ଖାଦ୍ୟଶସ୍ୟ ଉପରେ ଲାଗୁ ହେଲା ୫ ପ୍ରତିଶତ GST; ଖାଉଟି ଓ ଖୁଚୁରା ବ୍ୟସାୟୀ ନିରାଶ

ଅର୍ଥନୀତିଜ୍ଞଙ୍କ ମତରେ ବିଭିନ୍ନ ଲୋକପ୍ରିୟ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥର ଆବଶ୍ୟକତା ଥିବା ଦୃଷ୍ଟିରୁ ଏଭଳି ଟିକସ ସମୟର ଆବଶ୍ୟକତା ହୋଇପାରେ। କିନ୍ତୁ ଏଥିରେ ସ୍ପଷ୍ଟତା ରହିବା ଦରକାର।

ଜିଏସଟିକୁ ନେଇ ଖାଉଟି ଓ ଖୁଚୁରା ବ୍ୟସାୟୀ ନିରାଶ

ଜିଏସଟିକୁ ନେଇ ଖାଉଟି ଓ ଖୁଚୁରା ବ୍ୟସାୟୀ ନିରାଶ

  • Share this:
News18 Odia Digital

ଭୁବନେଶ୍ବର: ଅନେକ ଆପତ୍ତି ଅଭିଯୋଗ ଭିତରେ ବି ସାରା ଦେଶରେ ଅଣ ବ୍ରାଣ୍ଡେଡ୍ ଓ ଖୋଲା ଖାଦ୍ୟଶସ୍ୟ ଉପରେ ଲଗାଯାଇଛି ଅତିରିକ୍ତ ଟିକସ୍‌, ଯାହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି।

ପ୍ରଥମ ଦିନରେ କାର୍ଯ୍ୟକାରୀ ହୋଇଥିବା ଟିକସକୁ ନେଇ ଉଭୟ ଖୁଚୁରା ଓ ହୋଲସେଲ ବ୍ୟବସାୟୀ ତଥା ଗ୍ରାହକମାନଙ୍କ ଭିତରେ ସେତେଟା ସ୍ପଷ୍ଟତା ନ ଥିଲେ ମଧ୍ୟ ଆଗକୁ ଏହାର ପ୍ରଭାବ କଣ ଅନୁଭୂତ ହେବ ତାକୁ ନେଇ ବଢ଼ିଛି ଦ୍ୱନ୍ଦ୍ୱ।

ଅର୍ଥନୀତିଜ୍ଞଙ୍କ ମତରେ ବିଭିନ୍ନ ଲୋକପ୍ରିୟ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥର ଆବଶ୍ୟକତା ଥିବା ଦୃଷ୍ଟିରୁ ଏଭଳି ଟିକସ ସମୟର ଆବଶ୍ୟକତା ହୋଇପାରେ। କିନ୍ତୁ ଏଥିରେ ସ୍ପଷ୍ଟତା ରହିବା ଦରକାର। ଅନ୍ୟପକ୍ଷେ ଆସନ୍ତା ୨୬ ତାରିଖରେ ଭୋପାଳରେ ହେବାକୁ ଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଙ୍ଘ ସମ୍ମିଳନୀର ନିଷ୍ପତ୍ତି ଆଧାରରେ ଆଗାମୀ କାର୍ଯ୍ୟପନ୍ଥା ଧାର୍ଯ୍ୟ କରାଯିବ ବୋଲି ସ୍ପଷ୍ଟ କରିଛି ଓଡ଼ିଶା ବ୍ୟବସାୟୀ ମହାସଙ୍ଘ।

ସୂଚନା ଅନୁସାରେ, ଏବେ ଚାଉଳ, ଚୁଡ଼ା, ମୁଡ଼ି, ଖଇ, ଉଖୁଡ଼ା ଆଦି ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କ ପକେଟ ଉପରେ ହେବ ମହାଙ୍ଗା ମାଡ଼। ଅର୍ଥାତ୍ ପୂର୍ବ ଅପେକ୍ଷା ଏସବୁ ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ଅଧିକ ଅର୍ଥ।

ନିକଟରେ ଶେଷ ହୋଇଥିବା ଜିଏସଟି କାଉନସିଲ ବୈଠକର ନିଷ୍ପତ୍ତି ଅନୁସାରେ, ଏସବୁ ଅଣ ବ୍ରାଣ୍ଡେଡ୍ ଓ ଖୋଲା ବଜାରରେ ମିଳୁଥିବା ସାମଗ୍ରୀ ଉପରେ ଲାଗୁ ହୋଇଛି ୫ ପ୍ରତିଶତ ଟିକସ, ଯାହା ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ପ୍ରଥମ ଦିନରେ ଜିଏସଟି ଲାଗୁ ପରେ ଏହି ଦର ବୃଦ୍ଧି ପ୍ରଭାବ କିଣାବିକାରେ ସେତେଟା ଅନୁଭୂତ ହୋଇ ନ ଥିଲେ ମଧ୍ୟ ଏହାକୁ ନେଇ ଖୁଚୁରା ଓ ହୋଲସେଲ ବ୍ୟବସାୟୀ ତଥା ଗ୍ରାହକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି। କିଛି ବଜାରରେ ଜିଏସଟି ପରିସରଭୁକ୍ତ ହୋଇଥିବା ସାମଗ୍ରୀ ଉପରୁ ଗ୍ରାହକ ମୁହଁ ଫେରାଇ ନେଇଥିବା କୁହାଯାଉଛି।

ଏହା ଖୁଚୁରା ଓ ପାଇକାରୀ ବ୍ୟବସାୟୀ ସମେତ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧିର କାରଣ ହୋଇଛି। ଖୁଚୁରା ବ୍ୟବସାୟୀ ନିରଞ୍ଜନ ରାଉତଙ୍କ ମତରେ ଏହି ନୂଆ ଟିକସରେ ସ୍ପଷ୍ଟତା ନାହିଁ। ସେହିପରି ଭୁବନେଶ୍ୱର ଗଡେଶ୍ଵର ହାଟ ବ୍ୟବସାୟୀ ସଙ୍ଘର ସଭାପତି ଲକ୍ଷ୍ମଣ ସାହୁଙ୍କ ମତରେ ଅନେକ ଏହାକୁ ଗ୍ରହଣ କରୁନଥିବା ବେଳେ ଏହାକୁ ପ୍ରତ୍ୟାହାର କରାନିଆଯିବା ଉଚିତ୍। ସେହିପରି ଖାଉଟି ସୌଭାଗ୍ୟ ସାମଲ ମତ ରଖିଛନ୍ତି ଯେ କୋଭିଡ କାରଣରୁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏଭଳି ସମୟରେ ଟିକସ ବୃଦ୍ଧି ଗ୍ରହଣୀୟ ନୁହେଁ।

ଅର୍ଥନୀତିଜ୍ଞ ଚିତ୍ତରଞ୍ଜନ ବେହେରାଙ୍କ ମତରେ, ବିଭିନ୍ନ ପ୍ରକାର ଲୋକପ୍ରିୟ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଉତ୍ସରୁ ଅର୍ଥ ଆଦାୟ କରିବା ବର୍ତ୍ତମାନ ସମୟରେ ବଡ଼ ଆବଶ୍ୟକତା। ଏହା ବ୍ୟତୀତ ବିଭନ୍ନ ଲୋକାଭିମୁଖୀ ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ସରକାରଙ୍କୁ ଋଣ କରିବାକୁ ପଡୁଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ତେଣୁ ବିକଳ୍ପ ଉତ୍ସରୁ ଅର୍ଥ ଯୋଗାଡ଼ କରିବା ଉଭୟ ସରକାରଙ୍କ ଆବଶ୍ୟକତା ବୋଲି କୁହାଯାଇପାରେ।

ଯଦି ସରକାରୀ ଖର୍ଚ୍ଚକୁ ସୀମିତ ରଖାଯିବା ପାଇଁ ଲକ୍ଷ୍ୟ ରଖାଯାଏ, ତେବେ ଟିକସ ଭାର କମିବ। ଟିକସ ଉପରୁ ସରକାରଙ୍କ ନିର୍ଭରଶୀଳତା ମଧ୍ୟ କମିବ।

ଅନ୍ୟପକ୍ଷେ ରାଜ୍ୟ ବ୍ୟବସାୟୀ ମହାସଙ୍ଘ କହିଛି ସାରା ଦେଶରେ ବିରୋଧ ପରେ ଏହି ଅତିରିକ୍ତ ଟିକସ ବ୍ୟବସ୍ଥାରେ ସରକାରୀ ଭାବେ କିଛିଟା ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ତାହା ବ୍ୟବସାୟୀ ଓ ଖାଉଟିଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଆସନ୍ତା ୨୬ ତାରିଖରେ ଭୋପାଳରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଙ୍ଘ ବୈଠକ ପରେ ନୀତିଗତ ନିଷ୍ପତ୍ତି ନିଆଯିବ।

କିଛି ଅର୍ଥନୀତିଜ୍ଞଙ୍କ ମତରେ ଆସନ୍ତା ଦୁଅ ମାସ ପରେ ପୁଣିଥରେ ଆୟୋଜିତ ହେବାକୁ ଥବା ଜିଏସଟି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଉପରେ ବିସ୍ତୃତ ଆଲୋଚନା ହେବ। ତେଣୁ ତା ପୂର୍ବରୁ ଏଭଳି ସରକାରୀ ନିଷ୍ପତ୍ତିକୁ ବିରୋଧ କରାଯିବା ଅନୁଚିତ।
Published by:Lipina Das
First published: