କଟକ ରେଳ ଦୁର୍ଘଟଣା ପଛରେ ରେଳ ବିଭାଗର ଅବହେଳା: ଗୋଟିଏ ଟ୍ରାକ୍‌ରେ ମାଲଗାଡ଼ି ଓ ଏକ୍ସପ୍ରେସ ଯାଉଥିଲେ

ଆଗରେ ଗୋଟେ ମାଲ ଗାଡ଼ି ଯାଉଥିବା ସତ୍ୱେ ଲୋକମାନ୍ୟ ତିଲକ ଏକ୍ସପ୍ରେସକୁ ଯିବା ପାଇଁ କେମିତି ସିଗନାଲ ଦିଆଗଲା ସେ ବିଷୟରେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଦୁର୍ଘଟଣା ପାଇଁ ରେଳ ବିଭାଗକୁ ଦାୟୀ କରିଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନା ।

କଟକ ରେଳ ଦୁର୍ଘଟଣା ପଛରେ ରେଳ ବିଭାଗର ଅବହେଳା: ଗୋଟିଏ ଟ୍ରାକ୍‌ରେ ମାଲଗାଡ଼ି ଓ ଏକ୍ସପ୍ରେସ ଯାଉଥିଲେ
ଜଣେ ଆହତ ଯାତ୍ରୀଙ୍କୁ ଡାକ୍ତର ଓ ନର୍ସ ଚ଼ିକିତ୍ସା କରୁଛନ୍ତି ।
  • News18 Odia
  • Last Updated: January 16, 2020, 1:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଆଜି ସକାଳେ ହୋଇଥିବା ରେଳ ଦୁର୍ଘଟଣା ପଛରେ ଘନ କୁହୁଡ଼ି ଠାରୁ ବଡ଼ କାରଣ ସାମନାକୁ ଆସିଛି । ରେଳ ବିଭାଗର ଅବହେଳା ଯୋଗୁଁ ଗୋଟିଏ ଟ୍ରାକରେ ଉଭୟ ଏକ୍ସପ୍ରେସ ଟ୍ରେନ ଓ ମାଲ ଗାଡ଼ିକୁ ଯିବାକୁ ଦିଆଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଜଣା ପଡ଼ିଛି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ତୀବ୍ର ବେଗରେ ଆସି ସେହି ଟ୍ରାକ ଉପରେ ଯାଉଥିବା ଏକ ମାଲବାହୀ ଗାଡ଼ିକୁ ପିଟିଥିଲା । ଘନ କୁହୁଡ଼ି ଯୋଗୁଁ ଏକ୍ସପ୍ରେସ୍‌ ଟ୍ରେନର ଡ୍ରାଇଭରକୁ ସାମନାରେ ଯାଉଥିବା ମାଲ୍‌ ଗାଡ଼ି ଦିଶି ନ ଥିଲା । ମାତ୍ର ପ୍ରଶ୍ନ ଉଠୁଛି ଯେ କେମିତି ଦୁଇଟି ଟ୍ରେନକୁ ଗୋଟିଏ ଟ୍ରାକରେ ଯିବାକୁ ଦିଆଯାଇଥିଲା ।

ଆଗରେ ଗୋଟେ ମାଲ ଗାଡ଼ି ଯାଉଥିବା ସତ୍ୱେ ଲୋକମାନ୍ୟ ତିଲକ ଏକ୍ସପ୍ରେସକୁ ଯିବା ପାଇଁ କେମିତି ସିଗନାଲ ଦିଆଗଲା ସେ ବିଷୟରେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ ।ଦୁର୍ଘଟଣା ପାଇଁ ରେଳ ବିଭାଗକୁ ଦାୟୀ କରିଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଟ୍ରେନ୍‌ ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ


ଏହି ଦୁର୍ଘଟଣାରେ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୫ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୧ ଜଣରୁ ଅଧିକ ଦୁର୍ଘଟଣା ସ୍ଥଳରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ।

ଦୁର୍ଘଟଣା ଯୋଗୁଁ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି ଉଭୟ ଟ୍ରେନ୍‌ ।ରେଳ ଧାରଣା ବି ନଷ୍ଟ ହୋଇଛି । ପାଞ୍ଚଟି ଟ୍ରେନ୍‌ର ଗତିପଥ ବଦଳା ଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ହେଲ୍‌ପଲାଇନ ନମ୍ବର ସବୁ ଜାରି ହୋଇଛି ।

ପାଞ୍ଚଟି ଟ୍ରେନ୍‌ କଟକ ନ ଦେଇ ନରାଜ ବାଟ ଦେଇ ଯିବେ । ପୁରୀ-ରାଉରକେଲା ପେସେଞ୍ଜର, ଦୁର୍ଗ-ପୁରୀ ଏକ୍ସପ୍ରେସ ଓ ଧାନବାଦ-ଭୁବନେଶ୍ବର ଏକ୍ସପ୍ରେସର ଗତିପଥରେ ପରିବର୍ତ୍ତନ କରାଯାଇଛି । ସେହିପରି ଭୁବନେଶ୍ବର-ମୁମ୍ବାଇ LTT ଓ ତାଳଚେର-ପୁରୀ ମେମୁ ଟ୍ରେନର ଗତିପଥ ବି ବଦଳିଛି ।

‘‘କୌଣସି ଟ୍ରେନ୍‌ ବାତିଲ ହୋଇନି ।କେବଳ ପାଞ୍ଚଟି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି । ଯାତ୍ରୀମାନଙ୍କୁ ୫ଟି ବସ ଯୋଗେ କଟକ ଓ ଭୁବନେଶ୍ବର ନିଆଯାଇଛି,’’ କହିଛନ୍ତି ପୂର୍ବ ତଟ ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ (CPRO) ଜ୍ୟୋତି ପ୍ରକାଶ ମିଶ୍ର ।

ମିଶ୍ର କହିଛନ୍ତି ଯେ ସାତଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ମୋଟ ୧୧ଟି ବଗି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ କାହାର ମୃତ୍ୟୁ ହୋଇନାହିଁ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ଯାତ୍ରୀଙ୍କ ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ଜାରି  କରିଛି  ରେଳ ବିଭାଗ । ହେଲ୍ପ ଲାଇନ ନମ୍ବର ହେଲା କଟକ- ୦୬୭୧୧୦୭୨, ଖୋର୍ଦ୍ଧା ରୋଡ୍‌- ୦୬୭୪୧୦୭୨, ପୁରୀ- ୦୬୭୫୨୧୦୭୨, ଭୁବନେଶ୍ବର ହେଡ୍‌ କ୍ବାର୍ଟର- ୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨ ।

ଆଜି ସକାଳ ୭.୧୦ରେ ଭୁବନେଶ୍ବରରେ ପହଞ୍ଚିଥାନ୍ତା ଲୋକମାନ୍ୟ ତିଲକ ଏକ୍ସପ୍ରେସ । ପାଖାପାଖି ୬.୪୫ ମିନିଟ ଏହି ଦୁର୍ଘଟଣା ହୋଇଛି । ଯାତ୍ରୀମାନେ ନିଜେ ନିଜେ ଟ୍ରେନରୁ ଓହ୍ଲାଇ ତଳକୁ ଆସିଥିଲେ । ପରେ ପହଞ୍ଚିଥିଲା ଆମ୍ବୁଲାନ୍ସ ।

ଦୁର୍ଘଟଣା ପାଇଁ ରେଳ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଲୋକେ ।ଦୁର୍ଘଟଣାର ଅନେକ ସମୟ ଯାଏ ଲୋକଙ୍କ ପାଖରେ ପହଞ୍ଚିନଥିଲେ କୌଣସି ଅଧିକାରୀ । ତେବେ  କିଛି ସ୍ଥାନୀୟ ଲୋକେ ବି ଉଦ୍ଧାର କାମରେ ଲାଗିଥିଲେ ।ଏବେ ବି ସେଠାରେ ଉଦ୍ଧାର କାମ ଜାରି ରହିଛି ।
First published: January 16, 2020, 1:46 PM IST