ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି; ୨୬ ବର୍ଷ ପରେ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି; ୨୬ ବର୍ଷ ପରେ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ଆଶ୍ୱିନ ଶୁକ୍ଲ ଏକାଦଶୀ ଠାରୁ ୩୫ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ମାସକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ନାଗାର୍ଜୁନ ବେଶ ଚଳିତ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ । ବିନା ଭକ୍ତରେ ତାହା କରାଯିବାକୁ ନିଆଯାଇଛି ନିଷ୍ପତ୍ତି ।

ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି; ୨୬ ବର୍ଷ ପରେ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ
ଶ୍ରୀମନ୍ଦିରର ଏକ ଦୃଶ୍ୟ
  • News18 Odia
  • Last Updated: October 28, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପାର୍ବଣର ଋତୁ ସରିବା ସହ ଆରମ୍ଭ ହୋଇଛି ପୁଣ୍ୟର ମାସ କାର୍ତ୍ତିକ ମାସ । ଶ୍ରୀମନ୍ଦିରରେ ଏକାଦଶୀ ତିଥିରୁ ଆରମ୍ଭ ହୋଇଛି କାର୍ତ୍ତିକ ନୀତି ଓ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ । ଶ୍ରୀକ୍ଷେତ୍ରରେ ଥିବା କିଛି ହବିଷ୍ୟାଳି ଏକାଦଶୀ ଠାରୁ ସଙ୍କଳ୍ପ କରି ବ୍ରତ ଆରମ୍ଭ କରିଥିବା ବେଳେ କାର୍ତ୍ତିକ ପ୍ରତିପଦା ବା କୁମାର ପୂର୍ଣିମା ପର ଦିନ ଠାରୁ ହବିଷ୍ୟାଳିମାନେ ବ୍ରତ ଆରମ୍ଭ କରି କାର୍ତ୍ତିକ ପୂର୍ଣିମାରେ ଶେଷ କରିଥାନ୍ତି  । ଚଳିତ ବର୍ଷ କୋଭିଡ କଟକଣାକୁ ନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ବଳବତ୍ତର ରହିଥିବାରୁ ଶ୍ରୀମନ୍ଦିର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ହବିଷ୍ୟାଳିମାନେ ।

ମଠ ବାଡ଼ିମାନଙ୍କରେ ହବିଷ୍ୟାଳିଙ୍କୁ ନ ରଖିବାକୁ ପ୍ରଶାସନ ପକ୍ଷରୁ ଜାରୀ ହୋଇଛି ନିର୍ଦ୍ଦେଶ । ମହାପ୍ରସାଦ ପାଇଁ ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ ସୁଆର ମହାସୁଆର ପକ୍ଷରୁ କାଉଣ୍ଟର ଖୋଲିଥିବା ବେଳେ ଉଭୟ ଦ୍ୱାରରେ ଛାମୁଣ୍ଡିଆ କରାଯାଇ ମହାପ୍ରସାଦ ଯୋଗାଇବା ପାଇଁ ହୋଇଛି ବ୍ୟବସ୍ଥା  ।

ଏହା ବି ପଢ଼ନ୍ତୁ | କରଦାତା ମାନଙ୍କ ପାଇଁ ବଡ଼ ଆରାମ! FY-୨୦ ପାଇଁ ଆୟ କର ରିଟର୍ଣ୍ଣ ସମୟ ସୀମା ବଢ଼ିଲା; ଜାଣନ୍ତୁ ନୂଆ ତାରିଖ

‘‘କାର୍ତ୍ତିକ ନୀତିକୁ ନେଇ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ହୋଇଛି । ଏକାଦଶୀ ଠାରୁ ରାଧାଦାମୋଦର ବେଶ ଓ ବାଳଧୂପ ନୀତି ରହିଥିବାରୁ ନୀତି ଶୃଙ୍ଖଳିତ କରିବା ବେଶ ଗୁରୁତ୍ୱପୁର୍ଣ୍ଣ । ସେ ନେଇ ଦୈନିନ୍ଦିନ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ଦ୍ୱାରଫିଟା, ତାପରେ ମଙ୍ଗଳଆରତୀ, ମଇଲମ, ତଡ଼ପଲାଗି ଓ ଅବକାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳ ଧୂପ, ବାଳ ଧୂପ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ତା’ ପରେ ଦ୍ୱୀତୀୟ ଭୋଗମଣ୍ଡପ ପରେ ଦିବା ପହୁଡ଼ ଏବଂ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ ଆଦି ନୀତି କରାଯାଉଛି,’’ କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଏମିତି ହୁଏ ।


ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ହବିଷ୍ୟାଳିଙ୍କ ପାଇଁ ମଠ ବାଡ଼ିମାନଙ୍କର ରହିବା ଉପରେ ଜାରୀ ହୋଇଛି କଟକଣା । ହବିଷ୍ୟାଳିମାନେ ଘରେ ରହି କରିବ କାର୍ତ୍ତିକ ବ୍ରତ । ହବିଷ୍ୟାଳିମାନେ ବାହାରୁ ଆସି ରହୁଥିବା ମଠର ମଠାଧୀଶଙ୍କୁ  ଏ ନେଇ ସରକାରୀ ନିର୍ଦ୍ଦେଶନାମା ଜାରୀ ହୋଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ ।

ଏହା ବି ପଢ଼ନ୍ତୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍ ହେଲେ, ନିଜକୁ ବିଚ୍ଛିନ୍ନ କରି ରଖିଲେ

କାର୍ତ୍ତିକ ମାସରେ ହବିଷ୍ୟାଳି ହୁଅନ୍ତୁ ଅବା ସହରବାସୀ ସମସ୍ତଙ୍କର ଆବଶ୍ୟକ ରହିଥାଏ ମହାପ୍ରସାଦ । ହେଲେ ଚଳିତ ବର୍ଷ କୋଭିଡ କଟକଣା ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ବାରଣ ରହିଛି  । ତେଣୁ ଆବଶ୍ୟକତା ଅନୁସାରେ ମହାପ୍ରସାଦ ଭକ୍ତଙ୍କୁ ଯୋଗାଇବା ପାଇଁ ଉତ୍ତର ଦ୍ୱାର ଓ ଦକ୍ଷିଣଦ୍ୱାରରେ ସୁଆର ମହାସୁଆର ପକ୍ଷରୁ କାଉଣ୍ଟର ଖୋଲିଥିବା ବେଳେ ଉଭୟ ଦ୍ୱାରରେ ଛାମୁଣ୍ଡିଆ କରାଯାଇ ମହାପ୍ରସାଦ ଦିଆଯିବ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ  ।

ଆଶ୍ୱିନ ଶୁକ୍ଲ ଏକାଦଶୀ ଠାରୁ ୩୫ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ମାସକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । କାର୍ତ୍ତିକ ପ୍ରତିପଦା ଠାରୁ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ପହଞ୍ଚି ସଙ୍କଳ୍ପ କରି ବ୍ରତ ଆରମ୍ଭ କରିବାର ପରମ୍ପରା ରହିଛି । ଯେଉଁମାନେ ଶ୍ରୀକ୍ଷେତ୍ରରେ ରହିଛନ୍ତି  ସେମାନେ ଦଶହରା ଯୁକ୍ତ ଏକାଦଶୀ ତିଥିରେ ସଙ୍କଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ସେମାନେ ଏକ ମାସ ଓ ପଞ୍ଚୁକ ପାଞ୍ଚ ଦିନ ଧରି କାର୍ତ୍ତିକ ବ୍ରତ କରିଥାନ୍ତି । ଏଥିରେ ସେବାୟତ ପରିବାର ଲୋକେ ଓ ଶ୍ରୀକ୍ଷେତ୍ରରେ ବାସ କରୁଥିବା ହବିଷ୍ୟାଳମାନେ ଏହି ବ୍ରତ ଆରମ୍ଭ କରିବାର ବିଧି ରହିଥିବା ଗବେଷକମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ Bihar Polls: ପ୍ରଚାରରୁ ଫେରି ଅମିଶା ପଟେଲ କହିଲେ, ‘‘ସେଠି ମୋ’ର ରେପ୍ ହୋଇଯାଇଥା’ନ୍ତା’’

ଏକାଦଶୀ ତିଥିରେ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀମନ୍ଦିର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରିଛନ୍ତି  । ବ୍ରତ ଆରମ୍ଭ ହେଲେ ଘରେ ରହି ପୁଜା ବିଧି କରିବା ସହ ମହାପ୍ରସାଦ କିଭଳି ପାଇବେ ସେ ନେଇ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

‘‘ପ୍ରଶାସନର ଗାଇଡଲାଇନ୍ସ ମାନି ଏ ଥର କାର୍ତ୍ତିକ ବ୍ରତ ପାଳନ କରୁଥିବା ଭକ୍ତମାନେ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ସବୁ ଠୁ ଗୁରୁତ୍ୱପୁର୍ଣ । ଦେଖାଯାଉ, କାଳିଆ ଠାକୁରଙ୍କ ଯାହା ଇଛା ଥିବ ସେଭଳି ଭାବେ ବ୍ରତ କରିବୁ,’’ କହିଛନ୍ତି କେନ୍ଦୁଝରରୁ ଆସିଥିବା ୭୫ ବର୍ଷୀୟ ହବିଷ୍ୟାଳି ସୁକାନ୍ତି ମିଶ୍ର ।

ଦୀର୍ଘ ୨୬ ବର୍ଷ ପରେ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ହେଉଥିବାରୁ ବିନା ଭକ୍ତରେ ତାହା କରାଯିବାକୁ ନିଆଯାଇଛି ନିଷ୍ପତ୍ତି । ବିଧି ଅନୁଯାୟୀ ଚଳିତ ବର୍ଷ ପଞ୍ଚୁକ ପଡୁଛି ଛଅ ଦିନ । ନଭେମ୍ବର ୨୫ ତାରିଖରେ ପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୨୬ତାରିଖରେ ବାଙ୍କଚୂଡ଼ା ବେଶ, ୨୭ରେ ନାଗାର୍ଜୁନ ବେଶ, ୨୮ ତାରିଖରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀ ନୃସିଂହ ବେଶ ଓ ଶେଷରେ ୩୦ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ଏ ନେଇ ବିଜୟାଦଶମୀ ଠାରୁ ନାଗାର୍ଜୁନ ବେଶର ତିଆରି ଆରମ୍ଭ ହୋଇଛି  ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ଏ ଥର ନାଗାର୍ଜୁନ ବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ପାଇଥିବା ହରଚଣ୍ଡି ସାହିର ସେବାୟତ ୪୫ ବର୍ଷୀୟ ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରେ ବିଜୟା ଦଶମୀ ବା ଦଶହରା ଦିନ  ଶ୍ରୀମନ୍ଦିରରୁ ମାଳ ମହାର୍ଦ୍ଧ ଯିବା ପରେ ସ୍ୱତନ୍ତ୍ର ପୁଜାବିଧିରେ ଆରମ୍ଭ ହୋଇଛି ବେଶ ନିର୍ମାଣ ଅନୁକୁଳ ପର୍ବ । ପୁଷ୍ପାଳକ ନିଯୋଗର ତତ୍ତ୍ୱାବଧାନରେ ବେଶ କାରିଗରମାନେ ଏହି ବେଶ ଆରମ୍ଭ କରିଥିବା ବେଳେ ପଞ୍ଚୁକ ଆରମ୍ଭ ପୂର୍ବରୁ ତାହା ଶେଷ କରାଯାଇ ଶ୍ରୀମନ୍ଦିରରେ ଦାଖଲ କରାଯିବ । ମହାପ୍ରଭୁଙ୍କୁ ନଭେମ୍ବର ୨୭ରେ ଅବକାଶ ନୀତି ପରେ ବେଶ ଲାଗି କରାଯିବ ।

ନାଗା ବେଶ ପାଇଁ ହାଣ୍ଡିଆ, ତାଟି ଓ ଦାଢ଼ି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ କରାଯିବ। ସୋଲ, ଜରି ଓ ଜମ୍ବୁରା ଆଦିରେ ବେଶ କରାଯିବ । ମହାପ୍ରଭୁଙ୍କ ବିଭିନ୍ନ ଚିତ୍ତାକର୍ଷକ ବେଶମାନଙ୍କ ମଧ୍ୟରେ ନାଗାର୍ଜୁନ ବେଶ ଅନ୍ଯତମ ।  ଯାଗା ଆଖଡ଼ାମାନଙ୍କରେ ହେଉଥିବା ନାଗା ବେଶ ଭଳି ସମସ୍ତ ବେଶ ସରଞ୍ଜାମ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥାଏ। ବେଶରେ ଢାଲ, ଖଣ୍ଡା, ଧନୁ ଓ ତୀର ସଂଯୁକ୍ତ ପଟି, ହାଣ୍ଡିଆ, ବାଘଛାଲ ଓ ୧୭ ହତିଆର ସହ ବାଘନଖ, ଚଅଁର, ଦାଢ଼ି ଓ ନିଶ ଆଦି ବ୍ୟବହୃତ ହୋଇଥାଏ । ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

୧୯୯୩ ଓ ୧୯୯୪ରେ ଲାଗଲାଗ ଦୁଇ ବର୍ଷ ନାଗାର୍ଜୁନ ବେଶ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତମାନେ । ୧୯୯୪ ନଭେମ୍ବର ୧୬ରେ ମଳ ତ୍ରୟୋଦଶୀ ତିଥିରେ ପଡିଥିଲା ନାଗାର୍ଜୁନ ବେଶ । କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ଦ୍ୱାଦଶୀ ମଳ ତିଥିରେ ପଡୁଛି ନାଗାର୍ଜୁନ ବେଶ । ଏହାକୁ କିଭଳି ସମ୍ପାଦନ କରାଯିବ ତାହା ସେବାୟତମାନଙ୍କ ପାଇଁ ଏକ ଚାଲେଞ୍ଜ ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ ୫୨ ବର୍ଷୀୟ ଜନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର  ।



ରଥ ଯାତ୍ରା ହେଉ କି ପର୍ବପର୍ବାଣୀ, ସବୁ କିଛି ବିନା ଭକ୍ତରେ କରାଯାଇଛି ଏ ବର୍ଷ । ନାଗାର୍ଜୁନ ବେଶକୁ କିଭଳି ଭକ୍ତମାନେ ଅନାୟାସରେ ଦେଖିପାରିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଶ୍ରଦ୍ଧାଳୁମାନେ ।
Published by: Anand Shankar Thankur Das
First published: October 28, 2020, 11:59 PM IST