ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରିବ ଗବେଷଣା ସଙ୍କଳନ

ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତ୍ତିକ ଗବେଷଣା ସଂକଳନକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି ।

ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରିବ ଗବେଷଣା ସଙ୍କଳନ

ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରିବ ଗବେଷଣା ସଙ୍କଳନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତ୍ତିକ ଗବେଷଣା ସଂକଳନକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଶ୍ରୀମତୀ ରଂଜନା ଚୋପ୍ରା ଏବଂ ୟୁନିସେଫର ରାଜ୍ୟ ମୁଖ୍ୟ ଡ଼ଃ ମୋନିକା ନିଲେସନ୍ ଯୋଗ ଦେଇଥିଲେ ।



ଉତ୍କର୍ଷ କେନ୍ଦ୍ରର ଏତାଦୃଶ ସୃଜନାତ୍ମକ  ପ୍ରଚେଷ୍ଟା ପାଇଁ  ଗବେଷକମାନଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏ ପ୍ରକାର ଅଧ୍ୟୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ଏସବୁ ଅଧ୍ୟୟନ ମାଧ୍ୟମରେ  ଜନ-ସମୁଦାୟମାନଙ୍କର ଆବଶ୍ୟକତା, ଆକାଂକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ  ଥିବା କ୍ଷେତ୍ରସ୍ତରୀୟ ଗୁରୁତ୍ୱପୂର୍ଣ୍ଣ-ଶୂନ୍ୟତା (କ୍ରିଟିକାଲ୍ ଗ୍ୟାପ୍) ଆଦି ଜାଣି ହେବ । ଅଧ୍ୟୟନର ଫଳାଫଳ ଅଧିକାରୀମାନଙ୍କ ତାଲିମ ନିମନ୍ତେ ଅତି ଉପାଦେୟ ଦେବା ସହ ଏବଂ ଅନ୍ୟତ୍ର ପ୍ରୟୋଗ ନିମନ୍ତେ ବିଭିନ୍ନ ପ୍ରକଳ୍ପ ନମୁନା ପ୍ରସ୍ତୁତିରେ ସହାୟକ ହେବବୋଲି ସୁରେଶ ମହାପାତ୍ର କହିଥିଲେ । ଅଧ୍ୟୟନରୁ ପ୍ରାପ୍ତ ତଥ୍ୟ ଓ ଉପସଂହାର ବିଷୟରେ ସଂପୃକ୍ତ ବିଭାଗମାନଙ୍କ ସହ  ଆଲୋଚନାତ୍ମକ  ଅନୁଶୀଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଗୋପବନ୍ଧୁ ଏକାଡ଼େମୀକୁ ପରାମର୍ଶ ଦେଇଥିଲେ । ଏହା କ୍ଷେତ୍ରସ୍ତରୀୟ ସମସ୍ୟାର ସ୍ଥାୟୀ ସମାଧାନ ଏବଂ  ସହଯୋଗିତା-ଭିତ୍ତିକ  ଯୋଜନା  ଓ ପ୍ରକଳ୍ପ ପ୍ରସ୍ତୁତି ଦିଗରେ ସହାୟକ ହେବ ।

ମହାନିର୍ଦ୍ଦେଶକ ଶ୍ରୀମତୀ ରଂଜନା ଚୋପ୍ରା କହିଥିଲେ ଯେ, ରାଜ୍ୟ ସରକାରଙ୍କ ପାଣ୍ଠି ଏବଂ ୟୁନିସେଫର  ବୈଷୟିକ ସହଯୋଗିତାରେ  ୨୦୨୧ ମସିହାରୁ ଗୋପବନ୍ଧୁ  ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ରାଜ୍ୟ ତାଲିମ ନିୟାମକ ଅନୁସାରେ କାର୍ଯ୍ୟ  କରୁଛି । ଏହାର ପ୍ରଥମ ସଂକଳନ ବର୍ତ୍ତମାନ ପ୍ରକାଶିତ ହେଲା । ଏହି ସଂକଳନ  ଉଭୟ ଉନ୍ନୟନମୂଳକ-ପ୍ରଶାସନ ଏବଂ ଅଧିକାରୀ ମାନଙ୍କ ତାଲିମର ଗୁଣାତ୍ମକ  ବିକାଶରେ ବ୍ୟବହୃତ ହେବ । ୟୁନିସେଫ୍ ରାଜ୍ୟ ମୁଖ୍ୟ ଡ଼ଃ ମୋନିକା କହିଥିଲେ ଯେ, ସ୍ଥାନ ଭିତ୍ତିକ ଗବେଷଣା ପଦ୍ଧତି ନେଇ  କାର୍ଯ୍ୟ କରୁଥିବା ଉତ୍କର୍ଷ କେନ୍ଦ୍ର ସାରା ଦେଶରେ ପ୍ରଥମ । ଗୋପବନ୍ଧୁ  ଏକାଡ଼େମୀର ଏହି କେନ୍ଦ୍ର ସହ ୟୁନିସେଫ୍ ନିଜର ସହଯୋଗିତା ବଜାୟ ରଖିବ ।

ଉତ୍କର୍ଷକେନ୍ଦ୍ରର  ନିର୍ଦ୍ଦେଶକ ଡ଼ଃ ଶଶାଙ୍କ ଗ୍ରହାଚାର୍ଯ୍ୟ କହିଥିଲେ ଯେ ବିବିଧ  ବିଷୟରେ ୧୯ ଟି ଫଳାଫଳ ଭିତ୍ତିକ  ଗବେଷଣା ଏହି ସଂକଳନରେ ସ୍ଥାନିତ ହୋଇଛି । ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକାରିତା, ମହିଳା ବୁଣାକାରଙ୍କ ରୋଜଗାର  ଉପରେ କୋଭିଡ୍-୧୯ ର ପ୍ରଭାବ, ସିକଲ୍ ସେଲର ପ୍ରଥମାବସ୍ଥାରୁ ନିର୍ଣ୍ଣୟ  ଓ ଚିକିତ୍ସା , ଉପକୂଳ ଅଞ୍ଚଳରେ ମତ୍ସ୍ୟଜୀବୀ  ସମୁଦାୟ, ମାନସିକ ଅନଗ୍ରସର ପିଲାମାନଙ୍କର ଯତ୍ନ ଓ ଶିକ୍ଷା, ସ୍ୱାଧାର ଗୃହର କାର୍ଯ୍ୟକାରିତା, କିଶୋରୀମାନଙ୍କ ମଧ୍ୟରେ  ରକ୍ତହୀନତା,  ଧାନ ସଂଗ୍ରହ, ଅପପୁଷ୍ଟିର ସମାଧାନ, ବନ୍ୟଜନ୍ତୁ ଶିକାର ନିରାକରଣ, ଜନସମୁଦାୟ ସ୍ତରରେ ନୂତନ ଜିବୀକା ନିର୍ବାହ ପନ୍ଥା ଆଦି ପ୍ରମୁଖ ବିଷୟ ଏଥିରେ ସ୍ଥାନିତ ହୋଇଛି । ଡ଼ଃ ଶଶାଙ୍କ  ଗ୍ରହାଚାର୍ଯ୍ୟ, ପଦ୍ମଜା ପତି, ସୌମ୍ୟ ବାନାର୍ଜୀ, ରଶ୍ମିତା ବେହେରା ଏବଂ ଅମର୍ତ୍ୟ କ୍ରିଷ୍ଣା ରାୟ ଆଦି ଗବେଷକମାନଙ୍କୁ ନେଇ ଗଠିତ ଉତ୍କର୍ଷ  କେନ୍ଦ୍ରର ଗବେଷଣା ଟିମ ଦ୍ୱାରା ଏହି ଅଧ୍ୟୟନ  କରାଯାଇଛି । ସଂକଳନଟିକୁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଏବଂ  ୟୁନିସେଫ ଦ୍ୱାରା ଯୌଥ ଭାବେ ପ୍ରକାଶନ କରାଯାଇଛି ।
Published by:Soubhagya Mishra
First published: