News18 Odia Digital
ପୁରୀ: ବାତ୍ୟା ଟଳିଯାଇଥିଲେ ସୁଦ୍ଧା ବର୍ଷାର ପ୍ରଭାବରେ ଏବେ ହତାଶ ହୋଇ ପଡିଛି ଚାଷୀମାନେ। ପୁରୀ ଜିଲ୍ଲାରେ ୧୧ଟି ବ୍ଲକରେ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଫସଲହାନୀକୁ ନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ତେବେ ଫସଲହାନୀ କ୍ଷୟକ୍ଷତିର ଗାଇଡଲାଇନ ଅନୁଯାୟୀ ଚାଷୀଙ୍କୁ ଦିଆଯିବ କ୍ଷତି ପୂରଣ। ଡିସେମ୍ବର ୧୪ ସୁଦ୍ଧା ଫସଲହାନୀ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ। ପୁରୀ ଜିଲ୍ଲାର ଗୋପ ବ୍ଲକର ଛଇତନା, ଇତିଭୁଆଁ, ବଡ଼ଗାଁ, ସଦର ବ୍ଲକର ବାଲିଗୁଆଳି, ପିତାପଡ଼ା ଓ ନିମାପଡା ବ୍ଲକରେ ୩୩ ପ୍ରତିଶତ ଫସଲହାନୀ ହୋଇଛି।
ପୁରୀ ଜିଲ୍ଲାରେ ଅନେକ ବ୍ଲକରେ ଏବେ ଚାଷ ଜମିରେ ପାଣି ଜମି ରହିଥିବାରୁ କେଉଁଠି ଅମଳ ହେବାକୁ ଥିବା ଧାନ ବିଲରେ ଗଜା ହେଲାଣୀ ତ ଆଉ କେଉଁଠି ବିଲରେ ଲହଡି ମାରୁଥିବା ପାଣିରେ ଓଦା ହୋଇ ତିନି ଦିନ ରହିଥିବା ଧାନରୁ ମୁହଁ ଫେରାଇ ନେଇଛି ଚାଷୀମାନେ । ପୁଣି କେଉଁଠି ପାଣି ଭିତରୁ ନିଜର ସୁନାକୁ ସାଉଁଟୁଛି ଚାଷୀ ତ କେଉଁଠି କିଛି ଉଦ୍ଧାର କରି ଘରେ ରଖି ଲୋକ ନ ମିଳିବାରୁ ପରିବାର ଲୋକେ ଧାନ ବୋହିବା ସହ ଧାନ ବାଡେଇ କିଛି ସଂଗ୍ରହ କରୁଛନ୍ତି । ତେବେ ଜଳ ନିଷ୍କାସନ ବ୍ୟବସ୍ଥା ସଠିକ ଭାବେ ନ ଥିବାରୁ ଧାନ ଗୁଡ଼ିକ ଏବେ ଗଜା ହେଲାଣୀ । ସେପଟେ କ୍ଷୟକ୍ଷତି ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଲେଣୀ ଚାଷୀ। ସେପଟେ ଖାଲି ଧାନ ଚାଷ ନୁହେଁ ପନିପରିବା ଚାଷରେ ମଧ୍ୟ ସେହି ଅବସ୍ଥା ଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା ଏବେ କ୍ଷେତରେ ସଢୁଛି ତ କେଉଁଠି ଗାଈଗୋରୁଙ୍କୁ ଦିଆଯାଉଛି। ଆଉ ସମସ୍ତେ ଅନେଇ ରହିଛନ୍ତି କେବେ ଯିବେ ସରକାରୀ ଅଧିକାରୀ ଓ କେବେ ମିଳିବ ସହାୟତା। ସେ ନେଇ ସରକାରୀ ସହାୟତାକୁ ହିଁ ଅପେକ୍ଷା ବୋଲି କହିଛନ୍ତି ଗୋପ ବ୍ଲକ ଇତିଭୁଆଁର ୮୫ ବର୍ଷୀୟ ଚାଷୀ ଧ୍ରୁବ ନାୟକ।
ସେହିପରି ପିତାପଡାର ୪୫ ବର୍ଷିୟା ଚାଷୀ ଅନୁସୁୟା ଶଗଡିଆ କହିଛନ୍ତି, "କାନ୍ଦୁଛୁ ଆମେମାନେ । ପୁଣି ଭୋକ ବିକଳରେ ବିଲରେ ସାଉଣ୍ଟୁଛି ନିଜର ଅମୁଲ ମୂଲ ସମ୍ପଦ ଅମଳ ହେବାକୁ ଥିବା ଧାନ। ବାତ୍ୟା ପରେ ହେଇଥିବା ବର୍ଷାର ତାଣ୍ଡବରେ ବିଲରେ ଥିବା ପାଣି କମୁନି କି ଚାଷୀ ନିଜ ସମ୍ପତିକୁ ଉଦ୍ଧାର କରିପାରୁନି। ତେଣୁ ସକାଳ ପାଇଲେ ଧାଇଁ ଯାଉଛି ଅଜସ୍ର ଅର୍ଥ ଓ ନିଜର ପରିଶ୍ରମକୁ ଝାଡି ଦେଇ ଦି ପଇସା ପାଇବାକୁ ଥିବା ଧାନ ଫସଲ ଉପରେ। ଏବେ ଚାଷୀମାନେ ବିଲରୁ ଧାନ ଛାଣୁଥିବା ବେଳେ ଗଜା ହୋଇଥିବା ଧାନକୁ ଆଣି ଉପରେ ଶୁଖାଉଛନ୍ତି। ହେଲେ କିଛି ଧାନ କାଟି ଦେଇଥିବା ବେଳେ ତାହାକୁ ଆଣି ନିଜେ ପିଲାଛୁଆ ଲାଗିକୁ ଧାନକୁ ଅମଳ କରୁଛୁ । ବାକି ଧାନ ବିଲରେ ପାଣିରେ ଓଦା ହୋଇ ରହି ସେଥିରେ ଗଜା ହୋଇଯାଇଥିବାରୁ କିଭଳି ବଞ୍ଚୁ ଓ କଣ ଖାଇବୁ ଆମେ ।’’

ବାତ୍ୟା ଜୱାଦ ପାଇଁ ହୋଇଥିବା ଲଗାଣ ବର୍ଷ ଯୋଗୁ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା
ପିତାପଡାର ବାସନ୍ତୀ ନାୟକ ଭାଗଚାଷ କରିଥିବା ବେଳେ ଧାନ କାଟି ଦେଇଥିଲେ ହେଲେ ଟ୍ରାକ୍ଟର ଓ ଲୋକବଳ ନ ମିଳିବାରୁ ଆଜି ଚାରି ଭଉଣୀମାନେ ବିଲରୁ ଧାନ ବୋହି ରାସ୍ତାରେ ଶୁଖାଉଛନ୍ତି। କାରଣ ଏକର ଏକର ଧାନ ଫସଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କିଭଳି ଋଣ ଶୁଝିବେ ଓ ପରିବାର ଚଳାଇବେ ତାହାକୁ ନେଇ ଚିନ୍ତାରେ। ଆଖିରୁ ଲୁହ ଝରୁଥିଲେ ବି ଚାଷୀର ଦୁଃଖ କିଏ ବା ବୁଝିବ। ତେଣୁ ଭାଗ୍ୟକୁ ଆଦରି ଏବେ ଲାଗିପଡ଼ିଛନ୍ତି ସୁନାର ଫସଲକୁ ବଞ୍ଚାଇବା ପାଇଁ। ଭାଗ ଜମିରେ ଏକର ପିଛା ୪୦,୦୦୦ ସୋସାଇଟି ଋଣ ଓ ମହିଳା ସମିତି ଋଣ ଆଣି କରିଥିଲୁ। ବାପା ରୋଗଗ୍ରସ୍ତ ଓ ଭାଇ ଦିନ ମଜୁରିଆ। ପୁଣି ଲୋକବଳ ନ ମିଳୁଥିବାରୁ ଆମେ ଦୁଇ ଭଣଣୀ ଓ ଆମର ଛୋଟ ଛୋଟ ପିଲା ବିଲରୁ ଧାନକୁ ପାଣିରୁ ଛାଣି ରାସ୍ତରେ ଶୁଖଉଛୁ। ଏହି ଧାନ ଗଜା ହୋଇଯାଇଥିବାରୁ ନାଁ ଚୁଡ଼ା କରିହେବ କି ବିକ୍ରି କରିହେବ। ତେଣୁ କିଭଳି ଧାର କରଜ ସୁଝିବୁ ପୁଣି ଝିଅ ପିଲାଗୁଡାକ କେତେ ପରିଶ୍ରମ କରିବୁ ବୋଲି କହିଛନ୍ତି ୩୫ ବର୍ଷୀୟା ପିତାପଡାର ବାସନ୍ତୀ ନାୟକ ।
ବଡଗାଁର ୫୬ ବର୍ଷୀୟ ଚାଷୀ ଗଣପତି ରାଉତରାୟ କହିଛନ୍ତି, "ଜୁଆଡେ ଦେଖିବ ବିଲରେ ଆଣ୍ଠୁଏ ଆଣ୍ଠୁଏ ପାଣି । ପୁଣି ପୁରୀ ଜିଲ୍ଲାରେ ୪୦,୦୦୦ ହେକ୍ଟର ଜମିରେ ଧାନ ପାଣିରେ ସଢୁଥିବା ବେଳେ ସେଥିରୁ ଗଜା ଉଠିଗଲାଣୀ। ତେବେ ଗୋପ ବ୍ଲକର ପାଣି ଗହୀର ଦେଇ ବଡଗାଁ ନାଳ ଦେଇ କୁଶଭଦ୍ରାକୁ ନିଷ୍କାସନ ହୋଇଥାଏ । ମାତ୍ର ତାହା ନିଷ୍କାସନ ନେଇ ବାରମ୍ବାର ଅଭିଯୋଗ ହେଲେ ବି କେହି କର୍ଣ୍ଣପାତ କରୁନାହାଁନ୍ତି। ତେଣୁ ପାଣି ଜମି ରହି ୧୦,୦୦୦ ହେକ୍ଟର ଚାଷ ଜମି ଏବେ ତିନି ଦିନ ହେବ ପାଣି ଘେରରେ। ତେଣୁ ସରକାରୀ ସହାୟତା ନ ମିଳିଲେ ଆତ୍ମହତ୍ୟା କରିବୁ ।’’
"ବର୍ଷା ଯୋଗୁଁ ବେଶୀ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ଚାଷ ଜମି। କୃଷି ବିଭାଗର ଏକ ଟିମ ଜିଲ୍ଲାର ଅନେକ ବ୍ଲକକୁ ଯାଇ ଧାନ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ଆରମ୍ଭ କରିଛନ୍ତି। ତେବେ ବର୍ଷା ଯୋଗୁଁ ଏକ ଲକ୍ଷ ହେକ୍ଟର ଧାନ ଜମି ପ୍ରଭାବିତ ହୋଇଥିବା ବେଳେ ସେଥିରୁ ୩୦, ୦୦୦ ହେକ୍ଟର ଜମିରୁ ଧାନ କଟାଯାଇ ଉଦ୍ଧାର କରାଯାଇଥିବା ବେଳେ ୪୦,୦୦୦ ହଜାର ହେକ୍ଟର ଅମଳକ୍ଷମ ଧାନ ଠିଆ ହୋଇ ରହିଥିବା ବେଳେ ୩୦ କିଲୋମିଟର ବେଗରେ ପବନ ସହ ବର୍ଷା ଯୋଗୁଁ ୩୫,୦୦୦ରୁ ୪୦,୦୦୦ ହେକ୍ଟର ଜମିରେ ଧାନ ଫସଲ ଭାଙ୍ଗି ଯାଇ ଏବେ ବି ବିଲରେ ପାଣିରେ ପଡ଼ି ରହିଛି। ଏଥି ପାଇଁ କୃଷି ବିଭାଗ, ରାଜସ୍ୱ ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ପରିସଂଖ୍ୟାନ ବିଭାଗକୁ ନେଇ ଗଠିତ ହୋଇଥିବା ଟିମ ପ୍ରତିଟି ବ୍ଲକର ପ୍ରତିଟି ଗ୍ରାମକୁ ଯାଇ କ୍ଷୟକ୍ଷତି ଆକଳନ କରିବ। ବିଶେଷ କରି ପିପିଲି, ନିମାପଡ଼ା, ସତ୍ୟବାଦୀ ଅଞ୍ଚଳରେ ପନିପରିବା ଫସଲ ନଷ୍ଟ ହୋଇଥିବା ଖବର ମିଳିଥିବା ବେଳେ ତାହା ବି ଆକଳନ କରାଯିବ। ତେବେ ଫସଲ କ୍ଷୟକ୍ଷତି ନିୟମ ଅନୁଯାୟୀ ସାମଗ୍ରିକ ସହାୟତା ରାଶି ଜଳସେଚିତ ଜମି ପାଇଁ ୧୪, ୫୦୦ ଓ ଅଣଜଳ ସେଚିତ ଜମି ପାଇଁ ୬,୮୦୦ କ୍ଷତି ପୂରଣ ଦିଆଯିବ। ଏହା ସହ ଯେଉଁମାନଙ୍କର ଶସ୍ୟ ବୀମା ରହିଛି ସେମାନେ ୭୨ ଘଣ୍ଟା ମଧ୍ୟରେ ନିଜ ବିଲରେ ଠିଆ ହୋଇ ଜିପିଏସ ଫଟୋ ସହ ଆଧାର କାର୍ଡ଼ ଓ ବୀମା କାର୍ଡ଼ ଆଦି ଅପଲୋଡ କଲେ ସେମାନଙ୍କୁ ହେକ୍ଟର ପିଛା ୭୦,୫୦୦ ଟଙ୍କା ସହାୟତା ମିଳିପାରିବ। ଆଉ ବ୍ୟାଙ୍କରୁ ଋଣ କରିଥିଲେ ସହାୟତା ମିଳିବ,’’ କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନୀଲ ଚନ୍ଦ୍ର ଦାସ।
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ଆଉ ଏ ନେଇ ଜିଲ୍ଲାର ୧୧ଟି ବ୍ଲକର ବିଡିଓ , ତହସିଲଦାର ଓ କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀଙ୍କୁ ନେଇ ହୋଇଥିଲା ସମୀକ୍ଷା ବୈଠକ। ତେବେ ରିପୋର୍ଟର ହେବ ତ୍ରିସ୍ତରୀୟ ଯାଞ୍ଚ । ଫସଲ ହାନୀ କ୍ଷୟକ୍ଷତିର ଆକଳନ ପାଇଁ ଗଠିତ ହୋଇଛି ଯୁଗ୍ମ ଟିମ। ଫିଲ୍ଡ ସ୍ତରରେ ରାଜସ୍ୱ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ପରିସଂଖ୍ୟାନ ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ହୋଇଛି ଟିମ । ପୁରୀ ଜିଲ୍ଲାରେ ୩୩ ପ୍ରତିଶତ ଫସଲ ହାନୀ ହୋଇଥିବା ବେଳେ ସମସ୍ତ ଗ୍ରାମକୁ ଯାଇ ପ୍ରାଥମିକ ସ୍ତରରେ ଟିମ ପକ୍ଷରୁ ଧାନ କ୍ଷେତକୁ ଯାଇ ଆଇ ଏଷ୍ଟିମେସନ ଅନୁଧ୍ୟାନ କରି ଚାଷୀମାନଙ୍କର ହୋଇଥିବା ରିପୋର୍ଟକୁ ତହସିଲଦାର ଅନୁଧ୍ୟାନ କରିବେ ଓ ତା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ, ଏଡିଏମ ବୁଧବାର ଯାଇ ସମ୍ପୃକ୍ତ ଅଞ୍ଚଳ ଅନୁଧ୍ୟାନ କରିଥିଲେ । କୌଣସି କ୍ଷୟକ୍ଷତି ହୋଇଥିବା ହିତାଧିକାରୀ ବାଦ ପଡ଼ିବେ ନାହିଁ କି କ୍ଷତି ହୋଇନଥିବା ହିତାଧିକାରୀ ସାମିଲ କରାଯିବ ନାହିଁ। ଯେ କେହି ଦୁର୍ନୀତିପୁର୍ଣ୍ଣ ରିପୋର୍ଟ କରିଥିବେ ସେମାନଙ୍କ ଉପରେ ଫୌଜଦାରୀ ମାମଲା ରୁଜୁ କରାଯିବ ।’’
ଫନିରେ ଯେଭଳି ଏଯାବତ କ୍ଷତିଗ୍ରସ୍ତ ଆର୍ଥିକ ସହାୟତାରୁ ବଞ୍ଚିତ ହେଇଛନ୍ତି ସେହିଭଳି ଯଦି ଧାନ ଫସଲ କ୍ଷୟକ୍ଷତି ନ ମିଳେ ତେବେ ମରିଯିବ ଚାଷୀ ଉଜୁଡି ଯିବ ଚାଷୀର ସଂସାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।