News18 Odia Digital
ପୁରୀ: ସହରରେ ଏବେ ଆତଙ୍କ ପାଲଟିଲାଣି ଜିରୋ ରେଞ୍ଜରୁ ଫାୟାରିଂ। ଆଉ ଟଳିପଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ପୂର୍ବରୁ ସେବାୟତ ଗୁନ ସିଂହାରୀଙ୍କୁ ହତ୍ୟା , ତା' ପରେ କାଳିଆ ପଢ଼ିଆରୀଙ୍କୁ ଓ ଏବେ ଲୋକନାଥ ମନ୍ଦିର ସେବାୟତ ଶିବରାମ ପାତ୍ରକୁ ଜିରୋ ରେଞ୍ଜରୁ ଗୁଳିମାଡ କରି ହତ୍ୟା କରାଯାଉଛି। ଏହି ମାମଲାରେ ସିଂହଦ୍ଵାର ପୋଲିସ ପକ୍ଷରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ହତ୍ୟାକାରୀ ଚନ୍ଦନ ବାରିକ ଓ ତା' ସାନଭାଇ ଦୀପକ ବାରିକ ଓ ତାଙ୍କ ବାପା ଲକ୍ଷ୍ମୀଧର ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଏହି ମାମଲାରେ ଏସପି କନୱର ବିଶାଳ ସିଂ କହିଥିଲେ, "ମଙ୍ଗଳବାର ରାତ୍ର ୮.୫୦ ମିନିଟରେ ଶ୍ରୀମନ୍ଦିର ସମ୍ମୁଖରୁ ୪୦ ମିଟର ଦୂରରେ ଅର୍ଥାତ ସିଂହଦ୍ୱାର ଥାନାରୁ ୧୦୦ ମିଟର ଦୁରରେ ଏମାର ମଠ ଚକଡାରେ ଫୁଟିଲା ଗୁଳି। ଆଉ ଗୁଳିମାଡରେ ଟଳିପଡିଲେ ଲୋକନାଥ ମନ୍ଦିରର ସେବାୟତ ତଳୁଛ ସାହିର ୨୧ ବର୍ଷୀୟ ଶିବରାମ ପାତ୍ର। ତେବେ ପ୍ରେମ ସମ୍ପର୍କକୁ ନେଇ ପାରିବାରିକ ବିବାଦକୁ ନେଇ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ତେବେ ତଳୁଛ ସାହିରେ ଭଡା ରହୁଥିବା ୫୦ ବର୍ଷୀୟ ଲକ୍ଷ୍ନୀଧର ବାରିକଙ୍କ ପରିବାର ଦୀର୍ଘ ୧୫ ବର୍ଷ ହେବ ରହୁଛନ୍ତି। ଆଉ ତାଙ୍କ ପୁଅ ୨୨ ବର୍ଷୀୟ ଚନ୍ଦନ ବାରିକ ସହ ଶିବରାମ ପାତ୍ରର ପରିବାର ସହ ଥିଲା ସମ୍ପର୍କ। ମାତ୍ର କିଛି ଦିନ ତଳେ ଚନ୍ଦନ ବାରିକ ଶିବରାମର ଭଉଣୀ ସହ ପ୍ରେମ ସମ୍ପର୍କକୁ ନେଇ ହୋଇଥିଲା ଗଣ୍ଡଗୋଳ। ଆଉ ଏହାକୁ ନେଇ ଚନ୍ଦନର ବାପା ମଧ୍ୟ ଟାଉନଥାନାରେ ଏତଲା ଦେଇଥିଲେ। ତେବେ ପରେ ଘଟଣାର ସମାଧାନ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା। ତେଣୁ ନିଜର ପ୍ରତିଶୋଧ ନେବା ପାଇଁ ଚନ୍ଦନ ବାରିକ ଗୁଳିକରି ଶିବକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ବେଳେ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି। ମୃତ ଶିବର ପରିବାର ଏତଲାରେ ଥିବା ନାଁ ଅନୁସାରେ ଚନ୍ଦନ ଓ ତା' ସହଯୋଗୀକୁ ଗିରଫ କରାଯାଇଥିବା ବେଳେ କୋର୍ଟ ଚାଲାଣ କରାଯିବ।’’
ସେହିପରି ଅତିରିକ୍ତ ଏସପି ମିହିରି ପଣ୍ଡା ସମାନ କଥା କହିଥିଲେ। ସେପଟେ ମୃତ ଶିବଙ୍କ ବାପା ନାନୁ ପାତ୍ର କହିଥିଲେ, "ଚନ୍ଦନର ଓ ଶିବର ଏଭଳି ମଝିରେ ଗଣ୍ଡଗୋଳ ହୋଇଥିଲା। ପୁଣି ସମାଧାନ ମଧ୍ୟ ହୋଇଥିଲା। ହେଲେ ଏହାର ଏତେ ବଡ଼ ରୂପ ନେବ ବୋଲି ଆମେ ବିଶ୍ୱାସ କରିପାରୁନୁ। କେଉଁଠୁ ଆଣିଲା ବନ୍ଧୁକ ଓ କାହିଁକି ସେ ହତ୍ୟା କଲା ମୋ ପୁଅକୁ।’’
ଅସୁରକ୍ଷିତ ହେବାରେ ଲାଗିଲାଣି ଶ୍ରୀକ୍ଷେତ୍ର। ପୁଣି ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନ ଅଞ୍ଚଳରେ ହେଲାଣୀ ରକ୍ତ ରଞ୍ଜିତ। ପୂର୍ବରୁ ସେବାୟତ ଗୁନ ସିଂହାରୀଙ୍କୁ ହତ୍ୟା, ତା ପରେ କାଳିଆ ପଢ଼ିଆରୀଙ୍କୁ ଓ ଏବେ ଲୋକନାଥ ମନ୍ଦିର ସେବାୟତ ଶିବରାମ ପାତ୍ରକୁ ଜିରୋ ରେଞ୍ଜରୁ ଗୁଳିମାଡ଼ କରି ହତ୍ୟା କରାଯାଉଛି। ତେବେ ଏତେ ସଂଖ୍ୟକ ବନ୍ଧୁକ ପୁରୀକୁ କଭଳି ଆସୁଛି ଓ ଅପରାଧ କଲାବେଳେ ସେମାନେ କେବଳ ବନ୍ଧୁକ ବ୍ୟବହାର କରି ମୁଣ୍ଡ ଗଡାଉଛନ୍ତି। ପୁରୀ ପୋଲିସ ପାଇଁ ବନ୍ଧୁକ କାରବାର ରୋକିବା ବଡ ଚାଲେଞ୍ଜ କଥା। ସେପଟେ ପୋଲିସ ମଧ୍ୟ ପ୍ରତିଟି ଗୁଳିମାଡ ହତ୍ୟା ମାମଲାର ସର୍କଷ୍ଟାନ୍ସିଆଲ ଏଭିଡେନ୍ସ କୋର୍ଟକୁ ଦେବାରେ ଅନେକ ତ୍ରୁଟି କରୁଥିବାରୁ ତାହା ଅଭିଯୁକ୍ତଙ୍କୁ ଖସାଇବାରେ ସାହାଯ୍ୟ କରୁଛି। ପୁଣି ଗୁଳିମାଡ କରି ହତ୍ୟା ଅଭିଯୁକ୍ତ ଖଲାସ ହେଉଥିବାରୁ ଏହି ଘଟଣା ଅନ୍ୟମାନଙ୍କୁ ଅପରାଧ କରିବା ପାଇଁ ପ୍ରୋତ୍ସାହନ ହେଉଛି ବୋଲି କହିଛନ୍ତି ଆଇନଜୀବୀ ବିଶ୍ୱନାଥ ଦାସ।
ସେପଟେ ଗୋଟିଏ ଦିନରେ ଦୁଇଟି ଘଟଣା। ଗୋଟିଏ ଗୁଳିମାଡ ହୋଇଥିବା ବେଳେ ଆଉ ଏକ ଘଟଣା ଘଟିଛି କୁମ୍ଭାରପଡା ଥାନା ଅଞ୍ଚଳ ମାଉସୀମା ମନ୍ଦିର ସମ୍ମୁଖରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୂର୍ଯ୍ୟନାରାୟଣ ପାଢ଼ୀ ନାମକ ଜଣେ ଯୁବକକୁ ତିନି ଜଣ ଦୃର୍ବୃର୍ତ୍ତ ଭୁଜାଲିରେ ହାଣି ହତ୍ୟା ଉଦ୍ୟମ କରିଥିଲେ। ତେଣୁ ଆଗକୁ ରଥଯାତ୍ରା ଥିବାରୁ ଅପରାଧୀମାନେ ସକ୍ରିୟ ହେବା ପୁରୀ ପୋଲିସ ପାଇଁ ବେଶ ଚାଲେଞ୍ଜଭରା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।