ରାଜ୍ୟରେ ଦ୍ରୁତ ଗାଡ଼ି ଚାଳନା ଉପରେ ରୋକ; ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବ ସିସିଟିଭ

ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ -୨ର ସୂଚନା ଅନୁସାରେ ଜାତୀୟ ରାଜପଥରେ ଘଣ୍ଟା ପ୍ରତି ୭୦ କିମିରୁ ଅଧିକ ବେଗରେ ଯାତାୟାତ କରୁଥିବା ଗାଡ଼ିକୁ ଫାଇନ୍ କରାଯିବ।

ରାଜ୍ୟରେ ଦ୍ରୁତ ଗାଡ଼ି ଚାଳନା ଉପରେ ରୋକ

ରାଜ୍ୟରେ ଦ୍ରୁତ ଗାଡ଼ି ଚାଳନା ଉପରେ ରୋକ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା କମ୍ କରିବାକୁ ଉଦ୍ୟମ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଉପରେ ବ୍ରେକ୍ ଲଗାଯିବ। ବିଶେଷ କରି ଗାଡ଼ିର ବେଗ କମ୍ କରିବା ସହ ଗାଡ଼ି ଚାଳନା ସମୟରେ ଫୋନରେ କଥା ହେବା କିମ୍ବା ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ଓ ସ୍ପ୍ରିଡ୍ ଡ଼୍ରାଇଭିଂକୁ କମ୍ କରିବା ଉଦେଶ୍ୟରେ ରାଜ୍ୟ ପରିବହନ ବିଭାଗ ଏଭଳି ଉଦ୍ୟମ ହାତକୁ ନେଇଛି।

ରାଜ୍ୟରେ ବର୍ଷକୁ ସଡ଼କ ଦୁର୍ଘଟଣାରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ସଡ଼କ ସୁରକ୍ଷା ସମିତିର ସଦସ୍ୟ ତଥା ଶଙ୍ଖଧ୍ୱନୀ ସଡ଼କ ସୁରକ୍ଷା ସମିତିର ମୁଖ୍ୟ ପ୍ରକାଶ ମହାପାତ୍ରଙ୍କ ସୂଚନା ଅନୁସାରେ, ‘‘ନିକଟରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି। ବିଶେଷ କରି ରଙ୍ଗ ରୁଟ୍‌ରେ ଗାଡ଼ି ଚାଳନା କରିବା ସହିତ ବିନା ହେଲମେଟ୍ ଓ ସିଟ୍‌ବେଲ୍‌ଟରେ ଗାଡ଼ି ଚାଳନା ହେଉଛି ସଡ଼କ ଦୁର୍ଘଟଣାର ଏକାଧିକ କାରଣ ଭିତରୁ ଅନ୍ୟତମ। କିନ୍ତୁ ମୁଖ୍ୟ କାରଣ ହେଲା ଦ୍ରୁତ ଗତିରେ ଗାଡ଼ି ଚାଳନା ଓ ନିଶାସକ୍ତ ଅବସ୍ଥାରେ ଗାଡ଼ି ଡ୍ରାଇଭିଂ କରିବା। ଏହାକୁ ରୋକିବା ଦିଗରେ ବୈଠକରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଛି।’’

ରାଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ ଏହାକୁ ରୋକିବା ଦିଗରେ ବୈଠକରେ ମତ ପ୍ରକାଶ ପାଇବା ସହିତ ଏହାର ନିରାକରଣ ପାଇଁ ମଧ୍ୟ ମତାମତ ଆହ୍ୱାନ କରାଯାଇଥିଲା। ସମସ୍ତ ମତାମତକୁ ଏକାଠି କରି ଚୂଡ଼ାନ୍ତ ନିଷ୍ପତ୍ତି ଅନୁସାରେ ପ୍ରଥମେ ଦୁଇ ନଗରୀ ଭୁବନେଶ୍ୱର ଓ କଟକରେ ଏହାକୁ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ଏହି ଦୁଇ ନଗରୀ ପରିସୀମା ଭିତରେ ଦ୍ରୁତ ଗତିରେ ଗାଡ଼ି ଚାଳନାକୁ ରୋକ୍ ଲଗାଯିବ। ସହରର ବିଭିନ୍ନ ଛକରେ ଲାଗିଥିବା ସିସିଟିଭିରେ ଗାଡ଼ି ଚାଳକଙ୍କ ଗାଡ଼ିର ବେଗ ଉପରେ ରହିବ ନଜର। ଯେଉଁଠି ଗାଡ଼ିଚାଳକ ଘଣ୍ଟାପ୍ରତି ୫୦ରୁ ଅଧିକ କିମି ବେଗରେ ଗାଡ଼ି ଚଳାଇବା ନଜରକୁ ଆସିବ ତାଙ୍କ ଉପରେ ଜୋରିମନା ଲଗାଯିବ। ଯାନଟିର ପଞ୍ଜିକରଣ ଅନୁସାରେ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଚାଲାଣ କଟାଯିବ। ଏହାସହିତ ଫୋନରେ ମେସେଜ୍ ଜରିଆରେ ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ଚାଲାଣ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ। ଗାଡ଼ି ଚାଳକ ଯଦି ଗାଡ଼ିର ମାଲିକ ହୋଇ ନଥାନ୍ତି ତେବେ ଗାଡ଼ିଟି ପଞ୍ଜିକୃତ ହୋଇଥିବା ମାଲିକଙ୍କ ନାଁରେ ଚାଲାଣ ପଠାଯିବ। ସେହିଭଳି କଟକ ସହରରେ ମଧ୍ୟ ସମାନ ନୀତି ଅବଲମ୍ବନ କରାଯିବ।

ଏହି ନିଷ୍ପତ୍ତି କାର୍ଯ୍ୟକାରୀତାରେ କମିଶନରେଟ ପୋଲିସ ସହଯୋଗ କରିବ। ଆଞ୍ଚଳିକ ପରିବହନ ଭୁବନେଶ୍ୱର-୨ର ଆଞ୍ଚଳିକ କର୍ମକର୍ତ୍ତା ବିରଞ୍ଚି ନାରାୟଣ ଅଧିକାରୀଙ୍କ ସୂଚନା ଅନୁସାରେ, ଉଭୟ ଭୁବନେଶ୍ୱର ଓ କଟକରେ ଏହା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। ନିୟମ ଉଲ୍ଲଂଘନକାରୀଙ୍କୁ ନୋଟିସ ପଠାଯାଉଛି। ଏଥିପାଇଁ ଭୁବନେଶ୍ୱର ଓ କଟକ ସହରର ବିଭିନ୍ନ ଛକରେ ଉଭୟ ବି.ଏମ.ସି. ଓ ସିଏମସି ଦ୍ୱାରା ଲଗାଯାଇଥିବା କ୍ୟାମେରା ତଥ୍ୟକୁ ବ୍ୟବହାର କରାଯାଉଛି। ଖୁବ୍‌ ଶୀଘ୍ର ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧାର ରାମେଶ୍ୱର ଛକରୁ ଚଣ୍ଡିଖୋଲ ଛକ ପର୍ଯ୍ୟନ୍ତ ସିସିଟିଭି ଜରିଆରେ ଗାଡ଼ିର ବେଗ ଅନୁଧ୍ୟାନ କରାଯିବ। ପ୍ରତି ୫ କିମି ବ୍ୟବଧାନରେ ଲାଗିବ ଉନ୍ନତ କ୍ବାଲିଟିର ସିସିଟିଭି।

ସେ ଆହୁରି କହିଛନ୍ତି ଯେ ଜାତୀୟ ରାଜପଥରେ ଘଣ୍ଟା ପ୍ରତି ୭୦ କିମିରୁ ଅଧିକ ବେଗରେ ଯାତାୟାତ କରୁଥିବା ଗାଡ଼ିକୁ ଫାଇନ୍ କରାଯିବ। ସମ୍ପୃକ୍ତ ଡ୍ରାଇଭରର ଲାଇସେନ୍ସକୁ ତିନି ମାସ ପର୍ଯ୍ୟନ୍ତ ରଦ୍ଦ କରାଯିବ। ଏହା ସତ୍ତ୍ବେ ଯଦି ଗାଡ଼ି ଡ଼୍ରାଇଭରଙ୍କ ବିରୋଧରେ ତିନି ଥରରୁ ଅଧିକଥର ନିୟମ ଉଲ୍ଲଂଘନର ଅଭିଯୋଗ ଆସେ, ସେ କ୍ଷେତ୍ରରେ ବର୍ଷକ ପାଇଁ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ କରାଯିବ।

ତେବେ ଆଞ୍ଚଳିକ ପରିବହନ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଲୋକଙ୍କୁ ଭୟଭୀତ କରିବା ଏହି ନିୟମର ଉଦ୍ଦେଶ୍ୟ ନୁହେଁ। ସୁରକ୍ଷିତ ଯାତ୍ରା ପାଇଁ ଲୋକଙ୍କୁ ସଚେତନ କରାଇବା ଏହାର ଉଦ୍ଦେଶ୍ୟ। ଏହାଦ୍ୱାରା ସଡ଼କ ଦୁର୍ଘଟଣା କମ କରିବା ଆମ ଉଦ୍ଦେଶ୍ୟ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।
Published by:Lipina Das
First published: