News 18 Odia Digital
ବାଲେଶ୍ୱର; ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ ମଧ୍ୟକୁ ଅପ୍ରାପ୍ତ ବୟସ୍କ ଛାତ୍ର ଛାତ୍ରୀ ମାନଙ୍କ ଗାଡ଼ି ମନା । ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ପଢୁଥିବା ୧୮ ବର୍ଷରୁ କମ ବୟସର ଛାତ୍ର ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ପରିସର ମଧ୍ୟକୁ ବାଇକ୍ ଓ ସ୍କୁଟି ଆଣିବା ଓ ଚଳାଇବାକୁ ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ରଣା ବନ୍ଦ କରିଛନ୍ତି । ଏହି କଟକଣା ଭାରତ ସରକାରଙ୍କ ୧୯୮୮ ମସିହା ଯାନ ବାହନ ଚଳାଚଳ ଆଇନର ଉପବିଭାଗ ୪ ଅନୁଯାଇ କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ମହାବିଦ୍ୟାଳୟ ପରିସର ମଧ୍ୟରେ ଶୈକ୍ଷିକ ବାତାବରଣରେ ପ୍ରଗତି ଆସିବା ସହିତ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନରେ ଅଧିକ ମନୋନିବେଶ କରି ପାରିବେ ।
" ନାବାଳକ ବାଇକ ଚଢି କଲେଜ ଆସିବା କାରଣରୁ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ସେହିପରି ଆଗରୁ ଅଧ୍ୟାପକ ଅଧ୍ୟାପିକା ମାନେ ଶ୍ରେଣୀ ଗୃହରେ ଅଧ୍ୟାପନା କରିବା ସମୟରେ ଛାତ୍ର ଛାତ୍ରୀ ମାନେ କର୍ଣ୍ଣ ରୁଦ୍ଧ କଲା ଭଳି ହର୍ଣ୍ଣ ବଜାଇ ଗାଡ଼ି ଚଳାଇ ଯେଉଁ ବିଶୃଙ୍ଖଳା ସୃଷ୍ଟି କରୁଥିଲେ ସେଥିରେ ରୋକ୍ ଲାଗିବା ସହିତ ମହାବିଦ୍ୟାଳୟ ପରିସର ମଧ୍ୟରେ ମିଛରେ ବାହାସ୍ପୋଟ ମାରୁଥିବା ଅମନଯୋଗୀ ଛାତ୍ରଙ୍କର କମେଣ୍ଟରୁ ଛାତ୍ରୀ ମାନେ ମଧ୍ୟ ମୁକ୍ତ ହୋଇ ପାରିବେ ବୋଲି ପ୍ରଶାସନିକ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ପ୍ରକାଶ କରିଛନ୍ତି।" ଏହି ନିର୍ଦ୍ଦେଶନାମାକୁ ବାସ୍ତବ ରୂପ ଦେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅଧକ୍ଷ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନୋଟିସ ଦେଇଛନ୍ତି । ଏଥିପାଇଁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଏକ ୨୦ ଜଣିଆ ସ୍କାଡ ଗଠନ କରାଯାଇଛି । ସ୍କାଡ୍ ସଦସ୍ୟମାନେ ଯାଞ୍ଚ ସମୟରେ ଯଦି ୧୮ ବର୍ଷରୁ କମ ବୟସର ଛାତ୍ର ଛାତ୍ରୀ ମାନଙ୍କ ଲାଇସେନ୍ସ ନଥାଇ ମହାବିଦ୍ୟାଳୟ ପରିସର ମଧ୍ୟରେ ସ୍କୁଟି ଏବଂ ବାଇକ ଆଣି ଚଳାଇବା ଧରା ପଡ଼େ ତେବେ ସେମାନଙ୍କ ଗାଡ଼ିକୁ ଅଟକ ରଖାଯିବା ସହିତ ସେମାନଙ୍କ ପିତାମାତାଙ୍କୁ ଡକାଯିବ । ଛାତ୍ରଛାତ୍ରୀଙ୍କ ଠାରୁ ଆଉ ପୁଣିଥରେ ମହାବିଦ୍ୟାଳୟ ପରିସର ମଧ୍ୟକୁ ଗାଡ଼ି ନ ଆଣିବା ପାଇଁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସେମାନଙ୍କ ଗାଡ଼ି ଦିଆ ଯିବ ବୋଲି ମହାବିଦ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି ।
ତେବେ ଠିକ ମାସେ ତଳେ କଲେଜ କତ୍ତୃପକ୍ଷଙ୍କ ପକ୍ଷରୁ କଲେଜ ପରିସର ମଧ୍ୟରେ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମୋବାଇଲ ଫୋନ ବ୍ୟବହାର ଉପରେ ରୋକ ଲଗାଇଥିଲେ କଲେଜ କତ୍ତୃପକ୍ଷ । ଏହାକୁ ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଉପରେ ନେଇ ଚେତାଇ ଦିଆଯାଇଥିଲା । ଯାହାଫଳରେ କଲେଜ ପରିସର ମଧ୍ୟରେ ମୋବାଇଲ ଫୋନ ବ୍ୟବହାର ଉପରେ ରୋକ ଲାଗିଛି । କତ୍ତୃପକ୍ଷଙ୍କ ଯୁକ୍ତି ଅନୁସାରେ ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଅନେକ ସମୟରେ ପାଠପଢ଼ାରେ ବ୍ୟଘାତ ହେଉଥିବା ଦେଖିବାକୁ ମିଳିଥିଲା । ପଛ ବେଞ୍ଚରେ ବସି ଛାତ୍ର ଛାତ୍ରୀ ଅଶ୍ଳୀଳ ଭିଡିଓ ଦେଖିବା , ବିନା ଅନୁମତିରେ ଅନ୍ୟର ଫୋଟ ଉଠାଇବା ଆଦି ଅନେକ ଅଭିଯୋଗ କଲେଜରେ ଆସିଥିଲା ଯାହାକୁ ନେଇ ଏକ ଶୃଙ୍ଖଳିତ ବାତାବରଣ ମଧ୍ୟରେ ଶିକ୍ଷା ଗ୍ରହଣ ପାଇଁ ମୋବାଇଲ ବନ୍ଦ କରାଯାଇଥିବା ବେଳେ ଏବେ ଗାଡ଼ି ବନ୍ଦ କରଯାଇଛି । ତେବେ ଏହି ନିୟମକୁ କଲେଜର ଛାତ୍ର ଛାତ୍ରୀ ସ୍ୱାଗତ କରିଛନ୍ତି ।
୧୮ ବର୍ଷରୁ କମ ବୟସର ଛାତ୍ର ଛାତ୍ରୀଙ୍କ ପାଇଁ ଗାଡ଼ି ଚାଳନା ବନ୍ଦ ସ୍ୱତେ ଅନେକ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ବେଆଇନ ଭାବରେ ଗାଡ଼ି ବ୍ୟବହାର ଦେଖିବାକୁ ମିଳିଥାଏ । ସେହିପରି ଅଳ୍ପ ବୟସରୁ ମୋବାଇଲର ସ୍ୱାଧୀନ ବ୍ୟବହାର ଦ୍ୱାରା ଅନେକ ସମସ୍ୟା ଉପୁଜୁଥିବା ବେଳେ ଏବେ ଏଫଏମ କଲେଜର ଏହି ନିଷ୍ପତ୍ତି ଅନ୍ୟ ଅନୁଷ୍ଠାନକୁ ବିଚାର କରିବାକୁ ବାଧ୍ୟ କରିବ ବୋଲି ମତ ପ୍ରକାଶ ପାଇଛି।
" ସ୍ୱାଗତିକା ମିଶ୍ର ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ କହିଛନ୍ତି, ପ୍ରଥମତଃ ମୋବାଇଲ ବନ୍ଦ ଫଳରେ ପାଠ ପଢ଼ା ଠିକ ଭାବରେ ହୋଇପାରୁଛି । ସେହିପରି ଗାଡ଼ି କଲେଜ ପରିସରକୁ ବନ୍ଦ ଫଳରେ ଦୁର୍ଘଟଣାରେ ରୋକ ଲାଗିପାରିବ । ଆମେ ଛାତ୍ର ଛାତ୍ରୀ ଭାବରେ ଏହାକୁ ସ୍ୱାଗତ କରୁଛୁ। "
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।