ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେବେ ୨୫ ବର୍ଷୀୟା IPS ଅଫିସର୍ ସୁଶ୍ରୀ
୨୦୧୭ ବ୍ୟାଚର IPS ଅଫିସର ସୁଶ୍ରୀ କେରଳର ବାସିନ୍ଦା । ସେ ଏବେ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ SDPO ଭାବେ କାର୍ଯ୍ୟରତ । ପ୍ରଥମ ଥର ପାଇଁ ତାଙ୍କୁ ରାଜ୍ୟସ୍ତରୀୟ ପରେଡ଼ର ନେତୃତ୍ୱ ନେବାର ସୁଯୋଗ ମିଳିଥିବାରୁ ସେ ଗର୍ବିତ ମନେ କରୁଛନ୍ତି ।

ଆଇ.ପି.ଏସ. ଅଫିସର୍ ଏସ୍. ଶୁଶ୍ରୀ; (ଡାହାଣ) ପରେଡ଼ର ରିହର୍ସାଲ୍
- News18 Odia
- Last Updated: January 24, 2021, 11:53 PM IST
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ଼ ପାଇଁ ସବୁ ପ୍ରସ୍ତୁତି ସରିଛି । ସୁରକ୍ଷା ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ୱରରେ ରହିବେ ୨୫ ପ୍ଲାଟୁନ ପୋଲିସ ଫୋର୍ସ । ତାଙ୍କ ସହ ସଜାଗ ରହିବେ ଗୁଇନ୍ଦା ଅଧିକାରୀମାନେ । ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ଲୋକଙ୍କ ଉପରେ ନଜର ରଖିବ ସିସିଟିଭି କ୍ୟାମେରା । ହେଲେ ଚଳିତ ବର୍ଷର ସାଧାରଣତନ୍ତ୍ର ପରେଡ଼ ପୂର୍ବ ବର୍ଷ ଠାରୁ ରହିବ ସାମାନ୍ୟ ଭିନ୍ନ ।
ଚଳିତ ବର୍ଷ ପରେଡ଼ରେ ସ୍କୁଲ ଛାତ୍ରଛାତ୍ରୀ ରହିବେ ନାହିଁ ଓ କୌଣସି ସାଂସ୍କୃତିକ ଅନୁଷ୍ଠାନ ଭାଗ ନେବେ ନାହିଁ । କୋଭିଡ କଟକଣାକୁ ନେଇ ଚଳିତ ବର୍ଷ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ପରେଡ଼ରେ କେତେକ ପରିବର୍ତ୍ତନ କରାଯାଉଛି । ଏ ଥର ଏହି ପରେଡ଼ରେ ଆକର୍ଷଣ ହେବେ ପ୍ରଥମ ଥର ପାଇଁ ରାଜ୍ୟର ପୋଲିସ ବିଭାଗରେ ଯୋଗ ଦେଇଥିବା ୨୫ ବର୍ଷୀୟା ମହିଳା ଆଇ.ପି.ଏସ. ଅଫିସର୍ ଏସ୍. ଶୁଶ୍ରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋଦି ଓ ମମତାଙ୍କ ମଧ୍ୟରେ ତିକ୍ତତା ବଢ଼ିଲା; ନେତାଜୀ ଜୟନ୍ତୀ ‘ପରାକ୍ରମ ଦିବସ’ ନା ‘ଦେଶ ନାୟକ ଦିବସ’?

ଭୁବନେଶ୍ୱରରେ ଆୟୋଜିତ ଫୁଲ୍ ଡ୍ରେସ୍ ରିହର୍ସାଲର ଏକ ଦୃଶ୍ୟ
‘‘କେବେ ଆଶା କରି ନ ଥିଲି ଏହି ସୁଯୋଗ ମିଳିବ । ଡି.ଜି.ପି. ସାର୍ ହଠାତ୍ ଫୋନ୍ କରି କହିଥିଲେ ଯେ ମୁଁ ମନୋନୀତ ହୋଇଛି । ଏହା ଶୁଣି ପ୍ରଥମେ ମୁଁ ନର୍ଭସ ହୋଇଯାଇଥିଲି କାରଣ ଏକ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସର ପରେଡ଼ର ନେତୃତ୍ୱ ନେବା ଏକ ବଡ଼ ଦାୟିତ୍ୱ । ଡି.ଜି.ପି. ସାର୍ ମୋତେ ଦାୟିତ୍ବ ଦେଇଥିବାରୁ ଓ ମୋ’ ଉପରେ ଭରସା ରଖିଥିବାରୁ ତାଙ୍କର ସେହି ଭରସାକୁ ସଫଳ କରିବି । ଏ ଭଳି ଏକ ଦାୟିତ୍ୱ ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି,’’ କହିଛନ୍ତି ସୁଶ୍ରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ଜମି ରହିଛନ୍ତି
କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ମଧ୍ୟ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ ହେବାକୁ ଯାଉଛି ରାଜ୍ୟସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ । ଏଥର ଏହି ପରେଡ଼ରେ ଓଡି଼ଶା ପୋଲିସର ସପ୍ତମ ବାଟାଲିୟନ, ଏସ.ଓ.ଜି., ସ୍ୱିଫ୍ଟ ଆକ୍ସନ ଫୋର୍ସ, ଆଇ.ଆର.ବି., ଏସ.ଏସ.ବି., ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଭଳି ୧୪ଟି କଣ୍ଟିଜେଣ୍ଟ ଭାଗ ନେବେ । ଏଥି ପାଇଁ ରବିବାର ଦିନ ଫୁଲ୍ ଡ୍ରେସ୍ ରିହରସାଲ୍ ହୋଇଥିଲା । ଡି.ଜି.ପି. ଅଭୟ ଏହାର ନିରୀକ୍ଷଣ କରିଥିଲେ ।

ଡିଜିପି ଅଭୟ
ସହରରେ ଆତଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ଅପରାଧୀମାନଙ୍କ ଗତିବିଧି ଉପରେ ନଜର ରଖି ତାକୁ ପଣ୍ଡ କରିବା ପାଇଁ ସିସିଟିଭି କ୍ୟାମେରାର ଭରପୁର ଉପଯୋଗ କରାଯାଉଛି । ମହାତ୍ମା ଗାନ୍ଧୀ ମାର୍ଗର ସମସ୍ତ ରାସ୍ତା ସିଲ୍ କରିବା ସହ ବ୍ୟାରିକେଡ଼ିଂ କରିଛି ପୋଲିସ୍ । ସୁରକ୍ଷାର ସବୁ ବନ୍ଦୋବସ୍ତ ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଜୋ ଓ ଜିଲ୍ ବାଇଡେନଙ୍କ Love Story: ଜୋ ୫ ଥର ପ୍ରପୋଜ୍ କଲା ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍
‘‘ଏଥର ପରେଡ଼ରେ ଆମେ ସ୍କୁଲ ପିଲାମାନଙ୍କ ଅନୁପସ୍ଥିତିକୁ ଅନୁଭବ କରିବୁ । ଏଥି ପାଇଁ ଦୁଃଖ ବି ହେଉଛି। ନକ୍ସଲମାନଙ୍କୁ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଉଛୁ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ,’’ ଡି.ଜି.ପି. ଅଭୟ କହିଛନ୍ତି ।
ଡି.ଜି.ପି.ଙ୍କ ଆହ୍ୱାନ ପରେ ମାଲକାନଗିରିରେ ଜଣେ ମହିଳା ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ଦୀର୍ଘ ଦିନ ଧରି କାମ କରୁଥିବା ମାଓ ସମର୍ଥକ ଲାଛି ଖରା ଓରଫ ଗୀତାଙ୍କ ଆତ୍ମସମର୍ପଣ ଓଡି଼ଶା ପୋଲିସର ମାଓ ଦମନ କ୍ଷେତ୍ରରେ ଆଉ ଏକ ସଫଳତା ବୋଲି କୁହାଯାଉଛି ।