News18 Odia Digital
ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ, ଆସିଛି ରଜ ସଜବାଜ। ଆଜି ହେଉଛି ସଜବାଜ ରଜ। ଆସନ୍ତା କାଲି ପହିଲି ରଜ। ରଜ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ରଜ ଦୋଳି ସାଙ୍ଗକୁ, ପିଠାପଣା ଓ ପାନର ମହକ ଆଜିଠୁ ଜମିଲାଣି ରଜପର୍ବ। ୨ବର୍ଷର କୋଭିଡ ମହାମାରୀ ପରେ ଚଳିତବର୍ଷ ବେଶ ଆଡମ୍ବରରେ ପାଳନ କରାଯିବ ରଜ। ପ୍ରତିବର୍ଷ ପରି ଓଟିଡିସି ପକ୍ଷରୁ ଏଥର ବି ରଜ ପାଇଁ ହୋଇଛି ଖାସ ଆୟୋଜନ ।
ପାନ୍ଥ ନିବାସରେ ଦୋଳି ସାଙ୍ଗକୁ ମହକୁଛି ପାରମ୍ପରିକ ପିଠା। ଆରିସା, କାକରା, ପୋଡ ପିଠା, ମଣ୍ଡା, ଗଜା, ମହୁଲ ପିଠା ଭଳି ଅନେକ କିଛି ପ୍ରସ୍ତୁତ ହୋଇଛି। ଖାଲି ପାନ୍ଥ ନିବାସ ନୁହେଁ କଳ୍ପନା ଛକ ମ୍ୟୁଜିୟମ, ସହିଦନଗର ପୂଜା ମଣ୍ଡପ, ନିମନ୍ତ୍ରଣ ହୋଟେଲ ରେ ବି ଖାସ ପିଠା ବ୍ୟବସ୍ଥା ହୋଇଛି। ପଟିଆ, ଚନ୍ଦ୍ରଶେଖରପୁର ଭଳି କିଛି ସ୍ଥାନରେ ପିଠା ଅନ ହୁଇଲ ବ୍ୟବସ୍ଥା ବି ହୋଇଛି। ୨ ବର୍ଷ କୋଭିଡ ପରେ ଏଥର ରଜ ଜମିଛି। ଆଉ ପାନ୍ଥ ନିବାସ ୧୦ ଲକ୍ଷ ଟଙ୍କାର ବ୍ୟବସାୟ ଆଶା ରଖିଛି।
"ଦୁଇ ବର୍ଷ ପରେ ଏଥର ପୁଣି ରଜ ପାଳିବାର ସୁଯୋଗ ଆସିଛି। ଏଥର ବିରାଟ ଆକାରରେ ହେଉଛି ପର୍ବ ପାଳନ। ବିଭିନ୍ନ ସ୍ଥାନରେ ପିଠା ଷ୍ଟଲ ସାଙ୍ଗକୁ ପିଠା ଅନ ହୁଇଲ ମିଳୁଛି। ଦୋଳି ଖେଳ, ମେହେନ୍ଦୀ ସାଙ୍ଗକୁ ପିଠା ଖିଆ ମଜା ଦେବାକୁ ରାଜଧାନିବାସୀଙ୍କୁ ଆମେ ପୁରା ପ୍ରସ୍ତୁତ," କହିଛନ୍ତି ଓଟିଡିସି ମ୍ୟାନେଜର କ୍ଷିତିଶ ଦାଶ।

ଅନ୍ୟ ଦିନମାନଙ୍କରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ଖାଇବା ଥୟ। ସେଇଥି ପାଇଁ ତ ପ୍ରତି ବର୍ଷ ରଜ ଆସିଲେ ଜମି ଉଠେ ପାନ ବଜାର। ରଜ ପୂର୍ବରୁ ଛକ ଛକରେ ଲାଗେ ଭେରାଇଟି ପାନ ଦୋକାନ। କିଏ ବନାରସି ମସଲା ପାନ ବିକ୍ରି କରେ ତ ଆଉ କିଏ କଲିକତାର ସ୍ପେଶାଲ ମସଲା ପାନ ତିଆରି କରେ। ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ୍ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ଦେଇ ପ୍ରସ୍ତୁତ ହୁଏ ରଜପାନ। ଖାଲି ଏତିକି ନୁହେଁ ସମସ୍ତଙ୍କ ପସନ୍ଦ କୁ ଆଖିରେ ରଖି ଚକଲେଟ ପାନ, ଲଡୁ ପାନ, ଆମ୍ବ ପାନ, ଷ୍ଟ୍ର ବେରୀ ପାନ, ଆଇସ ପାନ, ଫାୟାର ପାନ ଭଳି ବିଭିନ୍ନ ପାନ ମିଳୁଛି ରଜ ବଜାରରେ। ବନାରସି ପାନ ଭଣ୍ଡାରରେ ସ୍ୱତନ୍ତ୍ର ପାନ ମିଳୁଥିବାବେଳେ ଅନଲାଇନ ପାନ ବ୍ୟବସ୍ଥା ବି ହୋଇଛି। ସୁନ୍ଦର ପାନ ସାଙ୍ଗକୁ ଗିଫ୍ଟ ପ୍ୟାକିଙ୍ଗ ମନ ମୋହୁଛି।
"ବର୍ଷ ତମାମ ଆମର ପାନ ବ୍ୟବସାୟ ହୁଏ। ହେଲେ ରଜ ଆସିଲେ ବ୍ୟବସାୟ ଜମେ। ଏହି ରଜ ୩ ଦିନ ୪ ଲକ୍ଷ ଟଙ୍କା ବ୍ୟବସାୟ ହୁଏ। ଆଉ ରଜ ପାଇଁ ଖାସ ବେଙ୍ଗାଲୁର ଓ ବନାରସରୁ ଆସେ ମସଲା। ତା ସାଙ୍ଗକୁ ଲୋକଙ୍କ ମନ ନେଇ ଆମେ ଭାଙ୍ଗୁ ପାନ। ଯିଏଯେମିତି ଯେତିକି ଦାମର ଚାହେଁ ସେହି ହିସାବରେ ଦେଉ ପାନ। ଆମେ ବର୍ଷକୁ ଥରେ ରଜ ୩ ଦିନ ଅପେକ୍ଷା କରୁ," କହିଛନ୍ତି ବନାରସି ପାନ ଭଣ୍ଡାର ବ୍ୟବସାୟୀ ରମାକାନ୍ତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।