ଶ୍ରୀମନ୍ଦିରରେ ଅଘଟଣ ଓ ରକ୍ତ ଛିଟା ପଛରେ ଭୋଗକୁ ନେଇ ଅର୍ଥ ଲାଳସା? ଜଲ୍‌ଦି ଆସିବ ନୂଆ ନିୟମ

ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁଙ୍କ ଯାତ ଭୋଗରେ ବିଭିନ୍ନ ପ୍ରକାର ପିଠା ଓ ଶୁଖିଲା ଭୋଗ ଲାଗି ହେବାର ପରମ୍ପରା ଥିବା ବେଳେ କିଛି ସୁଆର ସେବକ ଅର୍ଥ ଲାଳସାରେ ମହାପ୍ରଭୁଙ୍କ ନିକଟରେ ବରାଦି ଡାଲି ଓ ବେସର ଲାଗି କରୁଥିବା ଅଭିଯୋଗ ହୋଇଛି ।

ଶ୍ରୀମନ୍ଦିରରେ ଅଘଟଣ ଓ ରକ୍ତ ଛିଟା ପଛରେ ଭୋଗକୁ ନେଇ ଅର୍ଥ ଲାଳସା? ଜଲ୍‌ଦି ଆସିବ ନୂଆ ନିୟମ
ଶ୍ରୀମନ୍ଦିରରେ ପ୍ରସାଦ ତିଆରିକୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିରର ରତ୍ନ ସିଂହାସନ ନିକଟରେ ଭୋଗ ତୋଳା ବେଳେ ଘଟିଥିବା ଅଘଟଣ ଓ ତା’ ଯୋଗୁଁ ୯୦ ହାଣ୍ଡି ମହାପ୍ରସାଦ ନଷ୍ଟ ହେବା ପରେ ଶ୍ରୀମନ୍ଦିରରେ ଭୋଗ ବାଢି଼ବାକୁ ନେଇ ଖୁବ୍‌ ଶୀଘ୍ର ଏକ ସ୍ୱତନ୍ତ୍ର ଏସ୍‌.ଓ.ପି. ପ୍ରସ୍ତୁତ ହେବାକୁ ଯାଉଛି । ସେହି ନିୟମାବଳୀ ଆଧାରରେ ସୁଆର ସେବକମାନେ ଭୋଗ ତୋଳିବେ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ମେ ୨୭ ତାରିଖ ଦିନ ରତ୍ନ ସିଂହାସନ ନିକଟରେ ଭୋଗ ତୋଳା ସମୟରେ ଜଣେ ସେବାୟତ ତଳେ ପଡି଼ଯିବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା । ଗର୍ଭଗୃହରେ ରକ୍ତ ଛିଟା ପଡି଼ବାରୁ ଯାତ ଭୋଗ ସହ ୯୦ ହାଣ୍ଡି ମହାପ୍ରସାଦ ପୋତା ଯାଇଥିଲା । ସେହି ବିଭ୍ରାଟ ଯୋଗୁଁ ମହାପ୍ରଭୁଙ୍କ ନୀତିରେ ହୋଇଥିବା ଚାରି ଘଣ୍ଟାର ବିଳମ୍ବ ଓ ସୁଆର ସେବକଙ୍କ ଅନଧିକାର ପ୍ରବେଶକୁ ନେଇ ସୁଆର ମହାସୁଆର ନିଯୋଗକୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଏହା ବି ପଢ଼ନ୍ତୁ | କରୋନା ଭାଇରସ୍‌କୁ ଚୀନ୍ ୱୁହାନ୍ ଲ୍ୟାବରେ ବନେଇଥିଲା! ବ୍ରିଟେନ୍ ଓ ନରୱେର ବୈଜ୍ଞାନିକମାନେ ଜାଣିଲେ

ଶ୍ରୀମନ୍ଦିର ଗର୍ଭଗୃହରେ ଯାତ ଭୋଗ ସମୟରେ ସୁଆର ସେବକ ଲକ୍ଷ୍ମଣ ମହାପାତ୍ରଙ୍କ ଗୋଡ଼ ଖସିଯିବାରୁ ମୁଣ୍ଡ ମୁଣ୍ଡ ଫାଟିଯାଇଥିଲା ଓ ସେଠାରେ ରକ୍ତ ଛିଟା ପଡି଼ଥିଲା । ଏହାକୁ ନେଇ ମହାପ୍ରଭୁଙ୍କର ପାହାଡ଼ ଉଠା ମହାସ୍ନାନ ନୀତି କରାଯିବାରୁ ଚନ୍ଦନ ଯାତ୍ରା ନୀତିରେ ଚାରି ଘଣ୍ଟା ବିଳମ୍ବ ହୋଇଥିଲା । ଯାତ ଭୋଗ ସହ ୯୦ ହାଣ୍ଡି ଅନ୍ନ ଡାଲି ବେସର ମାରା ହୋଇଯାଇଥିବାରୁ କୋଇଲି ବୈକୁଣ୍ଠରେ ପୋତାଯାଇଥିଲା ।

ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା


‘‘ସେହି ଘଟଣାକୁ ଗୁରୁତ୍ୱର ସହ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ନୋଟିସ ଜାରି ହୋଇଛି । କେଉଁ କାରଣରୁ ଏଭଳି ଅଘଟଣ ହେଲା ତା’ର ତଦନ୍ତ କରାଯାଉଛି । ଶ୍ରୀମନ୍ଦିରରେ ଦିନକୁ ଚାରି ଥର କୋଠଭୋଗ ଲାଗି ହେଉଥିବା ବେଳେ ଯାତ ଭୋଗ ପ୍ରସ୍ତୁତ କରିଥାଏ ଶ୍ରୀମନ୍ଦିର ପ୍ରଶାସନ । ସକାଳ ଧୂପରେ କୋଠଭୋଗ ଲାଗି କରାଯାଉଥିବା ବେଳେ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପରେ ଯାତଭୋଗ ଲାଗି କରାଯାଇଥାଏ । କେବଳ ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁଙ୍କ ଯାତ ଭୋଗ ହେଉଥିବା ବେଳେ ସେଥିରେ ବିଭିନ୍ନ ପ୍ରକାର ପିଠା ଓ ଶୁଖିଲା ଭୋଗ ଲାଗି ହେବାର ପରମ୍ପରା ରହିଛି । ହେଲେ କିଛି ସୁଆର ସେବକ ଅର୍ଥ ଲାଳସାରେ ମହାପ୍ରଭୁଙ୍କ ନିକଟରେ ବରାଦି ଡାଲି ଓ ବେସର ଲାଗି କରୁଥିବା ଅଭିଯୋଗ ହୋଇଛି । ଯାତ ଭୋଗରେ ଅନଧିକାର ପ୍ରବେଶ କରି ବରାଦି ଅଭଡ଼ା ଲାଗି କରିବା ସମୟରେ ଏହି ଅଘଟଣ ଘଟିଥିଲା,’’ କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।

ଏହା ବି ପଢ଼ନ୍ତୁ | ମମତା ବାନାର୍ଜୀ କହିଲେ ତାଙ୍କୁ SPG ପ୍ରଧାନ ମନ୍ତ୍ରୀଙ୍କ ମିଟିଂକୁ ଛାଡ଼ି ନ ଥିଲା; ‘‘ମୋତେ ବଦନାମ କରିବାକୁ ଚେଷ୍ଟା ହେଉଛି’’

ହେଲେ ସୁଆର ମହାସୁଆର ନିଯୋଗ ଏହା ଉପରେ ଭିନ୍ନ ମତ ରଖିଛି । ଯାତ ଭୋଗରେ ବେଳେବେଳେ ଡାଲି ଓ ବେସର ବଢ଼ା ହୋଇଥାଏ ଓ ଜଣେ ସେବାୟତଙ୍କ ଗୋଡ଼ ଖସିଯିବାରୁ ସେ ଆହତ ହେବା କେବଳ ଏକ ଦୁର୍ଘଟଣା ଥିଲା ବୋଲି କହିଛି ନିଯୋଗ ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ


‘‘ଏବେ ଭକ୍ତଙ୍କ ସଂଖ୍ୟା କମ୍‌ ରହୁଥିବା ବେଳେ ଗର୍ଭଗୃହରେ ଘିଅ ଆଦି ପଡି଼ ଚଟାଣ ଖସରା ହେଉଛି । ତା’ ଭିତରେ ସେବାୟତମାନେ ବାରମ୍ବାର ପଡୁଛନ୍ତି । ବେଳେବେଳେ ଆହତ ହୋଇ କ୍ଷତାକ୍ତ ହେଲେ ରକ୍ତ ସ୍ରାବ ହେଉଛି । ଏବୁକୁ ଅଘଟଣ ବୋଲି ମାନିବାକୁ ପଡି଼ବ । ଆମେ ଗାଡି଼ ଚଳାଇବା ବେଳେ ଅକସ୍ମାତ ଦୁର୍ଘଟଣା ହେଉଛି । କିନ୍ତୁ ଏଠି ସବୁ ବେଳେ ଏ ଭଳି ହୁଏ ନାହିଁ । ତେବେ ଯାତଭୋଗରେ ବେଳେ ବେଳେ ଡାଲି ଓ ବେସର ବଢ଼ା ହୋଇଥାଏ ଯଦିଓ ତାହା ହେବାର ବିଧି ନାହିଁ । ଦେଖାଯାଉ, ଶ୍ରୀମନ୍ଦିର ପ୍ରଶାସନ ନୋଟିସ କଲେ ଆମେ ତା’ର ଉତ୍ତର ରଖିବୁ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସ ଆମ ନିକଟରେ ପହଞ୍ଚିବା ପରେ ପଦକ୍ଷେପ ନିଆଯିବ,’’ କହିଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ।

ଏହା ବି ପଢ଼ନ୍ତୁ | କରୋନାରେ ପିତାମାତାଙ୍କୁ ହରେଇଥିବା ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଢ଼ାଇଲେ ସାହାଯ୍ୟର ବଡ଼ ହାତ

ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ କେବଳ ଯାତ ଭୋଗ ନୁହେଁ, ମଧ୍ୟାହ୍ନ ଧୂପରେ ବି ମହାପ୍ରଭୁଙ୍କ ନିକଟରେ ଡାଲି ବେସର ଆଦି ଲାଗି ହେଉଥିବା ଅଭିଯୋଗ ତାଙ୍କୁ ମିଳିଛି । ଏହି ନିୟମ ବହିର୍ଭୁତ କାର୍ଯ୍ୟ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଅନେକ ସମୟରେ ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି ।

ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ


‘‘ଯାତ ଭୋଗ ସମୟରେ ଅନ୍ନ ଭୋଗ ଶ୍ରୀମନ୍ଦିର ପରମ୍ପରା ବିରୋଧୀ ହୋଇଥିବାରୁ ଡାଲି ବେସର ଆଦି ଲାଗି କରି ଆଇନର ଅପବ୍ୟବହାର କରାଯାଉଛି । କେବଳ ଭୋଗ ମଣ୍ଡପ ବେଳେ ଅଭଡ଼ା ଲାଗି ପାଇଁ ନିୟମ ରହିଥିବା ବେଳେ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ତେଣୁ ଭୋଗ ବଢ଼ାକୁ ଶୃଙ୍ଖଳିତ କରିବା ପାଇଁ ଏକ ସ୍ୱତନ୍ତ୍ର ଏସ୍‌.ଓ.ପି. ପ୍ରସ୍ତୁତ ହେବ । ଯାତ ଭୋଗରେ ଡାଲି ବେସର ଆଦି ଭୋଗକୁ ବନ୍ଦ କରାଯିବ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପରେ କେବଳ ଯାତ ଭୋଗ ଛଡ଼ା ଅନ୍ୟ କୌଣସି ଭୋଗ ଲାଗି ପାରିବ ନାହିଁ ବୋଲି ରହିଥିବା ସ୍ପଷ୍ଟ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯିବ । ଏନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯିବ,’’ କହିଛନ୍ତି ବର୍ମା ।



ପୂର୍ବରୁ ଶ୍ରୀମନ୍ଦିରରେ ସଂସ୍କାରକୁ ନେଇ ସୁପ୍ରିମ୍‌ କୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ହେଲେ ଏଯାବତ୍‌ ତାହା କାର୍ଯ୍ୟକାରୀ କରିବାରେ ପ୍ରଶାସନ ବିଫଳ ହୋଇଥିବା ବେଳେ ସେବାୟତଙ୍କ ମନମାନି ନୀତି ବିଭ୍ରାଟର କାରଣ ହୋଇଥିବା କୁହାଯାଉଛି ।
Published by: Anand ST Das
First published: May 29, 2021, 11:33 PM IST