News18 Odia Digital
ପାରଳାଖେମୁଣ୍ଡି: ବହୁ ପ୍ରତିକ୍ଷୀତ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପୁନଃ ନିର୍ମାଣ କାର୍ଯ୍ୟ ଆଉ ପାଦେ ଆଗେଇଛି। ମନ୍ଦିର ନିର୍ମାଣ କାମ ଗତ ୨୦୧୭ରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ଯାଏଁ ସରିବା ତ ଦୂରର କଥା ପୁନାଦି କାମ ମଧ୍ୟ ଶେଷ ହୋଇନାହିଁ। ଶୁକ୍ରବାର ପୁନାଦି ନିର୍ମାଣ ପାଇଁ ସମୂହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି।
ଏଥିରେ ପାରଳାଖେମୁଣ୍ଡି ସହର ସମେତ ଏହାର ଆଖପାଖ ଅଞ୍ଚଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗେଦେଇ ଶିଳା ସ୍ଥାପନ କରିଥିଲେ। ପାରଳା ମହାଦେଇ କଲ୍ୟାଣୀ ଗଜପତିଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ପ୍ରଶାସନ ମଧ୍ୟ ସାମିଲ ହୋଇଥିଲା।
ଦ୍ବିତୀୟ ପରୀ ଭାବେ ପରିଚିତ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଦୀର୍ଘ ୫ ବର୍ଷ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ସରିବାର ନାଁ ଧରୁନାହିଁ। ଏପରିକି ମନ୍ଦିରର ପୁନାଦି କାମ ମଧ୍ୟ ଶେଷ ହୋଇପାରୁନାହିଁ। ଶୁକ୍ରବାର ପୁନାଦି କାମ ପାଇଁ ଶିଳା ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଛି ।

ବହୁ ପ୍ରତିକ୍ଷୀତ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପୁନଃ ନିର୍ମାଣ କାର୍ଯ୍ୟ ଆଉ ପାଦେ ଆଗେଇଛି
୩ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଯାଜପୁର ଗାଁରୁ ଏକ ବିରାଟ ପଟୁଆରରେ ଶ୍ରଦ୍ଧାଳୁମାନେ ଆସି ଏହି ଉତ୍ସବରେ ସାମିଲ ହୋଇଥିଲେ। ୨୦୧୭ରୁ ଆରମ୍ଭ ହୋଇଥିବା ଏହି କାମ ପାଇଁ ପ୍ରଥମେ ଯେଉଁ ଗାତ ଖୋଳାଯାଇଥିଲା, ତାହା ଦୀର୍ଘ ଦିନ ଯାଏଁ ପୋତା ହୋଇପାରିନଥିଲା। ଫଳରେ ଏହା ଏକ ପୁଷ୍କରିଣୀର ଭ୍ରମ ସୃଷ୍ଟି କରିବା ସହ ଅସ୍ଥାୟୀ ଜଗନ୍ନାଥ ମନ୍ଦିରର କ୍ଷତି କରିଥିଲା।
ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଗାତ ପୂରଣ କରାଯିବା ସହ ପୁନାଦି କାମ ଆରମ୍ଭ ହୋଇଛି। ଏଥିରେ ସବୁ ବର୍ଗର ଲୋକେ ସାମିଲ ହୋଇ ଶିଳା ସ୍ଥାପନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।
“ଏହି ଉତ୍ସବରେ ପାରଳା ମହାଦେଇ କଲ୍ୟାଣୀ ଗଜପତିଙ୍କ ନେତୃତ୍ବରେ ଶିଳା ସ୍ଥାପନ ଉତ୍ସବ କରିଯାଇଛି। ଏହି କାମରେ ମୁଁ ସାମିଲ ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛି। ମନ୍ଦିର ନିର୍ମାଣ କାମ ସମସ୍ତଙ୍କ ସହଯୋଗରେ ଜାରି ରହିଛି ଓ ଅତି ଶୀଘ୍ର ଏହା ସରିବ,” କହିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା।
“ରାଜ୍ୟର ସବୁ ମନ୍ଦିରର ଉନ୍ନତି ପାଇଁ ସରକାର ଟଙ୍କା ଦେଉଛନ୍ତି। ପୁରୀର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି କହୁଛନ୍ତି। ହେଲେ ଦୀର୍ଘ ବର୍ଷ ହେଲା ଏହି ଜଗନ୍ନାଥ ମନ୍ଦିର ନିର୍ମାଣ ନ ହୋଇପାରିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ତେବେ ଏହି ମନ୍ଦିର ନିର୍ମାଣ ପାଇଁ ଖୋଦ୍ ପାରଳା ମହାଦେଇ କଲ୍ୟାଣୀ ଗଜପତି ଦାୟିତ୍ବ ନେଇଥିବା ବେଳେ ଏହାର ଦେଖାଶୁଣା କରୁଛନ୍ତି ଜଣେ ବ୍ୟବସାୟୀ। ବର୍ତ୍ତମାନ ଏହି ମନ୍ଦିର ନିର୍ମାଣ ପାଇଁ ପାରଳାଖେମୁଣ୍ଡିର ଲୋକେ ସହାୟତାର ହାତ ବଢ଼ାଉଛନ୍ତି। ଶିଳା ସ୍ଥାପନ ଉତ୍ସବରେ ସାମିଲ ହୋଇ ଖୁସି ବ୍ୟକ୍ତ କରିବା ସହ ଏହା ସେମାନଙ୍କ ପାଇଁ ଭାଗ୍ୟର କଥା ବୋଲି କହିଛନ୍ତି ଜଣେ ଭକ୍ତ ବିଦ୍ୟୁତଲତା ଦେବୀ।
ଗୋଟିଏ ପଟେ ରାଜ୍ୟର ବିଭିନ୍ନ ମନ୍ଦିରର ଉନ୍ନତି ହେଇଉଥିବା ବେଳେ ପାରଳାଖେମୁଣ୍ଡି ଭଳି ଐତିହାସିକ ସ୍ଥାନର ଜଗନ୍ନାଥ ମନ୍ଦିର ପୁନଃଉଦ୍ଧାର କାର୍ଯ୍ୟ ସରି ନପାରିବା ସ୍ଥାନୀୟ ଲୋକଙ୍କୁ ଦୁଃଖିତ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।