ପୁରୀ: ଲୁଟେରାଙ୍କ ଆକ୍ରମଣରେ ବାଇକ୍‌ରୁ ପଡ଼ି ଗୁରୁତର ହୋଇଥିବା ମହିଳାଙ୍କ ମୃତ୍ୟୁ ହେଲା

ଚାରି ଜଣ ଲୁଟେରା ଦୁଇଟି ବାଇକରେ ଫଲୋ କରି ମନସ୍ୱିନୀଙ୍କ ଭ୍ୟାନିଟି ବ୍ୟାଗ୍ ଛଡ଼େଇ ନେଇଥିଲେ । ମନସ୍ୱିନୀ ବାଇକରୁ ଖସି ପଡ଼ି କିଛି ବାଟ ଘୋଷାଡି ହୋଇଯାଇଥିଲେ । ତାଙ୍କ ମୁଣ୍ଡ ରାସ୍ତାରେ ପିଟି ହୋଇ ରକ୍ତ ବାହାରିଥିଲା ।

ପୁରୀ: ଲୁଟେରାଙ୍କ ଆକ୍ରମଣରେ ବାଇକ୍‌ରୁ ପଡ଼ି ଗୁରୁତର ହୋଇଥିବା ମହିଳାଙ୍କ ମୃତ୍ୟୁ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 22, 2020, 7:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ବଢ଼ିଛି ଲୁଟେରାଙ୍କ ଦୌରାତ୍ମ୍ୟ । କିଛି ଟଙ୍କା ପାଇଁ ଲୁଟେରାଙ୍କ ଆକ୍ରମଣରେ ଚାଲିଯାଇଛି ଲୁଟର ଶିକାର ହୋଇଥିବା ଜଣେ ମହିଳାଙ୍କ ଜୀବନ । ଘଟଣାର ତଦନ୍ତ କରି ଚନ୍ଦନପୁର ପୋଲିସ ଏକ ନାବାଳକ ଅପରାଧୀ ସମେତ ଚାରି ଜଣଙ୍କୁ ଗିରଫ କରିଛି ।

ଏହି ଲୁଟ୍‌ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟା ୬ଟା ୩୦ ବେଳେ ଘଟିଥିଲା । କୁମ୍ଭାରପଡ଼ା ଥାନା ଅଞ୍ଚଳର ଜ୍ୟୋତିପ୍ରକାଶ ମହାନ୍ତିଙ୍କ ସ୍ତ୍ରୀ ୪୩ ବର୍ଷୀୟା ମନସ୍ୱିନୀ ମହାନ୍ତି ନିଜ ସମ୍ପର୍କୀୟ ୪୦ ବର୍ଷିୟ ଜଗନ୍ନାଥ ସାବତଙ୍କ ସହ ବାଇକ୍ ଯୋଗେ ସତ୍ୟବାଦୀରୁ ପୁରୀ ଫେରୁଥିଲେ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସମଯାଜପୁର ଓଭରବ୍ରିଜ ଠାରେ ଚାରି ଜଣ ଲୁଟେରା ତାଙ୍କର ପିଛା କରିବା ସହ ଚନ୍ଦନପୁର ବାଇପାସ୍ ଛକରେ ମନସ୍ୱିନୀଙ୍କ ଭ୍ୟାନିଟି ବ୍ୟାଗ୍‌ ଟାଣିଥିଲେ । ତାଙ୍କ ଭ୍ୟାନିଟି ବ୍ୟାଗ୍‌ ସେମାନେ ଛଡ଼େଇ ନେଇଯାଇଥିଲେ ଓ ମନସ୍ୱିନୀ ସେତିକି ବେଳେ ବାଇକରୁ ଖସି ପଡ଼ି କିଛି ବାଟ ଘୋଷାଡି ହୋଇଯାଇଥିଲେ ।

‘‘ତାଙ୍କ ମୁଣ୍ଡ ରାସ୍ତାରେ ପିଟି ହୋଇ ରକ୍ତ ବାହାରିଥିଲା । ସେଇଠି ସେ ନିସ୍ତେଜ ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପ୍ଟିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଦୁଇ ଦିନ ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି,’’ କହିଛନ୍ତି ମନସ୍ୱିନୀଙ୍କ ସ୍ୱାମୀ ୪୮ ବର୍ଷିୟ ଜ୍ୟୋତିପ୍ରକାଶ ମହାନ୍ତି ।

ବାଇକରେ ମନସ୍ୱିନୀଙ୍କୁ ଆଣୁଥିବା ଜଗନ୍ନାଥ ସାବତ କହିଛନ୍ତି, ‘‘ଚନ୍ଦନପୁର ଥାନା ଅଧୀନ ତଳଜଙ୍ଗ ଗ୍ରାମର ଚାରି ଜଣ ଲୁଟେରା ଓଭରବ୍ରିଜ ଉପରେ ବସିଥିଲେ । ଆମକୁ ଦେଖିବା କ୍ଷଣି ସେମାନେ ଦୁଇଟି ଦୁଇଟି ପଲସର ବାଇକରେ ପିଛା କରିଥିଲେ । ତଳଜଙ୍ଗର ଦେବ ଓରଫ ୨୮ ବର୍ଷୀୟ ଦେବାଶିଷ ରାଉତ ଓ ନାବାଳକ ରାକା ଓରଫ ରାକେଶ ସେଠୀ ବାଇକରେ ପିଛା କରି ମନସ୍ୱିନୀଙ୍କ ଭ୍ୟାନିଟି ବ୍ୟାଗକୁ ଭିଡ଼ି ନେଇଥିଲେ । ଏହାକୁ ନେଇ ୩ ସେପ୍ଟେମ୍ବର ଦିନ ଚନ୍ଦନପୁର ଥାନାରେ ୩୯୩ ଆଇପିସି ବଳରେ ମାମଲା ୨୧୫/୨୦ ରୁଜୁ ହୋଇଥିଲା ଓ ଚନ୍ଦନପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା ।’’

ଏହା ବି ପଢ଼ନ୍ତୁ | ରାଖୀ ସାୱନ୍ତ ଚର୍ଚ୍ଚାରେ! ପାକିସ୍ତାନ ପତାକା ସହ ପୋଜ୍ ଦେଇଥିବା ଫଟୋ ପାଇଁ ପୁଣି ବିତର୍କରେ

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

‘‘ହାଇୱେ ଲୁଟେରାଙ୍କ ଦୌରାତ୍ମ୍ୟକୁ ନେଇ ଅନେକ ଅଭିଯୋଗ ଆସିଥିଲା । ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ହେଲେ ମନସ୍ୱିନୀଙ୍କ ଘଟଣା ଖୁବ୍‌ ଦୁଃଖଦାୟକ । ଏହାକୁ ନେଇ ତଦନ୍ତ ଚାଲିଥିଲା । ଏହି ଘଟଣାରେ ସେପ୍ଟେମ୍ବର ୨୧ରେ ଚାରି ଜଣଙ୍କୁ ଚନ୍ଦନପୁର ଥାନା ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଜୁଭେନାଇଲ (ନାବାଳକ) ରହିଛନ୍ତି । ସବୁ ଅଭିଯୁକ୍ତ ଚନ୍ଦନପୁର ଥାନା ତଳଜଙ୍ଗ ଗ୍ରାମର । ଅଭିଯୁକ୍ତ ଅନିଲ ପ୍ରଧାନ, କୁଶ ଓରଫ କୃଷ୍ଣଚନ୍ଦ୍ର ପ୍ରଧାନ, ଦେବ ଓରଫ ଦେବାଶିଷ ରାଉତ ଓ ନାବାଳକ ରାକା ଓରଫ ରାକେଶ ସେଠୀ ଲୁଟରେ ଜଡିତ ରହିଥିଲେ । ନାବାଳକ ରାକେଶ ସେଠୀକୁ ଜେଜେବିରେ ପହଞ୍ଚାଇବା ପରେ ଜୁଭେନାଇଲ ହୋମକୁ ପଠାଯାଇଛି,’’ କହିଛନ୍ତି ପୁରୀ ଏସ୍‌.ପି. ଅଖିଳେଶ୍ୱର ସିଂ ।



ମନସ୍ୱିନୀଙ୍କ ମୃତ୍ୟୁ ପରେ ପୋଲିସ ଏହି ମାମଲାର ଦଫା ୩୯୩କୁ ବଦଳାଇ ୩୯୩, ୩୦୪ ଓ ୩୪ ଆଇପିସି ଲଗାଇଛି ବୋଲି କହିଛନ୍ତି ଏସ୍‌.ପି. । ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ୁଥିବାରୁ ପୋଲିସ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରିବା ଦାବି କରିଛନ୍ତି ସହରବାସୀ ।
Published by: Anand Shankar Thankur Das
First published: September 22, 2020, 7:14 PM IST
corona virus btn
corona virus btn
Loading