News18 Odia Digital
Puri News: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଭକ୍ତ ଓ ଦର୍ଶନାର୍ଥୀ। ମହାପ୍ରଭୁଙ୍କ ଦର୍ଶନ ନପାଇ ଘଣ୍ଟାଘଣ୍ଟା ଧରି ଧାଡିରେ ସିଝୁଛନ୍ତି ହଜାର ହଜାର ଭକ୍ତ। ଗତକାଲି ନୀତି ବିଳମ୍ବ ଯୋଗୁଁ ଆଜି ଦ୍ୱାର ଫିଟା ନୀତିରେ ବିଭ୍ରାଟ ଘଟିଛି। ଆଜି ସରନ୍ତି ସୋମବାର ହେତୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳ ପ୍ରାୟ ୬ଟାରେ ଦ୍ୱାରଫିଟା ନୀତି ହେବା ସହ ଏକ ଘଣ୍ଟା ବିଳମ୍ବରେ ଅର୍ଥାତ ସାଢେ ୭ଟା ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଯାହା ଫଳରେ ମରିଚିକୋଟ ଛକ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।
ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଖୋଦ୍ ପୁରୀ ଏସପି (Puri SP) ଡକ୍ଟର କନୱର ବିଶାଲ ସିଂ ଘଟଣାସ୍ଥଳରେ ରହି ହ୍ଯୁମାନ ଚେନ୍ (Human Chain) ବ୍ଯବସ୍ଥା କରିବାକୁ କହିଥିଲେ । ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ହ୍ଯୁମାନ ଚେନ୍ କରାଯାଇ ଲୋକଙ୍କୁ ଛଡ଼ାଯାଇଥିଲା । ହ୍ଯୁମାନ ଚେନ୍ ବ୍ଯବସ୍ଥାରେ ଏକ କାଳୀନ ପ୍ରାୟ ଦୁଇହଜାର ଭକ୍ତ ଯାଇପାରୁଛନ୍ତି। ଆଗରେ ହାତ ଧରାଧରି ହୋଇ ପୋଲିସ ଚାଲୁଛନ୍ତି। ଆଉ ପରେ ଚାଲୁଛନ୍ତି ଭକ୍ତ। ହ୍ଯୁମାନ ଚେନ ବ୍ଯବସ୍ଥା ଲାଗୁହେବା ପରେ ଗହଳି ନିୟନ୍ତ୍ରଣ ହୋଇଛି । ଚନ୍ଦନ ଯାତ୍ରା ନୀତି ସୃଙ୍ଖଳିତ କରିବାକୁ ଗତ ୧୮ତାରିଖ ଛତିଶା ନିଯୋଗ ବୈଠକରେ ସହମତି ଦେଇଥିଲା। କିନ୍ତୁ ଏବେ ବି ନୀତି ବିଳମ୍ବ ଲାଗି ରହିଛି। ଏମିତିକି ମହାପ୍ରସାଦ ଟିକେ ପାଇବାକୁ ରାତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଶନିବାର ଦିନ ଚନ୍ଦନ ଲାଗି ନେଇ ପୂଜାପଣ୍ଡା ନିଯୋଗ ଓ ସିଂହାରୀ ନିଯୋଗ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ଚନ୍ଦନ ଲାଗି ସେବା କାହାର କିଏ ମହାପ୍ରଭୁଙ୍କ ଚନ୍ଦନଲାଗି କରିବେ ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ଯାର ସାମୟିକ ସମାଧାନ ହୋଇଛି।
https://www.youtube.com/watch?v=KABL8AayQfU
ପୂର୍ବରୁ ମଧ୍ୟ ସେବାୟତଙ୍କ ବିବାଦକୁ ନେଇ ଶ୍ରୀମନ୍ଦିର ନୀତିକାନ୍ତି ବିଳମ୍ବ ଓ ଏପରିକି ଦର୍ଶନରେ ବାଧା ସୃଷ୍ଟି ହୋଇଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । । ହେଲେ ଏଯାଏ ଏଭଳି ଅବ୍ୟବସ୍ଥା ବନ୍ଦ କରିବା ନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନି । ତେଣୁ ବାରମ୍ବାର ଏହା ଘଟୁଛି ବୋଲି ଭକ୍ତ କହିଛନ୍ତି । ବାହାରୁ ଆସିଥିବା ଭକ୍ତଙ୍କ ପାଇଁ ବିନା କାରଣରେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଦୁଃଖର କଥା ବୋଲି କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।