ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ: ସ୍କୁଟିରେ ମୃତ ଦେହ ଆଣି ଫିଙ୍ଗିଥିବା ଦୁଇ ଜଣ ଚିହ୍ନଟ ହେଲେ
ଗତ ବର୍ଷ ରମାଦେବୀ ବିଶ୍ବବିଦ୍ୟାଳୟରେ ମିସ୍ ଫ୍ରେଶର୍ ହୋଇଥିବା ଝରାଫୁଲ ନାୟକଙ୍କ ମୃତ୍ୟୁ ପଛରେ ସମ୍ଭାବ୍ୟ ପ୍ରେମ କୋଣକୁ ନେଇ ଚର୍ଚ୍ଚା ହେଉଛି । ତାଙ୍କ ଗାଁରେ ପାଣି ପାଇପ୍ କାମ କରୁଥିବା ରାକେଶ ସ୍ବାଇଁ ଓ ଝରାଫୁଲଙ୍କ ମଧ୍ୟରେ ସମ୍ପର୍କ ଥିବା କୁହାଯାଉଛି ।

ଝରାଫୁଲ ନାୟକ; (ଡାହାଣ) ତାଙ୍କ ଶବକୁ ସ୍କୁଟିରେ ଫିଙ୍ଗିବାକୁ ନେଉଥିବା ଦୁଇ ଜଣଙ୍କ ସିସିଟିଭି ଛବି
- News18 Odia
- Last Updated: January 28, 2021, 9:55 PM IST
ଭୁବନେଶ୍ୱର / ଯାଜପୁର / ବାରିପଦା: ରମାଦେବୀ ବିଶ୍ବବିଦ୍ୟାଳୟର (Ramadevi University) ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟର (Jharaphula Nayak death) ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ତତ୍ପରତା ଆରମ୍ଭ କରିଛି । CCTV ଫୁଟେଜରେ ଝରାଫୁଲଙ୍କ ଶବକୁ ଧରି ଏକ ସ୍କୁଟିରେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଯାଜପୁର ପୋଲିସ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଚାଲିଛି ତନାଘନା ।
ପୋଲିସର ତଦନ୍ତ ଜୋର୍ ଧରିଥିବା ବେଳେ ଝରାଫୁଲଙ୍କର ନିଜ ପରିବାର ଲୋକଙ୍କ ସହ ଶେଷ ଚାଟିଂ, ସନ୍ଦିଗ୍ଧ ଯୁବକ ରାକେଶ ସ୍ବାଇଁଙ୍କ ଭୂମିକା ଓ ଭୁବନେଶ୍ବରରେ ଝରାଫୁଲଙ୍କ ଲୋକାଲ ଗାର୍ଡି଼ଆନ ଥିବା ଚକ୍ରଧର ବେହେରାଙ୍କ ପ୍ରତିକ୍ରିୟା ଘଟଣାକୁ ଆହୁରି ରହସ୍ୟମୟ କରିଛି ।
ଏହା ବି ପଢ଼ନ୍ତୁ | ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହେଲେ; ତାଙ୍କୁ ଆପୋଲୋ ହସପିଟାଲରେ ଭର୍ତ୍ତି କରାଗଲା

ଜାନୁଆରୀ ୨୭ ସକାଳେ ଝରାଫୁଲଙ୍କ ମୃତ ଦେହ କୁଆଖିଆରେ ଏକ ରାସ୍ତା କଡ଼ରେ ପଡ଼ିଥିବା ମିଳିଥିଲା।
ଝରାଫୁଲଙ୍କ ମୃତ୍ୟୁକୁ ନେଇ ଭାଙ୍ଗିପଡ଼ିଛନ୍ତି ତାଙ୍କ ସହପାଠୀମାନେ । କ୍ୟାମ୍ପସ ବାହାରେ ଏହି ଘଟଣା ଘଟିଥିଲେ ବି ପୋଲିସର ତଦନ୍ତରେ ସହଯୋଗ କରିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ।
ଏହା ବି ପଢ଼ନ୍ତୁ | ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ୮ ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ
‘‘ଏହା ବଡ଼ ଦୁଃଖର ବିଷୟ ଯେ ଆମର ଜଣେ ଛାତ୍ରୀଙ୍କର ଏ ଭଳି ମୃତ୍ୟୁ ହୋଇଛି । ପୋଲିସ ଏହି ମାମଲାର ଉପଯୁକ୍ତ ତଦନ୍ତ କରି ସତ୍ୟ ବାହାର କରିବା ଜରୁରୀ । ମୁଁ ଆଶା ରଖିବି ଯେ ଯଦି ପୋଲିସ ଦ୍ୱାରା ଠିକ୍ ଠିକ୍ ଅନୁସନ୍ଧାନ ହୁଏ ତେବେ ତାକୁ ନ୍ୟାୟ ମିଳିବ । ଆମେ ପୋଲିସ ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛୁ,’’ କହିଛନ୍ତି ଚୌଧୁରୀ ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ
ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଦୋଷୀ ଯଥା ଶୀଘ୍ର ଦଣ୍ଡିତ ହେବା ଉଚିତ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ‘‘ଝିଅଟିର ଆଶା ଅନେକ ଥିଲା । ଆଗକୁ ପାଠ ପଢ଼ିବ, ବଡ଼ ମଣିଷ ହେବ, ହେଲେ ତା’ ସହିତ ଯାହା ଘଟିଛି ତାହା ନିଶ୍ଚିତ ଭାବରେ ବଡ଼ ଦୁଃଖର କଥା । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଆମେ ଯାଜପୁର ଏସ୍.ପି.ଙ୍କ ସହ ଏହି ଘଟଣା ବିଷୟରେ ଆଲୋଚନା କରିବୁ,’’ କହିଛନ୍ତି ବେହେରା ।
ଏହା ବି ପଢ଼ନ୍ତୁ | କରୋନା ଟିକା ନେବାର ଦିନକ ପରେ ହସପିଟାଲ୍ ୱାର୍ଡ଼ ବୟଙ୍କ ମୃତ୍ୟୁ ହେଲା
ଝରାଫୁଲଙ୍କ ମୃତ ଦେହକୁ ଏକ ନାଲି ସ୍କୁଟିରେ ଆଣି ଯାଜପୁର ମୂଳାପାଳ ଛକରେ ଫିଙ୍ଗିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି କହିଛନ୍ତି ଯାଜପୁର ଏସ୍.ଡି.ପି.ଓ. । ଏହି ଚାଞ୍ଚଲ୍ୟକର ଘଟଣାରେ ଏ ପର୍ଯ୍ୟନ୍ତ ଆଗେଇଥିବା ତଦନ୍ତ ବିଷୟରେ ଅଧିକ ସୂଚନା ଦେବାକୁ ମନା କରିଛି ପୋଲିସ । ଝରାଫୁଲଙ୍କ ମୋବାଇଲ୍ ଫୋନରୁ ଏହି ଘଟଣାରେ ସଂଲିପ୍ତ ଥିବା ଲୋକଙ୍କ ବିଷୟରେ ତଥ୍ୟ ମିଳିପାରେ ବୋଲି କହିଛନ୍ତି ତାଙ୍କ ବାପା ରମାକାନ୍ତ ନାୟକ ।
ଜାନୁଆରୀ ୨୪ ତାରିଖରୁ ୨୬ ତାରିଖ ଯାଏଁ ଝରାଫୁଲ ଭୁବନେଶ୍ବରରେ ତାଙ୍କ ଲୋକାଲ ଗାର୍ଡି଼ଆନ ଚକ୍ରଧର ବେହେରାଙ୍କ ଘରେ ରହିଥିବା ସେ ଗଣମାଧ୍ୟମକୁ କହିଛନ୍ତି । ତେଣୁ ୨୭ ତାରିଖ ସକାଳ ୯ଟା ପାଖାପାଖି ତାଙ୍କ ମୃତ ଦେହ ଫିଙ୍ଗାଯିବା ପଛରେ ଥିବା ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଛି ପୋଲିସ ।