ବିରଳ ଓ ସଫଳ ଅପରେସନ; ଯୋଡ଼ି ହେଲା ଦୁଇ ଖଣ୍ଡ ହୋଇଥିବା ହାତ

ଧାନ କଟା ମେସିନରେ ହାତ ପସି ଦୁଇଖଣ୍ଡ ହୋଇଗଲା । ୮ଘଣ୍ଟା ମଧ୍ୟରେ କଟା ହାତ ଧରି ଏମ୍ସରେ ପହଞ୍ଚିଲେ ପରିବାର । ଡାକ୍ତର ଯୋଡ଼ିଦେଲେ ହାତ ।

ବିରଳ ଓ ସଫଳ ଅପରେସନ; ଯୋଡ଼ି ହେଲା ଦୁଇ ଖଣ୍ଡ ହୋଇଥିବା ହାତ

ବିରଳ ଓ ସଫଳ ଅପରେସନ; ଯୋଡ଼ି ହେଲା ଦୁଇ ଖଣ୍ଡ ହୋଇଥିବା ହାତ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଘଣ୍ଟା ଘଣ୍ଟା ଧରି ଡାକ୍ତର ମୁଣ୍ଡ ଖଟାଇବା ପରେ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ଦୁଇ ଖଣ୍ଡ ହୋଇ ଯାଇଥିବା ହାତକୁ ପୁଣି ଯୋଡାଯାଇଛି । ହାତ ଯୋଡ଼ି ହେବା ପରେ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ ସାମନ୍ତରାପୁରରୁ ଆସି ଚିକିତ୍ସିତ ହେଉଥିବା ୨୫ ବର୍ଷର ଝିଅ ବର୍ଷା କହିଛନ୍ତି ଯେ, ମତେ ନୂଆ ଜୀବନ ମିଳିଛି । ଏମ୍ସ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ରାତିସାରା ଚାଲିଥିଲା ବର୍ଷାଙ୍କର ଅପରେସନ । ପ୍ରାୟ ୮ ଘଣ୍ଟାର ପ୍ରଚେଷ୍ଟା ପରେ ଯୋଡ଼ି ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ହାତ । ଏମ୍ସ ଡାକ୍ତରୀ ଟିମର ମିଳିତ ପ୍ରୟାସ ଫଳରେ ନୂଆ ଜୀବନ ପାଇଲେ ବର୍ଷା ।

ଘଟଣା ଥିଲା ଏମିତି । ଚଳିତ ମାସ ୯ ତାରିଖ ଅପରାହ୍ନ ୪ଟା ବେଳକୁ ବର୍ଷାଙ୍କ ଘରେ ଧାନ କଟା ମେସିନରେ ଧାନ କଟା ଯାଉଥିଲା। ପାଖରେ ଧାନ କଟା ଦେଖୁଥିବା ବର୍ଷାଙ୍କ ଚୁନେରୀ ହଠାତ୍ ମେସିନରେ ଲାଗି ଯାଇଥିଲା । କିଛି ଭାବିବା ପୂର୍ବରୁ ତାଙ୍କ ବାମ ହାତ ଧାନ କଟା ମେସିନ ଭିତରକୁ ଟାଣି ହୋଇଯାଇଥିଲା। ଜୀବନ ସିନା ରହିଗଲା କିନ୍ତୁ ହାତ ହୋଇଗଲା ଦି ଖଣ୍ଡ। ମେସିନ ହାତ କଟି ଯାଇ ୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ । ପରିବାର ଲୋକେ କଟା ହାତ ସହ ତାଙ୍କୁ ପ୍ରଥମେ ନିକଟସ୍ଥ ସରକାରୀ ହସ୍ପିଟାଲ ଓ ପରେ ପରେ ବ୍ରହ୍ମପୁର ମେଡିକାଲକୁ ନେଇଯାଇଥିଲେ । ତେବେ ସେଠାରୁ ଡାକ୍ତର ତାଙ୍କୁ ଫେରାଇ ଦେବା ପରେ ତାଙ୍କୁ ଏମ୍ସ ଅଣାଯାଇଥିଲା । ତୁରନ୍ତ ଏମ୍ସର ଡାକ୍ତରୀ ଟିମ ଅପରେସନ ଲାଗି କାମ ଆରମ୍ଭ କରି ଦେଇଥିଲେ । ପୂରା ରାତି ପ୍ରୟାସ ପରେ ମିଳିଥିଲା ସଫଳତା । ଏବେ ବର୍ଷା ସୁସ୍ଥ ଅଛନ୍ତି ।

୬ ଘଣ୍ଟା ଗୋଲଡେନ ହାୱାର୍ସ ଥିବା ବେଳେ, ୮ ଘଣ୍ଟା ପରେ ପହଁଞ୍ଚିଥିଲେ । ହାତରୁ ରକ୍ତ ଶ୍ରାବ ହେଉଥାଏ।  ବର୍ଷା କହିଛନ୍ତି "ମୁଁ ସବୁ ଦେଖୁଥାଏ। ହାତ କଟିଗଲା ,ଏମିତି ରହିବା ଅପେକ୍ଷା ଜୀବନ ହାରି ଦେବା ଭଲ ବୋଲି ମୁଁ ଭାବିଥିଲି । କିନ୍ତୁ ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ କୁହାଯାଏ ବୋଲି ମୁଁ ଅନୁଭବ କଲି । ଏମ୍ସର ଡାକ୍ତରମାନେ ମତେ ନୂଆ ଜୀବନ ଦେଇଛନ୍ତି। ମୁଁ ତାଙ୍କ ପାଖରେ ସବୁ ବେଳେ ଚିର ରୁଣୀ ହୋଇ ରହିବି।" ଗୋଲ୍ଡେନ ସମୟ ଠାରୁ ଦୁଇ ଘଣ୍ଟା ବିଳମ୍ବରେ ବା ଆଠ ଘଣ୍ଟା ପରେ ପହଞ୍ଚିଥିବାରୁ ଅସ୍ତ୍ରୋପଚାର ଟିକେ କଷ୍ଟ ଥିଲା । କିନ୍ତୁ ସମ୍ପୁର୍ଣ୍ଣ ଟିମର ସହଯୋଗ ପାଇଁ ଏହା ସମ୍ଭବ ହୋଇଛି । ୧୦ ଜଣିଆ ଡାକ୍ତରୀ ଟିମ୍ ଲାଗି ପଡ଼ିଥିଲେ କାମରେ। ପ୍ଲାଷ୍ଟିକ ସର୍ଜରୀ ସମେତ ପ୍ରାୟ ସବୁ ବିଭାଗର ଡାକ୍ତରମାନେ ମିଳିତ ଭାବରେ କାମ ଆରମ୍ଭ କରିଥିଲେ। କଟିଥିବା ହାତକୁ ଯତ୍ନର ସହିତ ଅଣାଯାଇଥିବାରୁ ଏହି ଅସ୍ତ୍ରୋପଚାର ସଫଳ ହୋଇଛି । ଏହି ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣାରେ ସମ୍ପର୍ଣ୍ଣ କରାଯାଇଛି । ବର୍ଷାଙ୍କ ଭଳି ଆଗକୁ ଅନେକ ଜୀବନ ବଞ୍ଚାଇବୁ ବୋଲି ଆମେ ଆଶାବାଦୀ ଅଛୁ ବୋଲି କହିଛନ୍ତି ଏମ୍ସ ଡାକ୍ତର ।

ଏମ୍ସ ନିର୍ଦ୍ଦେଶକ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ କହିଛନ୍ତି ଏହି ଅପରେସନ ବହୁତ ଆହ୍ୱାନପୂର୍ଣ୍ଣ ଥିଲା । ଡାକ୍ତରମାନଙ୍କ ପ୍ରଚେଷ୍ଟା ଯୋଗୁଁ ଏହି ଅପରେସନ ସଫଳ ହୋଇଛି । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୩-୪ ମାସ ସମୟ ଲାଗିବ । ଇଏତ ଜଣେ ବର୍ଷା। ଏମିତି ଅନେକ ବର୍ଷାଙ୍କ ହାତ , ଗୋଡ଼ କଟୁଛି । ସେମାନେ ଯଦି ଗୋଲ୍ଡେନ ଟାଇମ୍ ଭିତରେ ପହଞ୍ଚିପାରିବେ ତେବେ ନିହାତି ସୁଫଳ ପାଇବେ। ତେବେ ସେ ଯାହା ହେଉନା କାହିଁକି ଏମ୍ସର ଏଭଳି ପ୍ରୟାସକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।
Published by:Soubhagya Mishra
First published: