News18 Odia Digital
ପୁରୀ: ବର୍ଜ୍ୟ ବସ୍ତୁକୁ ନେଇ ସୌନ୍ଦର୍ଯ୍ୟକରଣ, ପୁଣି ଇକୋ ଫ୍ରେଣ୍ଡଲୀ ବ୍ୟବସ୍ଥା । ବାହାରେ ଫିଙ୍ଗାଯାଇଥିବା ସିଙ୍ଗଲ ୟୁଜଡ ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ପୁରୀ ସିଦ୍ଧମହାବୀର ଲେଭଲ କ୍ରସିଂରେ ତିନି ଇଞ୍ଚରୁ ଆରମ୍ଭ କରି ଅଢ଼େଇ ଫୁଟ ପର୍ଯ୍ୟନ୍ତ ଗଛ ଲଗାଇଛନ୍ତି ରେଳବାଇର ଜଣେ ଗେଟ୍ କିପର୍ କାମଦେବ ମହାରଣା । ବର୍ଜ୍ୟ ବସ୍ତୁକୁ ନେଇ ଗଛ ଲଗାଇବାର ଏହି ପ୍ରୟାସ ତାଙ୍କୁ ଆଣିଦେଇଛି ଅଜସ୍ର ପ୍ରଶଂସା ।
ରେଲୱେ ଟ୍ରାକ୍ ସଫା କରିବା ବେଳେ ସେଠାରୁ ବାହାରୁଥିବା ମାଟି ଓ ରାସ୍ତାରେ ପଡ଼ିଥିବା ଗୋଡ଼ି ଓ ପାଣି ବୋତଲକୁ କାଟି ସେ ବନେଇଛନ୍ତି ଏକ ଗାର୍ଡେନ । ଲେଭଲ କ୍ରସିଂରେ କାର୍ଯ୍ୟ ବେଳେ ସମୟ ବାହାର କରି ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କରିଛନ୍ତି ତାଙ୍କ ଅଫିସକୁ । ମହାରଣାଙ୍କ ଏହି ପ୍ରୟାସରେ ତାଙ୍କ ସହକର୍ମୀମାନେ ବି କିଛି ମାତ୍ରାରେ ସହଯୋଗ କରିଛନ୍ତି । ରେଲୱେ ଗେଟ ପଡ଼ିଥିବା ବେଳେ ଲୋକେ ସେହି ଗଛଲତାକୁ ଦେଖି ଖୁସି ଅନୁଭବ କରୁଛନ୍ତି ।
‘‘ବର୍ଜ୍ୟ ବସ୍ତୁର ବି ଉଚିତ ବ୍ୟବହାର କରିପାରିଲେ ତାହା ପରିବେଶ ଅନୁକୁଳ ହୋଇପାରିବ । ଲେଭଲ କ୍ରସିଂରେ ଗେଟ କିପର କାର୍ଯ୍ୟ କରିବା ସହିତ ସମୟ ପାଇଲେ ଗଛ ଲଗେଇବା କାର୍ଯ୍ୟ ମୁଁ କରୁଛି । କରୋନାକୁ ନେଇ ରେଳ ଚଳାଚଳ ବନ୍ଦ ରହିଥିବାରୁ ଏବେ କେବଳ ଗଛ ଲଗାଇବାରେ ନିଜକୁ ନିୟୋଜିତ କରୁଛି । ତେବେ ଡ୍ୟୁଟି ସମୟରେ ସକାଳୁ ପ୍ରଥମେ ଅଫିସ ଆସି ଗଛର ଯତ୍ନ ନେବା ମୋ’ କାମ । ଫନି ବାତ୍ୟାରେ ଭାଙ୍ଗିରୁଜି ଯାଇଥିଲା ଗେଟ୍ ଅଫିସଟି । ଘରଟି ପୁଣି ନିର୍ମାଣ ହେବା ପରେ ସେଥିରେ ଗଛ ଲଗାଇବା କାମ ଆରମ୍ଭ କରିଥିଲି,’’ କହିଛନ୍ତି କାମଦେବ ମହାରଣା ।

ଗେଟ୍ ପଡ଼ିଥିବା ବେଳେ ଲୋକେ ସେହି ଗଛଲତାକୁ ଦେଖି ମନରେ ଶାନ୍ତି ପାଉଛନ୍ତି ।
ଟ୍ରେନରୁ ଲୋକେ ଫୋଫାଡୁଥିବା ପ୍ଲାଷ୍ଟିକ ବୋତଲକୁ ଆଣି ତାକୁ ବିଭିନ୍ନ ସାଇଜରେ କାଟି ସେଥିରେ ଠିପି କଣା କରି ହେଉ ବା ବୋତଲ ତଳେ କଣା କରିବା ପରେ ରାସ୍ତାରୁ ଗୋଡ଼ି ଆଣି ସେଥିରେ ପୂରାନ୍ତି ସେ । ତା’ ପରେ ଟ୍ରାକରୁ ବାହାରୁଥିବା ମାଟିକୁ ସେହି କଟା ବୋତଲରେ ଭର୍ତି କରି ଗଛ ଲଗାନ୍ତି । ସେଥିରେ ଲୁହା ତାର ଦେଇ ଗ୍ରିଲରେ ଝୁଲାନ୍ତି । ସବୁ ଦିନ ସକାଳୁ ଆସି ସେଥିରେ ପାଣି ଦେଇ ଗଛଗୁଡ଼ିକୁ ବଞ୍ଚାଇ ରଖିଛନ୍ତି ମହାରଣା ।
ସେ ପ୍ଲାଷ୍ଟିକ ବୋତଲରେ ୫୦ଟି ଗଛ ଲଗାଇଛନ୍ତି । ଭଙ୍ଗା ପ୍ଲାଷ୍ଟିକ ବାଲଟି ଓ ଟିଣ ଡବାରେ ବି ଗଛ ଲଗାଇଛନ୍ତି । ସବୁ ଠୁ ଆଶ୍ଚର୍ଯ୍ୟର କଥା ଯେ ତିନି ଇଞ୍ଚର ପ୍ଲାଷ୍ଟିକ ବୋତଲକୁ କାଟି ସେଥିରେ ଦୁଇ ଇଞ୍ଚର ଗଛରେ ଫୁଲ ଫୁଟାଇଛନ୍ତି ସେ।
‘‘ଘରେ ହେଉ ବା ଅଫିସରେ ଗଛଟିଏ ରହିଲେ ମାନସିକ ଅବଦାସ ଦୂର ହୋଇଥାଏ । ମେଣ୍ଟାଲ ଷ୍ଟ୍ରେସ କମାଇବା ପାଇଁ ଘରେ ଗଛ ରହିବା ଦରକାର,’’ କହିଛନ୍ତି ମହାରଣା । ପିଲାଟି ବେଳୁ ସେ ଗଛଲତାଙ୍କୁ ଭଲ ପାଆନ୍ତି । ଖାଲି ସମୟ ପାଇଲେ କବିତା ବି ଲେଖନ୍ତି ସେ ।

ରେଳବାଇରେ ଗେଟ୍ କିପର୍ କାମ କରୁଥିବା କାମଦେବ କବିତା ବି ଲେଖନ୍ତି ।
ସିଦ୍ଧମହାବୀର ଲେଭଲ କ୍ରସିଂର ଗେଟ ହାଉସଟିରେ ଗଛ ଲଗାଇ ପରିବେଶକୁ ସୌନ୍ଦର୍ଯ୍ୟପୁର୍ଣ୍ଣ କରିବାର ଶ୍ରେୟ ହେଉଛି କାମଦେବଙ୍କର । ତାଙ୍କ ପାଇଁ ମାଟି, ଗଛ ଓ ବେଳେବେଳେ ଖତ ଓ ସାର ବି ଆଣିଦେଇଥାନ୍ତି ତାଙ୍କ ସହକର୍ମୀମାନେ । ପିଲାଟି ବେଳୁ ତାଙ୍କର ଗଛ ଲଗାଇବାର ଦୁର୍ବଳତା ଯୋଗୁଁ ନିଜ ଘରେ ବି ବର୍ଜ୍ୟ ବସ୍ତୁକୁ ନେଇ ସେ କରିଛନ୍ତି ଗୋଟେ ଛୋଟ ବଗିଚା । ସେଠାରେ ଏକ ଫୁଟ ପ୍ଲାଷ୍ଟିକ ବୋତଲରେ ପାଞ୍ଚ ଫୁଟର ଲତା ଗଛ ଲଗାଇଛନ୍ତି ।
‘‘ଖାଲି ସେତିକି ନୁହେଁ, କାର୍ଯ୍ୟରେ ଥିବା ବେଳେ ସମୟ ପାଇଲେ କବିତା ବି ଲେଖି ସହକର୍ମୀମାନଙ୍କୁ ଶୁଣାନ୍ତି କାମଦେବ । ସେ ଅନେକ ସାହିତ୍ୟ ଆସର ଓ କବି ସମ୍ମିଳନୀରେ ବି ଅଂଶ ଗ୍ରହଣ କରିବା ସହ ଅନେକ ପ୍ରବନ୍ଧ ଓ କବିତା ବି ଲେଖିଛନ୍ତି । କାମଦେବଙ୍କର ପରିବେଶ ପ୍ରତି ଦୁର୍ବଳତା ଯୋଗୁଁ ଆମେ ସହକର୍ମୀମାନେ ତାଙ୍କୁ ଡାକୁ ନେଚର୍ ମ୍ୟାନ୍,’’ କହିଛନ୍ତି ରେଳବାଇ କର୍ମଚାରୀ ଅଜୟ ଜେନା ।
ଏହା ବି ପଢ଼ନ୍ତୁ: ଅନଲକ୍ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍ ଓ ଯୋଗ ଅନୁଷ୍ଠାନଏହା ବି ପଢ଼ନ୍ତୁ: WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲାଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେସିଦ୍ଧମହାବୀର ରେଲୱେ ଗେଟ ସବୁ ବେଳେ ବ୍ୟସ୍ତବହୁଳ ରହେ । ଲୋକେ ଅନେକ ସମୟ ଅପେକ୍ଷା କରନ୍ତି ସେଠି । ଗେଟ ପଡ଼ିଲେ ଲୋକେ ଟେନସନ ହୋଇ ଗେଟ ହାଉସକୁ ଚାହିଁଲା ବେଳକୁ ପ୍ଲାଷ୍ଟିକ ବୋତଲରେ ଲଗାଯାଇଥିବା ଗଛର ସମ୍ଭାର ଦେଖି ଶାନ୍ତ ପଡ଼ିଯାନ୍ତି । ‘‘କାମଦେବଙ୍କର ଏହି ପ୍ରୟାସକୁ ସମସ୍ତେ ସାଧୁବାଦ ଦେଉଛନ୍ତି । ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଅମରେନ୍ଦ୍ର ପାଇକରାୟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।