News18 Odia Digital
ପୁରୀ: ପୁରୀ ପୋଲିସକୁ ମିଳିଛି ସଫଳତା। ଧରିଛି ଅନ୍ତଃଜିଲ୍ଲା ବନ୍ଧୁକ ରାକେଟ। ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୬ଟି ବନ୍ଧୁକ ଜବତ ହୋଇଛି। ଖାଲି ସେତିକି ନୁହେଁ ରବିବାର ୪ଟି ଥାନାରେ ବିଭିନ୍ନ ମାମଲାରେ ଜଡିତ ଥିବା ୧୦ ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ।
ପୁରୀରେ ଏବେ ତିନୋଟି ହତ୍ୟା ଘଟଣାରେ ଜିରୋ ରେଞ୍ଜରୁ ଫାୟରିଂ କରାଯାଇ ହତ୍ୟା କରାଯାଇଛି। ତେଣୁ କୁଆଡୁ ଆସୁଛି ବନ୍ଧୁକ ସେ ନେଇ ଆରମ୍ଭ ହୋଇଥିଲା ତନାଘନା। ପୁରୀରେ ଲୋକନାଥ ମନ୍ଦିର ସେବାୟତ ଶିବ ରାମ ପାତ୍ରଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପରେ ପୁରୀ ପୋଲିସ ପକ୍ଷରୁ ବେଆଇନ ବନ୍ଧୁକ କାରବାର ନେଇ ଚଢ଼ାଉ ଆରମ୍ଭ କରିଛି। ବେଆଇନ ବନ୍ଧୁକ କାରବାର ନେଇ ୭ ଜଣଙ୍କୁ ପୋଲିସ ଗିରଫ କରିଛି। । ମୋଟ ୪ଟି ବନ୍ଧୁକ, ୪ଟି ଜୀବନ୍ତ ଗୁଳି ଜବତ କରିଛି ପୁରୀ ପୋଲିସ। ପୁରୀ ସଦର ଥାନା, ଟାଉନ ଥାନା ଓ ବଳିଆ ପଣ୍ଡା ଥାନା ଅଞ୍ଚଳ ପୋଲିସ ପକ୍ଷରୁ ଡ୍ରାଇଭ କରାଯାଇ ବନ୍ଧୁକ ସମେତ ଏହାର କାରବାର କରୁଥିବା ଵ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ସଦର ରେଣ୍ଢାଗଡ଼ର ରତିକାନ୍ତ ପରିଡା, ଚନ୍ଦନ ପୁର ଥାନା ସିରୁଳି ମହାବୀର ଅଞ୍ଚଳର ବିକ୍ରମ ପଣ୍ଡା, ନୟାଗଡ଼ ଖଣ୍ଡ ପଡାର ଅଶୋକ ସାହୁ, ପୁରୀ ଟାଉନ ଥାନା ନୂଆପଟଣା ଗଳିର ରୁଦ୍ର ପ୍ରସାଦ ରାଉତ, ପୁରୀ ହାଡ଼ଗୋଡ଼ିଆ ସାହିର ହରିଷ ଚନ୍ଦ୍ର ପୃଷ୍ଟି, ଖାକି ମଠ ନୂଆ ସାହିର ଲୋକନାଥ ଦାସ, କୁମ୍ଭାର ପଡା ବଉଳ ମଠ ଲେନର ରଞ୍ଜିତ କୁମାର ମହାନ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆବଶ୍ୟକ ପଡିଲେ ମୁଖ୍ୟ ଅଭିଯୁକ୍ତ ଋଷିଆ ଓରଫ ରତିକାନ୍ତ ପରିଡାକୁ ରିମାଣ୍ଡରେ ଅଣାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ଏସପି କେ.ଵିଶାଲ ସିଂ।
"ଚଳିତ ବର୍ଷ ବିଭିନ୍ନ ଘଟଣା କ୍ରମକୁ ନେଇ ମୋଟ ୧୬ଟି ବନ୍ଧୁକ ଜବତ ହୋଇଛି। ଜିଲ୍ଲାକୁ ଚୋରା ବନ୍ଧୁକ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ। ୫ ମାସରେ ୧୬ଟି ବନ୍ଧୁକ ଜବତ ହୋଇଥିବାବେଳେ ପୁରୀରେ ଚୋରା ବନ୍ଧୁକ କାରବାର ଉପରେ ରୋକ ଲଗାଇବା ପାଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ କରାଯାଇ ଚଢ଼ାଉ ଜାରି ରହିଛି। ତେବେ ପୁରୀକୁ କେଉଁ ଠାରୁ ବନ୍ଧୁକ ଆସୁଛି ଓ ଏହାର ମୁଖ୍ୟ କିଙ୍ଗପିନ କିଏ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ପୁରୀ ପୋଲିସ ପକ୍ଷରୁ ଜାରି ଫୋନ ନମ୍ବରରେ ଲୋକ ଏ ନେଇ ଖବର ଦେବାକୁ ପୁରୀ ପୋଲିସ ଅପିଲ କରିଛି। ତେବେ ପୁରୀକୁ ଅପରାଧ ମୁକ୍ତ ପାଇଁ ପୁରୀ ପୋଲିସ ପକ୍ଷରୁ ସବୁବେଳେ ପୁରୀ ଏସପି ଉଦ୍ୟମ କରୁଛନ୍ତି,’’ କହିଛିନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା।
"ତେବେ ଅପରାଧୀ ଦମନ ପାଇଁ ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ। ଶନିବାର ଚଢ଼ାଉ କରି ୧୦ ଜଣ ଦୁର୍ବୁତ୍ତକୁ ଗିରଫ କରିଛି। ଏହି ଅପରାଧୀମାନଙ୍କ ନାଁରେ ବାସେଳି ସାହି ଥାନା, ବଳିଆ ପଣ୍ଡା , କୁମ୍ଭାରପଡା ଓ ସମୁଦ୍ରକୂଳ ଥାନା ଅଞ୍ଚଳରେ ରହିଛି ମାମଲା। ସେମାନେ ହେଲେ ସନାତନ ପ୍ରଧାନ, ଅଶୋକ ପ୍ରଧାନ, କାନହୁ ଭୋଇ, ରାଜା ସ୍ୱାଇଁ, ଲକ୍ଷ୍ମୀଧର ଖଟେଇ, ବୁଲା ଦାସ, ସନ୍ତୋଷ ଦାସ, ଅଭିନାଶ ନାୟକ, ରୂପକ ନାୟକ, ଜି ରବି ରାଓ। ସେମାନଙ୍କ ଠାରୁ ଖଣ୍ଡା, ଦୁଇଟି ଲୁହା ରଡ, ଦୁଇଟି ଜୀବନ୍ତ ବୋମା, ଦୁଇଟି ବାଇକ ଜବତ ହୋଇଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି,’’ କହିଛନ୍ତି ସିଟି ଡିଏସପି ଜନାର୍ଦ୍ଧନ ପାଢ଼ୀ।
ପୁରୀକୁ ଏତେ ଚୋରା ବନ୍ଧୁକ କେଉଁଠୁ ଆସୁଛି ତା'ର ଚେର ପାଉନି ମିଳୁନି କି ବେପାରୀ କିଏ ତାହା ଏବେବି ବ ରହସ୍ୟ ଘେରରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।