କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ଉପରେ ଥିବା କଟକଣା ହଟିଲା; ଓଡ଼ିଶାକୁ ଲାଭ ହେବ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୋଇଲା ନିଲାମ ହେଲେ ଓଡ଼ିଶା ଅଧିକ ଲାଭବାନ ହେବ ଓ ଇସ୍ପାତର ଦାମ୍‌ କମିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୀଳାଚ଼ଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ହେଲେ ମଧ୍ୟ ଏହି କମ୍ପାନୀର ବିକାଶ କରାଯିବ ବୋଲି କହିଛନ୍ତି ସେ ।

କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ଉପରେ ଥିବା କଟକଣା ହଟିଲା; ଓଡ଼ିଶାକୁ ଲାଭ ହେବ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • News18 Odia
  • Last Updated: January 8, 2020, 10:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ଉପରେ ଥିବା କଟକଣାସବୁକୁ ହଟେଇ ଦେଇଛନ୍ତି । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାକୁ ବିଶେଷ ଲାଭ ହେବ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଙ୍କ ମଧ୍ୟରେ ଆଠଟି ରାଜ୍ୟରେ ଗ୍ୟାସ୍‌ ପାଇପ୍‌ ଗ୍ରୀଡ୍‌ ପ୍ରତିଷ୍ଠା କରିବା ଓ ଓଡ଼ିଶାର ନୀଳାଚଳ ଇସ୍ପାତ ନିଗମ ସମେତ ଅନ୍ୟ କେତେକ ବଡ଼ ସାର୍ବଜନୀନ ଉପକ୍ରମରୁ ପୁଞ୍ଜି ପ୍ରତ୍ୟାହାର କରିବା ନିଷ୍ପତ୍ତି ଅଛନ୍ତି ।

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କଟକଣାକୁ ହଟେଇ ଦିଆଯିବା ଦ୍ୱାରା ଇସ୍ପାତ ଶିଳ୍ପକୁ ବେଶୀ ଲାଭ ମିଳିବ ।

‘‘କୋଇଲା ନିଲାମ ହେଲେ ଓଡ଼ିଶା ଅଧିକ ଲାଭବାନ ହେବ । ପାଖାପାଖି ୬୦ ମିଲିଅନ ସିମଲେସ କଣ୍ଟିନିୟସ ପ୍ରଡକସନର ସିଂହଭାଗ ଓଡ଼ିଶାରେ ହିଁ ହେବ । ଏହା ହେଉଛି ଦେଶର ମୋଟ ଉତ୍ପାଦନର ୮୫ ପ୍ରତିଶତ । ଏଥିଯୋଗୁଁ ଓଡ଼ିଶାର ରାଜସ୍ବ ମଧ୍ୟ ବୃଦ୍ଧି ପାଇବ,’’ କହିଛନ୍ତି ପ୍ରଧାନ ।

ଏହି ନିଷ୍ପତ୍ତି ଦ୍ୱାରା ଇସ୍ପାତର ଦାମ୍‌ ମଧ୍ୟ କମିବ ବୋଲି ସେ କହିଛନ୍ତି । କୋଇଲା ଓ ଖଣିଜ ପଦାର୍ଥ କ୍ଷେତ୍ରରେ ସମୃଦ୍ଧ ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରହିଛନ୍ତି ବୋଲି କହିଛନ୍ତି ପ୍ରଧାନ ।

ଓଡ଼ିଶାର ନୀଳାଚ଼ଳ ଇସ୍ପାତ ନିଗମ ସମେତ ଅନ୍ୟ ଯେଉଁ ବଡ଼ ସାର୍ବଜନୀନ ଉପକ୍ରମରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତ ଅର୍ଥ ମୁଭର୍ସ୍‌ ଲିମିଟେଡ୍‌ (BHEL), MMTC, NMDC ଓ MECON । କିନ୍ତୁ ନୀଳାଚଳ ଇସ୍ପାତ ନିଗମର ବିକାଶ କରାଯିବ ବୋଲି କହିଛନ୍ତି ପ୍ରଧାନ ।

ଆଠଟି ରାଜ୍ୟରେ ଗ୍ୟାସ୍‌ ପାଇପ୍‌ ଗ୍ରୀଡ୍‌ ପ୍ରତିଷ୍ଠା ପାଇଁ ଖର୍ଚ୍ଚ ହେବ ୫ ହଜାର ୫୫୯ କୋଟି ଟଙ୍କା । ଉତ୍ତର-ପୂର୍ବାଞ୍ଚଳର ପାଞ୍ଚଟି ରାଜ୍ୟରେ ପ୍ରାକୃତିକ ଗ୍ୟାସ୍‌ ମିଳିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପ୍ରଧାନ ।

ସ୍ବାସ୍ଥ୍ୟ କ୍ଷେତ୍ରରେ ମିଲିଣ୍ଡା ଗେଟ୍‌ସ ଓ ବିଲ୍‌ ଗେଟ୍‌ସଙ୍କ ସହ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି। ଗୁଜରାଟ ଆୟୁର୍ବେଦ ବିଶ୍ବବିଦ୍ୟାଳୟକୁ ଜାତୀୟ ମାନ୍ୟତା ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ସେହିପରି ଭାରତ ଓ ବ୍ରିଟେନ୍‌ ମଧ୍ୟରେ ତଥା ଭାରତ ଓ ଫ୍ରାନ୍ସ ମଧ୍ୟରେ ବୁଝାମଣା ପାଇଁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି । ଭାରତୀୟ ରେଳକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ମଧ୍ୟ ଏକ MoU ହୋଇଛି ବୋଲି କହିଲେ ପ୍ରଧାନ ।
First published: January 8, 2020, 10:58 PM IST