୪ ଆସନ ପାଇଁ ୫ ଦାବିଦାର; ବିଜେଡି ପକ୍ଷରୁ କିଏ ଯିବେ ରାଜ୍ୟସଭା; ରେସରେ ଅଛନ୍ତି ଏହି ନେତା

ଦିଲ୍ଲୀ ଟିକେଟ ନେଇ ପ୍ରଶାସନିକ କୋଟେରୀ ବି ଅନୁଧ୍ୟାନ ଆରମ୍ଭ କରିଥିବା କୁହାଯାଉଛି। ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାରୁ କେବଳ ରାଜ୍ୟ ସ୍ୱାର୍ଥ ନୁହେଁ ଦିଲ୍ଲୀ ଦରବାରରେ କ୍ରାଇସିସ ମ୍ୟାନେଜର ଭୂମିକା ତୁଲାଇପାରୁଥିବା ଓ ଦବଦବା ରଖି ପାରୁଥିବା ନେତାଙ୍କୁ ମିଳିପାରେ ସୁଯୋଗ।

 ବିଜେଡି ପକ୍ଷରୁ କିଏ ଯିବେ ରାଜ୍ୟସଭା?

ବିଜେଡି ପକ୍ଷରୁ କିଏ ଯିବେ ରାଜ୍ୟସଭା?

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଜେଡି ଶିବିରରେ କମ୍ପନ। ୪ ଆସନ ପାଇଁ ୫ ଦାବିଦାର। ତେଣୁ କିଏ ଦିଲ୍ଲୀ ଗଲେ ଦଳ ପାଇଁ ଓ ରାଜ୍ୟ ପାଇଁ ଫାଇଦା ହେବ ସେ ନେଇ ବିଜେଡି ୱାରରୁମରେ ପ୍ରସ୍ତୁତ ହେଉଛି ରଣନୀତି।

ଦିଲ୍ଲୀ ଟିକେଟ ନେଇ ପ୍ରଶାସନିକ କୋଟେରୀ ବି ଅନୁଧ୍ୟାନ ଆରମ୍ଭ କରିଥିବା କୁହାଯାଉଛି। ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାରୁ କେବଳ ରାଜ୍ୟ ସ୍ୱାର୍ଥ ନୁହେଁ ଦିଲ୍ଲୀ ଦରବାରରେ କ୍ରାଇସିସ ମ୍ୟାନେଜର ଭୂମିକା ତୁଲାଇପାରୁଥିବା ଓ ଦବଦବା ରଖି ପାରୁଥିବା ନେତାଙ୍କୁ ମିଳିପାରେ ସୁଯୋଗ। ବର୍ତ୍ତମାନ ରାଜ୍ୟସଭା ପାଇଁ ୪ ପଦବୀ ଖାଲି ପଡ଼ିଛି।

୩ଟି ଆସନ ପାଇଁ ନିର୍ବାଚନ ଓ ଆଉ ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ସଂଖ୍ୟା ଦୃଷ୍ଟିରୁ ୪ ରୁ ୪ ସିଟର ହକଦାର ବିଜେଡି। ପ୍ରମୁଖ ଦାବିଦାରଙ୍କ ମଧ୍ୟରେ କାହାକୁ ମିଳିବ ଦିଲ୍ଲୀ ଟିକେଟ ତାକୁ ନେଇ ବିଜେଡି କ୍ୟାମ୍ପରେ କମ୍ପନ। ଆଶାୟୀ ଓ ଦାବିଦାରଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ୪ ପଦବୀ ପାଇଁ ୫ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି। ଏହି ୫ ଦାବିଦାରଙ୍କ ମଧ୍ୟରେ ରହିଛନ୍ତି ସସ୍ମିତ ପାତ୍ର, ଅସିତ ତ୍ରିପାଠୀ, ପ୍ରଦୀପ ମାଝୀ, ମାନସ ମଙ୍ଗରାଜ ଓ ଶ୍ରୀମୟୀ ମିଶ୍ର।

ସମ୍ଭାବ୍ୟ ନେତାଙ୍କ ତାଲିକାରେ ଏହି ୫ ଚେହେରା ଥିବା ବେଳେ ଏମାନେ ଦିଲ୍ଲୀ ଗଲେ କଣ ଲାଭ ହେବ ସେ ନେଇ ଆଲୋଚନା ହେଉଛି। ସବୁଠୁ ଆଗରେ ରହିଛି ସସ୍ମିତ ପାତ୍ରଙ୍କ ନାଁ। ସଂସଦରେ କମ ସମୟ ମଧ୍ୟରେ ଅଧିକ ପାରଦର୍ଶିତା ଦେଖାଇଥିବା ନେତା ହେଉଛନ୍ତି ସସ୍ମିତ ପାତ୍ର। ରାଜ୍ୟର ଦାବି ଉପସ୍ଥାପନ କରିବା ସହ ଦିଲ୍ଲୀ ଦରବାରରେ କ୍ରାଇସିସ ମ୍ୟାନେଜର ଭାବେ ଦକ୍ଷତା ରହିଛି। କେନ୍ଦ୍ର ନିକଟରେ ସଠିକ ଯୁକ୍ତି ଉପସ୍ଥାପନ କରିବାରେ ସେ ମାଷ୍ଟର।

ତେଣୁ ରାଜ୍ୟସଭା ରେସରେ ସେ ପ୍ରମୁଖ ଦାବିଦାର। ସେହିପରି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ହେଉଛନ୍ତି ଅନ୍ୟତମ ଦାବିଦାର। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ଵୟ ରଖିବା, ଜାତୀୟ ଓ ରାଜ୍ୟ ପ୍ରସଙ୍ଗକୁ ବିଭିନ ମନ୍ତ୍ରାଳୟ ପାଖରେ ପହଞ୍ଚିବାରେ ଅସିତଙ୍କ ଦକ୍ଷତା ରହିଛି। କେନ୍ଦ୍ରୀୟ ଡେପୁଟେସନରେ ଥିବା ସମୟରେ କେନ୍ଦ୍ର ସହ ରହିଛି ଭଲ ସମ୍ପର୍କ। ତେଣୁ ପୂର୍ବ ବ୍ୟୁରୋକ୍ରାଟିକ ଅଭିଜ୍ଞତା ଓ କେନ୍ଦ୍ର ପ୍ରଶାସନିକ କାମର ନିଖୁଣତା ରହିଛି ତାଙ୍କ ପାଖରେ।

ପ୍ରଦୀପ ମାଝୀଙ୍କ ନା ବି ତାଲିକାରେ ରହିଛି। ଦକ୍ଷିଣ ଓଡ଼ିଶାର ଆଦିବାସୀ ଓ ଟାଣୁଆ ନେତା ପ୍ରଦୀପଙ୍କୁ ଦକ୍ଷିଣ ଓଡ଼ିଶାର ଚେହେରା ବୋଲି କୁହାଯାଉଛି।

ଆଦିବାସୀ ଭୋଟ ସହ ସଙ୍ଗଠନ ମଜବୁତ କରିବା ନେଇ ବିଜେଡି ଆପଣେଇ ପାରେ ଗିଭ ଆଣ୍ଡ ଟେକ ଫର୍ମୁଲା। ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବାରୁ ତାଙ୍କୁ ଦିଲ୍ଲୀ ପଠାଇ ଆଦିବାସୀ କାର୍ଡ଼ ଖେଳିପାରନ୍ତି ନବୀନ। ମାନସ ମଙ୍ଗରାଜଙ୍କ କଥାକୁ ବିଚାରକୁ ନେଇପାରେ ଦଳ। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ ଦଳର ସଙ୍ଗଠନ ଓ ସରକାରଙ୍କ ଭାବମୂର୍ତ୍ତି ପାଇଁ କିଛି ବର୍ଷ ହେବ କାମ କରି ଆସୁଛନ୍ତି। ମିଡ଼ିଆ ମ୍ୟାନେଜମେଣ୍ଟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ନବୀନଙ୍କ ଗୁଡ଼ ବୁକରେ ଥିବାରୁ ମିଳିପାରେ ଦିଲ୍ଲୀ ଟିକେଟ। ମହିଳା ଭାବେ ଶ୍ରୀମୟୀ ମିଶ୍ରଙ୍କ ନା ମଧ୍ୟ ଆଗରେ ରହିଛି।

ବିଜେଡିର ସ୍ଲୋଗାନ ହେଉଛି ମହିଳା ସଶକ୍ତିକରଣ। ପଶ୍ଚିମ ଓଡ଼ିଶାର ମହିଳା ଚେହେରା ହେଉଛନ୍ତି ଶ୍ରୀମୟୀ। ବର୍ତ୍ତମାନ ସ୍ଥିତିରେ ପଶ୍ଚିମ ଓଡ଼ିଶା ରାଜନୀତିରେ ରାଜ ପରିବାରରେ ନାହିଁ ଏତେଟା ଦବଦବା। ଶ୍ରୀମୟୀଙ୍କୁ ଦିଲ୍ଲୀ ପଠାଇ ରାଜ ପରିବାରକୁ ଚେକ୍ ଦେବା ସହ ମହିଳା କାର୍ଡ଼ ବି ଖେଳି ପାରନ୍ତି ବିଜେଡି ସୁପ୍ରିମୋ।

ସେପଟେ ବିଜେଡି ସାଂସଦ ମୁନା ଖାଁ କହିଛନ୍ତି ଦିଲ୍ଲୀରେ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼଼ିପାରିବା ଭଳି ନେତାଙ୍କୁ ବାଛିବେ ସୁପ୍ରିମୋ। ଯେଉଁ ଚର୍ଚ୍ଚା ଓ ଆକଳନ ହୁଏ ସେଥିରେ କିଛି ସତ୍ୟତା ନଥାଏ। ମୁଖ୍ୟମନ୍ତ୍ରୀ ତାଙ୍କ ହିସାବରେ ନେତା ବାଛନ୍ତି ବୋଲି ସେ କହିଛନ୍ତି।

ରାଜନୈତିକ ସମୀକ୍ଷକ ସନ୍ଦୀପ ସାହୁ କହିଛନ୍ତି,"ଦକ୍ଷତା, ଆନୁଗତ୍ୟ ଓ ଅଭିଜ୍ଞତା ହେବ ମାପକାଠି। ଏହାରି ଭିତ୍ତିରେ ଯୁବ, ଅଭିଜ୍ଞ ସହ ଜଣେ ପୁରୁଣା ସଦସ୍ୟଙ୍କୁ ରିପିଟ କରି ପାରନ୍ତି ବିଜେଡି ମୁଖିଆ। ଓଡ଼ିଶାର ସ୍ୱର ଦିଲ୍ଲୀ ପହଞ୍ଚାଇ ପାରୁଥିବା ନେତାଙ୍କ ସହ ସଙ୍ଗଠନ ଦୁର୍ବଳ ଥିବା ସ୍ଥାନରୁ ପ୍ରତିନିଧିତ୍ୱ ଦେଇ ୨୦୨୪ ପାଇଁ ନିଷ୍ପତ୍ତି ନେବେ ନବୀନ। ଆକଳନ ଓ ପରିକଳ୍ପନା ଭିତରେ ରାଜନୈତିକ ଗଣିତକୁ ଓଲଟପାଲଟ କରିବାରେ ମାଷ୍ଟର ହେଉଛନ୍ତି ନବୀନ। ତେଣୁ ଟିକେଟ ଘୋଷଣା ନ ହେବା ପାର୍ଯ୍ୟନ୍ତ ବିଜେଡି କ୍ୟାମ୍ପରେ ବନ୍ଦ ହେବନି ଆଲୋଚନା।’’
Published by:Lipina Das
First published: