କଲେଜ ଛାତ୍ରୀଙ୍କୁ ବାଧ୍ୟତାମୂଳକ ପ୍ରେମ ନିବେଦନ; ଦୁଇ ଗିରଫ, ତିନି ଅଟକ

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ । ଏହି ଘଟଣାରେ ପୋଲିସ ଗ୍ରହଣ କରିଛି ବଡ଼ ଆକ୍ସନ ।

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ (ପ୍ରତୀକାତ୍ମକ ଛବି)

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ। ଜଣେ ଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ କରାଯାଇଛି ପ୍ରେମ ନିବେଦନ। ଏଭଳି ପ୍ରେମ ନିବେଦନ କରିବାର ଦୁଇଟି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହୋଇଛି। ଦୁଇଟି ଭିଡ଼ିଓରେ ଜଣେ ଛାତ୍ରୀଙ୍କୁ ଜଣେ ଛାତ୍ର ପ୍ରେମ ନିବେଦନ ନିମନ୍ତେ ବାଧ୍ୟ କରାଯାଉଛି । ଉଭୟ ଛାତ୍ର ଓ ଛାତ୍ରୀ ପ୍ରେମ ନିବେଦନ ନିମନ୍ତେ ମନା କରିଥିଲେ ସୁଦ୍ଧା ଅନ୍ୟ ଜଣେ ସିନିୟର ଛାତ୍ର ସେଠାରେ ବାଡ଼ିରେ ଧରି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ପ୍ରେମ ନିବେଦନ କରିବା ନିମନ୍ତେ ଧମକ ଦେଉଛି ।

କେବଳ ଏତିକି ନୁହେଁ ପ୍ରେମ ନିବେଦନ ପରେ ଛାତ୍ରୀର ହାତକୁ ଚୁମ୍ବନ  ଦେବା ନିମନ୍ତେ ମଧ୍ୟ ବାଧ୍ୟ କରାଯାଉଛି । ଛାତ୍ର ଜଣକ ଛାତ୍ରୀର ହାତକୁ ଚୁମ୍ବନ ଦେବା ପରେ ମଧ୍ୟ ସରିନାହିଁ ରାଗିଂ । ଏହାପରେ ଛାତ୍ର ଜଣକୁ ସମ୍ପୃକ୍ତ ଛାତ୍ରୀଙ୍କୁ ଦୁଇ ଗାଲକୁ ଚୁମ୍ବନ ଦେବା ନିମନ୍ତେ ମଧ୍ୟ ବାଧ୍ୟ କରାଯାଇଛି । ଦୁଇ ଗାଲକୁ ଚୁମ୍ବନ ଦେବା ପରେ ଓଠକୁ ମଧ୍ୟ ଚୁମ୍ବନ ଦେବା ପାଇଁ ବାଧ୍ୟ କରାଯାଇଛି । କିନ୍ତୁ ପରବର୍ତ୍ତୀ ସମୟରେ ତାହା କରିବାକୁ ଛାତ୍ର ମନା କରିବାରୁ ସେହି ସ୍ଥାନରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ଛାତ୍ର ସମ୍ପୃକ୍ତ ଛାତ୍ରକୁ ଅଶ୍ଳିଳ ଭାଷାରେ ଗାଳୁଗୁଲଜ କରିବା ସହ ମାଡ଼ ମାରିବା ନିମନ୍ତେ ଧମକ ଦେଉଥିବା ନେଇ ଭାଇରଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ଏହି ଦୁଇଟି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭିଡ଼ିଓ ଭାଇରଲକୁ ଦୃଷ୍ଟିରେ ରଖି ପ୍ରଥମେ ବରିଷ୍ଠ ଛାତ୍ର ତଥା ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ତିନି କଳାର ଛାତ୍ର ଅଭିଷେକ ନାହାକକୁ ପୋଲିସ ଗିରଫ କରିଛି । ଅଭିଷେକଙ୍କ ନାମରେ ପୂର୍ବରୁ ବ୍ରହ୍ମପୁରର ଏକ ଥାନାରେ ମାମଲା ରହିଥିବା ବେଳେ ସେ ଗିରଫ ମଧ୍ୟ ହୋଇଥିଲେ । ଘଟଣାର ଅଧିକ ତଦନ୍ତ କରି କଲେଜର ଅନ୍ୟ ଜଣେ ଛାତ୍ର ବବୁଲ ପଣ୍ଡାକୁ ପୋଲିସ ଗିରଫ କରିଥିଲା । ବବୁଲ ପଣ୍ଡା ସମେତ ଅନ୍ୟ ତିନି ଜଣ ଛାତ୍ରଙ୍କୁ ପୋଲିସ ବଡ଼ବଜାର ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।

‘‘ଗିରଫ ହୋଇଥିବା ଦୁଇ ଛାତ୍ରଙ୍କୁ ମହାବିଦ୍ୟାଳୟରୁ ବାହାର କରାଯିବା ନେଇ ସୁପାରିଶ କରାଯାଇଛି । ଏହାସହିତ ଭାଇରଲ ଭିଡ଼ିଓରେ ରହିଥିବା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ରାଗିଂ ଘଟଣାରେ ତଦନ୍ତ ପରିସର ଭୁକ୍ତ କରାଯିବ । ଏହା ସହିତ ଦୁଇଟି ଭିଡ଼ିଓରେ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ବର୍ଷ ଲେଖାଏଁ ନିଲମ୍ବନ କରିବା ନେଇ ସୁପାରିଷ କରାଯାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼.ଶ୍ରବଣ ବିବେକ ଏମ.।
Published by:Soumya Das
First published: