News18 Odia Digital
ଭୁବନେଶ୍ବର: ଏବେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ରୁ ୧୧ ହଜାର ଭିତରେ ରହୁଛି, ଷ୍ଟ୍ରେନ୍ ବିଷୟରେ ଜାଣିବା ପାଇଁ ୧୦ ରୁ ୧୫ ଦିନ ସମୟ ଆବଶ୍ୟକ, ଷ୍ଟ୍ରେନ୍ ଜଣାନଥିବା ବେଳେ ଆଗକୁ କମିବ ନା ବଢ଼ିବ କହିବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି। ଜେନେରାଲ ବେଡ଼ ୯ ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ ରୁ ୬ ପ୍ରତିଶତ ଥିବା ବେଳେ ପେଡ୍ରିଆଟିକ ଆଡମିସନ ବହୁତ କମ୍ ରହିଛି। ଏହି ଲହରରେ ହସ୍ପିଟାଲ ଆଡମିସନ ଓ ଅକ୍ସିଜେନ ଆବଶ୍ୟକତା କମ୍ ପଡୁଛି।
ସିଡିସି (Centre For Disease Control And Prevention) ୧୫ ଦିନ ପୂର୍ବରୁ କହିଥିଲେ ଯେ ହୋମ ଆଇସୋଲେସନକୁ ୫ ଦିନ କଲେ କୌଣସି ଅସୁବିଧା ହେବ ନାହିଁ। ତେବେ ଜଳବାୟୁ, ଲୋକଙ୍କ ବ୍ୟବହାର, ଭିତ୍ତିଭୂମି ଦେଖି ଆମ ଦେଶ ସମେତ ଅନ୍ୟଦେଶ ମଧ୍ୟ ଗ୍ରହଣ କରିନାହାଁନ୍ତି। ବୋଧହୁଏ ଆଗକୁ ଗ୍ରହଣ କରାଯାଇପାରେ। ବର୍ତ୍ତମାନ ଟାସ୍କଫୋର୍ସ ଯେଉଁ ସାତ ଦିନ ନିୟମ କରିଛନ୍ତି ତାକୁ ମାନି ଚଳିବା ଠିକ୍ କଥା।
ସେହିପରି ଔଷଧ ଖାଇବା ଉପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରାଇ କହିଛନ୍ତି ସାଧାରଣ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ ଆବଶ୍ୟକତା ନାହିଁ। ଯେତେବେଳେ ଯାହା ଦରକାର ଡ଼ାକ୍ତରଙ୍କ ପରାମର୍ଶ କରି ଔଷଧ ଖାଆନ୍ତୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଅଛି, ଅକ୍ସିଜେନର ଅଭାବ ନାହିଁ।
ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି ଯେ କୋଭିଡ଼ ନିୟମ ନମାନିଲେ ହସ୍ପିଟାଲାଇଜେସନ ବଢ଼ିବ। ସାଧାରଣତଃ ବୟସ୍କ ଓ ରୋଗାଗ୍ରସ୍ଥ ଲୋକ ଅଧିକ ଗୁରୁତର ହୋଇ ପଡ଼ିବେ। ବର୍ତ୍ତମାନ କୋଭିଡ଼ ନିୟମ ଭୁଲିବାର ସମୟ ଆସିନାହିଁ । ବର୍ତ୍ତମାନ ଯେଉଁ ଲକ୍ଷଣ ଦେଖାଯାଉଛି ଚାରି ପାଞ୍ଚ ଦିନ ରହୁଛି। ସାତ ଦିନରେ ଲକ୍ଷଣ କମୁଥିବାରୁ ଆଇସୋଲେସନକୁ ସାତ ଦିନ କରୁଛନ୍ତି ସରକାର। ବର୍ତ୍ତମାନ ଆମେ ପିକରେ ପହଞ୍ଚି ନାହୁଁ। ୨୫ ତାରିଖ ବେଳକୁ ପିକ୍ ଛୁଇଁ ପାରେ। ପୂର୍ବରୁ ପିକରେ ୨୫ ଓ ୩୦ ହଜାର ସଂକ୍ରମଣ ଛୁଇଁବ ବୋଲି ଯାହା କୁହାଯାଉଥିଲା ଏବେ ତାହା ସର୍ବାଧିକ ୨୦ ହଜାର ପର୍ଯ୍ୟନ୍ତ ଯିବ ଓ ଶୀଘ୍ର କମିବ । ୟୁଏସରେ ହୋମ ଆଇସୋଲେସନ ପାଞ୍ଚ ଦିନ ଥିବା ବେଳେ କେସ୍ କମିଲେ ଆମର ବି ଏଠି ପାଞ୍ଚ ଦିନ ହୋଇପାରେ। ଚଳିତ ମାସ ଶେଷ ଆଡ଼କୁ ଜଣା ପଡ଼ିବ ବୋଲି ସେ କହିଛନ୍ତି
ରାଜ୍ୟରେ ମୋଟ ୧୧,୨୯୧ ବେଡ଼ ରହିଥିବା ବେଳେ ୧,୨୪୭ ଜଣ ରୋଗୀ ହସ୍ପିଟାଲରେ ରହିଛନ୍ତି। ମୋଟ ୧୧.୦୪ ପ୍ରତିଶତ। ସେହିପରି ହୋମ ଆଇସୋଲେସନରେ ରହିଛନ୍ତି ୬୮, ୫୮୫ ଜଣ ଆକ୍ରାନ୍ତ। ଯାହା ୯୮.୨୧ ପ୍ରତିଶତ।
ରାଜ୍ୟରେ ସରକାରୀ କୋଭିଡ ହସ୍ପିଟାଲ ଓ ପ୍ରାଇଭେଟ ନର୍ସିଂ ହୋମ ରହିଛି ୮୮ଟି ହସ୍ପିଟାଲ। ସରକାରୀ କୋଭିଡ ହସ୍ପିଟାଲରେ ୭,୪୦୨ ଜେନେରାଲ ବେଡ଼, ଆଇସିୟୁ ବେଡ଼ରେ ୨,୫୪୮, ଭେଣ୍ଟଲେଟରରେ ୭୯୩ ବେଡ଼ ରହିଛି। ଅନ୍ୟପଟେ ପ୍ରାଇଭେଟ ନର୍ସିଂ ହୋମରେ ରହିଛି ଜେନେରାଲ ବେଡ଼ ୯୩୩ , ଆଇସିୟୁରେ ୪୦୮ ବେଡ଼, ଭେଣ୍ଟଲେଟରରେ ୧୪୦ ବେଡ଼ ଅଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।