News18 Odia Digital
ଭୁବନେଶ୍ୱର: ଗିରଫ ହେଲେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା । ଶୁକ୍ରବାର ଠାରୁ ଅଟକ ଥିବା ନିନାଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ନିନାଙ୍କ ପାଖରୁ ଜବତ ହୋଇଥିବା ୬ଲକ୍ଷ ଟଙ୍କା ସମ୍ବନ୍ଧୀୟ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ସେପଟେ ଭିଜିଲାନ୍ସ ପାଖରେ ହାଜର ହୋଇଛନ୍ତି ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ।
ରବିବାର ସ୍ୱାମୀ-ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରିଥିଲା ଭିଜିଲାନ୍ସ। ଦୀର୍ଘ ସମୟ ଧରି ଜେରା କରିବା ପରେ ଶେଷ ହୋଇଥିଲା ସୁପରିଟେଣ୍ଡଣ୍ଡଙ୍କ ଖେଳ । ଯଥେଷ୍ଟ ପ୍ରମାଣ ମିଳିବାରୁ ବନ୍ଧା ହୋଇଛନ୍ତି ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା । ଗିରଫ ପରେ ଘରୁ ଜବତ ହୋଇଛି ସୁନା ବିସ୍କୁଟ ସାଙ୍ଗକୁ ସୁନାର ହାର, ଚୁଡ଼ି, ସୁନା ଓ ଦାମୀ ଉପହାର। ଏସବୁ ସୁନା ସେ କେବେଠାରୁ ପାଖରେ ରଖିଥିଲେ ସେନେଇ ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ।

ଜବତ ହୋଇଥିବା ସମ୍ପତ୍ତି
"ଶୁକ୍ରବାର ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ରାୟଗଡ଼ାରୁ ଭୁବନେଶ୍ୱର ଯିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାୟଗଡ଼ାରୁ ସେ ଅନୈତିକ ଉପାୟରେ ଟଙ୍କା ନେଇ ଆସୁଥିବାର ଖବର ପାଇ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ରେଡ଼ ବେଳେ ତାଙ୍କ ଗାଡ଼ିରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାପରେ ତାଙ୍କ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ଼ ବେଳେ ପୁଳା ପୁଳା ସୁନା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ପଳାସପଲି ଅଞ୍ଚଳରେ ଥିବା ଭଡ଼ା ଘରୁ ଅନେକ ଜିନିଷ ଠାବ ହୋଇଛି । ଏ ସବୁ ସମ୍ପତ୍ତିକୁ ନେଇ ତଦନ୍ତ ଚାଲିଛି" କହିଛନ୍ତି ଭିଜିଲାନ୍ସ ନିର୍ଦେଶକ ଯଶୋବନ୍ତ ଜେଠୱା ।
ସେପଟେ ନିନା ବେଉରାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କୁ ଜେରା କରିଛି ଭିଜିଲାନ୍ସ । ନିନା ଧରା ପଡ଼ିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ କ୍ୱାର୍ଟରରେ ଚଢ଼ାଉ କରିବାକୁ ଆସୁଥିବାର ସୁରାକ୍ ପାଇ ନିହାର ରଂଜନ ଦାସ ନିଜ ଘରେ ତାଲା ପକାଇ ଓ ମୋବାଇଲ୍ ସୁଇଚ୍ ଅଫ୍ କରି କୁଆଡ଼େ ପଳାଇଥିବା ଚର୍ଚ୍ଚା ହୋଇଥିଲା ।
"ମୁଁ କୁଆଡେ ଯାଇନଥିଲି। ଭିଜିଲାନ୍ସର କର୍ମଚାରୀ କାଲି କେହି ଯୋଗାଯୋଗ କରି ନାହାଁନ୍ତି । ଆଜି ସକାଳେ ଭିଜିଲାନ୍ସ ଡ଼ିଏସପି ଯୋଗାଯୋଗ କରିବାରେ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆସିଛି । ତେବେ ପତ୍ନୀଙ୍କ ଠାରୁ ଜବତ ଟଙ୍କା ସମ୍ବନ୍ଧୀୟ ତଥ୍ୟ ଜାଣିନାହିଁ,"କହିଛନ୍ତି ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତି।