କରୋନା: ପୁରୀ ସହର ଓ ଜିଲ୍ଲା ଲକ୍‌ଡାଉନ୍‌ ହେଲା; ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ, ଦୋକାନ ବଜାର ବନ୍ଦ; ବେଳାଭୂମି ଖାଲି

କୌଣସି ଜାଗାରେ ସାତ ଜଣରୁ ଅଧିକ ଲୋକ ଏକତ୍ରିତ ହେଉଥିଲେ, ଗହଳି କରୁଥିଲେ, କୌଣସି କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ଓ ମେଳଣ ଆଦି ପାଳନ କରୁଥିଲେ ଆୟୋଜକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରୀ କରିଛନ୍ତି ।

କରୋନା: ପୁରୀ ସହର ଓ ଜିଲ୍ଲା ଲକ୍‌ଡାଉନ୍‌ ହେଲା; ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ, ଦୋକାନ ବଜାର ବନ୍ଦ; ବେଳାଭୂମି ଖାଲି
ଶ୍ରୀମନ୍ଦିର ବାହାରେ ଜଣେ ଭକ୍ତ ମହାପ୍ରଭୁଙ୍କୁ ହାତ ଉଠାଇ ପ୍ରାର୍ଥନା କରୁଛନ୍ତି ।
  • News18 Odia
  • Last Updated: March 21, 2020, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: କରୋନା ଭାଇରସର ପ୍ରକୋପରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ତାଗିଥିବା ବିଭିନ୍ନ କଟକଣା ମଧ୍ୟରେ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହ ମନ୍ଦିରର ଚାରି ଦ୍ୱାରରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ପାଳିଆ ସେବାୟତଙ୍କ ଛଡା ଆଉ କାହାରିକୁ ମନ୍ଦିର ଦର୍ଶନ ନାହିଁ ।

ଏବେ କେବଳ ପତିପାବନ ଦର୍ଶନ ଦୁରରୁ କରୁଛନ୍ତି ଭକ୍ତ । ମହାପ୍ରସାଦ ଭୋଗ ହେଉଥିବା ବେଳେ ସେଥିରୁ ସେମାନେ ବଞ୍ଚିତ ହେଉଛନ୍ତି । ଲକଡାଉନ୍‌ ସ୍ଥିତିରେ ଅଛି ସମଗ୍ର ସହର । ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀ ନ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ସହରରେ ପନିପରିବା, ଗ୍ରୋସରୀ ଓ ଔଷଧ ଦୋକାନକୁ ଛାଡି ଅନ୍ୟ ସବୁକୁ ବନ୍ଦ କରିବାକୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ସହର ସାରା ବୁଲୁଛି ।

ଜିଲ୍ଲାରେ କୌଣସି ଜାଗାରେ ସାତ ଜଣରୁ ଅଧିକ ଲୋକ ଏକତ୍ରିତ ହେଉଥିଲେ, ଗହଳି କରୁଥିଲେ, କୌଣସି କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ଓ ମେଳଣ ଆଦି ପାଳନ କରୁଥିଲେ ଆୟୋଜକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ଅଞ୍ଚଳର ଥାନା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରୀ କରିଛନ୍ତି ।

ଶ୍ରୀମନ୍ଦିରରେ ମାର୍ଚ୍ଚ ୨୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ନେଇ କଟକଣା ଜାରୀ ହୋଇଥିବା ବେଳେ ଏ ନେଇ ଶ୍ରୀମନ୍ଦିର ସିଂହଦ୍ୱାର କାନ୍ଥରେ ବି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଲଗାଯାଇଛି । ଆଉ ଆଜି ମଧ୍ୟ ସେବାୟତ ପରିବାର କି ପାଳିଆ ସେବାୟତଙ୍କ ବିନା କେହି ମନ୍ଦିରରେ ପ୍ରବେଶ କରିପାରିବେନି ବୋଲି ନିର୍ଦ୍ଦେଶନାମା ଜାରୀ ହୋଇଛି  । ଶ୍ରୀମନ୍ଦିରର ଚାରି ଦ୍ୱାରରେ ମୁତୟନ ହୋଇଥିବା ଶସସ୍ତ୍ର ପୁଲିସ ପାଳିଆ ସେବାୟତଙ୍କୁ ଚିହ୍ନଟ କରି ମନ୍ଦିରକୁ ଛାଡୁଛନ୍ତି  ।

‘‘ଶ୍ରୀମନ୍ଦିରରେ ନୀତି ପୂର୍ବ ପରି ଠିକ୍‌ ଭାବେ କରାଯାଉଛି । ମହାପ୍ରଭୁ ରତ୍ନ ସିଂହାସନରେ ରହିଥିବା ବେଳେ ଏଭଳି ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ଶ୍ରୀମନ୍ଦିର ଇତିହାସରେ ବିରଳ ଘଟଣା,’’ କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ଦୁର୍ଗା ଦାସ ମହାପାତ୍ର ।

ଶ୍ରୀମନ୍ଦିରର ଚାରି ଦ୍ୱାରରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି ।


ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଥିଲେ ସୁଦ୍ଧା ସିଂହଦ୍ୱାରରେ ଥିବା ପତିତପାବନକୁ ଦର୍ଶନ କରୁଛନ୍ତି ଭକ୍ତ । ‘‘କରୋନା ସଂକ୍ରମଣର ଭୟାବହତାକୁ ନେଇ ଏହି କଟକଣା ମାନିବାକୁ ପଡିବ । ଭକ୍ତ ଓ ଭଗବାନ ମଧ୍ୟରେ ଏହା ଅନ୍ତରାୟ ନୁହେଁ ବର୍ତ୍ତମାନ ପରିସ୍ଥିତିରେ ସଚେତନତା ଓ ସତର୍କତା ଏକାନ୍ତ ଅପରିହାର୍ଯ୍ୟ । ସେବାୟତ ପରିବାରର ଲୋକେ ହୁଅନ୍ତୁ ବା ସହରବାସୀ, ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ନ କଲେ ବି ଘରେ ରହି ସ୍ମରଣ କରିପାରୁଛନ୍ତି । ତେଣୁ ଭକ୍ତମାନେ ଶ୍ରୀମନ୍ଦିରକୁ ନ ଆସି ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ ଓ ମହାପ୍ରଭୁଙ୍କୁ ଡାକନ୍ତୁ କିଭଳି କରୋନା ଦାଉରୁ ରକ୍ଷା ମିଳିବ,’’ କହିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ଓ ନେଭଳଦାଶ ମଠର ମହନ୍ତ ମହାରାଜ ରାମଚରଣ ଦାଶ ମହାରାଜ ।

ଗୁଜରାଟରୁ ଆସିଥିବା ମନୋହରଲାଲ ନିଜ ବାପା ବୋଉ ଓ ଭାଇ ଭଉଣୀ ଆଦି ୧୧ ଜଣଙ୍କ ସହ ସାରା ଦେଶରେ ଅନେକ ମନ୍ଦିର ବୁଲିବା ପରେ ପୁରୀ ପହଞ୍ଚି ଦର୍ଶନ ବନ୍ଦ ଥିବା ଦେଖି ଦୁଃଖ ପ୍ରକାଶ କରିଛନ୍ତି । ‘‘ଏ ସବୁ ପ୍ରଭୁଙ୍କ ଇଚ୍ଛା । କରୋନାକୁ ନେଇ ପ୍ରଶାସନର ଏଭଳି ବ୍ୟବସ୍ଥା ଦରକାର ଥିଲା । ମୋ’ ଭଉଣୀ ହାତରେ କୃଷ୍ଣଙ୍କ ପ୍ରତିମା ଧରି କରୋନାରୁ ବିଶ୍ୱକୁ ମୁକ୍ତି ମିଳୁ ବୋଲି ପ୍ରାର୍ଥନା କରୁଛନ୍ତି । ଜଣେ ସେବାୟତ ପତିତପାବନଙ୍କ ଦର୍ଶନ କଥା କହିବା ପରେ ଆମେ ସପରିବାରେ ଦୂରରୁ ତାଙ୍କୁ ଦର୍ଶନ କରି ଭାରି ଖୁସି ଅନୁଭବ କଲୁ,’’ ସେ କହିଛନ୍ତି ।

କରୋନାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରୁଛି। ପ୍ରଥମେ ଗହଳି ସୃଷ୍ଟି ଉପରେ ଓ ବେଳାଭୁମି ଓ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ କଟକଣା କରାଯାଇଥିଲା । ଆଜି ଠାରୁ ଶ୍ରୀମନ୍ଦିର ଦର୍ଶନକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହ ସେବକଙ୍କ ପରିବାରକୁ ବି ଦର୍ଶନ ଉପରେ କଟକଣା କରାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷପତ୍ର ଥିବା ସପିଂ ମଲକୁ ଛାଡି ଅନ୍ୟ ସପିଙ୍ଗ ମଲ ଓ ମାର୍କେଟ କମ୍ପ୍ଲେକ୍ସ ବନ୍ଦ କରାଯାଇଛି ।

‘‘ଡାଲି, ଚାଉଳ ଆଦି ଅତ୍ୟାବଶ୍ୟକ  ସାମଗ୍ରୀ ବ୍ୟତିତ ସମସ୍ତ ଦୋକାନ ବଜାର ଉପରେ କଟକଣା କରାଯାଇଛି । କୌଣସି ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ବିନା ଅନୁମତିରେ ଲିଫଲେଟ କି ପୋଷ୍ଟର ମାଧ୍ୟମରେ ବୁଲି କରୋନା ସଚେତନତା କରାଇପାରିବେ ନାହିଁ କିମ୍ବା ଖାଦ୍ୟ ପଦାର୍ଥ ବଣ୍ଟନ କରିପାରିବେ ନାହିଁ । ପ୍ରଶାସନ ସଚେତନତା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । କଟକଣାକୁ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲାର କିଛି ଜାଗାରେ ମେଳଣ ପାଳନ କରାଯାଉଥିବାରୁ ଆୟୋଜକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ  ।

ଭୁବନେଶ୍ୱର ଓ କଟକରେ ଯୁଗ୍ମ ଓ ଅଯୁଗ୍ମ ଲାଗୁ ହେବା ପରେ ପୁରୀରେ କେବଳ ଟାକ୍ସି ଓ ଅଟୋରେ ମଧ୍ୟ ତାହା ଲାଗୁ କରାଯାଇଛି  । ସହରକୁ କରୋନା ନିୟନ୍ତ୍ରଣରେ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରତି ଦି ନ ଆଡଭାଇଜରୀ ଜାରୀ କରାଯାଉଛି  ।
First published: March 21, 2020, 5:09 PM IST