News18 Odia Digital
ପୁରୀ: ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଭକ୍ତଙ୍କ ଗହଳିରେ ହେବ। ଆଜି ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି । ଏଥିସହ କୋଭିଡ଼ର ସ୍ଥିତିକୁ ଦେଖି ରଥଯାତ୍ରା ପ୍ରସ୍ତୁତିକୁ ନେଇ ଦୁଇଟି ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି ବୋଲି ଜିଲ୍ଲାପାଳ ବୈଠକରେ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷର ରଥଯାତ୍ରାରେ ଦୁଇଗୁଣା ବା ୧୫ ରୁ ୨୦ ଲକ୍ଷ ଭକ୍ତଙ୍କ ଭିଡ଼ ହେବାକୁ ଥିବାରୁ ବିଶ୍ୱର ସର୍ବବୃହତ ଯାତ୍ରା ଭାବେ ରଥଯାତ୍ରାକୁ ପରିଗଣିତ କରିବା ପାଇଁ ୟୁନେସ୍କୋକୁ ଚିଠି ଲେଖାଯିବ ।
"ଚନ୍ଦନଯାତ୍ରା ପରେ ଏବେ ସ୍ନାନଯାତ୍ରା ଓ ରଥଯାତ୍ରାରେ ସାମିଲ ହୋଇପାରନ୍ତି ଭକ୍ତ। କୋଭିଡ଼ ସ୍ଥିତିକୁ ଦେଖି ଦୁଇଟି ଦିଗକୁ ନେଇ ପ୍ରସ୍ତୁତ ହେଉଛି ପ୍ରଶାସନ । କୋଭିଡର ସ୍ଥିତି କମ ଥିଲେ ସାମିଲ ହେବେ ଭକ୍ତ । ଯଦି ସେ ସମୟରେ ସ୍ଥିତି ଉଦବେଗଜନକ ଥାଏ ତେବେ କୋଭିଡ଼ କଟକଣାରେ ବିନା ଭକ୍ତରେ କରାଯିବ ।ହେଲେ ଏ ନେଇ ଉଚ୍ଚସ୍ତରୀୟ ବୈଠକରେ ଯାହା ନିଷ୍ପତି ହେବ ସେ ନେଇ ପଦକ୍ଷେପ ନିଆଯିବ । ବିଭାଗୀୟ ଅଧିକାରୀମାନଙ୍କୁ ରଥଯାତ୍ରାକୁ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ପରବର୍ତ୍ତୀ ସମନ୍ୱୟ ବୈଠକରେ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖୁବ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ବସି ଏ ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ," କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
"ଜୁଲାଇ ୧ ରେ ହେବ ଚଳିତ ବର୍ଷର ରଥଯାତ୍ରା । ଆଉ ଏ ନେଇ ରଥ ନିର୍ମାଣ ବି ଆରମ୍ଭ ହୋଇଛି। ରଥ ପ୍ରସ୍ତୁତି ବୈଠକରେ ଵିଭିନ୍ନ ବିଭାଗର ପଦାଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦଶ୍ୟ ଯୋଗ ଦେଇଥିଲେ। ଚନ୍ଦନଯାତ୍ରା ଭଳି ଭକ୍ତମୟ ପରିବେଶରେ ସ୍ନାନପୁର୍ଣିମା ଓ ରଥଯାତ୍ରା କରାଯିବା ନେଇ ସମସ୍ତେ ବେଶ ଆଶାବାଦୀ ରହିଛନ୍ତି । ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବ," କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର।
"ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଭକ୍ତମାନେ କୋଭିଡ଼ନିୟମ ଅନୁପାଳନ କରି ରଥଯାତ୍ରାରେ ସାମିଲ ହେବା ପାଇଁ ବୈଠକରେ ଆଲୋଚନା ହୋଇଛି । ସମସ୍ତ ଭକ୍ତମାନେ ଦ୍ୱିତୀୟ ଡୋଜ ସହ ବୁଷ୍ଟରଡୋଜ ଓ ମାସ୍କ ପରିଧାନ କରି ରଥଯାତ୍ରାରେ ସାମିଲ ହୁଅନ୍ତୁ । ପୁଣି ରଥଯାତ୍ରା ନୀତି ଶୃଂଖଳିତ ଓ ଭକ୍ତଙ୍କ ଗହଣରେ କରାଯାଉ," କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଦଇତାପତି ନିଯୋଗ ପୂର୍ବତନ ସମ୍ପାଦକ ଦୁର୍ଗାଦାସ ମହାପାତ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।