News18 Odia Digital
ପୁରୀ: ଯୋଶୀମଠକୁ ନେଇ ସତ ହୋଇଛି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଭବିଷ୍ୟବାଣୀ। ଯୋଶୀ ମଠ ଦବିବା ନେଇ ବହୁ ପୂର୍ବରୁ ଅନୁମାନ କରିଥିଲେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ।
ପୂର୍ବରୁ ଶଙ୍କରାଚାର୍ଯ୍ୟ କରିଥିବା ଭବିଷ୍ୟବାଣୀ ନିଜ ଟ୍ବିଟରେ ପୋଷ୍ଟ କରି ଏହା ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ। ପୋଷ୍ଟ ହୋଇଥିବା ଏହି ଟ୍ବିଟରୁ ଶଙ୍କରାଚାର୍ଯ୍ୟଙ୍କ ଭବିଷ୍ୟବାଣୀରୁ ଜଣାପଡ଼ିଛି ଯେ ଯୋଶୀମଠ ତଳେ ଏକ ସୁଡ଼ଙ୍ଗ ରହିଛି।
ତେଣୁ ଯେକୌଣସି ମୁହୂର୍ତ୍ତରେ ଏହି ସହର ଭୁଷୁଡ଼ି ପାରେ। ଏଥିପାଇଁ ଆଗୁଆ ପ୍ରଶାସନ ସତର୍କ ହେବା ଦରକାର ବୋଲି ଶଙ୍କରାଚାର୍ଯ୍ୟ ସତର୍କ କରାଇ ଦେଇଥିଲେ । ଏବେ ସ୍ଥିତି ସେଇଆ ହିଁ ହୋଇଛି। ଯୋଶୀ ମଠରେ ବଢ଼ିଛି ଭୂସ୍ଖଳନ ଭୟ।
ରାସ୍ତା-ଘାଟ, ଘର-ଦ୍ବାର, ମଠ-ମନ୍ଦିର ଏବଂ ହୋଟେଲ, ସବୁଠି ଫାଟ। ୭୦୦ରୁ ଅଧିକ କୋଠାରେ ଫାଟ ହୋଇଛି। ୨୦୦ରୁ ଅଧିକ କୋଠାରେ ନାଲିଛକି ମାରି ଉଚ୍ଛେଦ ପାଇଁ ଉଦ୍ୟମ ଚଳାଇଛି ପ୍ରଶାସନ।
ଦୁଇଟି ବଡ଼ ହୋଟେଲ ମାଲାରି ଇନ୍ ଏବଂ ମାଉଣ୍ଟ ଭ୍ୟୁରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ଏହି ଦୁଇ ହୋଟେଲ ସହ ବିପଦସଂକୁଳ କୋଠା ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଉଚ୍ଛେଦ ଅଭିଯାନରେ ସାମିଲ ହୋଇଛନ୍ତି NDRF ଏବଂ SDRF ଯବାନ। ଶତାଧିକ ପରିବାରକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ବିକାଶ ନାଁରେ ବିନାଶ କଲେ ବିପଦ ନିଶ୍ଚିତ ଆସିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।