ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଏବେ ବି ଜାରି ରହିଛି ଚର୍ଚ୍ଚା ଓ ବିବାଦ

ଜଗନ୍ନାଥ ମହାପ୍ରଭୁଙ୍କ ସହିତ ଚାରି କୋଟି ଓଡ଼ିଆଙ୍କ ଭାବାବେଗ ଜଡ଼ିତ ଥିବାରୁ ରନ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ପ୍ରତି ଅନୁରୂପ ଭାବନା ଯୋଡ଼ି ହୋଇ ରହିଛି ସମସ୍ତଙ୍କର।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

  • Share this:
News18 Odia Digital

ପୁରୀ: ଥମିବାର ନାଁ ନେଉନି ଶ୍ରୀମନ୍ଦିରର ରତ୍ନଭଣ୍ଡାର ବିବାଦ। ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଓ ବିବାଦ ଏଯାବତ ଜାରି ରହିଛି। ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାରକୁ ନେଇ ଭକ୍ତ, ସେବାୟତଙ୍କ ମହଲରେ ସନ୍ଦେହ ବଢ଼ିବାରେ ଲାଗିଥିବା ବେଳେ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାର ଚାବି ହଜିବା ଉପରୁ ପରଦା ହଟିପାରୁନି। ରତ୍ନଭଣ୍ଡାରେ ଗଚ୍ଛିତ ରତ୍ନର ସୁରକ୍ଷା ଓ ଭଣ୍ଡାରର ସୁରକ୍ଷା ଆଜି ବଡ଼ ସମସ୍ୟା ଭାବେ ଉଭା ହୋଇଛି।

କିଛି ବର୍ଷ ତଳେ ରତ୍ନଭଣ୍ଡାର ଚାବି ହଜିବା ଓ ଜିଲ୍ଲା କୋଷାଗାରାରୁ ଚାବି ନ ମିଳିବାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର।

ସତରେ ରତ୍ନଭଣ୍ଡାର ଚାବି ହଜିଥିଲା ନା ଚାବି ହଜିବାର ନାଟକ କରାଯାଇଥିଲା, ତାହା ଆଜି ବି ଭକ୍ତଙ୍କୁ ବିଚଳିତ କରୁଛି। ଏଭଳି ସ୍ଥିତିରେ ଆଉ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଚାବି ହଜିବା କି ପାଇବା ସମ୍ପର୍କରେ ଜିଲ୍ଲାପାଳ କି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ଚିଠି କରାଯାଇନଥିବା ଜଣାପଡ଼ିଛି। ଯାହା ରତ୍ନଭଣ୍ଡାରକୁ ନେଇ ଥିବା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି।

ସେହିପରି ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୧୭ଜଣିଆ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ। ନିର୍ଦ୍ଦେଶ ଥିଲା, ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ, ଅଳଙ୍କାରର ବିଷୟରେ ଯାଞ୍ଚ କରିବାର।

୨୦୧୮ ଏପ୍ରିଲ ୪ରେ ୧୭ଜଣିଆ ଦଳ ବି ବ୍ୟାପକ ସୁରକ୍ଷା ଭିତରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ। କିନ୍ତୁ ଯାଞ୍ଚ ପାଇଁ ଯାଇଥିବା ଦଳ ରତ୍ନଭଣ୍ଡାର ଯାଞ୍ଚ ଆବଶ୍ୟକ ନ ପଡ଼ିବାରୁ ଫେରି ଆସିଥିବା ସଫେଇ ଦେଇଥିଲେ। କିନ୍ତୁ ରତ୍ନଭଣ୍ଡାର ଅବସ୍ଥା ଭଲ ନ ଥିବା ଓ ଏହା ଅସୁରକ୍ଷିତ ଅବସ୍ଥାରେ ଥିବା ୧୭ଜଣିଆ ଦଳ ରିପୋର୍ଟ ଦେଇଥିଲେ।

ସେହି ସନ୍ଧ୍ୟାରେ ଭୁବନେଶ୍ବରରେ ଗଜପତି ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସିଥିଲା। ଏହି ବୈଠକରେ ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗ ଉଠିଥିଲା। ୨୦୧୮ ଜୁନ ୧୩ରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ହଜିଯାଇଥିବା ଚାବି ମିଳିବା ବିଷୟରେ ସୂଚନା ଦେଇଥିଲେ। ଏହା ଜିଲ୍ଲା କୋଷାଗାର ବଦଳରେ ଭୁଲ୍‌ରେ ରେକର୍ଡ ରୁମ୍‌ରେ ରହି ଯାଇଥିଲା ବୋଲି କୁହାଯାଇଥିଲା।

ଜିଲ୍ଲା ରେକର୍ଡ ରୁମ ଅଧିକାରୀ ମନୋଜ କୁମାର ନାୟକ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଦଳ ରେକର୍ଡ ରୁମ ଖୋଜାଖୋଜି ବେଳେ ଏହି ଚାବି ୨୦୧୮ ଜୁନ ୧୩ ତାରିଖରେ ପାଇଥିଲେ ବୋଲି ସଫେଇ ଦିଆଯାଇଥିଲା। ଏ ସମ୍ପର୍କରେ ବି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପତ୍ର ଜରିଆରେ ଅବଗତ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ଏହାକୁ ଆଧାରରେ ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ ଜିଲ୍ଲା ରେକର୍ଡ ରୁମକୁ ୨୦୧୮ ଜୁନ ୧୩ରୁ ଅଗଷ୍ଟ ୬ ଭିତରେ ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶ୍ରୀମନ୍ଦିର ପ୍ରଶାସନକୁ ହୋଇଥିବା ଚିଠିର ନକଲ ମାଗିଥିଲେ। କିନ୍ତୁ ଜିଲ୍ଲା ରେକର୍ଡ ରୁମ ଏପରି କୌଣସି ଚିଠି ଶ୍ରୀମନ୍ଦିର ପ୍ରଶାସନକୁ ହୋଇନଥିବା ସ୍ପଷ୍ଟ କରିଥିଲେ।

ଜଗନ୍ନାଥ ମହାପ୍ରଭୁଙ୍କ ସହିତ ଚାରି କୋଟି ଓଡ଼ିଆଙ୍କ ଭାବାବେଗ ଜଡ଼ିତ ଥିବାରୁ ରନ୍ନଭଣ୍ଡାର ତାବି ହଜିବା ପ୍ରସଙ୍ଗ ପ୍ରତି ଅନୁରୂପ ଭାବନା ଯୋଡ଼ି ହୋଇ ରହିଛି ସମସ୍ତଙ୍କର।
Published by:Lipina Das
First published: