ବିରାଟ ଆଉଟ୍ ହେବା ପରେ ଶାରଦୁଲଙ୍କୁ ଧ୍ୟାନରେ ଖେଳିବାକୁ କହିଥିଲି, ସେଥି ପାଇଁ ବିଜୟ: ଜାଡେଜା

ରୋହିତ ଶର୍ମାଙ୍କୁ ମ୍ୟାନ୍ ଅଫ ଦି ସିରିଜ ଓ ବିରାଟ କୋହଲିଙ୍କୁ ମ୍ୟାନ ଅଫ ମ୍ୟାଚ ଘୋଷଣା କରାଯାଇଥିଲା । ତେବେ ଏହି ବିଶାଳ ବିଜୟ ପଛରେ ରବୀନ୍ଦ୍ର ଜାଡେଜାଙ୍କର ଫିଲ୍ଡ୍ ଭିତରେ ଓ ଫିଲ୍ଡ୍ ବାହାରେ ଥିବା ଅବଦାନ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା ।

ବାରବାଟୀ ଷ୍ଟାଡିୟମରେ ରବୀନ୍ଦ୍ର ଜାଡେଜା

ବାରବାଟୀ ଷ୍ଟାଡିୟମରେ ରବୀନ୍ଦ୍ର ଜାଡେଜା

  • Share this:
କଟକ: ବାରବାଟୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଭାରତର ରୋମାଞ୍ଚକର ବିଜୟ ପଛରେ ରହିଛି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କର ଫିଲ୍‌ଡ୍‌ ଭିତରେ ଓ ଫିଲ୍‌ଡ୍‌ ବାହାରେ ଥିବା ଅବଦାନ ।

କ୍ୟାପଟେନ୍‌ ବିରାଟ କୋହଲି ଆଉଟ୍‌ ହେବା ପରେ ବିପଦରେ ପଡିଥିବା ଟିମ୍‌ ପାଇଁ ସଙ୍କଟ ମୋଚ଼ନ ସାଜିଥିଲେ ଜାଡେଜା । ମାତ୍ର ୩୧ ବଲରେ 39 ରନ କରି ଟିମ୍‌ର ବିଜୟ ପଥ ପରିଷ୍କାର କରିଥିଲେ ସେ । ସେ ଗୋଟିଏ ୱିକେଟ ବି ନେଇଥିଲେ ।

ତା’ଛଡ଼ା ଜଣେ ସହଖେଳାଳୀଙ୍କୁ ସେ ଦେଇଥିବା ଉପଦେଶ ଟିମ୍‌ ଇଣ୍ଡିଆ ପାଇଁ ଖୁବ୍‌ ଲାଭକାରୀ ପ୍ରମାଣିତ ହୋଇଥିଲା । ଏ କଥା ନିଜେ ଜାଡେଜା ସାମ୍ବାଦିକମାନଙ୍କୁ କହିଛନ୍ତି ।

‘‘ବିରାଟ ଆଉଟ ହେବା ପରେ ଶାର୍ଦୁଲ ଠାକୁର୍‌ଙ୍କୁ ମୁଁ ଧ୍ୟାନର ସହ ଖେଳିବାବୁ କହିଥିଲି, ଯେଉଁଥି ପାଇଁ ଆମ ବିଜୟ ସହଜ ହେଲା । ଟସ୍‌ ଜିତି ଦ୍ଵିତୀୟ ପର୍ଯ୍ୟାୟରେ ବ୍ୟାଟିଂ ନିଷ୍ପତ୍ତି ବି ସମ୍ପୂର୍ଣ୍ଣ ଠିକ୍‌ ଥିଲା,’’ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରବୀନ୍ଦ୍ର ଜାଡେଜା।

ବାରବାଟୀ ରେ ନିଜ ଫର୍ମ ଫେରି ପାଇଥିଲେ ବିରାଟ କୋହଲି ।


ରବିବାରର ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ୱେଷ୍ଟଇଣ୍ଡିଜ ଟିମ୍‌ କୁ ୬ ଉଇକେଟରେ ପରାସ୍ତ କରି ସିରିଜ ପୋଛି ନେଲା ଭାରତ । ୱେଷ୍ଟ୍‌ଇଣ୍ଡିଜ ଭାରତ ସାମନାରେ ୩୧୫ ରନ ଏକ ବିଶାଳ ଲକ୍ଷ୍ୟ ରଖିଥିଲେ ମଧ୍ୟ ରୋହିତ ଶର୍ମା, କେ ଏସ ରାଉଲ ଓ ବିରାଟ କୋହଲିଙ୍କ ଲଢୁଆ ପାଳି ଯୋଗୁଁ ୪୮.୪ ଓଭରରେ ହିଁ ଟାର୍ଗେଟ ହାସଲ କରିଥିଲା ଭାରତ। କିନ୍ତୁ ୩୯ ରନର ଆକର୍ଷଣୀୟ ପାଳି ଖେଳି ରବୀନ୍ଦ୍ର ଜାଡେଜା ପାଲଟି ଥିଲେ ରିୟଲ୍‌ ହିରୋ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ୍‌ ଟିମ୍‌ ପ୍ରଥମ ୧୦ ଓଭର ଧିମା ଖେଳି ଥିଲା ଏବଂ ଏହା ପରେ ନିୟମିତ ବ୍ୟବଧାନରେ ଟିମର ଉଇକେଟ ପତନକୁ ଦେଖି ଦଳ ପକ୍ଷରେ ୨୫୦ ରନ୍‌ କରିବା ମଧ୍ୟ ସମ୍ଭବ ହେବ ନାହିଁ ବୋଲି ଅନୁମାନ କରାଯାଉ ଥିଲା।

କିନ୍ତୁ ଝଡ଼ର ଇଗଲ ଭଳି ଟିମକୁ ୩୧୫ ରନ୍‌ର ଏକ ସମ୍ମାନଜନକ ସ୍ଥିତିରେ ପହଁଚ଼ାଇଲେ ନିକୋଲସ ପୁରନ ଓ କାଇରନ ପୋଲାଡ଼। ୬୪ ଟି ବଲରେ ନିକୋଲସ ପୁରନ ୮୯ ରନ ସଂଗ୍ରହ କରିଥିବା ବେଳେ କାଇରନ ପୋଲାଡ଼୍‌ ୫୧ ଟି ବଲ ଖେଳି ୭୪ ରନ କରି ଅପରାଜିତ ରହିଥିଲେ।

ଟିମ୍‌ ଇଣ୍ଡିଆ ପକ୍ଷରୁ ବୋଲିଂ କରି ନିଜ ଡେବ୍ୟୁ ମ୍ୟାଚରେ ନବଦୀପ ସୈନି ଦୁଇଟି ଉଇକେଟ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ଶାର୍‌ଦୁଲ ଠାକୁର ଗୋଟିଏ ଲେଖାଏଁ ଉଇକେଟ ପାଇଥିଲେ।

‘‘ଟିମ୍‌ର ସମସ୍ତ ସଦସ୍ୟ ଭଲ ଖେଳିଛନ୍ତି। କିନ୍ତୁ ଆଉ ୧୫ ରନ୍‌ ଅଧିକ କରିବାର ଆବଶ୍ୟକତା ଥିଲା । କାକର ଯୋଗୁଁ ବଲ୍‌ ଧରିବାରେ ସମସ୍ୟା ହୋଇଥିଲା,’’ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ୱେଷ୍ଟଇଣ୍ଡିଜ ଟିମ୍‌ର ସଦସ୍ୟ ନିକୋଲସ ପୁରନ।

ବିଜୟ ପରେ ଟ୍ରଫି ସହ ଟିମ୍‌ ଇଣ୍ଡିଆ ।


ସେପଟେ ୩୧୬ ରନ୍‌ର ବିଶାଳ ଲକ୍ଷ୍ୟର ପିଛା କରି ହିଟ୍‌ମ୍ୟାନ ରୋହିତ ଶର୍ମା ଓ କେ ଏଲ୍‌ ରାଉଲ ବିସ୍ଫୋରକ ବ୍ୟାଟିଂ କରି ଟିମ ଇଣ୍ଡିଆର ସ୍କୋରକୁ ଏକ ଭଲ ଷ୍ଟାର୍ଟ ଦେଇଥିଲେ। ପ୍ରଥମ ଉଇକେଟ ବିନିମୟରେ ଉଭୟଙ୍କ ମଧ୍ୟ ରେ ୧୨୨ ରନ୍‌ର ପାର୍ଟନରସିପ ହୋଇଥିଲା। ରୋହିତ ଶର୍ମା ୬୩ ବଲ ରେ ୬୩ ରନ ଓ କେ ଏଲ୍‌ ‌ରାଉଲ ୮୯ ବଲ୍‌ରେ ୭୭ ରନ୍‌ କରି ଆଉଟ ହୋଇଥିଲେ।

ଏହା ପରେ ବାରବାଟୀ ରେ ନିଜ ଫର୍ମ ଫେରି ପାଇଥିବା ବିରାଟ କୋହଲି ମଧ୍ୟ ୮୧ ବଲ୍‌ରେ ଧୂଆଁଧାର ୮୫ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ।

ରୋହିତ ଶର୍ମାଙ୍କୁ ମ୍ୟାନ୍‌ ଅଫ ଦି ସିରିଜ ଓ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା। ତେବେ ଏହି ମ୍ୟାଚ ଏତେ ରୋମାଞ୍ଚକ ଥିଲା ଯେ ଶେଷ ପର୍ଯ୍ୟନ୍ତ ଦର୍ଶକ ନିଜ ସିଟ୍‌ରେ ବସି ରହିବାକୁ ବାଧ୍ୟ ହୋଇଥିଲେ।

ମ୍ୟାଚ୍‌ ଦେଖିବାକୁ ବିଶାଳ ସଂଖ୍ୟାରେ ଦର୍ଶକ ଆସିଥିଲେ ।


ମ୍ୟାଚ ଶେଷ ହେବା ପରେ ବାରବାଟୀରେ ହୋଇଥିବା ରଙ୍ଗାରଙ୍ଗ ଆତସବାଜି ପରିବେଶକୁ ଅଧିକ ଆକର୍ଷଣୀୟ କରିଥିଲା।
Published by:Anand Shankar Thankur Das
First published: