News18 Odia Digital
ସମ୍ବଲପୁର: ଗାଁ'ର ନାଁ ସମ୍ବଲପୁରୀ। ବରଗଡ ଜିଲ୍ଲା ପଦମପୁର ଉପ ଖଣ୍ଡରେ ରହିଛି ସମ୍ବଲପୁରୀ ଗାଁ। ସମ୍ବଳରେ ପରିପୂର୍ଣ୍ଣ ଗାଁ ସମ୍ବଲପୁରୀ। ସମ୍ବଲପୁରୀ କହିଲେ ସମ୍ବଲପୁରୀ ବସ୍ତ୍ର, ସମ୍ବଲପୁରୀ ନାଚଗୀତ ଓ ସମ୍ବଲପୁରୀ ଭାଷାକୁ ବୁଝେଇଥାଏ।
ତେବେ ଗାଁର ନାଁ ମଧ୍ୟ ସମ୍ବଲପୁରୀ ରହିଛି। ବରଗଡ ଜିଲ୍ଲା ପଦମପୁରର ଭେଉଁରିଆ ଛକରୁ ବସନା ରାସ୍ତାରେ ୧୪ କିଲୋମିଟର ଗଲେ ଡାହାଣ ପଟରେ ପଡ଼େ ସମ୍ବଲପୁରୀ ଗାଁ। ଅଙ୍ଗନଦୀ କୂଳରେ ଅବସ୍ଥିତ ଏହି ଗାଁ।
ଗାଁର ସମସ୍ତେ ପ୍ରାୟ କୃଷି ଉପରେ ନିର୍ଭର ଶୀଳ। ଗାଁରେ ଭଲ ଧାନ ପନିପରିବର ଚାଷ ମଧ୍ୟ ହୋଇଥାଏ। ସମ୍ବଳ ଓ ଶ୍ରୀରେ ପରି ପୁର୍ଣ୍ଣ ରହୁ ଥିବାରୁ ଗାଁର ନାମ ବୋଧେ ସମ୍ବଲପୁରୀ ଦିଆ ଯାଇଥିବା କହିଛନ୍ତି ଗ୍ରାମବାସୀ। ରଣେଶ୍ବର ରାମଚଣ୍ଡି ଓ ମାଆ ସମଲେଶ୍ବରୀଙ୍କୁ ଗାଁ ଲୋକେ ଭକ୍ତିର ଶହ ପୂଜାର୍ଚ୍ଚନା କରିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।
‘‘ବହୁତ ବର୍ଷ ହେବ ଗାଁର ନାମ ସମ୍ବଲପୁରୀ ରହିଛି। ଆମ ଗାଁ କୃଷି ପ୍ରଧାନ ଗାଁ। ସମ୍ବଳ ଓ ଶ୍ରୀରେ ପରି ପୁର୍ଣ୍ଣ ରହୁଥିବାରୁ ଗାଁର ନାମ ସମ୍ବଲପୁରୀ ରହିଛି,’’ କହିଛନ୍ତି ରଘୁମଣି ପ୍ରଧାନ କହିଛନ୍ତି।
ଗାଁରେ ରହିଛି ଜଗନ୍ନାଥଙ୍କ ମନ୍ଦିର, ବୀର ହନୁମାନଙ୍କ ମନ୍ଦିର। ଗାଁରେ ୧୨ ମାସରେ ୧୩ ପୂଜା ଅନୁଷ୍ଠିତ ହୋଇଥାଏ। ଗ୍ରାମବାସୀ ସମସ୍ତେ ମିଳି ମିଶି ନାମ ଯଜ୍ଞ ଓ ସଂକୀର୍ତ୍ତନରେ ଭାଗ ନେଇଥାନ୍ତି। ଗାଁର ଜନ ସଂଖ୍ୟା ୧୨ ଶହରୁ ଉର୍ଦ୍ଧ୍ବ। ଗାଁରେ ଗ୍ରୀଷ୍ମ ଋତୁରେ ଜଳ ସମସ୍ୟା ଦେଖା ଦେଉ ଥିବାରୁ ନିକଟରେ ବହି ଯାଇଥିବା ଅଙ୍ଗନଦୀରୁ ଜଳ ସେଚନର ବ୍ୟବସ୍ଥା କଲେ ଗାଁ ଲୋକେ ବେଶ ଉପକୃତ ହୁଅନ୍ତେ ବୋଲି ଗାଁ ଲୋକେ କହିଛନ୍ତି।
ଆମ ଗାଁ ନିକଟରେ ଅଙ୍ଗନଦୀ ଥିଲେ ମଧ୍ୟ ଚାଷ ପାଇଁ ଜଳ ସେଚନ ବ୍ୟବସ୍ଥା ନାହିଁ। ଗ୍ରାମବାସୀମାନେ ଚଳିବା ପାଇଁ ଚାଷ ଉପରେ ନିର୍ଭର କରୁଥିବାରୁ ନଦୀରୁ ଜଳ ସେଚନ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ବୋଲି ଚାଷୀ ଘନଶ୍ୟାମ ପ୍ରଧାନ କହିଛନ୍ତି।
ଉର୍ବର ମାଟି ସାଙ୍ଗକୁ କୃଷି ଯାତ ଦ୍ରବ୍ୟ ସମ୍ବଳରେ ଭରପୁର ସମ୍ବଲପୁରୀ ଗାଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।