରର ବିଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଥାଆନ୍ତେ ସେ ।

ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ଉଷଶ୍ରୀଙ୍କ ସହ ଟେଲିଫୋନରେ କଥା ହେବାକୁ ଚ଼େଷ୍ଟା କରିଥିଲେ ତାଙ୍କ ପୁଅ ଓ ଝିଅ । ହେଲେ ମା’ ମୌନ ବ୍ରତ କରୁଛି ଓ ସେ କାହା ସହ କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି କହି ସୋମନାଥ ସେମାନଙ୍କ ଟେଲିଫୋନକୁ ବାରମ୍ବାର କାଟି ଦେଉଥିଲେ ।

ହତ୍ୟାକାଣ୍ଡର ଚ଼ାରି ମାସ ପରେ ଅର୍ଥାତ୍ ୨୦୧୩ ଅକ୍ଟୋବର ୭ ତାରିଖରେ ନୟାପଲ୍ଲୀ ପୋଲିସ ସୋମନାଥଙ୍କ ବିରୋଧରେ ଫାଇଲ କରିଥିଲା ଚାର୍ଜସିଟ୍ । ମାମଲାର ଶୁଣାଣି ବେଳେ କୋର୍ଟରେ ବୟାନ ଦେଇଥିଲେ ୨୨ ଜଣ ସାକ୍ଷୀ । ସେମାନଙ୍କ ମଧ୍ୟରେ ଥିଲେ ସାଉଦି ଆରବରେ ରହୁଥିବା ତାଙ୍କ ପୁଅ, ଝିଅ, ଶଳା, ନିକଟସ୍ଥ ଦୋକାନୀ ଏବଂ କିଛି ସମ୍ପର୍କୀୟ ।

‘‘ମାଆଙ୍କ ମୃତ୍ୟୁ ପାଇଁ ବାପା ହିଁ ଦାୟୀ ବୋଲି କୋର୍ଟରେ ବୟାନ ଦେଇଥିଲେ ସୋମନାଥଙ୍କ ପୁଅ ଓ ଝିଅ । ସବୁ ପ୍ରମାଣ ମିଳି ସାରିଥିଲା । ଆଉ ଖସିବାର ବାଟ ହିଁ ନ ଥିଲା,’’ କହିଛନ୍ତି ପୋଲିସ୍‌ ପକ୍ଷରୁ ମାମଲା ପରିଚ଼ାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟର ଶରଦ ଚନ୍ଦ୍ର ସାମନ୍ତ ।

ହତ୍ୟା ପରେ ପତ୍ନୀଙ୍କ ଟୁକୁଡ଼ା ଥିବା ଏକ ବାକ୍ସ ବାହାରକୁ ଆଣୁଛନ୍ତି ପୋଲିସ୍‌ କର୍ମୀମାନେ (ଫାଇଲ୍‌ ଫଟୋ)


ମୃତ ଉଷଶ୍ରୀଙ୍କ ଭାଇ ରଞ୍ଜନ ସାମଲ କୋର୍ଟଙ୍କ ରାୟକୁ ସ୍ବାଗତ କରି କହିଥିଲେ ଯେ ହତ୍ୟାକାରୀଙ୍କୁ ଉଚିତ୍ ଦଣ୍ଡ ମିଳିଛି । ହେଲେ ଅଭିଯୁକ୍ତ ସୋମନାଥ କହିଥିଲେ, ‘‘ମୁଁ ଉଚ୍ଚ ନ୍ୟାୟାଳୟକୁ ଯିବି’’ ।

ମାମଲାର ବିଚ଼ାର ବେଳେ କୋର୍ଟ ପାରିପାର୍ଶିକ ସ୍ଥିତି ଉପରେ ବେଶ୍‌ ଗୁରତ୍ବ ଦେଇଥିଲେ । ପ୍ରଥମତଃ ଆଇଆରସି ଭିଲେଜରେ ଥିବା 1A/11 ଘରେ କେବଳ ସୋମନାଥ ଓ ତାଙ୍କ ସ୍ତ୍ରୀ ଉଷଶ୍ରୀ ରହୁଥିଲେ । ସେମାନଙ୍କୁ ଛାଡ଼ି ଦେଲେ ତୃତୀୟ ବ୍ୟକ୍ତି କେହି ରହୁ ନ ଥିଲେ ସେଠି । ତେଣୁ ଉଷଶ୍ରୀଙ୍କୁ ସୋମନାଥ ହିଁ ହତ୍ୟାକରିଥିଲେ । ଦ୍ୱିତୀୟତଃ ଘର ଭିତରେ ୨୨ଟି ଟିଫିନ ବାକ୍ସରେ ପ୍ୟାକିଂ ହୋଇ ରହିଥିଲା ଉଷଶ୍ରୀଙ୍କ ଖଣ୍ଡ ଖଣ୍ଡ ଅଙ୍ଗପ୍ରତ୍ୟଙ୍ଗ । ଘର ଭିତରେ ଦୁର୍ଗନ୍ଧ ବି ହେଉଥିଲା । ଏହା ପରେ ବି ସେହି ଘରେ ରହୁଥିଲେ ସୋମନାଥ । ଏଥିରୁ ସ୍ପଷ୍ଟ ଜଣାପଡୁଥିଲା ଯେ ସୋମନାଥ ସବୁ କିଛି ଜାଣିଛନ୍ତି ଓ ସେ ହିଁ ହତ୍ୟା କରିଛନ୍ତି ବା ହତ୍ୟାରେ ସହଯୋଗ କରିଛନ୍ତି ।

ତୃତୀୟତଃ ସେ ଉଷଶ୍ରୀଙ୍କୁ ଯଦି ହତ୍ୟା କରି ନ ଥିଲେ, ତେବେ କାହିଁକି ତାଙ୍କ ନ ମିଳିବା ବା ମୃତ୍ୟୁ ହୋଇଥିବା ସମ୍ପର୍କରେ ପୋଲିସକୁ ବା ସମ୍ପର୍କୀୟମାନଙ୍କୁ ଜଣାଇ ନ ଥିଲେ? କାରଣ ସେ ଚୁପ୍ ରହି ପ୍ରମାଣ ନଷ୍ଟ କରିବାର ଷଡଯନ୍ତ୍ର କରୁଥିଲେ । ଚ଼ତୁର୍ଥତଃ ତାଙ୍କ ଘର ଭିତରୁ ହିଁ ମିଳିଥିଲା ସର୍ଜିକାଲ ଛୁରୀ, ସ୍କ୍ରୁ ଡ୍ରାଇଭର, କରତ ଓ ଚ଼ାପଡ଼, ଯାହା ପ୍ରମାଣକୁ ଅଧିକ ବଳିଷ୍ଠ କରିଥିଲା ।

ତଦନ୍ତ ବେଳେ ଜଣା ପଡିଥିଲା ଯେ ଝିଅ ଲେଖା ପରିଡାଙ୍କର ବାପା ଓ ମାଆଙ୍କ ଘରକୁ ବାରମ୍ବାର ଆସିବା ଓ ରହିବାକୁ ପସନ୍ଦ କରୁ ନ ଥିଲେ ସୋମନାଥ । ଏହାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ଭିତରେ ସୃଷ୍ଟି ହୋଇଥିଲା ମତାନ୍ତର । କୌଣସି ଏକ ଭୀଷଣ ମତାନ୍ତର ସମୟରେ ପତ୍ନୀ ଉଷଶ୍ରୀଙ୍କୁ ସୋମନାଥ ହତ୍ୟା କରିଥିଲେ । ତେବେ କେଉଁ ମାରଣାସ୍ତ୍ରରେ ହତ୍ୟା କଲେ ତାହା ଏ ପର୍ଯ୍ୟନ୍ତ ସସପେନ୍ସ ହୋଇ ରହିଛି । ପୋଲିସ କହିଥିଲା  ବେଲଣା ବାଡ଼ି କିମ୍ବା ଟର୍ଚ୍ଚ ଲାଇଟ୍‌ । କିନ୍ତୁ ତାହା ଆଜି ବି ସସପେନ୍ସ ଭିତରେ ।
First published: February 26, 2020, 10:58 PM IST