ପୁରୀ ଯୁବତୀଙ୍କ ଫଟୋ ଫେସବୁକରେ ଦେଇ କଲଗର୍ଲ ବୋଲି ଲେଖିଲା; ୬ ମାସ ହେବ ପୋଲିସ୍ ଚୁପ୍ ବସିଛି

ଘରୋଇ ବ୍ୟାଙ୍କରେ କାର୍ଯ୍ୟରତା ଏହି ଯୁବତୀଙ୍କ ଫଟୋ ସହ ମୋବାଇଲ ନମ୍ବର ବି ଯୁବକ ଫେସବୁକରେ ଦେଇଥିବାରୁ ତାଙ୍କୁ କଲଗର୍ଲ ଭାବି ଲୋକେ ଦିନ ରାତି ଫୋନ୍ କରୁଛନ୍ତି । ଜାନୁଆରୀରୁ FIR ଦିଆଯାଇଥିଲେ ବି ପୁରୀ ପୋଲିସ ଏ ଯାଏଁ କିଛି ଆକ୍ସନ ନେଇ ନାହିଁ ।

ପୁରୀ ଯୁବତୀଙ୍କ ଫଟୋ ଫେସବୁକରେ ଦେଇ କଲଗର୍ଲ ବୋଲି ଲେଖିଲା; ୬ ମାସ ହେବ ପୋଲିସ୍ ଚୁପ୍ ବସିଛି
ଦୁଇ ବର୍ଷ ହେଲା ଯୁବତୀ ଏହି ଚରିତ୍ର ସଂହାରର ଶିକାର ହେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଫେସବୁକରେ ଜଣେ ଯୁବତୀଙ୍କ ଚରିତ୍ର ସଂହାର ହୋଇଆସୁଥିବା ଅଭିଯୋଗ ହୋଇଛି । ତାଙ୍କ ଫଟୋ ସହିତ ମୋବାଇଲ ଫୋନ୍‌ ନମ୍ବର ଦେଇ ସେ ଜଣେ କଲ୍ ଗର୍ଲ ବୋଲି ଲେଖି ଜଣେ ଯୁବକ ତାହା ଭାଇରାଲ କରୁଛି । ଏହି ଘଟଣା ଯୋଗୁଁ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିବା ଏହି ୨୮ ବର୍ଷିୟା ଯୁବତୀ ଲଗାତର ମାନସିକ ଚାପରେ ଅଛନ୍ତି ଓ ତାଙ୍କ ପରିବାର ଲୋକେ ବି ପ୍ରଭାବିତ ହେଉଛନ୍ତି ବୋଲି ସେ କହିଛନ୍ତି ।

ସୁରକ୍ଷା ପାଇଁ ସଦର ଥାନା ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲିସ ସୁରକ୍ଷା ଦେବା ତ ଦୂରର କଥା, ଯୁବତୀଙ୍କ ଏତାଲା ହଜିଯାଇଛି ବୋଲି ପୋଲିସ କହୁଥିବା ସେ କହିଛନ୍ତି । ପୁରୀ ସଦର ଥାନା ଅଞ୍ଚଳରେ ଯୁବତୀଙ୍କ ଘର । ଜିଲ୍ଲା ବାହାରେ ଏକ ଘରୋଇ ବ୍ୟାଙ୍କରେ ସେ ତିନି ବର୍ଷ ହେଲା ଚାକିରି କରୁଛନ୍ତି । ୨୦୧୮ରୁ ଜଣେ ବ୍ୟକ୍ତି ତାଙ୍କ ଫଟୋକୁ ଏକ ଫେକ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ଷ୍ଟାଟସରେ କଲ୍‌ ଗର୍ଲ ବୋଲି ଲେଖିଛି । ସେଥିରେ ଯୁବତୀଙ୍କ ଭିନ୍ନ ଭିନ୍ନ ଫଟୋ ପୋଷ୍ଟ କରିଛି ଓ ତାଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର ବି ଦେଇଛି ଦୁର୍ବୃତ୍ତ ।

‘‘ଏହି କାରଣରୁ ରାତିଦିନ ଲୋକେ ମୋତେ କଲ୍ କରି ଅଶ୍ଳୀଳ କଥାବାର୍ତ୍ତା କରୁଛନ୍ତି । ମୋ’ ଫୋନ ନମ୍ବରରେ ହ୍ୱାଟସଆପ ଥିବାରୁ ଲୋକେ ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡିଓ କଲ୍‌ କରିବା ସହ ଅଶ୍ଳୀଳ ଫଟୋ ଓ ମେସେଜ ପଠାଉଛନ୍ତି । ସେହି ଫେସବୁକ ପୋଷ୍ଟକୁ ସୋସିଆଲ ମିଡିଆରେ ଅନେକ ଲୋକ ସେୟାର କରି ଭାଇରାଲ କରିଦେଉଛନ୍ତି । ଫଳରେ ମୁଁ ବହୁ ସମସ୍ୟାରେ ପଡ଼ିଛି । ମୋବାଇଲ ନମ୍ବରଟି ମୋ’ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଅଫିସିଆଲ ନମ୍ବର । ଏହି ଘଟଣା ଯୋଗୁଁ ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନ ବି ପ୍ରଭାବିତ ହେଉଛି,’’ ସେ କହିଛନ୍ତି ।

ପୁରୀର ସଦର ଥାନା ଅଧିକାରୀମାନେ FIR ହଜିଯାଇଥିବା କହିଥିଲେ ।


ପ୍ରଥମେ ଲୋକ ଲଜ୍ଜା ଭୟରେ ଯୁବତୀ ଓ ତାଙ୍କ ପରିବାର ଆଇନର ଆଶ୍ରୟ ନ ନେଇ କଲ କରୁଥିବା ଲୋକମାନଙ୍କୁ ଏଭଳି ହଇରାଣ ନ କରିବାକୁ ନେହୁରା ହୋଇ ବୁଝାଇଥିଲେ । ହେଲେ କିଛି ଲାଭ ହେଲା ନାହିଁ । ‘‘ମୋ’ ଫେସବୁକ ଆକାଉଣ୍ଟ ସହ ବନ୍ଧୁମାନଙ୍କ ଫେସବୁକ ଆକାଉଣ୍ଟରେ ମଧ୍ୟ ଦୁର୍ବୃତ୍ତ ଏସବୁ ସେୟାର କରିବାକୁ ଲାଗିଲା । ଫଳରେ ସମସ୍ତଙ୍କ ଆଗରେ ଲଜ୍ଜିତ ହେବା ସହ ମାନସିକ ଭାରସାମ୍ୟ ହରାଇ ଅନେକ ଥର ଅଫିସରୁ ଛୁଟି ନେବାକୁ ବାଧ୍ୟ ହେଉଛି । ନିୟମିତ ଛୁଟି ନେବାରୁ କର୍ମକ୍ଷେତ୍ର ବି ପ୍ରଭାବିତ ହେଉଛି,’’ କହିଛନ୍ତି ପୀଡ଼ିତା ମହିଳା ବ୍ୟାଙ୍କ କର୍ମଚାରୀ ।

ଗଲା ଜାନୁଆରୀ ମାସ ସେ ସଦର ଥାନାକୁ ଯାଇ ଏତାଲା ଦେବା ବେଳେ ଏହା ଏକ ସାଇବର କ୍ରାଇମ ମାମଲା ବୋଲି କହି ଥାନାରେ ଥିବା କର୍ମଚାରୀ ତାଙ୍କୁ ଫେରାଇଦେଇଥିଲେ । ତା’ପରେ ସେ ପୁରୀ ଏସ୍‌.ପି. ଉମାଶଙ୍କର ଦାଶଙ୍କୁ ଜଣାଇବା ପରେ ଜାନୁଆରୀ ୨୦ରେ ଥାନା ଅଧିକାରୀରେ ଏତାଲା ଗ୍ରହଣ କରିଥିଲେ ।

‘‘ହେଲେ ତଦନ୍ତ ଆଗେଇଲା ନାହିଁ । ବାରମ୍ବାର ଦୌଡ଼ିବା ପରେ ଓ ପୁଣି ଏସ୍‌.ପି.ଙ୍କୁ ଜଣାଇବା ପରେ ଥାନା ଅଧିକାରୀ ସମୁତି ମହାନ୍ତି କହିଲେ ଯେବେ ସେ ବ୍ୟକ୍ତି ପୁଣି ଫଟୋ ପୋଷ୍ଟ କରିବ ତେବେ ତାଙ୍କୁ କହିବାକୁ । ପରେ ଭାଇରାଲ ଫଟୋର ସ୍କ୍ରିନସଟ୍‌ ନେଇ ପ୍ରମାଣ ହିସାବରେ ପୋଲିସକୁ ଦେଲୁ । ଆଇଆଇସିଙ୍କୁ ତଦନ୍ତ କରି ଗିରଫ କରିବା ପାଇଁ ମଧ୍ୟ ନେହୁରା ହେଲୁ । ହେଲେ ପୋଲିସ ପୁରୁଣା ଏତାଲା ମିଳୁ ନ ଥିବା କହି ପୁଣି ଜୁନ ୨୮ରେ ଆଉ ଏକ ଏତାଲା ଦେବାକୁ କହିଲା । ତେଣୁ ପୁଣି ଏକ ଏତାଲା ଦେଇଛୁ,’’ କହିଛନ୍ତି ଯୁବତୀଙ୍କ ପରିବାରର ଜଣେ ସଦସ୍ୟ ।

ଏହା ବି ପଢ଼ନ୍ତୁ: ରିୟା ଚକ୍ରବର୍ତ୍ତୀଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳୁଛି; ସାଇବର୍ କ୍ରାଇମ୍ ସେଲ୍‌ରୁ ସାହାଯ୍ୟ ମାଗିଲେ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେ

ପୁରୀ ଏସ୍‌.ପି. ଉମାଶଙ୍କର ଦାଶ ଏହି ମାମଲା ଉପରେ କହିଛନ୍ତି, ‘‘ଆଇଆଇସିଙ୍କୁ କୁହାଯାଇଛି ଓ ନିର୍ଦ୍ଦେଶ ଦିଆଯାଇଛି ବିହିତ ପଦକ୍ଷେପ ନେବାକୁ । ବର୍ତ୍ତମାନ ମାମଲାକୁ ସାଇବର ସେଲକୁ ହସ୍ତାନ୍ତର କରାଯାଇଛି ଓ ତଦନ୍ତ ଆରମ୍ଭ ହୋଇଛି ।’’
Published by: Anand Shankar Thankur Das
First published: July 16, 2020, 7:16 PM IST
corona virus btn
corona virus btn
Loading