News 18 Odia Digital
ଭୁବନେଶ୍ୱର; ରାଜଧାନୀର ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ । ଜଣେ ଛାତ୍ରଙ୍କୁ କିଛି ସିନିୟର ଛାତ୍ର ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଛି । ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଭିଆଇଥିବା ଜଣା ପଡ଼ିଛି । ସେପଟେ ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଛାତ୍ରକୁ ମାଡ଼ ମରାଯାଉଛି । ବିଧା , ଗୋଇଠା, ଚାପୁଡ଼ା ମାରିବା ପରେ ତଳେ ପକେଇ ନିସ୍ତୁକ ମାଡ଼ ମାରୁଛନ୍ତି ସିନିୟର ଛାତ୍ର । ଭିଡ଼ିଓରେ ମାଡ଼ ଖାଉଥିବା ଛାତ୍ର ଜଣଙ୍କ ହେଲେ ବିଜେବି କଲେଜର ପ୍ରଥମ ବର୍ଷର ଛାତ୍ର । ମାଡ଼ ମାରିଥିବା ଛାତ୍ର ହେଉଛନ୍ତି ଦ୍ୱିତୀୟ ବର୍ଷର ଛାତ୍ର । ଗତ ୨ ତାରିଖରେ ବିଜେବି କଲେଜ କ୍ୟାମ୍ପସରେ ଏ ଘଟଣା ଘଟିଥିବା କୁହାଯାଉଛି । ଏନେଇ ଆଜି ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି ମାଡ଼ ଖାଇଥିବା ଛାତ୍ର ।
ସେପଟେ ବଡ଼ଗଡ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳକୁ ଯାଇ ପୋଲିସ ତଦନ୍ତ କରିବା ସହ ମାଡ଼ ପଛର କାରଣ ଖୋଜୁଛି । ଭୁବନେଶ୍ୱର ଡିସିପି କହିଛନ୍ତି, ଭିଡିଓକୁ ଆଧାର କରି ପୋଲିସ ଏବେ ତଦନ୍ତ କରୁଛି । ମାଡ଼ ମାରିଥିବା ଛାତ୍ରଙ୍କୁ ଚିହ୍ନଟ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୂଚନାଯୋଗ୍ୟ, ବିଜେବି କଲେଜରେ ରାଗିଂ ଘଟଣା ନୂଆ ନୁହେଁ । ପୂର୍ବରୁ ରାଗିଂ ଅଭିଯୋଗରେ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ଭୁବନେଶ୍ୱରରେ ଦୀର୍ଘଦିନ ପର୍ଯ୍ୟନ୍ତ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ରୁଚିକାଙ୍କ ମାଆଙ୍କ ସମେତ ସମର୍ଥକ ଓ ଛାତ୍ର ନେତା ନ୍ୟାୟ ପାଇଁ ବିଜେବି କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।