ରାଇରଙ୍ଗପୁରରୁ ରାଜଧାନୀ ଭୁବନେଶ୍ୱର; ପ୍ରତିବାଦ ପାଇଁ କୁକୁରର ପଦଯାତ୍ରା !
- News18 Odia
- Last Updated :
- Cuttack, India
News 18 Odia Digital
କଟକ; କୁକୁର ଚାଲୁଛି ପଦଯାତ୍ରାରେ । ୧୦୦ କି ୨୦୦ ମିଟର ନୁହେଁ ବରଂ ୩୫୦ କିଲୋମିଟର ଚାଲିଲାଣି କୁକୁର । ୨୬ ଦିନ ହେଲାଣି ସେ କରୁଛି ପଦଯାତ୍ରା । ଘଟଣାଟି ଯେତିକି ଆଶ୍ଚର୍ଯ୍ୟ ସେତିକି କୌତୁହଳ ମଧ୍ୟ। ସୁଦୂର ମୟୁରଭଞ୍ଜ ଜିଲ୍ଲାରୁ ନବୀନ ନିବାସ ଅଭିମୁଖେ ବାହାରିଥିବା ସାନ୍ତାଳୀ ଓ ମୁଣ୍ଡାରୀ ଶିକ୍ଷକ ସମାଜଙ୍କ ପ୍ରତିବାଦ ପଦଯାତ୍ରାରେ ସାମିଲ ହୋଇଛି ଗୋଟିଏ କୁକୁର ।
ରାଇରଙ୍ଗପୁରରୁ ବାହାରି ରାଜଧାନୀ ଅଭିମୁଖେ ଚାଲୁଛି କୁକୁର । ପାଖାପାଖି ୩୫୦ କିଲୋମିଟର ବାଟ ଚାଲି ଚାଲି ଆସୁଛି କୁକୁର। ଘଟଣାଟି ଏମିତି... ନଭେମ୍ବର ମାସ ୧୫ ତାରିଖରୁ ବିଭିନ୍ନ ଦାବି ନେଇ ରାଇରଙ୍ଗପୁର ପୋଖରିଆରୁ ନବୀନ ନିବାସ ଅଭିମୁଖେ ବାହାରିଛି ସାନ୍ତାଳୀ-ମୁଣ୍ଡାରୀ ଶିକ୍ଷକ ସମାଜର ପଦଯାତ୍ରା। ରାଲି ଯେତେବେଳେ ପୋଖରିଆ ଗାଁରୁ ବାହାରିଲା ସେତେବେଳେ ଏହି କୁକୁରଟି ବି ସେମାନଙ୍କ ସାଙ୍ଗରେ ଆସିଥିବା କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ରାଲି ଚାଲିଲେ କୁକୁରଟି ଚାଲୁଛି। ରାଲି ବନ୍ଦ ହେଲେ ସେ ଶୋଇପଡୁଛି। ପୋଷା କୁକୁର ପରି ପଦଯାତ୍ରାରେ ସମସ୍ତଙ୍କ ସହ ତାଳଦେଇ ଚାଲୁଛି । ତେବେ ସେ ଆମ ପାଇଁ ଠାକୁର ଭଳି ଓ ଗୁରୁ ଭଳି ଦିଗଦର୍ଶନ ଦେଉଛି ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।
ବିଭିନ୍ନ ଦାବି ନେଇ ମୟୂରଭଞ୍ଜର ରାଇରଙ୍ଗପୁରରୁ ପଦଯାତ୍ରାରେ ବାହାରି ନବୀନ ନିବାସ ସାମ୍ନାରେ ପହଞ୍ଚିବେ ସାନ୍ତାଳୀ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା । ନଭେମ୍ବର ୧୫ ତାରିଖରେ ପ୍ରାୟ ୭୦ ଜଣ ସାନ୍ତାଳୀ ଶିକ୍ଷକ ଓ ଶିକ୍ଷୟତ୍ରୀ ୨୬ ଦିନ ଧରି ଚାଲି ଚାଲି ଶୁକ୍ରବାର କଟକରେ ପହଞ୍ଚିଥିଲେ । ସେମାନଙ୍କ ଅନେକ ଦାବି ରହିଛି। କିନ୍ତୁ ସେଇ ଦାବିରେ ଏହି କୁକୁର ବି ହୋଇଛି ସାମିଲ। କୁକୁରଟିର ଉପଯୁକ୍ତ ଯତ୍ନ ମଧ୍ୟ ନେଉଛନ୍ତି ଶିକ୍ଷକ ସଂଘ। ତା ସହ ଯୋଡି ହୋଇ ଯାଇଛି ଭଲପାଇବା, ସ୍ନେହ ଆଉ ଆଦର। ମଝିରେ ମଝିରେ ତାକୁ ଟିକେ ଆଉଁସି ବି ଦେବାସହ ନିଜ ଖାଦ୍ୟରୁ କିଛି କୁକୁରକୁ ମଧ୍ୟ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି। ଶିକ୍ଷକ ଶିକ୍ଷୟିତ୍ରୀ ବି ଆଶ୍ଚର୍ଯ୍ୟ ହେଉଛନ୍ତି ଏହି କୁକୁରର ରହସ୍ୟକୁ ନେଇ । ତେବେ ଫେରିବା ବେଳକୁ କୁକୁରକୁ ସାଙ୍ଗରେ ନେଇ ଫେରିବେ ବୋଲି କହିଛନ୍ତି ଶିକ୍ଷକ ସମାଜ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।