ରଥ ଯାତ୍ରା ପ୍ରସ୍ତୁତି: ଶ୍ରୀମନ୍ଦିର ଅଞ୍ଚଳକୁ ନୋଫ୍ଲାଇଂ ଜୋନ୍ କରିବାକୁ ଚିଠି ଲେଖିଲା ପୁରୀ ପ୍ରଶାସନ

ରଥଯାତ୍ରା ଦିନ ଶ୍ରୀମନ୍ଦିର ଅଞ୍ଚଳ ହେବ ନୋ ଫ୍ଲାଇଂ ଜୋନ୍ । ଏନେଇ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ପୋଲିସ ବିଭାଗ ।

ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି

ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି

  • Share this:
NEWS 18 ODIA DIGITAL

ପୁରୀ : ପାଖେଇ ଆସୁଛି ବିଶ୍ୱ ପ୍ରଶିଦ୍ଧ ରଥ ଯାତ୍ରା,  ଆଉ ମାତ୍ର ଚାରିଦିନ ପରେ ରଥରେ ବିଜେ କରିବେ ଚତୁର୍ଦ୍ଧାମୁର୍ତ୍ତି । ତେଣୁ ପ୍ରତିବର୍ଷ ପରି ଏଥର ମଧ୍ୟ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ରଥଯାତ୍ରା ଦିନ ଶ୍ରୀମନ୍ଦିର ଅଞ୍ଚଳକୁ ନୋଫ୍ଲାଇଂ ଜୋନ୍, ପୁରୀ ସହରକୁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୧୮୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି । ଜୁନ୍ ୨୯ ତାରିଖରେ ମହାପ୍ରଭୁଙ୍କର ନବଯୌବନ ନେତ୍ରୋତ୍ସବ ଓ ପରଦିନ ଉଭାଯାତ୍ରା ଥିବାରୁ ଦୀର୍ଘ ଦୁଇବର୍ଷ ପରେ ଦୁଇଦିନ ଧରି ଭକ୍ତଙ୍କୁ ମିଳିବ ମହାପ୍ରଭୁଙ୍କ ଦର୍ଶନ ।

ଗତ ଗୁରୁବାର ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ରଥଯାତ୍ରାକୁ କିପରି ଶୃଙ୍ଖଳିତ କରାଯାିପାରିବ ସେ ବିଷୟରେ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ହୋଇଥିଲା । ଅନ୍ୟପଟେ ଆଜି ଆଜି ଅଣସରରେ ଏକାଦଶୀ ତିଥିରେ ଖଳିଲାଗି କରାଯାଇ ମହାପ୍ରଭୁଙ୍କୁ ରକ୍ତବସ୍ତ୍ର ପରିଧାନ ଓ ଫୁଲ ତୁଳସୀ ଲାଗି କରାଯାଇଛି ।

ଦୁଇବର୍ଷ ପରେ ପୁଣିଥରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବା ପାଇଁ ଭକ୍ତଙ୍କ ଉତ୍କଣ୍ଠା ସହ ଅପେକ୍ଷା ରହିଛି । ସେପଟେ ଅଣସର ଘରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଗୁରୁବାର ଚକାବିଜେ ପରେ ଖଳିଲାଗି ଏକାଦଶୀ ତିଥିରେ ଦଶମୂଳ ଲାଗି ପରେ ମହାପ୍ରଭୁଙ୍କୁ ରକ୍ତ ବସ୍ତ୍ର ପରିଧାନ କରାଯିବ । ଏଥିସହ ଅଣସରର ଏକାଦଶୀ ତିଥିରେ ସୁଦ୍ଧ ସୁଆରଙ୍କ ପକ୍ଷରୁ ଖଳି ପ୍ରସାଦ ଶ୍ରୀ ମନ୍ଦିର କୁ ପ୍ରଦାନ କରାଯାଇଛି । ତାହାକୁ ଦଇତାପତି ସେବକଙ୍କ ଦ୍ଵାରା ମହାପ୍ରଭୁଙ୍କୁ ଲାଗି କରିବାର ଵିଧି ରହିଛି  । ମଧ୍ୟାହ୍ନ ଧୂପ ପରେ ଏହା ଲାଗି କରାଯାଇ ବାହାର ସର୍ବାଙ୍ଗ ବେଶ କରାଯାଇଛି ।

ଦ୍ୱାଦଶୀ ତିଥିରେ ସକାଳଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜ ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ତ୍ରୟୋଦଶୀ ତିଥିରେ ମଙ୍ଗଳଆଳତୀ ପୂର୍ବରୁ ଘଣାଲାଗି ନିତି ଶେଷ କରାଯିବ । ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ରଙ୍କ ଦ୍ୱାରା ବନକ ଲାଗି ନିତି କରିବା ପରେ  ଅମାବାସ୍ୟା ତିଥିରେ ହେବ ନବଯୌବନ ଦର୍ଶନ । ଏବଂ ପର ଦିନ ଉଭା ଅମାବାସ୍ୟା ରହୁଥିବାରୁ ଦୁଇ ଦିନଧରି ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ଦେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।

 ଉଭା ଆମାବାସ୍ୟା ଦିନ ଭକ୍ତଙ୍କ ଦର୍ଶନ ରହିଲେ ରଥଯାତ୍ରା ଦିନ ନୀତି ବିଳମ୍ବ ହେବ ବୋଲି ଆଶଙ୍କା କରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର  ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ସଦଶ୍ୟଙ୍କ ସହ  ଆଲୋଚନା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଦୁର୍ଗଦାଶ ମହାପାତ୍ର ।  ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ନବଯୌବନ ଦର୍ଶନ ପାଇବା ପାଇଁ ବେଶ ବ୍ୟାକୁଳ ରହିଥିବା କଥା କୁହାଯାଉଛି । ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ନବଯୌବନ ଦର୍ଶନରୁ ଭକ୍ତ ବଞ୍ଚିତ ରହିଥିଲେ । ଚଳିତବର୍ଷ କୋଭିଡ କଟକଣା ନଥିବାରୁ ବ୍ୟାପକ ଭିଡ ପରିଲକ୍ଷିତ ହେବାନେଇ ଆଶା କରାଯାଉଛି ।

ରଥଯାତ୍ରାକୁ ନେଇ ପ୍ରଶାସନର ପ୍ରସ୍ତୁତି


ରଥଯାତ୍ରା ଦିନ ଶ୍ରୀମନ୍ଦିର ଅଞ୍ଚଳ ହେବ ନୋ ଫ୍ଲାଇଂ ଜୋନ୍ । ଏନେଇ ଏୟାରପୋର୍ଟ ଅଥରିଟିଙ୍କୁ ଚିଠି ଲେଖିଛି ପୁଲିସ ବିଭାଗ । ଆଇନ ଶୃଙ୍ଖଳା ସହ ସେବା ମନୋବୃତ୍ତିରେ କାର୍ଯ୍ୟ କରିବ ରାଜ୍ୟ ପୋଲିସ ।  ରଥ ସମୟରେ ସହରରେ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । ବଡ଼ ଦାଣ୍ଡର ସମସ୍ତ କୋଠା ଉପରେ ରହିବେ ସ୍ୱତନ୍ତ୍ର ସୁରକ୍ଷା ବଳ । ଭକ୍ତଙ୍କ ସୁରକ୍ଷା ତଥା ତିନି ରଥର ଭିତର ଓ ବାହାର କର୍ଡନ ଓ ଗହଳି ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ସହରକୁ ୧୮ଟି ଏବଂ ସହର ବାହାର ଅଞ୍ଚଳକୁ ୧୧ଟି ସେକ୍ସନରେ ବିଭକ୍ତ କରାଯାଇଛି । ଓଡ୍ରାଫ, ଏନଡିଆରଏଫ ଓ ଏସଓଜି ଆଦି ଫୋର୍ସ ମୁତୟନ ହେବା ସହ ସେମାନଙ୍କ ତଦାରଖ ଦାୟିତ୍ୱରେ ୧୫ ଏସପି ରାଙ୍କ୍ ଅଫିସରଙ୍କ ସମେତ ମୋଟ ୯୧୨ ପୋଲିସ ଅଫିସର ଯୋଗଦେବେ ବୋଲି ସୂଚନା ମିଳିଛି । ଏଥିସହ ସମୁଦ୍ର ପଥ ଆକାଶ ପଥରେ ସୁରକ୍ଷା ବ୍ୟବସ୍ଥା ରହିବ ।
Published by:Soubhagya Mishra
First published: