News18 Odia Digital
ପୁରୀ: ଦିବ୍ୟାଙ୍ଗମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଜିଲ୍ଲାର ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେଥିଲାଗି ଉଦ୍ୟମ ଜାରି ରହିଛି। ଅନେକ ସ୍ୱାବଲମ୍ବୀ ହୋଇ ନିଜ ପରିବାର ମୁହଁରେ ଖୁସି ବାଣ୍ଟିପାରୁଛନ୍ତି।
ଜିଲ୍ଲା ପ୍ରଶାସନର ଏଭଳି ମହତ କାର୍ଯ୍ୟକୁ ରାଜ୍ୟରେ ମିଳିଛି ସଫଳତା। ଫଳସ୍ୱରୁପ ଭିନ୍ନକ୍ଷମ ଦିବସ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପୁରୀ ଜିଲ୍ଲା ପୁରସ୍କୃତ ହେବ। ବେଷ୍ଟ ଏମ୍ପ୍ଲୋର ୨୦୨୨ ବିଭାଗରେ ମିଳିବ ପୁରସ୍କାର। ଏଥି ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ କରାଯାଇଛି। ଦିବ୍ୟାଙ୍ଗମାନଙ୍କ ଜୀବନ ଜୀବିକା ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଫୁଲ ଯୋଜନା କାର୍ଯ୍ୟକାରୀ କରିଛି।
ଏହା ମାଧ୍ୟମରେ ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ୧,୦୦୦ ଦିବ୍ୟାଙ୍ଗଙ୍କୁ ତାଲିମ ଦିଆଯିବା ସହ ଷ୍ଟେଟ ବ୍ୟାଙ୍କ୍ ମାଧ୍ୟମରେ ପ୍ରାୟ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନର ‘୫-ଟି’ ସେଲରେ ୬ ଜଣ ଦିବ୍ୟାଙ୍ଗ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶାର ପ୍ରଥମ କରି ଦିବ୍ୟାଙ୍ଗମାନଙ୍କ ଦ୍ୱାରା ପରିଚାଳିତ କଲେକ୍ଟରେଟ୍ କ୍ୟାଣ୍ଟିନ ‘ଚଟଣୀ’ ମଧ୍ୟ ଖୋଲାଯାଇଛି। ଏଥିରେ ପ୍ରାୟ ୭ରୁ ଅଧିକ ଦିବ୍ୟାଙ୍ଗ ନିଯୁକ୍ତ ହୋଇପାରିଛନ୍ତି। ସ୍ୱର୍ଗଦ୍ୱାରରେ ସେବା ଯୋଗାଇଦେବା ପାଇଁ ମଧ୍ୟ ୨ ଜଣ ଦିବ୍ୟାଙ୍ଗ ନିୟୋଜିତ ହୋଇଛନ୍ତି। ଦିବ୍ୟାଙ୍ଗମାନଙ୍କୁ ନେଇ ଗଠିତ ଜିଲ୍ଲାର ୨୩ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ ହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ଏହି ପ୍ରକଳ୍ପର ପରାମର୍ଶଦାତା ସିଦ୍ଧାର୍ଥ ରାୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ପାଇଁ ଜିଲ୍ଲାକୁ ଚୟନ କରାଯାଇଥିବା ନିଶ୍ଚିତ ଆମ ପାଇଁ ଗୌରବର କଥା । ଦିବ୍ୟାଙ୍ଗମାନଙ୍କ ଲାଗି ଆଗକୁ ଆହୁରି ଭଲ କାମ କରିବା ଲାଗି ଏହି ପୁରସ୍କାର ପ୍ରେରଣା ଦେବ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା କହିଛନ୍ତି, ‘‘ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିଲାଗି ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଦିବ୍ୟାଙ୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗକୁ ଆହୁରି ଏକାଧିକ ଯୋଜନା କାର୍ଯ୍ୟକାରୀ କରାଯିବ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।