News18 Odia Digital
ମୁମ୍ବାଇ: ମାର୍ଚ୍ଚ ୨୦୨୦ର ତ୍ରୈମାସିକ ଅବଧିରେ (Q4) ରିଲାଏନ୍ସ ଜିଓର ଲାଭ ବିଶ୍ଳେଷଣକାରୀଙ୍କ ଆକଳନ ଠାରୁ ଆଗକୁ ଯାଇ ୧୭୭ ପ୍ରତିଶତ ବୃଦ୍ଧି ହୋଇଛି ଓ ୨,୩୩୧ କୋଟି ଟଙ୍କାରେ ପହଞ୍ଚିଛି । ଡିସେମ୍ବର ମାସରେ ହୋଇଥିବା ଶୁଳ୍କ ବୃଦ୍ଧି ଓ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇଛି ।
ଗତ ବର୍ଷ ଏହି ସମାନ ତ୍ରୈମାସିକ ଅବଧିରେ କମ୍ପାନୀ ୮୪୦ କୋଟି ଟଙ୍କା ଲାଭ କରିଥିବା ବେଳେ CNBC-TV18 ସର୍ଭେରେ କମ୍ପାନୀ ପାଇଁ ଏଥର ୧,୮୪୦ କୋଟି ଟଙ୍କା ଲାଭର ଆକଳନ କରାଯାଇଥିଲା । କ୍ୱାର୍ଟର୍-ଅନ୍–କ୍ୱାର୍ଟର୍ (QoQ) ଆଧାରରେ ଏହି ଟେଲିକମ୍ କମ୍ପାନୀର ଲାଭ ୭୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିଲା । ଡିସେମ୍ବର ତ୍ରୈମାସିକ ଅବଧିରେ ଏହା ୧,୩୫୦ କୋଟି ଟଙ୍କା ଲାଭ କରିଥିଲା ।
କମ୍ପାନୀର ବିବୃତ୍ତି ଅନୁଯାୟୀ ମାର୍ଚ୍ଚ ୩୧, ୨୦୨୦ ସୁଦ୍ଧା କମ୍ପାନୀର ଗ୍ରାହକ ଆଧାର ୩୮.୭୫ କୋଟି ଥିଲା, ଯାହା ଗତ ବର୍ଷ ଠାରୁ ୨୬.୩ ପ୍ରତିଶତ ଅଧିକ । ମାର୍ଚ୍ଚ ତ୍ରୈମାସିକ ଅବଧିରେ କମ୍ପାନୀ ୨.୪ କୋଟି ନୂଆ ଗ୍ରାହକ ପାଇଛି । ଗତ ବର୍ଷ ଡିସେମ୍ବରରେ କମ୍ପାନୀ ୪୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ବି କରିଥିଲା ।
ଏହି ତ୍ରୈମାସିକ ଅବଧି ପାଇଁ କମ୍ପାନୀର ଅପରେଟିଂ ରାଜସ୍ୱ ୧୪,୮୩୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୧,୭୧୫ କୋଟି ଟଙ୍କା ବା ପ୍ରାୟ ୨୭ ପ୍ରତିଶତ ଅଧିକ । QoQ ଆଧାରରେ ଏହା ୬.୨ ପ୍ରତିଶତ ବୃଦ୍ଧି ପାଇଛି ବୋଲି କମ୍ପାନୀ ଏକ ପ୍ରେସ ବିବୃତ୍ତିରେ କହିଛି ।
EBITDA ମଧ୍ୟ Q4 ରେ ୪୩ ପ୍ରତିଶତ ବୃଦ୍ଧି ପାଇ ୬,୨୦୧ କୋଟି ଟଙ୍କା ହୋଇଥିବା ବେଳେ EBITDA ମାର୍ଜିନ ୪୧.୮ ପ୍ରତିଶତ ଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୩୭ ପ୍ରତିଶତ ଥିଲା ।
ଏହି ବିବୃତ୍ତିରେ କୁହାଯାଇଛି ଯେ ତ୍ରୈମାସିକରେ ଉପଭୋକ୍ତା ପିଛା ହାରାହାରି ରାଜସ୍ୱ (APRU) ପ୍ରତି ମାସରେ ପ୍ରତି ଗ୍ରାହକ ପାଇଁ ୧୩୦.୬ ଟଙ୍କା ଥିଲା । ନେଟୱାର୍କ କାର୍ଯ୍ୟଦକ୍ଷତାରେ କୌଣସି ଡ୍ରପ୍ ନ ହେବା ସହିତ ଲକଡାଉନ୍ ସମୟରେ ଜିଓର ଯୋଗଦାନ ଦୃଢ଼ ରହିଛି ।
କମ୍ପାନୀ କହିଛି କରିଛି ଯେ Q୪ ସମୟରେ ମୋଟ ବେତାର ଡାଟା ଟ୍ରାଫିକ୍ ୧,୨୮୪ କୋଟି GB ଥିଲା, ଯାହା ୩୪.୩ ପ୍ରତିଶତ YoY ବୃଦ୍ଧି ପାଇଛି। ତ୍ରୈମାସିକରେ ମୋଟ ଭଏସ୍ ଟ୍ରାଫିକ୍ ୮୭,୬୩୪ କୋଟି ମିନିଟ୍ ଥିଲା, ଯାହାକି ୨୧ ପ୍ରତିଶତ YoY ବୃଦ୍ଧି ପାଇଛି ।
ଗତ ସପ୍ତାହରେ ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଫେସବୁକ୍ ୫.୭ ବିଲିୟନ ଡ଼ଲାର୍ (୪୩,୫୭୪ କୋଟି ଟଙ୍କା) ବିନିଯୋଗ ଘୋଷଣା କରିଛି । ଏହି ଡିଲ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ (RIL) ଋଣ ହ୍ରାସ କରିବାରେ ଓ ହ୍ୱାଟସ୍ ଆପ୍ ବ୍ୟବହାର କରି ଏକ ବିଶାଳ ଭାରତୀୟ ଇ-କମର୍ସ କମ୍ପାନୀ ସୃଷ୍ଟି କରିବାରେ ସାହାଯ୍ୟ କରିବ ଯାହା ଆମାଜନ ଓ ୱାଲମାର୍ଟର ପ୍ରତିଦ୍ୱନ୍ଦ୍ୱିତା କରିପାରିବ ।
ଏହି ନିବେଶରୁ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଜିଓ ପ୍ଲାଟଫର୍ମରେ ୧୪,୯୭୬ କୋଟି ଟଙ୍କା ରଖାଯିବ ଓ RIL ୨୮,୫୯୮ କୋଟି ଟଙ୍କା ମୂଲ୍ୟର ବୈକଳ୍ପିକ ରୂପାନ୍ତରିତ ପ୍ରିଫରେନ୍ସ ସେୟାର ମୁକ୍ତ କରିବ ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।