ପୁରୀ: 'ବଗଲା ଧର୍ମଶାଳା' ଦାନ ଜମିର ବିକ୍ରି ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି

୧୧୦ ବର୍ଷ ଧରି ଭକ୍ତମାନେ ବଡଦାଣ୍ଡରେ ଥିବା ବଗଲା ଧର୍ମଶାଳାକୁ ବ୍ୟବହାର କରି ଆସୁଥିଲେ । ବର୍ତ୍ତମାନ ଏହାକୁ ନେଇ ସରକାର ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛନ୍ତି । ସମୁଦାୟ ୨ ଏକର ୫୭୪ ଡ଼ିସିମିଲି ଜମିରୁ ୩୪୦ ଡ଼ିସିମିଲି ଜମିକୁ ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପ୍ରକଳ୍ପରେ ବିସ୍ଥାପିତଙ୍କୁ ବିକ୍ରି କରି ସେମାନଙ୍କ ନାଁରେ ପଟ୍ଟା କରିଦିଆଯାଇଛି ।

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ସମ୍ବିତ ପାତ୍ର ଓ ଅନ୍ୟ ବିଜେପି କର୍ମୀମାନେ ଧାରଣାରେ ବସିଥିବା ସମୟରେ ଦୃଶ୍ୟ

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ସମ୍ବିତ ପାତ୍ର ଓ ଅନ୍ୟ ବିଜେପି କର୍ମୀମାନେ ଧାରଣାରେ ବସିଥିବା ସମୟରେ ଦୃଶ୍ୟ

  • Share this:
News18 Odia Digital
ପୁରୀ: ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତ ସୁଲଭ ଦରରେ ଶ୍ରୀକ୍ଷେତ୍ରରେ ରହିପାରିବେ ଏଭଳି ଇଛା ନେଇ କହ୍ନେୟାଲାଲ ବଗଲା ୧୯୦୫ ମସିହାରେ ବଳଗଣ୍ଡି ମୌଜାର ଅଢେଇ ଏକର ଜମି ଦାନ ଦେଇଥିଲେ । ୧୧୦ ବର୍ଷ ଧରି ଭକ୍ତମାନେ ବଡଦାଣ୍ଡରେ ଥିବା ବଗଲା ଧର୍ମଶାଳାକୁ ବ୍ୟବହାର କରି ଆସୁଥିଲେ । ବର୍ତ୍ତମାନ ଏହାକୁ ନେଇ ସରକାର ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛନ୍ତି । ସମୁଦାୟ ୨ ଏକର ୫୭୪ ଡ଼ିସିମିଲି ଜମିରୁ ୩୪୦ ଡ଼ିସିମିଲି ଜମିକୁ ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପ୍ରକଳ୍ପରେ ବିସ୍ଥାପିତଙ୍କୁ ବିକ୍ରି କରି ସେମାନଙ୍କ ନାଁରେ ପଟ୍ଟା କରିଦିଆଯାଇଛି । ଏଠାରେ ପୂର୍ବରୁ ଥିବା ଭିତର ସେବାୟତ ନିଯୋଗ ସମେତ ୬ ଜଣ ଲଜିଂ ମାଲିକଙ୍କୁ ୩୪୦ ଡ଼ିସିମିଲି ବିକ୍ରି କରିଦିଆଯାଇଛି । ଗତ ୧୨ ତାରିଖରେ ଜିଲ୍ଲାପାଳ ଏହି ମାଲିକଙ୍କ ନାମରେ ଜମି ପଟ୍ଟା ଜାରୀ କରିଛନ୍ତି ।

ପୁରୀ ସହରର କେନ୍ଦ୍ରସ୍ଥଳ ବଡ଼ଦାଣ୍ଡକୁ ଲାଗି ବଳଗଣ୍ଡି ମୌଜାରେ ରହିଛି ବଗଲା ଧର୍ମଶାଳା । ଶହେ ବର୍ଷ ତଳେ ଭକ୍ତମାନେ ପୁରୀ ଆସି ଦର୍ଶନ ପରେ ରହିବା ପାଇଁ ବାର ଦୁଆର ହେଉଥିବା ପରିଲକ୍ଷିତ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ପରମଭକ୍ତ କହ୍ନେୟାଲାଲ ବଗଲା ୧୯୦୫ ମସିହାରେ "ବଗଲା ଧର୍ମଶାଳା" ତିଆରି କରି ଜିଲ୍ଲା ପ୍ରଶାସନ ଓ ଲଜିଂ ହାଉସ ଫଣ୍ଡକୁ ଦାନ କରିଥିଲେ । ଅଢେଇ ଏକର ମୁଲ୍ୟବାନ ଜମି ସହ କୋଟି କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ କରି ଦାନ କରିଥିଲେ । ତାଙ୍କର ଚୁକ୍ତି ଥିଲା ଭକ୍ତମାନଙ୍କୁ ସ୍ୱଳ୍ପ ମୁଲ୍ୟରେ ରହିବା ପାଇଁ ସୁଯୋଗ ଦିଆଯିବ। ଏକ ସମୟରେ ଏଠାରେ ଦେଢହଜାରରୁ ଅଧିକ ଭକ୍ତ ରହିପାରୁଥିଲେ । ସେବେଠାରୁ ୧୧୦ ବର୍ଷ ଧରି ଲଜିଂ ହାଉସ ଫଣ୍ଡ ଏହାକୁ ପରିଚାଳିତ କରିଆସୁଥିଲା ।

"୨୦୧୮ ରେ ରାଜ୍ୟ ସରକାର ଲଜିଂ ହାଉସ ଫଣ୍ଡକୁ ପୌରସଂସ୍ଥା ସହିତ ମିଶ୍ରଣ କରିବା ପରେ ମାଲିକାନା ଚାଲିଯାଇଥିଲା ପୌରସଂସ୍ଥା ହାତକୁ। ଏବେ ଏହି ମୁଲ୍ୟବାନ ଜମିକୁ ଚୁକ୍ତି ଖିଲାପ ପୂର୍ବକ ଜିଲା ପ୍ରଶାସନ ପ୍ଲଟିଂ କରି ବିକ୍ରି କରିଦେଇଛି । ଶ୍ରୀମନ୍ଦିର ଚର୍ତୁପାର୍ସ୍ୱ ୭୫ ମିଟର ସୁରକ୍ଷା କରିଡରରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ବଗଲା ଧର୍ମଶାଳା ଜମିରେ ପ୍ଲଟ ଆବଣ୍ଟନ ନିଷ୍ପତି ମୁତାବକ ସମୁଦାୟ ୨ ଏକର ୫୭୪ ଡ଼ିସିମିଲି ଜମିରୁ ୩୪୦ ଡ଼ିସିମିଲି ଜମିକୁ ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପ୍ରକଳ୍ପରେ ବିସ୍ଥାପିତଙ୍କୁ ଦେଇ ଦିଆଯାଇଛି । ଏଠାରେ ପୂର୍ବରୁ ଥିବା ଭିତର ସେବାୟତ ନିଯୋଗ ସମେତ ୬ ଜଣ ଲଜିଂ ମାଲିକଙ୍କୁ ୩୪୦ ଡିସିମିଲି ବିକ୍ରି କରିଦିଆଯାଇଛି । ଏକ ନିର୍ଦ୍ଦିଷ୍ଟ ଉଦ୍ଧେଶ୍ୟ ନେଇ ଦାନରେ ଦିଆଯାଇଥିବା ଜମିକୁ ଜିଲ୍ଲା ପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରିଥିବାରୁ ଏହାକୁ ନେଇ ହାଇକୋର୍ଟଙ୍କ ୨୦୧୯ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ । ୧୭ ଡ଼ିସେମ୍ବର ୨୦୧୯ ରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରୀ କରିଥିଲେ । ନୋଟିସର ଉତ୍ତର ନ ଦେଇ ମାମଲା ବିଚାରଧୀନ ଥିବାବେଳେ ପୁରୀ ଜିଲ୍ଲାପାଳ ଏହାକୁ ବେଆଇନ ଭାବେ ବିକ୍ରି କରାଯାଇଥିବା ନେଇ ବାସ୍ତବିକ ରାଜ୍ୟ ସରକାରଙ୍କ ଅନୁମତି ଅଛି କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି," କହିଛନ୍ତି ବଗଲାକୁ ନେଇ ଜନସ୍ୱାର୍ଥ ମାମଲା କରିଥିବା ୫୫ ବର୍ଷୀୟ ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ।

ବର୍ତ୍ତମାନ ବଗଲା ଧର୍ମଶାଳା ଜମି ବିବାଦକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଦୀର୍ଘ ଦିନ ପୁରୀର କୌଣସି ପ୍ରସଙ୍ଗ ଉପରେ ମୁହଁ ଖୋଲୁନଥିବା ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ବଗଲାକୁ ନେଇ କରିଛନ୍ତି ବୟାନବାଜି । ଅଗଷ୍ଟ ୨୦ରେ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଓ କର୍ମୀମାନେ ବଗଲା ସମ୍ମୁଖରେ ଧାରଣାରେ ବସିଥିବା ବେଳେ ସେମାନଙ୍କ ସହ ସ୍ୱର ମିଶାଇ ପ୍ରଶାସନ ଉପରେ ବର୍ଷିଥିଲେ ମହେଶ୍ୱର।

"ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତ ସୁଲଭ ଦରରେ ଶ୍ରୀକ୍ଷେତ୍ରରେ ରହିବା ପାଇଁ ବ୍ୟବହାର ହେଉଥିଲା ଧର୍ମଶାଳା । ତେଣୁ ସରକାର ଏଭଳି ଜମିକୁ ବିକ୍ରି କରିଥିବା ନିଷ୍ପତିର ପୁର୍ନବିଚାର କରନ୍ତୁ । ବଗଲାରେ ଧର୍ମଶାଳା ପାଇଁ ଦୁଇଟି ପର୍ଯ୍ୟାୟରେ ଅବଢା ଯୋଜନାରେ ୧୨ କୋଟି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୯ କୋଟି ଟଙ୍କା ମଞ୍ଜୁର କରାଯାଇ ୨୧ କୋଟି ଦିଆଯାଇଥିଲା । କାର୍ଯ୍ୟ ବି ଆରମ୍ଭ ହୋଇଥିଲା ଓ ଡ଼ିଜାଇନ ବି ଫାଇନାଲ ହୋଇ ଟେଣ୍ଡର ସରିଥିଲା । ତେବେ କାହା ସ୍ୱାର୍ଥରେ ଜିଲା ପ୍ରଶାସନ ଏଭଳି ଧର୍ମଶାଳା ଜମିକୁ ବିକ୍ରି କରିଦେବା ଘଟଣା ବେଶ ମର୍ମାହତ କରିଛି । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ ବୋଲି ଦାବୀ କରିଥିଲେ । ଅଗଷ୍ଟ ୨୨ରେ ପୁଣି ୟୁ ଟର୍ଣ୍ଣ କରିଛନ୍ତି ମହେଶ୍ୱର । ବିଜେପି ରାଷ୍ଚ୍ରୀୟ ପ୍ରବକ୍ତା ଡ଼ ସମ୍ବିତ ପାତ୍ରଙ୍କ ବଗଲା ପ୍ରସଙ୍ଗରେ ଧାରଣା ଓ ସରକାରଙ୍କୁ ଟାର୍ଗେଟ ନେଇ ସେ ସିଧାସଳଖ ବର୍ଷିଛନ୍ତି । ସମ୍ବିତ ହେଉଛନ୍ତି ନାଟୁଆ ଓ ଭଲ ନାଟକବାଜି ତାଙ୍କୁ ଆସେ । ତେଣୁ ବଗଲା ପ୍ରସଙ୍ଗରେ ରାଜନୀତି ନ କରନ୍ତୁ,'' କହିଛନ୍ତି ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତି ।

ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତି


ଯୁବ ବିଜେଡ଼ିର ରାଜ୍ୟ ସମ୍ପାଦକ ୪୦ ବର୍ଷୀୟ ଶୁଭାଶିଷ ଖୁଣ୍ଟିଆ ଏହି ପ୍ରସଙ୍ଗରେ ଜିଲ୍ଲା ସଭାପତି ମହେଶ୍ୱରଙ୍କୁ କାଉଣ୍ଟର କରି କହିଛନ୍ତି ''ମୁଖ୍ୟମନ୍ତ୍ରୀଙ୍କ ପୁରୀ ପାଇଁ ଯୋଜନା ଅନୁସାରେ କାର୍ଯ୍ୟ କରାଯାଉଛି ଓ ବଗଲା ଜମିକୁ ନେଇ ଅଯଥା ରାଜନୀତି ନ କରି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀରେ ୬୦ ହଜାର ଭକ୍ତଙ୍କ ସୁଲଭ ଦରରେ ରହଣୀ ପାଇଁ ବ୍ୟବସ୍ଥା କରାଯାଉଛି । ତେଣୁ ବର୍ତ୍ତମାନ କୌଣସି ପ୍ରସଙ୍ଗ ନ ଥିବାରୁ ଅଯଥାରେ ବଗଲାକୁ ନେଇରାଜନୀତି ଚାଲିଛି।

ଜମି ବିକ୍ରି ବନ୍ଦ ଓ ଦିଆଯାଇଥିବା ପଟ୍ଟାକୁ ରଦ୍ଧ କରିବା ନେଇ ଅଗଷ୍ଟ ୨୧ରୁ ବଗଲା ସମ୍ମୁଖରେ ପୁରୀର ବିଜେପି ବିଧାୟକ ୫୨ ବର୍ଷୀୟ ଜୟନ୍ତ କୁମାର ଷଡଙ୍ଗୀ ଓ କର୍ମୀମାନେ କୋଭିଡ ନିୟମ ପାଳନ କରି ଧାରଣା ଦେଇଛନ୍ତି ।

''୨୦୧୮ ମସିହାରେ ବଗଲା ଧର୍ମଶାଳାର ନବୀକରଣ କରିବା ପାଇଁ ପଦକ୍ଷେପ ନିଆଯାଇ ପୁରୁଣା କୋଠାକୁ ଭାଙ୍ଗି ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପ୍ରସ୍ତାବ ଆସିଥିଲା। ପ୍ରସାଦ ଯୋଜନାରେ ୨୦ କୋଟି ଟଙ୍କା ଅନୁଦାନ ଆସି କାର୍ଯ୍ୟ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ କାର୍ଯ୍ୟାରମ୍ଭ ହୋଇଥିଲା । ୨ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲା । ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏହି ଜମି ପାଇଁ ନୋ ଅବଜେକ୍ସନ ସାର୍ଟିଫିକେଟ ଦେଇଥିଲେ । କିନ୍ତୁ ବଗଲାରେ ନିର୍ମାଣ ବିଶ୍ରାମସ୍ଥଳର ଡ଼ିଜାଇନରେ ପରିବର୍ତ୍ତନ କରାଯିବା ଆଳରେ ଏହି କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ଏହା ପରେ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ରରେ ବିସ୍ଥାପିତଙ୍କୁ ଜମି ଦିଆଯିବା ଚୁକ୍ତି ଅନୁସାରେ ଅଗଷ୍ଟ ୫ ରୁ ୧୨ ତାରିଖ ଭିତରେ ଅଢ଼େଇ ଏକର ଜମିରୁ ପ୍ରଥମ ପର୍ଯ୍ୟାୟରେ ଭିତର ସେବାୟତ ନିଯୋଗ ସହ ଲଜିଂ ମାଲିକଙ୍କୁ ମିଶାଇ 6 ଜଣଙ୍କ ନାମରେ ୩୪୦ ଡିସିମିଲି ଜମିକୁ କବଲା କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଆଉ କିଛି ଜମି କବଲା କରାଯିବା ଆଶଙ୍କା ରହିଛି । ତେଣୁ ଏଥିରୁ ନିବୃତ ନ ରହିଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପନ କରିବା ସହ ପୁରୀର ବିଭିନ୍ନ ସଙ୍ଗଠନକୁ ନେଇ ଆନ୍ଦୋଳନ କରାଯିବ,'' କହିଛନ୍ତି ପୁରୀର ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ।

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ସମ୍ବିତ ପାତ୍ର ପୁରୀ ଆସି ବଗଲା ସମ୍ମୁଖରେ ବିଜେପିର ନେତୃବୃନ୍ଦଙ୍କ ସହ ଧାରଣା ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
"ବଗଲାକୁ ହଡ଼ପ କରିବାକୁ ନେଇ ପ୍ରଶାସନିକ ଅଧିକାରୀ, ନେତା ଓ ମନ୍ତ୍ରୀମାନଙ୍କର ଏକ ଷଡ଼ଯନ୍ତ୍ର । ତେଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କିଭଳି ମନମାନି କରି ଭକ୍ତଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି ବଗଲା କେଳେଙ୍କାରୀ ତାର ପ୍ରକୃତ ଉଦାହରଣ । ତେଣୁ ସରକାର ଏଭଳି ନିଷ୍ପତିରୁ ବିରତି ରୁହନ୍ତୁ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରି ହସ୍ତକ୍ଷେପ କରାଯିବ,'' କହିଛନ୍ତି ବିଜେପି ରାଷ୍ଚ୍ରୀୟ ପ୍ରବକ୍ତା ଡ଼ ସମ୍ବିତ ପାତ୍ର ।

"ଶ୍ରୀମନ୍ଦିର ସୁରକ୍ଷା ବଳୟ ୭୫ ମିଟର ପରିଧି ମଧ୍ୟରେ ବିସ୍ଥାପିତ ହୋଇଥିବା ଲଜିଂ ମାଲିକଙ୍କ ମଧ୍ୟରୁ ବଗଲା ଧର୍ମଶାଳାରେ ୬ ଜଣଙ୍କୁ ୩୫ ଡିସିମିଲ ଜମି ଦିଆଯାଇଛି। ତେବେ ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ସୁରକ୍ଷା ବଳୟରୁ ମୁଲ୍ୟବାନ ଜମି ଦେଇ ତା ବଦଳରେ ବଗଲା ଜମି ପାଇଲୁ । ହେଲେ ଏହାକୁ ନେଇ କାହିଁକି ହେଉଛି ରାଜନୀତି। ଯେତେବେଳେ ଉଚ୍ଛେଦ ଆରମ୍ଭ ହେଲା କୁଆଡେ ଯାଇଥିଲେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ଓ ବବର୍ତ୍ତମାନର ଅନେକ ରାଜନେତା । ତେଣୁ କେବଳ ରାଜନୀତିକରଣ କରି ବିବାଦୀୟ କରିବା ଛଡ଼ା ଆଉ କିଛି ନୁହେଁ । ବଗଲା ନାଁରେ ରାଜନୀତି କରି କେବଳ ଡ୍ରାମାବାଜି ଚାଲିଛି । ତେଣୁ ଆମେ ଶହ ଶହ ବର୍ଷର ଭିଟାମାଟି ଛାଡି ମୁଲ୍ୟବାନ ସମ୍ପତିକୁ ସରକାରଙ୍କୁ ତ୍ୟାଗ କରିଦେଇଥିବା ବେଳେ ତା ତୁଳନାରେ ବଗଲା ଜମି କିଛି ନୁହେଁ ତଥାପି ସରକାରଙ୍କୁ ଧନ୍ୟବାଦ ସେମାନେ ବିସ୍ଥାପିତଙ୍କୁ ଅନେକ ସହଯୋଗ କରିଛନ୍ତି," କହିଛନ୍ତି ଭିତର ସେବାୟତ ନିଯୋଗର ସମ୍ପାଦକ ତଥା ବିଜେପିର ସାଂଗଠନିକ କର୍ମକର୍ତ୍ତା ରବି ଦାଶ ।

ବଗଲାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜିଲା ପ୍ରଶାସନ । ବଗଲା ଧର୍ମଶାଳା ଖାତା ନଂ ୨୪୨ ଏବଂ ୧୫୦ ପୁରୀ ସହରର ବଳଗଣ୍ଡି ଗାଁରେ ୨.୭୩୮ ଏହି ଜମି ରାଜସ୍ୱ ବିଭାଗ ନାଁରେ ରେକର୍ଡ଼ କରାଯାଇଛି । ଏହା ପୂର୍ବରୁ ଲଜିଂ ହାଉସ୍ ନାମରେ ରେକର୍ଡ କରାଯାଇଥିଲା ।
Published by:Jagdish Barik
First published: