ରାଜ୍ୟରେ କମିବ ବର୍ଷା: ଆସନ୍ତାକାଲିଠୁ ୩ ଦିନ ଶୁଖିଲା ରହିବ ପାଗ; ୨୧ରୁ ପୁଣି ବର୍ଷିବ

ଜୁଲାଇ ମାସରେ ଭରିଲା ନିଆଣ୍ଟିଆ ବର୍ଷାର କ୍ଷତି। ବର୍ତ୍ତମାନ ସୁଦ୍ଧା ୮% ଅଧିକ ବର୍ଷା। ସୁନ୍ଦରଗଡ ଜିଲ୍ଲାରେ କେବଳ ସ୍ବଭାବିକ ଠାରୁ କମ ବର୍ଷା ରେକର୍ଡ ହୋଇଛି।

ରାଜ୍ୟରେ କମିବ ବର୍ଷା

ରାଜ୍ୟରେ କମିବ ବର୍ଷା

  • Share this:
News18 Odia Digital

ଭୁବନେଶ୍ବର: ଏଣିକି କମିବ ବର୍ଷା। ଆଜିଠାରୁ ୩ ଦିନ ଶୁଖିଲା ପାଗ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଗତକାଲିର ଲଘୁଚାପ ଉତ୍ତର ପୂର୍ବ ବିଦର୍ଭା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହିଛି। ଫଳରେ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ କିଛି ଜିଲ୍ଲାରେ ବର୍ଷା ହେବ। ଏହା ପରେ ପାଗ ଶୁଖିଲା ରହିବ।

ଗତ କିଛି ଦିନ ହେବ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବେଶ ଭଲ ବର୍ଷା ରେକର୍ଡ ହୋଇଛି। ଜୁଲାଇ ୯ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଉପକୂଳରେ ଦୀର୍ଘ ଦିନ ଧରି ସ୍ଥିର ରହିବା ଯୋଗୁ ଭଲ ବର୍ଷା କରାଇଛି।

ହେଲେ ଆସନ୍ତାକାଲି ଠାରୁ ୩ ଦିନ ଧରି ପାଗ ଶୁଖିଲା ରହିବା ନେଇ ଆକଲନ କରିଛି ପାଣିପାଗ ବିଭାଗ। ଗତକାଲିର ଲଘୁଚାପ ବର୍ତ୍ତମାନ ଉତ୍ତର ପୂର୍ବ ବିଦର୍ଭା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହିଛି। ଫଳରେ ଆସନ୍ତାକାଲି ୮ଟା ସୁଦ୍ଧା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ନୟାଗଡ଼, ବୌଦ୍ଧ, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ପରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଜୁନ ମାସରେ ମୌସୁମୀ ରାଜ୍ୟକୁ ଛୁଇଁବା ପରେ ଭଲ ବର୍ଷା ରାଜ୍ୟକୁ ମିଳିପାରିନଥିଲା। ଜୁନ ଶେଷ ସୁଦ୍ଧା ୪୦% କମ ବର୍ଷା ହୋଇଥିଲା। ଫଳରେ ନିଅଣ୍ଟିଆ ବର୍ଷା ନେଇ ବଢ଼ିଥିଲା ଚିନ୍ତା। ହେଲେ ଜୁଲାଇ ମାସରେ ଲଗାତାର ଦୁଇ ଦୁଇଟି ଲଘୁଚାପ ଭଲ ବର୍ଷା ଆଣିବା ଫଳରେ ବର୍ତ୍ତମାନ ସୁଦ୍ଧା ସ୍ବଭାବିକ ଠାରୁ ୮% ଅଧିକ ବର୍ଷା ହୋଇଛି। ଶେଷ ସପ୍ତାହରେ ଭଲ ବର୍ଷା ନେଇ ମଧ୍ୟ ଆକଳନ କରାଯାଉଥିବା ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି।

ବର୍ତ୍ତମାନ ଲଘୁଚାପର ବିଶେଷ ପ୍ରଭାବ ରାଜ୍ୟ ଉପରେ ନାହିଁ ଏଥିପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରିରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ଆଗାମୀ ୨୪ ଘଣ୍ଟା ମଧ୍ୟରେ। ଏହା ସହ କେନ୍ଦ୍ରୀୟ ଓଡ଼ିଶାରେ କିଛି ବର୍ଷା ହୋଇପାରେ। ଏହାପରେ ବର୍ଷା ୨୦ ତାରିଖ ପର୍ଯ୍ୟନ୍ତ ନାହିଁ। ପୁଣି ୨୧ ରୁ ୨୬ ରାଜ୍ୟକୁ ଭଲ ବର୍ଷା ମିଳିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

ଜୁନ ୧ ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ୮% ଅଧିକ ବର୍ଷା ରେକର୍ଡ଼ ହୋଇଛି। ୮ ଜିଲ୍ଲାରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହୋଇଥିବାବେଳେ କେବଳ ସୁନ୍ଦରଗଡ ଜିଲ୍ଲାରେ ସ୍ବଭାବିକ ଠାରୁ କମ ବର୍ଷା ହୋଇଛି। ବାକି ଅନ୍ୟ ସମସ୍ତ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।
Published by:Lipina Das
First published: