ବସ୍ତି ବାସିନ୍ଦାଙ୍କ ଘର ଜାଲିଆତି ବିକ୍ରି ମାମଲା; ଅଭିଯୁକ୍ତ ମାରାଥନ ଜେରା କରୁଛି ପୋଲିସ

ବସ୍ତି ବାସିନ୍ଦାଙ୍କ ଘର ଜାଲିଆତି ବିକ୍ରି ମାମଲାରେ ମଧୁପାଟଣା ପୋଲିସ ତିନିଟି ମାମଲା ଦାୟର କରିଥିବା ବେଳେ ରବିବାର କଟକ ମହାନଗର ନିଗମ ପକ୍ଷରୁ ଥାନାରେ ଆଉ ଏକ ଏତାଲା ଦିଆଯାଇଛି । ମୁଖ୍ଯ ଅଭିଯୁକ୍ତ ରାଜା କରଣକୁ ଗିରଫ କରି ଜେରା କରୁଛି ପୋଲିସ ।

ବସ୍ତି ବସିନ୍ଦାଙ୍କ ଘର ଜାଲିଆତି ପ୍ରସଙ୍ଗରେ ରାଜାକୁ ଗିରଫ କରିଛି ପୋଲିସ (ପ୍ରତୀକାତ୍ମକ ଛବି)

ବସ୍ତି ବସିନ୍ଦାଙ୍କ ଘର ଜାଲିଆତି ପ୍ରସଙ୍ଗରେ ରାଜାକୁ ଗିରଫ କରିଛି ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ବସ୍ତି ବାସିନ୍ଦାଙ୍କ ଘର ଜାଲିଆତି ବିକ୍ରି କରିବା ମାମଲା ଧିରେ ଧିରେ ବ୍ୟାପକ ହେବାରେ ଲାଗିଛି । ଠକେଇର ଶିକାର ହୋଇଥିବା ଲୋକଙ୍କ ଅଭିଯୋଗକୁ ଆଧାର କରି ମଧୁପାଟଣା ପୋଲିସ ତିନିଟି ମାମଲା ଦାୟର କରିଥିବା ବେଳେ ରବିବାର କଟକ ମହାନଗର ନିଗମ ପକ୍ଷରୁ ଥାନାରେ ଆଉ ଏକ ଏତାଲା ଦିଆଯାଇଛି । ଏହା ପରେ ପୋଲିସ ଆଉ ଏକ ମାମଲା ରୁଜ୍ଜୁ କରି ତନାଘନା ଆରମ୍ଭ କରିଛି ।

ଅଭିଯୁକ୍ତ ରାଜା ବେଆଇନ ଭାବେ ବସ୍ତିବାସିନ୍ଦାଙ୍କ ପାଇଁ ଉର୍ଦ୍ଦିଷ୍ଟ କ୍ବାଟର୍ସକୁ ନିଜ କବଜାକୁ ନେଇ ସେଠାରେ ଥିବା ଘରଗୁଡ଼ିକୁ ବିକ୍ରି କରିବା ସହ ବେଆଇନ ଭାବେ ଲୋକଙ୍କୁ ରଖୁଥିଲା। ଘର କିଣା ବିକା ପାଇଁ ପ୍ରସ୍ତୁତ ହୋଇଥିବା ଚୁକ୍ତି ପତ୍ରରେ ସିଏମସି ପ୍ୟାଡ ଓ "ଲୋଗୋ"କୁ ଏପରିକି ସିଏମସିର ବେନାମୀ ଅଧିକାରୀଙ୍କ ଦସ୍ତଖତ ବ୍ୟବହାର କରିଥିବାରୁ ଏହି ମାମାଲା ଉପଯୁକ୍ତ ତଦନ୍ତ କରିବା ପାଇଁ ସିଏମସି ପକ୍ଷରୁ ଦାୟର ହୋଇଥିବା ଏତାଲାରେ ଉଲ୍ଲେଖ ରହିଛି ।

ସେପେଟେ ପୋଲିସ ଦୁଇ ଦିନ ତଳେ ଗିରଫ କରି କରି ଜେଲ ହାଜତକୁ ପଠାଇଥିବା ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ବାମୀ ରାଜା କରଣକୁ ତିନି ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରାର ଚଳାଇଛି । ଏହି ଜେରା ସମୟରେ ରାଜାଠାରୁ ସେ କରିଥିବା କେଳାଙ୍କାରୀ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଲକ୍ଷ ରଖିଛି ପୋଲିସ । ଏହି କ୍ରମରେ ରାଜାକୁ ଘର ବିକ୍ରି କରିବା ସହ ପୁରା ଷଡଯନ୍ତ୍ରରେ ସାମିଲ ଥିବା ଅନେକ ଲୋକଙ୍କ ନାଁ ସାମାନାକୁ ଆସୁଥିବାରୁ ସେମାନଙ୍କୁ ରାଜା ସହିତ ମୁହାଁମୁହିଁ ଜେରା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହି ମାମଲାର ତଦନ୍ତ କରୁଥିବା କମିଶନରେଟର ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,"ଏହି ମାମଲାରେ ଆମେ ଏପର୍ଯ୍ୟନ୍ତ ୪ଟି କେସ ରୁଜ୍ଜୁ କରି ସାରିଛି । ରାଜା ବହୁତ ଲୋକଙ୍କୁ ଠକେଇ କରି ଘର ଦେବା ନାଁରେ ଲକ୍ଷାଧିକ ଟଙ୍କା ନେଇଛି । ପ୍ରାଥମିକ ପର୍ଯ୍ୟାୟରେ ତାର ଘର ସର୍ଚ୍ଚ କରି ଆମେ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛୁ । କିନ୍ତୁ ତଦନ୍ତରୁ ଏହା ଜଣା ପଡୁଛି କି ସେ ଶତାଧିକ ଲୋକଙ୍କ ଠାରୁ ୫୦ ରୁ ୬୦ ଲକ୍ଷ ଟଙ୍କା ଠକେଇ କରିଛି । ସେଥିପାଇଁ ଆମେ ରାଜାକୁ ସିଏମସି ପୂର୍ବରୁ ସିଲ କରି ସାରିଥିବା ଅଫିସକୁ ନେଇ ସେଠାରେ ଯାଞ୍ଚ କରିବୁ" ।

ରାଜା ସ୍ଥାନୀୟ ବିଜେଡି କର୍ପୋରେଟରଙ୍କ ସ୍ବାମୀ ହୋଇଥିବା ସହ ବିଜେଡ଼ିର ବହୁ ନେତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହୁଥିବାରୁ ଏହାକୁ ବିରୋଧୀ ରାଜନୈତିକ ପ୍ରସଙ୍ଗରେ ପରିଣତ କରି ସାରିଛନ୍ତି । ଏନେଇ ବିଜେପି ପୂର୍ବରୁ ପ୍ରତିବାଦ କରି ସାରିଥିବା ବେଳେ ସୋମାବର ଦିନ ସିଏମସି କାର୍ଯ୍ୟାଳୟ ଘେରିବାକୁ ଯାଉଛି କଂଗ୍ରେସ ।
Published by:Soumya Das
First published: