News18 Odia Digital
ପୁରୀ: ଲିଭୁନି ନିଆଁ, ନାକେଦମ ହେଲେଣି ଅଗ୍ନିଶମ ବାହିନୀ। ଧୂଆଁ ଯୋଗୁଁ ଭିତରକୁ ପଶି ପାରୁନାହାଁନ୍ତି ଅଗ୍ନିଶମ ବାହିନୀ। ପୁରୀ ମରିଚିକୋଟ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଏଯାଏ ଲିଭି ନାହିଁ।
ପ୍ରବଳ ଧୂଆଁ ଯୋଗୁଁ ଅଣନିଶ୍ବାସୀ ଅଗ୍ନିଶମ ବାହିନୀ। ଦୋକାନ ଗୁଡିକର ସଟର ପଡ଼ିଥିବାରୁ ନିଆଁ ଲିଭାଇବା ସମ୍ଭବ ହେଉନାହିଁ। ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛି। ପୁରୀରେ ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ।
ଦୀର୍ଘ ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ। ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି। ତେବେ ଏଥିରେ କୌଣସି ଜୀବନ ହାନି ହୋଇନାହିଁ। ନିଆଁର ଉତ୍ତାପ ଏତେ ମାତ୍ରାରେ ରହିଛି ଯେ ଭିତରକୁ ପଶିବାକୁ ସମ୍ଭବ ହେଉନାହିଁ। ବନ୍ଦ ରହିଥିବା କୋଠରୀରେ ନିଆଁ କୁହୁଳୁଛି।
ଦୋକାନର ସଟର ତରଳିବାରେ ଲାଗିଥିବା ବେଳେ କାଚ ଫାଟୁଛି। ଭିତର ବନ୍ଦ ହୋଇ ରହିଥିବା ଦୋକାନ ସବୁର ସଟର କାଟି ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛି ଅଗ୍ନିଶମ ବିଭାଗ। ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ଏବଂ ପୁରା ଫାୟାର ଟିମ ନିଜର ଦମ ଲଗାଇଛନ୍ତି।
ପୁରୀ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସେପଟେ ଅନେକ ପର୍ଯ୍ୟଟକଙ୍କ ଆସବାବପତ୍ର ଏବେ ଭିତରେ ରହିଛି। ମାର୍କେଟ ଭିତରେ ଏକ ବ୍ୟାଙ୍କ ଶାଖା ରହଛି। ସେଠି କୌଣସି କ୍ଷତି ହୋଇଛି କି ନାହିଁ ଜଣାପଡ଼ି ନାହିଁ।
ଗତକାଲି ସନ୍ଧ୍ୟାରେ ମରିଚିକୋଟ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା। କେହି କିଛି ବୁଝିବା ଆଗରୁ ସମ୍ପୂର୍ଣ୍ଣ ମାର୍କେଟ କମ୍ପ୍ଲେକ୍ସ ସହ ବଡ଼ଦାଣ୍ଡ ଧୂଆଁରେ ଭରିଯାଇଥିଲା।
ଏହି ମାର୍କେଟ କମ୍ପ୍ଲେକସର ତୃତୀୟ ଓ ଚତୁର୍ଥ ମହଲାରେ ଥିବା ହୋଟେଲରେ ଶତାଧିକ ପର୍ଯ୍ୟଟକ ଥିଲେ। ସେମାନେ ଦୌଡାଦୌଡ଼ି ହୋଇ ତଳକୁ ଓହ୍ଲାଇବା ବେଳେ ୪ ଜଣ ଆହତ ହୋଇଥିଲେ। ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ପରେ ପୁରୀ ସହରରେ ଥିବା ସବୁ ସପିଂ ମଲରେ ଫାୟାର ସେଫଟି ବ୍ୟବସ୍ଥା ଅଛିକି ନାହିଁ ତାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। କିଭଳି ନିଆଁ ଲାଗିଲା ତାର ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ପୁରୀ ଏସପି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।