‘ପୁଲିସର ରିସ୍କ ଆମର । ₹୪୦୦ ମୁଁ ନେବି, ₹୪୦୦ ନେବ ହୋଟେଲ’: ପୁରୀରେ ସେକ୍ସ ଧନ୍ଦା ବେଲଗାମ୍

‘‘ସେହି ଯୁବତୀ ଜଣେ ଦେହଜୀବୀ ବୋଲି ଜାଣିବା ପରେ ପାଖରେ ଥିବା କିଛି ଲୋକଙ୍କ ମଧ୍ୟରୁ ଜଣକୁ ମୁଁ ଡାକିଲି । ସଙ୍ଗେ ସଙ୍ଗେ ଯୁବତୀ ବାଇକରୁ ଓହ୍ଲାଇ ପଳାଇଗଲେ,’’ କହିଛନ୍ତି ପୁରୀରେ ତେଜରାତି ଦୋକାନ କରୁଥିବା ଜଣେ ଯୁବକ ।

‘ପୁଲିସର ରିସ୍କ ଆମର । ₹୪୦୦ ମୁଁ ନେବି, ₹୪୦୦ ନେବ ହୋଟେଲ’: ପୁରୀରେ ସେକ୍ସ ଧନ୍ଦା ବେଲଗାମ୍
ଏମିତି ବ୍ୟାଗ୍ ଧରି ରାତିରେ ପୁରୀର ରାସ୍ତାରେ ଠିଆ ହେଉଛନ୍ତି ଦେହଜୀବୀ ଯୁବତୀମାନେ ।
  • News18 Odia
  • Last Updated: March 14, 2020, 6:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର  ପୁରୀ ବିଶ୍ୱ ଐତିହ୍ୟ ନଗର ହେବାକୁ ଯାଉଛି, ହେଲେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ସହିତ ଦେହଜୀବୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚ଼ାଲିଛି  । ବିଧାନ ସଭାରେ ଉପସ୍ଥାପିତ ହୋଇଥିବା ଗତ ବର୍ଷର ତଥ୍ୟ ଅନୁସାରେ ପୁରୀରେ ଦେହଜୀବୀଙ୍କ ସଂଖ୍ୟା ୨୫୦ ରେ ପହଞ୍ଚିଛି । ମାତ୍ର ପ୍ରକୃତ ସଂଖ୍ୟା ଏହା ଠାରୁ ବହୁତ ବେଶୀ ବୋଲି ବିଭିନ୍ନ ସୂତ୍ରରୁ ଜଣା ପଡ଼ିଛି ।

ସଞ୍ଜ ନଇଁଲେ ଦେହଜୀବୀ ଯୁବତୀମାନେ ବଡ଼ ଦାଣ୍ଡ, ବେଳାଭୂମି ଓ ରେଳ ଷ୍ଟେସନରେ ଖୁଲମଖୁଲା ଦେହ ବେପାର ପାଇଁ ଗ୍ରାହକ ଖୋଜୁଥିବା ଦେଖିବାକୁ ମିଳୁଛି । ଦେହ ବ୍ୟବସାୟରେ ସୋସିଆଲ ମିଡିଆର ଭରପୂର ବ୍ୟବହାର ହେଉଛି । ଦେହ ବେପାରରେ ବଡ଼ ଦାଣ୍ଡରେ ଥିବା ଲଜଗୁଡ଼ିକର ମାଲିକଙ୍କ ସହ ହୋଟେଲ କର୍ମଚାରୀ ବି ସାମିଲ ହୋଇ ବ୍ୟବସାୟରେ ଦି’ ପଇସା ରୋଜଗାର କରୁଥିବା ଜଣା ପଡ଼ିଛି ।

ଦିନଟିଏ ରହିବା ପାଇଁ ଗ୍ରାହକ ନୁହେଁ, ଘଣ୍ଟିକିଆ ବେପାର ଉପରେ ଜୋର୍‌ ଦେଇ ହୋଟେଲ ଓ ଲଜମାନେ ଭଲ ଆୟ କରୁଛନ୍ତି ବୋଲି କହିଛନ୍ତି ଏ ବିଷୟରେ ଜାଣିଥିବା ଲୋକେ । ଦେହଜୀବୀମାନେ ଗ୍ରାହକ ନିଜେ ଠିକ୍‌ କରି ନିଜ ଇଚ୍ଛାରେ ଲଜକୁ ନେଇ ଯାଉଛନ୍ତି । ସେମାନେ ପୁଲିସକୁ ଭୟ ନ କରିବାକୁ ଗ୍ରାହକମାନଙ୍କୁ କହି ସିଧା ଏମିତି ଶର୍ତ୍ତ ରଖୁଛନ୍ତି: ‘‘ପୁଲିସର ରିସ୍କ ଆମର । ୪୦୦ ଟଙ୍କା ମୁଁ ନେବି ଆଉ ୪୦୦ ଟଙ୍କା ନେବ ହୋଟେଲ୍‌ ।’’

ନିକଟରେ ଏଭଳି ଜଣେ ଦେହଜୀବୀଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ଯୁବକ ନିଜ ନାମ ଗୋପନ ରଖି ନ୍ୟୁଜ 18 ଓଡିଆ ଡିଜିଟାଲକୁ କିଛି ତଥ୍ୟ ଦେଇଛନ୍ତି । ସେ ବଡଦାଣ୍ଡର ବଳଗଣ୍ଡି ଛକରେ ରାତି ୧୧ଟା ୪୦ରେ ବାଇକରେ ଆସୁଥିବା ବେଳେ ଜିନ୍ସ ପ୍ୟାଣ୍ଟ ସହ ନାଲି ରଙ୍ଗର ଶୀତ ବସ୍ତ୍ର ପିନ୍ଧି ହାତରେ ଏକ ବ୍ୟାଗ ଠିଆହୋଇଥିବା ଜଣେ ଯୁବତୀ ତାଙ୍କୁ କେମିତି ଡାକିଥିଲେ ସେ ବିଷୟରେ ଜଣେଇଛନ୍ତି ସେ ।

‘‘ମୁଁ ବାଇକରେ ଏକୁଟିଆ ଯିବା ବେଳେ ସେହି ଯୁବତୀ ମୋତେ ଡାକିଥିଲେ । ତାଙ୍କୁ ରେଳ ଷ୍ଟେସନରେ ଛାଡିଦେବାକୁ ଅନୁରୋଧ କରି ମୋ’ ବାଇକରେ ସେ ବସିଲେ, ଆଉ ଆରମ୍ଭ କଲେ ଡିଲ । ‘ମୋତେ ତୋ’ ପାଖରେ ରଖ । ଆଜି ରାତିକ ପାଇଁ ରଖ,’ ସେ କହିଲେ । ମୁଁ ବାରଣ କରିବା ସତ୍ତ୍ୱେ ସେ ସାମନାରେ ଥିବା ଏକ ଲଜିଂକୁ ହାତ ଦେଖାଇଲେ ଓ କହିଲେ, ‘ସେଠିକୁ ଚାଲ, ଲଜ୍‌ ନେବ ୪୦୦ ଟଙ୍କା ଓ ମୋତେ ବି ଦେବୁ ୪୦୦ ଟଙ୍କା  । ଭୋର ହେଲେ ପଳେଇବି । ଡେରି କଲେ ଲଜ୍‌ ଭଡ଼ା ବେଶୀ ନେବ । ପୁଲିସକୁ ଭୟ କର ନାହିଁ; ସେ ରିସ୍କ ମୁଁ ବୁଝିବି ।’ ସେହି ଯୁବତୀ ଜଣେ ଦେହଜୀବୀ ବୋଲି ଜାଣିବା ପରେ ପାଖରେ ଥିବା କିଛି ଲୋକଙ୍କ ମଧ୍ୟରୁ ଜଣକୁ ମୁଁ ଡାକିଲି । ସଙ୍ଗେ ସଙ୍ଗେ ଯୁବତୀ ବାଇକରୁ ଓହ୍ଲାଇ ପଳାଇଗଲେ,’’ କହିଛନ୍ତି ପୁରୀ ସହରରେ ଏକ ତେଜରାତି ଦୋକାନ କରୁଥିବା ଏହି ଯୁବକ ।

‘‘କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ,’’ କହିଛନ୍ତି ପୁରୀ ଏସ୍.ପି. ଉମାଶଙ୍କର ଦାଶ ।


ପୁରୀ ସହରର ଗଳିକନ୍ଦିରୁ ଆରମ୍ଭ କରି ବଡ଼ ଦାଣ୍ଡ, ବେଳାଭୂମି ଓ ରେଳ ଷ୍ଟେସନ ନିକଟବର୍ତ୍ତୀ ହୋଟେଲ ଓ ଲଜିଂଗୁଡ଼ିକରେ ଖୁଲମଖୁଲା ଦେହ ବେପାର ଚାଲୁଥିବା ସହର ବାସିନ୍ଦାଙ୍କୁ ଅଛପା ନାହିଁ । ଲଗାତର ଅନେକ ବଙ୍ଗୀୟ ଯୁବତୀ ବି ପୁରୀ ଆସି ଦେହ ବ୍ୟବସାୟରେ ସାମିଲ ହେଉଥିବା କଥା କହିଛନ୍ତି ଉଭୟ ପୁଲିସ ଓ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ।

‘‘ରାଜ୍ୟ ସରକାର ବିଧାନ ସଭାରେ ରଖିଥିବା ତଥ୍ୟ ଅନୁସାରେ ପୁରୀରେ ଦେହଜୀବୀଙ୍କ ସଂଖ୍ୟ ୨୫୦ ରହିଛି  । ଅର୍ଥାତ ଗତ ବର୍ଷମାନଙ୍କ ଅପେକ୍ଷା ୨୦୧୯-୨୦ରେ ସ୍ଥିତି ଅଧିକ ଚିନ୍ତାଜନକ । ସହରରେ ବଡ ଧରଣର ସେକ୍ସ ରାକେଟ କାମ କରୁଛି  । ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ଅନେକ ଲୋକ ଏହି ସେକ୍ସ ରାକେଟରେ ଫଶି ରହିଛନ୍ତି । ପୂର୍ବରୁ ଅନେକ ସଙ୍ଗଠନ ଦେହଜୀବୀମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ହେଲେ ଏବେ ଏହି ସମସ୍ୟା ଏତେ ମାତ୍ରାରେ ବ୍ୟାପିଲାଣି ଯେ ଏହା ବେଶ ଚିନ୍ତାଜନକ,’’ କହିଛନ୍ତି ଦେହଜୀବୀଙ୍କ ପାଇଁ କାର୍ଯ୍ୟକରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପେନକୋଡର ଅଧ୍ୟକ୍ଷ ବାବୁଲା ପ୍ରସାଦ ।

ଗୋଟିଏ ଲଜର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି ଦେହ ବେପାର ବିଷୟରେ ଖୁଲାସା କରିଛନ୍ତି । ‘‘ଲଜମାନଙ୍କ ସହ ଦେହଜୀବୀମାନଙ୍କର ସୋସିଆଲ ମିଡିଆରେ ଯୋଗାଯୋଗ ରହିଛି । ସେମାନଙ୍କ ମୋବାଇଲରେ ଦେହଜୀବୀଙ୍କର ଅନେକ ଫଟୋ ରହିଛି । ଗ୍ରାହକମାନେ ଫଟୋ ଦେଖିବା ପରେ ରେଟ୍‌ ସ୍ଥିର ହେଉଛି । ଏପରିକି ହ୍ୱାଟସ ଆପ ଓ ମେସେଞ୍ଜରରେ ମଧ୍ୟ ରେଟ ଫିକ୍ସ ହେଉଛି । ହ୍ୱାଟସ ଆପରେ ଫଟୋ ଯାଉଛି, ଆଉ ଗ୍ରାହକ ଦେଖିବା ପରେ କିଛି ଦଲାଲ ଯୁବତୀମାନଙ୍କୁ ଲଜକୁ ପଠାଉଛନ୍ତି । କିଛି ନିର୍ଦ୍ଦିଷ୍ଟ ଲଜ୍‌ ଓ ହୋଟେଲରେ ଦେହଜୀବୀ ବାରି ଅନୁଯାୟୀ ପହଞ୍ଚୁଛନ୍ତି,’’ ସେ କହିଛନ୍ତି ।

ତେବେ ପୁରୀରେ ସୋସିଆଲ ମିଡିଆରେ ସେକ୍ସ ବେପାର ପରିଚ଼ାଳିତ ହେବା କିଛି ନୂଆ ନୁହେଁ । ଗତ ବର୍ଷ ଏସକର୍ଟ ସର୍ଭିସ ଖୋଲି ରିଜର୍ଭ ପୁଲିସ କଲୋନୀର ଏକ କ୍ୱାର୍ଟରରୁ ଧନ୍ଦା ଚ଼ଳେଇଥିବା ଜଣେ ଦେହଜୀବୀ ଉଦ୍ଧାର ହୋଇଥିଲେ । ତା’ ପରେ ଏସକର୍ଟ ସର୍ଭିସ ଚଳାଉଥିବା ତାଙ୍କର ଜଣେ ପୁରୁଷ ବନ୍ଧୁ ଓ ତାଙ୍କ ସ୍ତ୍ରୀ ଗିରଫ ହୋଇଥିଲେ ।

‘‘ସୋସିଆଲ ମିଡିଆରେ ଯୁବ ପିଢିଙ୍କୁ ଆକୃଷ୍ଠ କରିବା ପାଇଁ ଏହି ରାକେଟ ଜାଲ ବିଛାଇଛି । କିଛି ସାଇଟରେ ମୋବାଇଲ ନମ୍ବର ବି ରହୁଛି । ସେ ସବୁ ହ୍ୱାଟସଆପ ନମ୍ବର ହୋଇଥିବା ବେଳେ ତାହାରି ମାଧ୍ୟମରେ ଗ୍ରାହକମାନେ ସୂଚନା ପାଉଛନ୍ତି  । ଦେହଜୀବୀମାନେ ମଧ୍ୟ ନିଜ ନିଜର ହୋଟେଲ ପରିବର୍ତ୍ତନ କରି ନିଜ ଷ୍ଟାଟସ ଅପଡେଟ କରୁଛନ୍ତି । ଏଭଳି ରାକେଟ ସବୁକୁ ପୁରୀରେ ବଢ଼ିବାକୁ ଦିଆଯିବା ଦ୍ୱାରା ଏହି ଆଧ୍ୟାତ୍ମିକ ସହର ପାଇଁ ଦୁର୍ନାମ ଓ ସମସ୍ୟା ହିଁ ଡାକି ଅଣାଯାଉଛି,’’ କହିଛନ୍ତି ମହିଳାଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ବିଦ୍ୟୁଲତା ଆଚାର୍ଯ୍ୟ ।

‘‘ପୁରୀରେ ଅବାଧରେ ଚ଼ାଲିଥିବା ଦେହ ବେପାରକୁ ନିୟନ୍ତ୍ରଣ ବା ଶେଷ କରିବା ପାଇଁ ସେମାନଙ୍କୁ ହୋଟେଲ ବା ଲଜିଂ ଭଡ଼ାରେ ଦେଉଥିବା ମାଲିକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର,’’ କହିଛନ୍ତି ଜିଲ୍ଲା ଜୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟା ଜୟଶ୍ରୀ ମହାପାତ୍ର ।

ପୁରୀ ଏସ୍‌.ପି. ଉମାଶଙ୍କର ଦାଶ  କହିଛନ୍ତି ଯେ ପୁରୀରେ ଦେହ ବେପାର ହେଉଥିବାର ଅଭିଯୋଗ ପୁଲିସ ପାଖରେ ମଝିରେ ମଝିରେ ପହଞ୍ଚୁଛି  । ‘‘ଏହା ଉପରେ ପୁଲିସ ନଜର ରଖିଛି । ଯେହେତୁ ଫନି ବାତ୍ୟା ପରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ସଠିକ ଭାବେ କାମ କରିବା ଆରମ୍ଭ କରିନାହିଁ, ତେଣୁ ବଡ଼ ଦାଣ୍ଡ ଉପରେ ସମ୍ପୂର୍ଣ ନଜର ରଖାଯାଇପାରୁନାହିଁ । କେବଳ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସହରରେ ସବୁଠି ପୁଲିସର ହେଲ୍ପଲାଇନ ନମ୍ବର ଦିଆଯାଇଛି । କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଓ ଏମିତି ଘଟଣା ଲୋକେ ପୁଲିସର ନଜରକୁ ଆଣିଲେ ପଦକ୍ଷେପ ନିଆଯିବ,’’ କହିଛନ୍ତି ଦାଶ  ।
First published: March 14, 2020, 6:46 PM IST
corona virus btn
corona virus btn
Loading