ରମେଶ ସ୍ୱାଇଁ ଓ ଭଉଣୀ ରଶ୍ମୀତା ସ୍ୱାଇଁ
News18 Odia Digital
ଭୁବନେଶ୍ୱର: ଖୋଲିଲା ନକଲି ଡାକ୍ତର ରମେଶ ସ୍ବାଇଁ ଠକେଇର ଲମ୍ବା ଫର୍ଦ୍ଦ । ଏକାଧିକ ବିବାହରେ ମଧ୍ୟସ୍ଥ ଥିଲେ ଭଉଣୀ ରଶ୍ମିତା ବେଉରା । ଜେରା ପରେ ରଶ୍ମିତାଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ଦୁହିଁଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ ।
ଭୁଶୁଡ଼ିଲା ରାଜଧାନୀରୁ ଗିରଫ ଠକ ଡାକ୍ତର ରମେଶ ସ୍ବାଇଁର କଳା ସାମ୍ରାଜ୍ୟ । ପ୍ରଥମେ ଭାଇ, ଆଉ ଏବେ ଭଉଣୀକୁ ଗିରଫ କରିଛି କମିଶନରେଟ ପୋଲିସ । ରମେଶର କଳାଧନ୍ଦାରେ ମାଷ୍ଟରମାଇଣ୍ଡ ଥିଲା ଭଉଣୀ ରଶ୍ମିତା ବେଉରା । ରିମାଣ୍ଡ ଶେଷ ହୋଇଥିବାରୁ ପୁଣିଥରେ ରମେଶକୁ ୭ ଦିନିଆ ରିମାଣ୍ଡରେ ନେବା ଆବେଦନ କରିଛି କମିଶନରେଟ ପୋଲିସ ।
ଭାଇ ଭଉଣୀଙ୍କ ଠକ କାହାଣୀ । ଜଣେ ଠକୁଥିଲା, ଆଉ ଜଣେ ଲୁଟୁଥିଲା । ଅଭିଭାବକ ହୋଇ ବାହାଘର କରୁଥିଲା, ନଣନ୍ଦ ସାଜି ନେଉଥିଲା ନଣନ୍ଦ ପୁଟୁଳି । ଶେଷରେ ବନ୍ଧା ହୋଇଛି ଠକ ଭାଇର ଠକ ଭଉଣୀ । ରସିକିଆ ଠକ ଡାକ୍ତର ରମେଶ ସ୍ବାଇଁର ଭଉଣୀ ରଶ୍ମିତା ବେଉରା । ଶିକ୍ଷାଗତ ଯୋଗ୍ୟତା ଦଶମ ଫେଲ୍ । କିନ୍ତୁ ଠକେଇରେ କରିଥିଲା ମାଷ୍ଟର ଡିଗ୍ରୀ । ରମେଶର କଳା ସାମ୍ରାଜ୍ୟର କଳଙ୍କିତ ଖଳନାୟିକା ଥିଲା ରଶ୍ମିତା । ଭାଇ ରମେଶ କେବେ, କେଉଁଠି ଓ କାହାକୁ ବିବାହ କରିବ, ସବୁ କିଛି ବୁଝୁଥିଲା ଭଉଣୀ ରଶ୍ମିତା ।
"ଭଉଣୀ ରଶ୍ମିତା ରମେଶର ସବୁ ବାହାଘରରେ ସାମିଲ ଥିଲା । ବର ପକ୍ଷ ହୋଇ ସବୁ ବୁଝୁଥିଲା । ନଣନ୍ଦ ପୁଟୁଳି ଆକାରରେ ନେଉଥିଲା ସୁନା, ହୀରା ଭଳି ଦାମୀ ଉପହାର । ୩୦ ଘଣ୍ଟାରୁ ଅଧିକ ସମୟ ଜେରା ସମୟରେ ରମେଶର ଏକାଧିକ ପତ୍ନୀଙ୍କ ସହ ରଶ୍ମିତାର ଫୋନରେ ପୋଲିସ କଥା ହୋଇଥିଲା । ସମସ୍ତେ ରଶ୍ମିତାକୁ ଜାଣିଛନ୍ତି। ରଶ୍ମିତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ପୋଲିସ,"କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ।
ସେପଟେ ରସିକିଆ ଠକ ଡାକ୍ତରଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ । ରିମାଣ୍ଡ ବେଳେ ମୁହଁ ଖୋଲୁ ନଥିବାରୁ ପୁଣିଥରେ ୭ଦିନ ପାଇଁ ରିମାଣ୍ଡ ଆବେଦନ କରିଛି ମହିଳା ଥାନା ପୋଲିସ । ଆହୁରି ମଧ୍ୟ ଖୁଣ୍ଟୁଣୀରେ ରମେଶର ରହିଛି ୩୦ ଏକର ବିଶିଷ୍ଟ ଫାର୍ମ ହାଉସ । ବୁଧବାର ସେହି ଫାର୍ମ ହାଉସରେ ମହିଳା ଥାନା ପୋଲିସ ଚଢ଼ାଉ କରିବା ସହ ଫାର୍ମ ହାଉସ ବୁଝୁଥିବା ଲୋକଙ୍କୁ ପଚରାଉଚରା କରିଛି । ଫାର୍ମ ହାଉସଟି ରମେଶଙ୍କ ଦ୍ବିତୀୟ ପତ୍ନୀଙ୍କ ନାଁରେ ରହିଛି। ତେଣୁ ତାଙ୍କୁ ମଧ୍ୟ ତଦନ୍ତ ପାଇଁ ଡକାଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।