News18 Odia Digital
ବାଲେଶ୍ବର: ପ୍ରଥମ କରି ଜଉରଥରେ ଗଡ଼ିଲେ ଜଉ ଜଗନ୍ନାଥ। ବାଲେଶ୍ବରର ଜଉ କଣ୍ଢେଇ ଶିଳ୍ପୀମାନେ ଅଭିନୟ ଢ଼ଙ୍ଗରେ ପାଳିଲେ ରଥଯାତ୍ରା। ଶୁକ୍ରବାର ସାରା ବିଶ୍ବରେ ପବିତ୍ର ରଥଯାତ୍ରା ପାଳନ କରାଯାଇଥିବା ବେଳେ ବାଲେଶ୍ବରର ଜଉ କଣ୍ଢେଇ ଶିଳ୍ପୀମାନେ ଏକ ଭିନ୍ନ ଶୈଳୀରେ ରଥଯାତ୍ରା ପାଳିଛନ୍ତି।
ବାଲେଶ୍ବରର ଜଉ କଣ୍ଢେଇ କଳାକୁ ଆଗେଇ ନେବା ପାଇଁ ୧୮ ଇଞ୍ଚ ଉଚ୍ଚର ଜଉରେ ତିଆରି ରଥ ତିଆରି କରି ଜଉରେ ତିଆରି ତିନି ଠାକୁରଙ୍କୁ ବସାଇ ରଥ ଟାଣିଥିଲେ। ଏଥିରେ ଜିଲ୍ଲାର ୧୦୦ ଉର୍ଦ୍ଧ୍ଵ ଶିଳ୍ପୀଙ୍କ ନିର୍ମିତ ୧୦୦୦ରୁ ଉର୍ଦ୍ଧ୍ଵ ନରନାରୀ, ଭକ୍ତ, ଦର୍ଶକ, କୀର୍ତ୍ତନ ମଣ୍ଡଳୀ, ସାଧୁ ଇତ୍ୟାଦି ଜଉ କଣ୍ଢେଇ ପ୍ରଦର୍ଶିତ ହୋଇଥିଲା।
ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ଆୟୋଜିତ ଏହି ରଥଯାତ୍ରାକୁ ନୂଆ ବାଲେଶ୍ବର ଉନ୍ନୟନ ପରିଷଦର ସଭାପତି ଭଗବାନ ଦାସ ଖଣ୍ଡେଲଓଆଲ ଧୂପଦୀପରେ ଆଳତୀ କରି ରଥକୁ ଟାଣି ଉଦଘାଟନ କରି ଜଉ ରଥରେ ଜଉ ଜଗନ୍ନାଥ ଗଡ଼ିବା ତାଙ୍କ ଜାଣିବାରେ ପ୍ରଥମ ବୋଲି କହିଥିଲେ।

ବାଲେଶ୍ବରର ପାଳିତ ହେଲା ରଥଯାତ୍ରା
ଏଥିସହ ନିମନ୍ତ୍ରିତ ଅତିଥି କମଲ ବିହାରୀ ଦାସ, ଡ଼ଃ. କରୁଣାକର ରାଉତ, ଜୟକୃଷ୍ଣ ସାହୁ, ପ୍ରଶାନ୍ତ ପଟେଲ,ସୁଧାକର ସେଠୀ, ଗୋବିନ୍ଦ ଦଳାଇ, ଦେବେଶ ପରମାଣିକ ପ୍ରମୁଖ ଉପସ୍ଥିତ ହୋଇ ଜଉରଥ ଟାଣିଥିଲେ।
ଜଉ ରଥ ତିଆରି କରିଥିବା ଶିଳ୍ପୀ ମାୟା ନାୟକ ସହ କନକ ଲତା ଦାସ, ସୁକାନ୍ତି ସାହୁ, ଗୌରୀ ଦାସ, ସୁପ୍ରଭା ବେହେରା, ନମିତା ପଟ୍ଟନାୟକ ପ୍ରମୁଖ ବହୁତ ଜଉକଣ୍ଢେଇ ଶିଳ୍ପୀ ଜଉ ରଥ ଟାଣି ନିଜର ଭକ୍ତି ନୈବେଦ୍ୟ ପ୍ରଦାନ କରିଥିଲେ।
ଜଉର ତିଆରି କୁନି ରଥରେ କୁନି କୁନି ଜଉର ତିନି ଠାକୁରଙ୍କୁ ଶଙ୍ଖ, ଘଣ୍ଟା ହୁଳହୁଳି ଜବାଇ ସ୍ଥାନୀୟ ବହୁତ ଜଗନ୍ନାଥ ଭକ୍ତ ଓ ଗ୍ରାମବାସୀ ରଥ ଟାଣିବା ସହ ଦର୍ଶନ ପାଇଁ ଭିଡ଼ ହୋଇଥିଲା।
ମୁଖ୍ୟ ଆୟୋଜକ ଶିଳ୍ପୀ କେଶୁ ଦାସ କହିଥିଲେ, ‘‘ଜଉ ସହ ଜଗନ୍ନାଥଙ୍କର ପବିତ୍ର ସମ୍ପର୍କ। ଜଗନ୍ନାଥଙ୍କ ଦାରୁ ଦେହରେ ଜଉର ପ୍ରଲେପନ ଦେବା ଜଗନ୍ନାଥ ସଂସ୍କୃତିର ପ୍ରରାମ୍ଭରୁ ରହିଛି। ଏହି ସଂସ୍କୃତିର ଗାଥାକୁ ଲୋକଲୋଚନକୁ ଆଣିବା ସହ ଜଉକଳାକୁ ଆଗେଇ ନେବା ପାଇଁ ଏହି ପ୍ରୟାସ ପ୍ରଥମ ଥର ଆରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଗଦାଧର ମହାନ୍ତି, ଦେବାଶିଷ ପତି, ଅରୁଣ ବାରିକ, ଦିନକୃଷ୍ଣ ଧଳ, ଅଙ୍କିତ ଦାସ, ପପୁନ ପ୍ରଧାନ, ରୂପକ ଦାସ ପ୍ରମୁଖ ସହଯୋଗ କରିଥିଲେ।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।